‘ଦ ଗୁଡ୍‌ ଆର୍ଥ’ ଓ ‘ମାଟିର ମଣିଷ’

ଡ. ହୃଷୀକେଶ ମଲ୍ଲିକ

ପ୍ରଖ୍ୟାତ ଆମେରିକୀୟ ଔପନ୍ୟାସିକା ପର୍ଲ ଏସ୍‌.ବକ୍‌ଙ୍କ ବିଶ୍ୱ ପ୍ରସିଦ୍ଧ ଉପନ୍ୟାସ ‘ଦ ଗୁଡ୍‌ ଆର୍ଥ’ର ଏକ ଅବିସ୍ମରଣୀୟ ଉଦ୍ଧୃତିରୁ ମୁଁ ଆରମ୍ଭ କରୁଛି ମୋର ଏହି କ୍ଷୁଦ୍ର ଆଲେଖ୍ୟ। ଉଦ୍ଧୃତିଟି ହେଲା: ”It is the end of a family -when they begin to sell their land. Out of the land we come and into we must go – and if you will hold your land you can live – no one can rob you of land.“ ଅର୍ଥାତ୍‌ ”ଗୋଟିଏ ପରିବାରର ଶେଷ ସମୟ ଆସିଗଲା ବୋଲି ଜାଣିବ, ଯେତେବେଳେ ସେହି ପରିବାର ଜମି ବିକିବା ଆରମ୍ଭ କରିବେ। ଭୂମି ଅଛି ତ ଜୀବନ ଅଛି। ସବୁ ଲୁଟି ହେଇଯିବ, କିନ୍ତୁ ଭୂମିକୁ କେହି ଲୁଟି ନେଇ ପାରିବେ ନାହିଁ।“ ଉଦ୍ଧୃତିଟି ଉଲ୍ଲେଖ କରିବା ମୂଳରେ ମୋର ଅଭିପ୍ରାୟ ହେଉଛି, ବିଶ୍ୱ ସାହିତ୍ୟରେ ଭୂମିକୁ ଉତ୍ସ କରି ଲେଖା ହୋଇଥିବା ଦୁଇଟି ପ୍ରସିଦ୍ଧ ଉପନ୍ୟାସକୁ ପାଖାପାଖି ରଖି ତା’ର ଗୁଣାଗୁଣ ବିଚାର କରିବା। ଉପନ୍ୟାସ ଦୁଇଟି ହେଲା-୧. ‘ଦ ଗୁଡ୍‌ ଆର୍ଥ’ ଓ ‘ମାଟିର ମଣିଷ’, ଯାହାର ସ୍ରଷ୍ଟା ହେଉଛନ୍ତି ଯଥାକ୍ରମେ ପର୍ଲ ଏସ୍‌. ବକ୍‌ ଓ କାଳିନ୍ଦୀଚରଣ ପାଣିଗ୍ରାହୀ।
ସଂଯୋଗର ବିଷୟ ଏହି ଯେ ଉପନ୍ୟାସ ଦୁଇଟି ଏକା ବର୍ଷରେ ଲେଖାଯାଇଛି। ବର୍ଷଟି ହେଉଛି ୧୯୩୧। ଉପନ୍ୟାସର ବିଷୟଭୂମି ମଧ୍ୟ ସମାନ। ବକ୍‌ଙ୍କ ଉପନ୍ୟାସଟି ଚାଇନାର ଗ୍ରାମୀଣ ସଂସ୍କୃତି ଓ କୃଷକ ପରିବାରର ଜୀବନକାହାଣୀକୁ ନେଇ ରଚିତ ହୋଇଥିବା ବେଳେ କାଳିନ୍ଦୀଚରଣଙ୍କ ଉପନ୍ୟାସ ଓଡ଼ିଶାର ଅବିଭକ୍ତ ପୁରୀ ଜିଲାର ଏକ ଗ୍ରାମୀଣ ପାରିବାରିକ ଦୃଶ୍ୟପଟକୁ ନେଇ ଗତିଶୀଳ। ପୁଣି ବକ୍‌ଙ୍କ ‘House of Earth’ ଉପନ୍ୟାସ ତ୍ରୟୀରେ ସ୍ଥାନିତ ପ୍ରଥମ ଉପନ୍ୟାସଟି ‘ଦ ଗୁଡ୍‌ ଆର୍ଥ’ (୧୯୩୧) ହୋଇଥିବା ବେଳେ ଅନ୍ୟ ଦୁଇଟି ଉପନ୍ୟାସ- ‘Sons’ (୧୯୩୨) ଓ ‘A House Divided’ (୧୯୩୫)। କାଳିନ୍ଦୀଚରଣଙ୍କର ‘ମାଟିର ମଣିଷ’ର ପରବର୍ତ୍ତୀ ଦୁଇଟି ସଂଯୋଗୀ-ଉପନ୍ୟାସ ହେଉଛି ‘ଲୁହାର ମଣିଷ’ ଓ ‘ଆଜିର ମଣିଷ’। ‘ଦ ଗୁଡ୍‌ ଆର୍ଥ’ର ନାୟକ ଓ୍ବାଙ୍ଗ୍‌ ଲଙ୍ଗ୍‌ ଜଣେ ଚୀନୀୟ ଗରିବ କୃଷକ, ଯିଏ ନିଜର କଠିନ ପରିଶ୍ରମ ଓ ଭାଗ୍ୟ ବଳରେ ଅଚଳାଚଳ ଭୂସମ୍ପତ୍ତି ଓ ଧନରତ୍ନର ଅଧିକାରୀ ହୋଇଛି। ଓ-ଲାନ୍‌ ହେଉଛି ତା’ର ପୋଇଲି ସ୍ତ୍ରୀ, ସ୍ବାମୀ ପ୍ରତି ବିଶ୍ୱସ୍ତା ଅଥଚ ସ୍ବାମୀର ତାରିଫ୍‌ ତା’ପକ୍ଷେ କ୍ୱଚିତ୍‌ ସୁଲଭ। ଚାଇନାର ଅନ୍‌ହୁଇ ରାଜ୍ୟର ଏକ ଗ୍ରାମାଞ୍ଚଳର ଏ କାହାଣୀ, ଯାହା ବକ୍‌ଙ୍କ ପ୍ରତିଭାଦୀପ୍ତ ବର୍ଣ୍ଣନାରେ ଜୀବନ୍ତ ହୋଇଉଠିଛି। କନ୍ୟାଭ୍ରୂଣ ହତ୍ୟା, ରକ୍ଷିତା ରଖିବା, ଅଫିମପାନ ଆଦିରେ ଜର୍ଜରିତ ଗ୍ରାମ୍ୟ ଚାଇନାର ଉଜ୍ଜ୍ୱଳ ଦର୍ପଣ ହେଉଛି ‘ଗୁଡ୍‌ ଆର୍ଥ’।
‘ଗୁଡ୍‌ ଆର୍ଥ’ର ନାୟକ ଓ୍ବାଙ୍ଗ୍‌ ଲଙ୍ଗ୍‌ ଦୁର୍ଭିକ୍ଷ କବଳିତ ନିଜ ଭିଟାମାଟିକୁ ଛାଡ଼ି ଦକ୍ଷିଣ ଚାଇନାର ଏକ ନଗରାଞ୍ଚଳକୁ ପରିବାର ସହ ଚାଲିଯାଇଛି ଓ ସେଠାରେ ରିକ୍ସା ଟାଣି କୁଟୁମ୍ବ ପାଳିଛି। ଏଠାକାର ଭାଷା ତା’ର ଭାଷା ନହେଁ, ଖାଦ୍ୟପେୟ ତା’ ରୁଚିର ନୁହେଁ କି ଲୋକଙ୍କ ଆଚାର ବ୍ୟବହାର ତା’ ଗଁା ପରି ନୁହେଁ। ସୁତରାଂ ଏକ ଅପରିଚିତ, ଅସଂଲଗ୍ନ ସଂସ୍କୃତି ଓ ସମାଜରେ ସେ ଓ ତା’ ପରିବାର ନିଃସଙ୍ଗ। ଗଁାରେ ଥିଲାବେଳେ ଓ୍ବାଙ୍ଗ୍‌ର ମୁଣ୍ଡ ଉପରେ ଥିଲା ଚିହ୍ନା ଆକାଶ ଓ ଚାରିପାଖରେ ପରିଚିତ ପଡ଼ୋଶୀ। ବେଜିଂର ସରକାରୀକଳ ସହ ଏହି ପରିବେଶର କିଛି ନେଣଦେଣ ନ ଥିଲା। ବକ୍‌ ଓ୍ବାଙ୍ଗ୍‌ ଜୀବନର ଦୁଇ ପରସ୍ପର ବିରୋଧୀ ସାମାଜିକ ସ୍ଥିତିର ଯେଉଁ ଚିତ୍ର ‘ଗୁଡ଼୍‌ ଆର୍ଥ’ରେ ଆଙ୍କିଛନ୍ତି, ତାହାକୁ ‘ଜମି ଓ ଭୂମିର ଗରିମାୟନ’ ବୋଲି ପୁଲିଜର୍‌ ପୁରସ୍କାର କମିଟି ବହିଟିକୁ ୧୯୩୨ରେ ପୁରସ୍କୃତ କଲାବେଳେ ମନ୍ତବ୍ୟ କରିଛନ୍ତି। କମିଟି ଆହୁରି ମଧ୍ୟ କହିଛନ୍ତି ଯେ, ବହିଟି ହେଉଛି ‘ପାଶ୍ଚାତ୍ୟ ଜଗତକୁ ପ୍ରାଚ୍ୟର ବ୍ୟାଖ୍ୟା’।
କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’ ଅନୁରୂପ ଭାବେ ହେଉଛି ପାଶ୍ଚାତ୍ୟର ସାମାଜିକ ଓ ସାଂସ୍କୃତିକ ସ୍ଥିତିର ମୁହଁାମୁହିଁ କରି ଭାରତୀୟ ସମାଜ, ସଂସ୍କୃତି ଓ ଅଖଣ୍ଡ ପାରିବାରିକ ଜୀବନକୁ ଠିଆ କରାଇବା। ଭୋଗ ନୁହେଁ, ତ୍ୟାଗ ଏହି ସଂସ୍କୃତିର ଭିତ୍ତିଭୂମି। ଘର ଛାଡ଼ି ଚାଲିଯିବ ପଛକେ ବରଜୁ ପଧାନ, ବିଲରେ ହିଡ଼ ବସିବ ନାହିଁ। ବରଜୁ ମାଟିର ମଣିଷ, ମାଟିରେ ତା’ର ଜନ୍ମ, ମାଟି ତା’ ପେଟକୁ ଭାତ ଦିଏ। ଅଶିକ୍ଷିତା ନାରୀର କ୍ଷୁଦ୍ରତା, ଅବିମୃଷ୍ୟକାରିତା ଆଗରେ ପରିବାରର ଅଖଣ୍ଡତାକୁ ଅବିଚଳ କରି ରଖିବାର ଯେଉଁ ସଂକଳ୍ପ ପୃଥିବୀକୁ ଭାରତୀୟ ଗ୍ରାମ୍ୟ ଜୀବନର ଅବଦାନ, ତା’ରି ପ୍ରତିଭୂ ବରଜୁ ପଧାନ। ସାନଭାଇ ଛକଡ଼ିର ସ୍ତ୍ରୀ ନେତ୍ରମଣି ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଏହି ମହିମାଦୀପ୍ତ ପାରିବାରିକତାକୁ ଭାଙ୍ଗିଦେବାର ଏକ ଦାମ୍ଭିକ ପ୍ରତୀକ। ଜୀବନରେ ପ୍ରତିକୂଳତା ଓ ତାକୁ ସାମ୍ନା କରିବାର ସାହସକୁ ଯଦି ଗୋଟିଏ ଶବ୍ଦରେ ପ୍ରକାଶ କରାଯାଏ, ତେବେ ତାହା ହେବ ‘ବରଜୁ’।
‘ମାଟିର ମଣିଷ’ ଗାନ୍ଧିବାଦରେ ପ୍ରଭାବିତ କି ନା ମୁଁ ଜାଣେନା, କିନ୍ତୁ ଗାନ୍ଧୀ ଭାବନାର ଏହା ହେଉଛି ଏକ କ୍ରିୟାଶୀଳ କୁମ୍ଭାରଶାଳ, ଯେଉଁଠି ଗଢ଼ାହୋଇଛି ଜୀବନର ଭଙ୍ଗା ଓ ଅଭଙ୍ଗା କେତେକେତେ ହାଣ୍ଡି। ‘ପ୍ରବୃତ୍ତି’ ଓ ‘ନିବୃତ୍ତି’ର ସାପଶିଡ଼ି ଖେଳ ହେଉଛି ‘ମାଟିର ମଣିଷ’। ‘ନକାରାତ୍ମକତା’ ‘ସକାରାତ୍ମକତା’କୁ ଏତେ ପାଖାପାଖି, ସାମ୍ନାସାମ୍ନି କରି ଯଦି କୌଣସି ଭାରତୀୟ ଉପନ୍ୟାସରେ ଖୁବ୍‌ ଦୃଢ଼ଭାବେ ଠିଆ କରାଯାଇଥାଏ, ତେବେ ତାହା ଅବଧାରିତ ଭାବେ ହେବ ‘ମାଟିର ମଣିଷ’।
ଏକା ବର୍ଷରେ ଲେଖାଯାଇଥିବାରୁ ଓ କାଳିନ୍ଦୀଙ୍କ ସମୟରେ ଯୋଗାଯୋଗର ମାଧ୍ୟମ ଆଜିପରି ଦ୍ରୁତ ଓ ସର୍ବଗମ୍ୟ ହୋଇ ନ ଥିବାରୁ କାଳିନ୍ଦୀ ଯେ ବକ୍‌ଙ୍କ ‘ଦ ଗୁଡ୍‌ ଆର୍ଥ’ ଉପନ୍ୟାସ ପଢ଼ିଥିବେ, ଏକଥା ବିଶ୍ୱାସ କରିହେବ ନାହିଁ। ୧୯୩୨ରେ ‘ଗୁଡ୍‌ ଆର୍ଥ’ ପାଇଲା ଉପନ୍ୟାସ ବର୍ଗରେ ପୁଲିଜର ପ୍ରାଇଜ୍‌ ଓ ୧୯୩୮ରେ ବକ୍‌ଙ୍କୁ ମିଳିଲା ସାହିତ୍ୟ ପାଇଁ ନୋବେଲ। ସୁତରାଂ ବକ୍‌ ପ୍ରଖ୍ୟାତ ହେବା ଆଗରୁ ଲେଖା ସରିଛି ‘ମାଟିର ମଣିଷ’। ‘ମାଟିର ମଣିଷ’ରେ ଅହିଂସା ଓ ତ୍ୟାଗ ହୋଇଛି ଉପନ୍ୟାସର ନିର୍ମାଣଭୂମି। ଅପରପକ୍ଷରେ ଚାଇନା କୃଷକସମାଜର ବୈପ୍ଳବିକ ପୃଷ୍ଠଭୂମିରେ ରଚିତ ଓ ଲାଳିତ ‘ଗୁଡ୍‌ ଆର୍ଥ’। ‘ମାଟିର ମଣିଷ’ ଉପନ୍ୟାସର ବିଷୟକଳ୍ପନା, ରଚନାଶୈଳୀ ଓ ସିଦ୍ଧି ‘ଗୁଡ୍‌ ଆର୍ଥ’ର ସମକକ୍ଷ ହୋଇଥିବା ବେଳେ କେବଳ ଉଭୟଙ୍କ ସ୍ଥିତିଗତ ଭିନ୍ନତା ବକ୍‌ଙ୍କୁ ନୋବେଲ ବିଜୟିନୀ କରିଥିବା ବେଳେ କାଳିନ୍ଦୀଚରଣଙ୍କୁ ଭାରତବିଦିତ ହେବାକୁ ବହୁକାଳ ଲାଗିଯାଇଛି। ବିଶ୍ୱସ୍ତରୀୟ ଉପନ୍ୟାସ ଲେଖି ବି ସହଜରେ ବିଶ୍ୱଦୃଷ୍ଟିକୁ ଆସିପାରି ନ ଥିବା କାଳିନ୍ଦୀଚରଣଙ୍କ ଶାନ୍ତ, ସଦାସନ୍ତୁଷ୍ଟ ମୁଖମଣ୍ଡଳଟି ଆଜି ପୁଣି ଥରେ ଅବଶ୍ୟ ଦୃଶ୍ୟମାନ ହେବ ପ୍ରତ୍ୟେକ ଓଡ଼ିଆ ଓ ଭାରତୀୟ ପାଠକଙ୍କୁ ତାଙ୍କର ଏହି ପବିତ୍ର ଜନ୍ମଦିନରେ। ଏହି ମନୀଷୀ ଔପନ୍ୟାସିକଙ୍କୁ ମୋର ଓ ‘ଧରିତ୍ରୀ’ର ଅଜସ୍ର ପ୍ରଣାମ!
ମୋ:୯୮୫୩୨୮୭୭୫୫


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri