ଆଉ କେତେ ଦିନ

ବୈକୁଣ୍ଠନାଥ ମିଶ୍ର
ବିଗତ କିଛିବର୍ଷ ହେଲା ଭାରତୀୟ ରାଜନୀତିରେ ଏକ ବିଚିତ୍ର ପରମ୍ପରା ସୃଷ୍ଟି ହୋଇ ସାମାଜିକ ବିଧିବ୍ୟବସ୍ଥାକୁ କୀଟଦ୍ରଂଷ୍ଟ କରିଦେଲାଣି। ଏହା କ୍ରମେ ଏକ ଭୟଙ୍କର ଦୁଃସ୍ଥିତି ଆଡକୁ ମୁହାଁଇଛି। ନିର୍ବାଚନ ସମୟ ନିକଟତର ହେଲେ ଖୋଜାପଡ଼ନ୍ତି ଯୁବଗୋଷ୍ଠୀ। ସାମାନ୍ୟ କିଛି ପାରିଶ୍ରମିକ, ସୁସ୍ବାଦୁ ଭୋଜନ ଓ ଉତ୍କଟ ପାନୀୟ ବିନିମୟରେ ଯୁବଗୋଷ୍ଠୀ ନେତାଙ୍କର ଜୟଜୟକାର କରନ୍ତି। ପ୍ରବଳ ଉତ୍ତେଜନାରେ ରଣହୁଙ୍କାର ଦେଇ ସେମାନେ ସମଗ୍ର ବାତାବରଣକୁ ଉଷ୍ମ କରି ରଖନ୍ତି। ସେମାନଙ୍କ ଦୁର୍ଦ୍ଦଣ୍ଡ ପ୍ରତାପ ସାଧାରଣରେ ଅସହ୍ୟ ହେଲେ ମଧ୍ୟ ଲୋକେ ଭୟରେ ନୀରବ ରହିବାକୁ ବାଧ୍ୟ ହୁଅନ୍ତି। ଭାରତ ଜନସଂଖ୍ୟାର ୬୫ ପ୍ରତିଶତଙ୍କ ବୟସ ୩୫ ବର୍ଷରୁ କମ୍‌। ସେମାନଙ୍କ ମଧ୍ୟରେ ଏକ ସିଂହଭାଗ ହେଉଛନ୍ତି ୨୯ ବର୍ଷ ବୟସରୁ କମ୍‌। ସମସ୍ତ ରାଜନୈତିକ ଦଳ ନୀତି ଆଦର୍ଶ ନିର୍ବିଶେଷରେ ସେମାନଙ୍କୁ ନିର୍ବାଚନ ଯୁଦ୍ଧରେ ନିୟୋଜିତ କରି ବ୍ୟାପକ ଫାଇଦା ହାସଲ କରି ଚାଲିଛନ୍ତି। ଯୁବଗୋଷ୍ଠୀକୁ ନାନା କୁକାର୍ଯ୍ୟରେ ବିନିଯୋଗ କରାଯିବା ଦ୍ୱାରା ଭବିଷ୍ୟତରେ ସେମାନେ ଯେକୌଣସି ମନ୍ଦ କାର୍ଯ୍ୟ ପାଇଁ ପଶ୍ଚାତ୍‌ପଦ ହେଉନାହାନ୍ତି।
ରାଲି, ସାଧାରଣ ସଭା କିମ୍ବା ପ୍ରତିବାଦ ସଭାରେ ନେତାଙ୍କ ଗୁଣଗାନ ଓ ଜୟଜୟକାର କରିବା ପାଇଁ ଯୁବଶକ୍ତିର ବ୍ୟାପକ ସହଯୋଗ ନେତାମାନେ ଆବଶ୍ୟକ କରନ୍ତି। ଯେଉଁ ଦଳ ବା ନେତା ଯୁବଶକ୍ତି ମାଧ୍ୟମରେ ନିଜର ଫାଇଦା ହାସଲ କରନ୍ତି, ବାସ୍ତବରେ ସେମାନେ ଯୁବଗୋଷ୍ଠୀର ସଶକ୍ତୀକରଣ ପାଇଁ ଚେଷ୍ଟିତ ଥିବାପରି ମନେହୁଏ ନାହିଁ। ସେମାନଙ୍କୁ କେବଳ ‘ୟୁଜ୍‌ ଆଣ୍ଡ ଥ୍ରୋ’ ପରି ବ୍ୟବହାର କରାଯାଏ। ବାହାଘର ପରେ ବେଦି ମୁହଁ ପୋଡ଼ା ନ୍ୟାୟରେ ନିର୍ବାଚନ ପରେ ସେମାନେ ଅଲୋଡ଼ା ହୁଅନ୍ତି। କାମ ବେଳେ ଲୋଡ଼ା ପଡ଼ନ୍ତି ଓ କାମ ଶେଷରେ ସେମାନଙ୍କୁ ଏପରି ବ୍ୟବହାର କରାଯାଏ ସତେଯେପରି ସେମାନେ ଖୁବ୍‌ ଅଚିହ୍ନା ଓ ଅପରିଚିତ। ନିର୍ବାଚନ ପରେ ପୁରୁଖା ବୟସ୍କ କର୍ମୀମାନଙ୍କୁ ଯେତେ ଗୁରୁତ୍ୱ ଦିଆଯାଏ, ଯୁବଗୋଷ୍ଠୀ କ୍ଷେତ୍ରରେ ପ୍ରାୟ ସେପରି ହୁଏ ନାହିଁ। କାରଣ ଯୁବଗୋଷ୍ଠୀର ନେତାଙ୍କଠାରୁ ଯେଉଁ ପ୍ରତ୍ୟାଶା ଥାଏ, ବୟସ୍କଙ୍କ କ୍ଷେତ୍ରରେ ପ୍ରାୟ ସେପରି ନ ଥାଏ। ଯୁବଗୋଷ୍ଠୀ ତାଙ୍କ ନେତାଙ୍କଠାରୁ ଚାକିରି, ବ୍ୟବସାୟ କିମ୍ବା ଠିକାଦାରି ପ୍ରଭୃତିର ପ୍ରାପ୍ତି ଆଶା ରଖନ୍ତି। ନେତା ମଧ୍ୟ ଭଲଭାବେ ଜାଣନ୍ତି ଯେ ଏତେସଂଖ୍ୟକ ବ୍ୟକ୍ତିଙ୍କୁ ଥଇଥାନ କରିବା ସମ୍ଭବ ନୁହେଁ। ୮୦ ଦଶକରେ ଜାନକୀବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ଏବଂ କିଛି ମାତ୍ରାରେ ବିଜୁବାବୁଙ୍କ ସମୟରେ ମୁଷ୍ଟିମେୟ ଅନୁଗତ ଯୁବନେତାଙ୍କୁ ସରକାରୀ ଚାକିରି କିମ୍ବା ରାଜନୀତିରେ ଥଇଥାନ କରି ପୁରସ୍କୃତ କରାଯାଉଥିଲା, ହେଲେ ସେ ସମୟ ଆଉ ନାହିଁ। ତେଣୁ କ୍ଷମତା ହାସଲ ପରେ ପ୍ରତ୍ୟାଶା କମ୍‌। ଅଧିକନ୍ତୁ ବୟସ୍କମାନେ ଯୁବକର୍ମୀଙ୍କ ପରି ଏତେ ପ୍ରତିକ୍ରିୟାଶୀଳ ନୁହନ୍ତି। ଶିକ୍ଷିତ ବେକାର ଯୁବଗୋଷ୍ଠୀ ହିଁ ନିର୍ବାଚନ ଯୁଦ୍ଧରେ ନେତାଙ୍କର ବଳ।
ବର୍ତ୍ତମାନ ଚତୁରତାର ସହ ଦେଶର ଶିକ୍ଷା ବ୍ୟବସ୍ଥାକୁ ଉଚ୍ଚ ପାଠୁଆ ଓ ଅପାଠୁଆ (କେବଳ ସାକ୍ଷର ମାତ୍ର) ଶ୍ରେଣୀ ସୃଷ୍ଟି ଉଦ୍ଦେଶ୍ୟରେ ଦୁଇଭାଗରେ ବିଭକ୍ତ କରାଯାଇଛି। ନେତା ଓ ଉଚ୍ଚ ସରକାରୀ ଅଧିକାରୀଙ୍କ ପିଲାମାନେ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁନାହାନ୍ତି। ସେମାନଙ୍କ ପିଲା ଯେଉଁ ଅନୁଷ୍ଠାନରେ ଅଧ୍ୟୟନ କରନ୍ତି ତାହା ଦରିଦ୍ର ତଥା ସ୍ବଳ୍ପ ଆୟକାରୀ ମାତାପିତାଙ୍କ ପାଇଁ ସ୍ବପ୍ନ। ଶ୍ରେଣୀବିହୀନ ସମାଜବାଦୀ ଚେହେରା ଅନ୍ତରାଳେ ଶ୍ରେଣୀ ସୃଷ୍ଟିର ଭୟଙ୍କର ମାନସିକତା ଲୁକ୍କାୟିତ। ଦରିଦ୍ର ଛାତ୍ରୀଛାତ୍ରଙ୍କ ପକ୍ଷେ ମହତ୍ତର ଶିକ୍ଷା ଦିବାସ୍ବପ୍ନ। କ୍ୱଚିତ୍‌ ଯୋଗଜନ୍ମା କେବେ କୌଣସି ଉଚ୍ଚସ୍ତରକୁ ଉଠିଲେ ତା’ ପାଇଁ ନାନା ପ୍ରତିବନ୍ଧକ ଓ ଝଡ଼ଝଞ୍ଜା। ତାକୁ ସହିବାକୁ ହୁଏ ନାନା ଲାଞ୍ଛନା, ଅପମାନ ଓ ର଼୍ୟାଗିଂର ଅବ୍ୟକ୍ତ ଯନ୍ତ୍ରଣା। ବେଳେବେଳେ ଅକାଳ ମୃତ୍ୟୁକୁ ମଧ୍ୟ ବରଣ କରିବାକୁ ପଡ଼େ। ଆଜକୁ ପ୍ରାୟ ୧୦ ବର୍ଷ ତଳେ ମୋର ଜଣେ ଅତି ମେଧାବୀ ବନ୍ଧୁପୁତ୍ର ମେରାଇନ ଇଞ୍ଜିନିୟର ହୋଇ ଏକମାତ୍ର ଓଡ଼ିଆ ଭାବେ ଏକ ବିଦେଶୀ ଜାହାଜ କମ୍ପାନୀରେ ଯୋଗଦେବାର ଦୁଇମାସ ପରେ ଅନ୍ତର୍ଦ୍ଧାନ ହୋଇଗଲା। କେବଳ ଏକ ବାର୍ତ୍ତା ତା’ ପରିବାରକୁ ଆସିଲା ଯେ ଅସାବଧାନତାରୁ ନୀଳ ଦରିଆର ଅନନ୍ତ ବୁକୁରେ ସେ ସଲିଳ ସମାଧି ଲାଭ କରିଛି। କିନ୍ତୁ ମୋର ବନ୍ଧୁର ବିଶ୍ୱାସ ତା’ର କିଛି ଅଣଓଡ଼ିଆ ସାଥୀ ତାକୁ ଦରିଆକୁ ଠେଲିଦେଲେ। ପୁତ୍ର ଚିନ୍ତାରେ ବନ୍ଧୁ ମୋର ପାଗଳପ୍ରାୟ ଓ ବନ୍ଧୁପତ୍ନୀ ଆରପାରିରେ।
ଆଜିକାଲି ଦରିଦ୍ରର ଭଙ୍ଗା କୁଡ଼ିଆ ମଧ୍ୟକୁ ଲକ୍ଷ୍ମୀ ଓ ସରସ୍ବତୀ ଉଭୟ ପ୍ରବେଶ କରିବାକୁ କୁଣ୍ଠାବୋଧ କଲେଣି। ଦିନଥିଲା ସରସ୍ବତୀ ଓ ଲକ୍ଷ୍ମୀ ଦୁଇ ସମାନ୍ତର ସରଳରେଖା ପରି ପରସ୍ପରଠାରୁ ଦୂରରେ ରହୁଥିଲେ। ସରସ୍ବତୀ ଥିଲେ ଲକ୍ଷ୍ମୀ ନାହାନ୍ତି ଏବଂ ଲକ୍ଷ୍ମୀ ଥିଲେ ସରସ୍ବତୀ ନାହାନ୍ତି। କବିବର ରାଧାନାଥ ‘ଦରବାର’ କାବ୍ୟରେ ମହାମହିମ ପଠାଣି ସାମନ୍ତଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି-‘ଲକ୍ଷ୍ମୀଙ୍କ ସପତ୍ନୀ ହେବାରୁ ବରଦା, ଦାରିଦ୍ର୍ୟ ତୁମର ସଙ୍ଗୀ ହେଲା ସଦା। ଅର୍ଥାତ୍‌- କବି ଓ ପଣ୍ଡିତମାନେ ବରଦାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିବାରୁ ଲକ୍ଷ୍ମୀ ତାଙ୍କଠାରୁ ଦୂରେଇ ଯାଆନ୍ତି। ସେହିପରି ଲକ୍ଷ୍ମୀଙ୍କର ପ୍ରସନ୍ନତା ପ୍ରାପ୍ତ ହୋଇଥିବା ବ୍ୟକ୍ତି ସଦା ମୂର୍ଖତା ଓ ଦୁଷ୍ଟବୁଦ୍ଧିସମ୍ପନ୍ନ, ଯାହା ଘଟିଥିଲା ମହାମାନୀ ଦୁର୍ଯ୍ୟୋଧନ କ୍ଷେତ୍ରରେ। ଦୁର୍ଯ୍ୟୋଧନର କାନ୍ଧରେ ଲକ୍ଷ୍ମୀ ବିରାଜମାନ କରୁଥିବାରୁ ବାଗ୍‌ଦେବୀ ସରସ୍ବତୀଙ୍କର ତାଙ୍କଠାରେ ଶୁଭଦୃଷ୍ଟି ନ ଥିଲା। ତେଣୁ ସେ ସମସ୍ତ ବିପରୀତ ବୁଦ୍ଧି ଓ ଖଳ ପ୍ରକୃତିର ଅଧିକାରୀ ଥିଲା। ଆଜି କିନ୍ତୁ ସେ ସମୟ ନାହିଁ। ଲକ୍ଷ୍ମୀଙ୍କ ବିରାଜିତ ସ୍ଥଳରେ ସରସ୍ବତୀଙ୍କୁ ବାଧ୍ୟକରି ଉପସ୍ଥିତ କରାଯାଉଛି। ଫଳରେ ଧନୀ ସନ୍ତାନ କେବଳ ଉଚ୍ଚ ଶିକ୍ଷାରେ ପ୍ରବେଶ କରିପାରୁଛି। ଅଧୁନା ଉଚ୍ଚଶିକ୍ଷା କ୍ଷେତ୍ର ଏପରି ବ୍ୟୟବହୁଳ ହୋଇଛି ଯେ ଦରିଦ୍ର ଛାତ୍ରର ପ୍ରବେଶ ଅସମ୍ଭବ ହୋଇପଡିଛି। ଦରିଦ୍ର ଗ୍ରାମୀଣ କିମ୍ବା ସହରାଞ୍ଚଳର ବସ୍ତିବାସିନ୍ଦାଙ୍କ ପିଲାମାନେ କେବଳ ଦଣ୍ଡମୁକ୍ତ, ଅଣ୍ଡାଯୁକ୍ତ ସରକାରୀ ବିଦ୍ୟାଳୟର ଶୋଭାବର୍ଦ୍ଧନ କରିବାରେ ସହାୟକ ହେବା ତାଙ୍କ କପାଳରେ ଲେଖାଯାଇଛି। ଟଙ୍କିକିଆ ଚାଉଳ ପାଉଥିବା, ଭଙ୍ଗା ଚାଳଘରେ ଦିନରେ ସୂର୍ଯ୍ୟ ଓ ରାତିରେ ତାରା ଦେଖୁଥିବା କିମ୍ବା ଆହାର କେନ୍ଦ୍ରରେ ପାଞ୍ଚଟଙ୍କିଆ ଆହାର ସଂଗ୍ରହ କରୁଥିବା ମା’ ବାପାଙ୍କ ପିଲା ଯେତେବେଳେ ସରକାର ପ୍ରଦତ୍ତ ଜୋତା, ପୋଷାକ ପରିଧାନ କରି ପିଠିରେ କ୍ୟାରିବ୍ୟାଗ୍‌ରେ ଅପଢ଼ା ବହିଖାତା ଧରି ସରକାରୀ ସାଇକେଲ ଚଳାଇ ଗାଁ ଦାଣ୍ଡରେ ବିଦ୍ୟାଳୟ ଯାଉଥାଏ, ସେ ଦୃଶ୍ୟ ମା’ବାପାଙ୍କ ନିଷ୍କରୁଣ ଦାରିଦ୍ର୍ୟ ପ୍ରତି ଏକ ଶକ୍ତ ଉପହାସ। ସେମାନେ ଭାବନ୍ତି ଆମପରି ଦରିଦ୍ରଙ୍କ ପାଇଁ ଏ କିପ୍ରକାର ବଦାନ୍ୟତା। ସେହି ‘ଦରବାର’ କାବ୍ୟରେ କବିବର ପୁଣି ଲେଖିଛନ୍ତି- ‘ମୋତି ମୂଲ କାହୁଁ ବୁଝିବ ଶବର, ମୋତି ଫିଙ୍ଗି କରେ ଗୁଞ୍ଜାରେ ଆଦର।’
ଏଭଳି ଆର୍ଥିକ ତଥା ସାମାଜିକ ଦୁଃସ୍ଥିତି ମଧ୍ୟରେ ଥିବା ମଣିଷମାନେ କେବେ ଯେ ସମାଜର ସାମୂହିକ ସ୍ରୋତରେ ସାମିଲ ହେବେ, ତାହା ଈଶ୍ୱରଙ୍କୁ ଜଣା। ବିଶ୍ୱପ୍ରସିଦ୍ଧ ଦାର୍ଶନିକ କାର୍ଲମାର୍କ୍ସଙ୍କ ଶ୍ରେଣୀହୀନ, ଶୋଷଣବିହୀନ ସାମାଜିକ ମତବାଦ ଏକ ଦୁଃସ୍ବପ୍ନ ପରି ମନେହେଲାଣି। ଧନୀ ଅଧିକରୁ ଅଧିକ ଧନୀ ହୋଇ ଚାଲିଥିବା ବେଳେ ଗରିବ ନିଃସ୍ବତ୍ୱର ହେବାରେ ଲାଗିଛି। ପେଟରେ ଓଦାକନା ଦେଇ ଅଧାଦିନ ଉପବାସରେ ରହୁଥିବା ମଣିଷଟି ତା’ ଝିଅପୁଅଙ୍କ ଭବିଷ୍ୟତକୁ ନେଇ କି ସ୍ବପ୍ନ ବା ଦେଖିପାରିବ? ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇ ନିର୍ମମ ନିର୍ଯାତନା ସହ ଦେହରେ ଅସାଧ୍ୟ ବ୍ୟାଧି ଧରି ଭିଟାମାଟିକୁ ଫେରୁଥିବା ମଣିଷଟିର ଭାଗ୍ୟଆକାଶ ସବୁଦିନ ଅନ୍ଧାର। ଫସଲହାନି ଯୋଗୁ ବ୍ୟାଙ୍କ ଓ ସାହୁକାର ଋଣ ଶୁଝିପାରୁ ନ ଥିବା ଚାଷୀଟିକୁ ପିଲାଙ୍କ ଭବିଷ୍ୟତ ସ୍ବପ୍ନ ଦେଖିବା ମନା। ରାଜତନ୍ତ୍ରର ଲୋପ ପରେ ଗଣତନ୍ତ୍ରର ପ୍ରତିଷ୍ଠା ସତ୍ତ୍ୱେ ସେମାନଙ୍କ ଭାଗ୍ୟଆକାଶ ଅନ୍ଧକାରମୟ।
