‘ଦ ଗୁଡ୍‌ ଆର୍ଥ’ ଓ ‘ମାଟିର ମଣିଷ’

ଡ. ହୃଷୀକେଶ ମଲ୍ଲିକ

ପ୍ରଖ୍ୟାତ ଆମେରିକୀୟ ଔପନ୍ୟାସିକା ପର୍ଲ ଏସ୍‌.ବକ୍‌ଙ୍କ ବିଶ୍ୱ ପ୍ରସିଦ୍ଧ ଉପନ୍ୟାସ ‘ଦ ଗୁଡ୍‌ ଆର୍ଥ’ର ଏକ ଅବିସ୍ମରଣୀୟ ଉଦ୍ଧୃତିରୁ ମୁଁ ଆରମ୍ଭ କରୁଛି ମୋର ଏହି କ୍ଷୁଦ୍ର ଆଲେଖ୍ୟ। ଉଦ୍ଧୃତିଟି ହେଲା: ”It is the end of a family -when they begin to sell their land. Out of the land we come and into we must go – and if you will hold your land you can live – no one can rob you of land.“ ଅର୍ଥାତ୍‌ ”ଗୋଟିଏ ପରିବାରର ଶେଷ ସମୟ ଆସିଗଲା ବୋଲି ଜାଣିବ, ଯେତେବେଳେ ସେହି ପରିବାର ଜମି ବିକିବା ଆରମ୍ଭ କରିବେ। ଭୂମି ଅଛି ତ ଜୀବନ ଅଛି। ସବୁ ଲୁଟି ହେଇଯିବ, କିନ୍ତୁ ଭୂମିକୁ କେହି ଲୁଟି ନେଇ ପାରିବେ ନାହିଁ।“ ଉଦ୍ଧୃତିଟି ଉଲ୍ଲେଖ କରିବା ମୂଳରେ ମୋର ଅଭିପ୍ରାୟ ହେଉଛି, ବିଶ୍ୱ ସାହିତ୍ୟରେ ଭୂମିକୁ ଉତ୍ସ କରି ଲେଖା ହୋଇଥିବା ଦୁଇଟି ପ୍ରସିଦ୍ଧ ଉପନ୍ୟାସକୁ ପାଖାପାଖି ରଖି ତା’ର ଗୁଣାଗୁଣ ବିଚାର କରିବା। ଉପନ୍ୟାସ ଦୁଇଟି ହେଲା-୧. ‘ଦ ଗୁଡ୍‌ ଆର୍ଥ’ ଓ ‘ମାଟିର ମଣିଷ’, ଯାହାର ସ୍ରଷ୍ଟା ହେଉଛନ୍ତି ଯଥାକ୍ରମେ ପର୍ଲ ଏସ୍‌. ବକ୍‌ ଓ କାଳିନ୍ଦୀଚରଣ ପାଣିଗ୍ରାହୀ।
ସଂଯୋଗର ବିଷୟ ଏହି ଯେ ଉପନ୍ୟାସ ଦୁଇଟି ଏକା ବର୍ଷରେ ଲେଖାଯାଇଛି। ବର୍ଷଟି ହେଉଛି ୧୯୩୧। ଉପନ୍ୟାସର ବିଷୟଭୂମି ମଧ୍ୟ ସମାନ। ବକ୍‌ଙ୍କ ଉପନ୍ୟାସଟି ଚାଇନାର ଗ୍ରାମୀଣ ସଂସ୍କୃତି ଓ କୃଷକ ପରିବାରର ଜୀବନକାହାଣୀକୁ ନେଇ ରଚିତ ହୋଇଥିବା ବେଳେ କାଳିନ୍ଦୀଚରଣଙ୍କ ଉପନ୍ୟାସ ଓଡ଼ିଶାର ଅବିଭକ୍ତ ପୁରୀ ଜିଲାର ଏକ ଗ୍ରାମୀଣ ପାରିବାରିକ ଦୃଶ୍ୟପଟକୁ ନେଇ ଗତିଶୀଳ। ପୁଣି ବକ୍‌ଙ୍କ ‘House of Earth’ ଉପନ୍ୟାସ ତ୍ରୟୀରେ ସ୍ଥାନିତ ପ୍ରଥମ ଉପନ୍ୟାସଟି ‘ଦ ଗୁଡ୍‌ ଆର୍ଥ’ (୧୯୩୧) ହୋଇଥିବା ବେଳେ ଅନ୍ୟ ଦୁଇଟି ଉପନ୍ୟାସ- ‘Sons’ (୧୯୩୨) ଓ ‘A House Divided’ (୧୯୩୫)। କାଳିନ୍ଦୀଚରଣଙ୍କର ‘ମାଟିର ମଣିଷ’ର ପରବର୍ତ୍ତୀ ଦୁଇଟି ସଂଯୋଗୀ-ଉପନ୍ୟାସ ହେଉଛି ‘ଲୁହାର ମଣିଷ’ ଓ ‘ଆଜିର ମଣିଷ’। ‘ଦ ଗୁଡ୍‌ ଆର୍ଥ’ର ନାୟକ ଓ୍ବାଙ୍ଗ୍‌ ଲଙ୍ଗ୍‌ ଜଣେ ଚୀନୀୟ ଗରିବ କୃଷକ, ଯିଏ ନିଜର କଠିନ ପରିଶ୍ରମ ଓ ଭାଗ୍ୟ ବଳରେ ଅଚଳାଚଳ ଭୂସମ୍ପତ୍ତି ଓ ଧନରତ୍ନର ଅଧିକାରୀ ହୋଇଛି। ଓ-ଲାନ୍‌ ହେଉଛି ତା’ର ପୋଇଲି ସ୍ତ୍ରୀ, ସ୍ବାମୀ ପ୍ରତି ବିଶ୍ୱସ୍ତା ଅଥଚ ସ୍ବାମୀର ତାରିଫ୍‌ ତା’ପକ୍ଷେ କ୍ୱଚିତ୍‌ ସୁଲଭ। ଚାଇନାର ଅନ୍‌ହୁଇ ରାଜ୍ୟର ଏକ ଗ୍ରାମାଞ୍ଚଳର ଏ କାହାଣୀ, ଯାହା ବକ୍‌ଙ୍କ ପ୍ରତିଭାଦୀପ୍ତ ବର୍ଣ୍ଣନାରେ ଜୀବନ୍ତ ହୋଇଉଠିଛି। କନ୍ୟାଭ୍ରୂଣ ହତ୍ୟା, ରକ୍ଷିତା ରଖିବା, ଅଫିମପାନ ଆଦିରେ ଜର୍ଜରିତ ଗ୍ରାମ୍ୟ ଚାଇନାର ଉଜ୍ଜ୍ୱଳ ଦର୍ପଣ ହେଉଛି ‘ଗୁଡ୍‌ ଆର୍ଥ’।
‘ଗୁଡ୍‌ ଆର୍ଥ’ର ନାୟକ ଓ୍ବାଙ୍ଗ୍‌ ଲଙ୍ଗ୍‌ ଦୁର୍ଭିକ୍ଷ କବଳିତ ନିଜ ଭିଟାମାଟିକୁ ଛାଡ଼ି ଦକ୍ଷିଣ ଚାଇନାର ଏକ ନଗରାଞ୍ଚଳକୁ ପରିବାର ସହ ଚାଲିଯାଇଛି ଓ ସେଠାରେ ରିକ୍ସା ଟାଣି କୁଟୁମ୍ବ ପାଳିଛି। ଏଠାକାର ଭାଷା ତା’ର ଭାଷା ନହେଁ, ଖାଦ୍ୟପେୟ ତା’ ରୁଚିର ନୁହେଁ କି ଲୋକଙ୍କ ଆଚାର ବ୍ୟବହାର ତା’ ଗଁା ପରି ନୁହେଁ। ସୁତରାଂ ଏକ ଅପରିଚିତ, ଅସଂଲଗ୍ନ ସଂସ୍କୃତି ଓ ସମାଜରେ ସେ ଓ ତା’ ପରିବାର ନିଃସଙ୍ଗ। ଗଁାରେ ଥିଲାବେଳେ ଓ୍ବାଙ୍ଗ୍‌ର ମୁଣ୍ଡ ଉପରେ ଥିଲା ଚିହ୍ନା ଆକାଶ ଓ ଚାରିପାଖରେ ପରିଚିତ ପଡ଼ୋଶୀ। ବେଜିଂର ସରକାରୀକଳ ସହ ଏହି ପରିବେଶର କିଛି ନେଣଦେଣ ନ ଥିଲା। ବକ୍‌ ଓ୍ବାଙ୍ଗ୍‌ ଜୀବନର ଦୁଇ ପରସ୍ପର ବିରୋଧୀ ସାମାଜିକ ସ୍ଥିତିର ଯେଉଁ ଚିତ୍ର ‘ଗୁଡ଼୍‌ ଆର୍ଥ’ରେ ଆଙ୍କିଛନ୍ତି, ତାହାକୁ ‘ଜମି ଓ ଭୂମିର ଗରିମାୟନ’ ବୋଲି ପୁଲିଜର୍‌ ପୁରସ୍କାର କମିଟି ବହିଟିକୁ ୧୯୩୨ରେ ପୁରସ୍କୃତ କଲାବେଳେ ମନ୍ତବ୍ୟ କରିଛନ୍ତି। କମିଟି ଆହୁରି ମଧ୍ୟ କହିଛନ୍ତି ଯେ, ବହିଟି ହେଉଛି ‘ପାଶ୍ଚାତ୍ୟ ଜଗତକୁ ପ୍ରାଚ୍ୟର ବ୍ୟାଖ୍ୟା’।
କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’ ଅନୁରୂପ ଭାବେ ହେଉଛି ପାଶ୍ଚାତ୍ୟର ସାମାଜିକ ଓ ସାଂସ୍କୃତିକ ସ୍ଥିତିର ମୁହଁାମୁହିଁ କରି ଭାରତୀୟ ସମାଜ, ସଂସ୍କୃତି ଓ ଅଖଣ୍ଡ ପାରିବାରିକ ଜୀବନକୁ ଠିଆ କରାଇବା। ଭୋଗ ନୁହେଁ, ତ୍ୟାଗ ଏହି ସଂସ୍କୃତିର ଭିତ୍ତିଭୂମି। ଘର ଛାଡ଼ି ଚାଲିଯିବ ପଛକେ ବରଜୁ ପଧାନ, ବିଲରେ ହିଡ଼ ବସିବ ନାହିଁ। ବରଜୁ ମାଟିର ମଣିଷ, ମାଟିରେ ତା’ର ଜନ୍ମ, ମାଟି ତା’ ପେଟକୁ ଭାତ ଦିଏ। ଅଶିକ୍ଷିତା ନାରୀର କ୍ଷୁଦ୍ରତା, ଅବିମୃଷ୍ୟକାରିତା ଆଗରେ ପରିବାରର ଅଖଣ୍ଡତାକୁ ଅବିଚଳ କରି ରଖିବାର ଯେଉଁ ସଂକଳ୍ପ ପୃଥିବୀକୁ ଭାରତୀୟ ଗ୍ରାମ୍ୟ ଜୀବନର ଅବଦାନ, ତା’ରି ପ୍ରତିଭୂ ବରଜୁ ପଧାନ। ସାନଭାଇ ଛକଡ଼ିର ସ୍ତ୍ରୀ ନେତ୍ରମଣି ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଏହି ମହିମାଦୀପ୍ତ ପାରିବାରିକତାକୁ ଭାଙ୍ଗିଦେବାର ଏକ ଦାମ୍ଭିକ ପ୍ରତୀକ। ଜୀବନରେ ପ୍ରତିକୂଳତା ଓ ତାକୁ ସାମ୍ନା କରିବାର ସାହସକୁ ଯଦି ଗୋଟିଏ ଶବ୍ଦରେ ପ୍ରକାଶ କରାଯାଏ, ତେବେ ତାହା ହେବ ‘ବରଜୁ’।
‘ମାଟିର ମଣିଷ’ ଗାନ୍ଧିବାଦରେ ପ୍ରଭାବିତ କି ନା ମୁଁ ଜାଣେନା, କିନ୍ତୁ ଗାନ୍ଧୀ ଭାବନାର ଏହା ହେଉଛି ଏକ କ୍ରିୟାଶୀଳ କୁମ୍ଭାରଶାଳ, ଯେଉଁଠି ଗଢ଼ାହୋଇଛି ଜୀବନର ଭଙ୍ଗା ଓ ଅଭଙ୍ଗା କେତେକେତେ ହାଣ୍ଡି। ‘ପ୍ରବୃତ୍ତି’ ଓ ‘ନିବୃତ୍ତି’ର ସାପଶିଡ଼ି ଖେଳ ହେଉଛି ‘ମାଟିର ମଣିଷ’। ‘ନକାରାତ୍ମକତା’ ‘ସକାରାତ୍ମକତା’କୁ ଏତେ ପାଖାପାଖି, ସାମ୍ନାସାମ୍ନି କରି ଯଦି କୌଣସି ଭାରତୀୟ ଉପନ୍ୟାସରେ ଖୁବ୍‌ ଦୃଢ଼ଭାବେ ଠିଆ କରାଯାଇଥାଏ, ତେବେ ତାହା ଅବଧାରିତ ଭାବେ ହେବ ‘ମାଟିର ମଣିଷ’।
ଏକା ବର୍ଷରେ ଲେଖାଯାଇଥିବାରୁ ଓ କାଳିନ୍ଦୀଙ୍କ ସମୟରେ ଯୋଗାଯୋଗର ମାଧ୍ୟମ ଆଜିପରି ଦ୍ରୁତ ଓ ସର୍ବଗମ୍ୟ ହୋଇ ନ ଥିବାରୁ କାଳିନ୍ଦୀ ଯେ ବକ୍‌ଙ୍କ ‘ଦ ଗୁଡ୍‌ ଆର୍ଥ’ ଉପନ୍ୟାସ ପଢ଼ିଥିବେ, ଏକଥା ବିଶ୍ୱାସ କରିହେବ ନାହିଁ। ୧୯୩୨ରେ ‘ଗୁଡ୍‌ ଆର୍ଥ’ ପାଇଲା ଉପନ୍ୟାସ ବର୍ଗରେ ପୁଲିଜର ପ୍ରାଇଜ୍‌ ଓ ୧୯୩୮ରେ ବକ୍‌ଙ୍କୁ ମିଳିଲା ସାହିତ୍ୟ ପାଇଁ ନୋବେଲ। ସୁତରାଂ ବକ୍‌ ପ୍ରଖ୍ୟାତ ହେବା ଆଗରୁ ଲେଖା ସରିଛି ‘ମାଟିର ମଣିଷ’। ‘ମାଟିର ମଣିଷ’ରେ ଅହିଂସା ଓ ତ୍ୟାଗ ହୋଇଛି ଉପନ୍ୟାସର ନିର୍ମାଣଭୂମି। ଅପରପକ୍ଷରେ ଚାଇନା କୃଷକସମାଜର ବୈପ୍ଳବିକ ପୃଷ୍ଠଭୂମିରେ ରଚିତ ଓ ଲାଳିତ ‘ଗୁଡ୍‌ ଆର୍ଥ’। ‘ମାଟିର ମଣିଷ’ ଉପନ୍ୟାସର ବିଷୟକଳ୍ପନା, ରଚନାଶୈଳୀ ଓ ସିଦ୍ଧି ‘ଗୁଡ୍‌ ଆର୍ଥ’ର ସମକକ୍ଷ ହୋଇଥିବା ବେଳେ କେବଳ ଉଭୟଙ୍କ ସ୍ଥିତିଗତ ଭିନ୍ନତା ବକ୍‌ଙ୍କୁ ନୋବେଲ ବିଜୟିନୀ କରିଥିବା ବେଳେ କାଳିନ୍ଦୀଚରଣଙ୍କୁ ଭାରତବିଦିତ ହେବାକୁ ବହୁକାଳ ଲାଗିଯାଇଛି। ବିଶ୍ୱସ୍ତରୀୟ ଉପନ୍ୟାସ ଲେଖି ବି ସହଜରେ ବିଶ୍ୱଦୃଷ୍ଟିକୁ ଆସିପାରି ନ ଥିବା କାଳିନ୍ଦୀଚରଣଙ୍କ ଶାନ୍ତ, ସଦାସନ୍ତୁଷ୍ଟ ମୁଖମଣ୍ଡଳଟି ଆଜି ପୁଣି ଥରେ ଅବଶ୍ୟ ଦୃଶ୍ୟମାନ ହେବ ପ୍ରତ୍ୟେକ ଓଡ଼ିଆ ଓ ଭାରତୀୟ ପାଠକଙ୍କୁ ତାଙ୍କର ଏହି ପବିତ୍ର ଜନ୍ମଦିନରେ। ଏହି ମନୀଷୀ ଔପନ୍ୟାସିକଙ୍କୁ ମୋର ଓ ‘ଧରିତ୍ରୀ’ର ଅଜସ୍ର ପ୍ରଣାମ!
ମୋ:୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?