ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ ନିର୍ମାଣ କରିଛନ୍ତି, ଯେଉଁଠାରେ ଅଦରକାରୀ ଜିନିଷ କଳାକୃତି ଭାବେ ପ୍ରଦର୍ଶିତ ହେଉଛି। ୨୨,୦୦୦ ବର୍ଗଫୁଟ ପରିମିତ ଏହି ପ୍ରୋଜେକ୍ଟରେ ୧,୦୦୦ ଟନ ବର୍ଜ୍ୟ ବ୍ୟବହାର କରାଯିବା ଯୋଜନା କରାଯାଇଛି। ବର୍ଜ୍ୟ ଭାବେ ପୁରୁଣା ଗାଡ଼ି, ଫ୍ୟାନ, ଲୁହା ଶିଟ୍, ନଟ୍ ଓ ବୋଲ୍ଟ, ପୁରୁଣା ସାଇକେଲ, ଭଙ୍ଗା ଟାଇଲ, ପ୍ଲାଷ୍ଟିକ ବୋତଲ, ପୁରୁଣା ଷ୍ଟୋଭ, ଗ୍ୟାସ୍ ସିଲିଣ୍ଡର ଆଦିକୁ କଳାକୃତିରେ ପରିଣତ କରାଯାଉଛି। ସାହିବଗଞ୍ଜ ପୌର ପରିଷଦ ମଧ୍ୟ ବର୍ଜ୍ୟ ଯୋଗାଇ ଦେଉଛି ଏବଂ ଗଙ୍ଗାରୁ ମିଳୁଥିବା ବର୍ଜ୍ୟକୁ ମଧ୍ୟ ପ୍ରକାଶ ସଂଗ୍ରହ କରୁଛନ୍ତି। ସେ ପ୍ରଥମେ ୨୦୨୫ରେ ପାଟନା ସିବିଏସ୍ଇ ରିଜିଓନାଲ ଅଫିସ୍ ପାଇଁ ଗୁରୁ- ଶିଷ୍ୟ ସମ୍ପର୍କ ଆଧାରିତ ୮ ଫୁଟ ଉଚ୍ଚ ଏକ ସାଙ୍କେତିକ ମୂର୍ତ୍ତି କରିଥିଲେ। ଏଥିରେ ସେ ଗୁରୁଙ୍କୁ ଏକ ଗଛ ଓ ଶିଷ୍ୟକୁ ଛାଇ ଭାବେ ଦର୍ଶାଇଥିଲେ। ତାଙ୍କ କଳାତ୍ମକ ଭାଷା ସବୁବେଳେ ସାମାଜିକ ଓ ସାର୍ବଜନୀନ କ୍ଷେତ୍ରର ସାଙ୍କେତିକ ଧାରଣାକୁ ପ୍ରତିଫଳିତ କରେ।