ଭାରତ ବୟସ୍କମାନଙ୍କ ଦ୍ୱାରା ଶାସିତ ଏକ ଯୁବ ଅଧ୍ୟୁଷିତ ଦେଶ। ସପ୍ତଦଶ ଲୋକ ସଭାରେ ମାତ୍ର ୧୨ ପ୍ରତିଶତ ସଦସ୍ୟଙ୍କ ବୟସ ୪୦ ବର୍ଷରୁ କମ୍‌, କିନ୍ତୁ ପ୍ରଥମ ଲୋକ ସଭାରେ ୪୦ ବର୍ଷ ବୟସରୁ କମ୍‌ ସଦସ୍ୟଙ୍କ ସଂଖ୍ୟା ମୋଟ ସଭ୍ୟସଂଖ୍ୟାର ୨୬ ପ୍ରତିଶତ ଥିଲା। ବୟସ୍କଙ୍କ ସଂଖ୍ୟାଗରିଷ୍ଠତା ଥିବାରୁ ଯୁବସ୍ବାର୍ଥକୁ ପ୍ରାଧାନ୍ୟ ଦିଆଯାଉନାହିଁ। ବୟସ୍କ ନେତାମାନେ ଯେଉଁ ଯୁବଗୋଷ୍ଠୀ ପାଇଁ ତତ୍ପର ତାହା ହେଉଛି ନିଜ ସନ୍ତାନ। ନିଜ ପୁତ୍ରକନ୍ୟାଙ୍କୁ ଉତ୍ତରାଧିକାର ପ୍ରଦାନ କରିବାର ମୋହ ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ଆଚ୍ଛନ୍ନ କଲାଣି। ସାଧାରଣ ପରିବାରର ସନ୍ତାନମାନେ ଅଧିକ ପ୍ରତିଭାବାନ ହୋଇଥିଲେ ମଧ୍ୟ ସେମାନଙ୍କ ପ୍ରତିଭା ଉନ୍ମେଷର ସୁଯୋଗ ନାହିଁ। ୬୦ ବର୍ଷରୁ ଊର୍ଦ୍ଧ୍ୱ ହେଲେ ଜଣେ ସରକାରୀ ସେବା ପାଇଁ ଅଯୋଗ୍ୟ ହୁଏ। ତେଣୁ ଏକ ନିର୍ଦ୍ଦିଷ୍ଟ ବୟସସୀମା ସ୍ପର୍ଶ କଲେ ନେତାମାନେ ଯୁବଗୋଷ୍ଠୀକୁ ବାଟ ଛାଡିଦେଇ ସନ୍ନ୍ୟାସ ନେବା ଉଚିତ। ଯୁବଶକ୍ତିର ସୁବିନିଯୋଗ ଦେଶ ପ୍ରଗତିର ପରିଚାୟକ। ଯୁବ ବାହିନୀ ଗଠନ ଅପେକ୍ଷା ଯୁବନିଯୁକ୍ତି ସର୍ବାଦୌ କରଣୀୟ। ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀର ଆଜି ଗୋଟିଏ ପ୍ରଶ୍ନ ‘ଏମିତି ଆଉ କେତେଦିନ?’
ସିଦ୍ଧଳ, ଜଗତ୍‌ସିଂହପୁର, ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଚାଶ କି ଶହେ ନୁହେଁ, ୨୩୦ କିସମର ଆମ୍ବ ଚାଷକରି ବର୍ଷକୁ ୪୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଗୁଜରାଟର ସୁମିତ ଝରିଆ । ୧୨.୫...

ଆଦର୍ଶ ମଦ୍ୟପ

ମଦ ପିଇ ମାତାଲ ହେଉଥିବା ମଦ୍ୟପ ବା ମଦୁଆ। ସେହି ମଦ୍ୟପ ସମାଜରେ ବିଭିନ୍ନ ଅସାମାଜିକ କାର୍ଯ୍ୟ କରେ। ତା’ ଘରଠାରୁ କାର୍ଯ୍ୟକ୍ଷେତ୍ର କିମ୍ବା ବିଚରଣ...

ନିର୍ବାଚନ ପ୍ରଚାରରେ ଡିପ୍‌ଫେକ୍‌ ଭିଡିଓ

କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମ୍ପର୍କରେ ଡିପ୍‌ଫେକ୍‌ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିଥିବା ୫ ତେଲଙ୍ଗାନା କଂଗ୍ରେସୀ କର୍ମୀଙ୍କୁ ହାଇଦ୍ରାବାଦ ପୋଲିସ ଗିରଫ...

ଠକ ଓ ଜାଲିଆତି

ଭାରତର ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପ୍ରତିବର୍ଷ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ନ୍ୟାଶନାଲ ଏଲିଜିବିଲିଟି କମ୍‌...

ଏଇ ଭାରତରେ

ଭୋଟ ପାଇଁ ନିମନ୍ତ୍ରଣ ପତ୍ର। କଥାଟା ଶୁଣି ଆଶ୍ଚର୍ଯ୍ୟ ଲାଗୁଛି କି! ହେଲେ ଏହା କୌଣସି ମନଗଢ଼ା କଥା ନୁହେଁ, ବରଂ ପ୍ରତି ଘରେ ଘରେ...

ଶାନ୍ତି ପ୍ରତିଷ୍ଠାରେ ଭିଟୋ ବାଧକ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତା ଏବଂ ବିପୁଳ ଧନଜୀବନ କ୍ଷୟରୁ ଶିକ୍ଷାଲାଭକରି ପୃଥିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଉଦ୍ଦେଶ୍ୟରେ ୫ ପ୍ରମୁଖ ରାଷ୍ଟ୍ର ଯଥା-ବ୍ରିଟେନ୍‌,...

ବ୍ୟକ୍ତି ନୁହେଁ, ଦେଶ ସର୍ବୋପର

ବୃହସ୍ପତି ସାମଲ ଆରମ୍ଭରୁ ମୌର୍ଯ୍ୟ, ଗୁପ୍ତ, ଚୋଳ, ଚାଲୁକ୍ୟ, କୁଶାଣଙ୍କ ଭଳି ବ଼ଂଶାନୁକ୍ରମିକ ରାଜାରାଜୁଡ଼ା ଶାସନ ପରେ ବାହ୍ୟ ଆକ୍ରମଣକାରୀ ଖିଲ୍ଲିଜ, ତୋଗଲକ ଓ ମୋଗଲ...

କାନାଡ଼ାରେ ଶିଖ୍‌

ଭାରତ ଓ କାନାଡ଼ା ସମ୍ପର୍କ ପୁଣି ବିଗିଡ଼ିବାରେ ଲାଗିଲାଣି। ୨୦୨୩ ଜୁନ୍‌ରେ କାନାଡ଼ାର ବ୍ରିଟିଶ କଲମ୍ବିଆସ୍ଥିତ ଏକ ଗୁରୁଦ୍ୱାରାରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ କୁହାଯାଉଥିବା ହରଦୀପ ସିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri