ମାନବ ସମ୍ବଳ ହେଉଛି ପୃଥିବୀର ଏକ ଅନନ୍ୟ ବରଦାନ। ମଣିଷ ନିଜର ବୁଦ୍ଧି ବଳରେ ପୃଥିବୀରେ ଥିବା ସମସ୍ତ ପ୍ରାକୃତିକ ସମ୍ବଳର ବର୍ତ୍ତମାନ ଅଧିକାରୀ। କିନ୍ତୁ ପ୍ରାକୃତିକ ସମ୍ବଳର ବଣ୍ଟନ, ଜଳବାୟୁ ଏବଂ ଭୂମିରୂପକୁ ନେଇ ମଣିଷ ନିଜର ବସତି ସ୍ଥାପନ କରିଥାଏ। ବର୍ତ୍ତମାନ ସମୟରେ ଜନସଂଖ୍ୟା ବୃଦ୍ଧି ଯୋଗୁ ମଣିଷର ରୋଜଗାର ସୃଷ୍ଟି ହେବାରେ ଅନିୟମିତତା ବହୁଳ ପରିମାଣରେ ଦେଖାଦେଇଛି। ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ର ଏବେ ବେକାରି ସମସ୍ୟା ମଧ୍ୟରେ ଗତି କରୁଛି।
ସାଧାରଣତଃ ରୋଜଗାରର ମାଧ୍ୟମକୁ ଦେଖି ମଣିଷ ସମାଜକୁ ବିଭିନ୍ନ ପ୍ରକାରର ଶ୍ରେଣୀରେ ବିଭକ୍ତ କରାଯାଏ। ଯେପରିକି ଅତି ଧନୀ, ଧନୀ, ଉଚ୍ଚ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ, ଦରିଦ୍ର ଏବଂ ଅତି ଦରିଦ୍ର। ଦିନକୁ ଦିନ ବେରୋଜଗାରର ମାତ୍ରା ବଢ଼ିବା ଫଳରେ ଭାରତରେ ମଧ୍ୟବିତ୍ତ ଏବଂ ଦରିଦ୍ର ପରିବାର ଗୁଡ଼ିକଙ୍କ ଅବସ୍ଥା ସଙ୍କଟାପନ୍ନ।
ପୃଥିବୀରେ ବର୍ତ୍ତମାନ ୮୦୦ କୋଟିରୁ ଅଧିକ ଜନସଂଖ୍ୟା ଥିବାବେଳେ ଭାରତରେ ଏହା ୧୪୭ କୋଟିରୁ ଊଦ୍ଧର୍ବ ରହିଛି। ତେଣୁ ଏହିଭଳି ଅତିରିକ୍ତ ଜନସଂଖ୍ୟା ବୃଦ୍ଧି ହେବା ଯୋଗୁ ବେକାରି ସମସ୍ୟା ଉତ୍କଟ ହେଉଛି। ପୃଥିବୀରେ ଏବେ ବେକାର ହାର ୪.୯% ଥିବା ବେଳେ ଭାରତରେ ୩.୧% ରୁ ୫.୫% ରହିଛି। ଯୁବ ବେକାରି ହାର ପୃଥିବୀରେ ୧୨.୪% ଥିବାବେଳେ ଭାରତରେ ୯.୯% ରୁ ୧୪.୮% ରହିଛି। ସାଧାରଣ ଭାବରେ ଭାରତରେ ଆମର ବିଭିନ୍ନ ପ୍ରକାରର ବେକାର ଦେଖାଯାଆନ୍ତି। ଅଧିକ ମାତ୍ରାରେ ଋତୁକାଳୀନ ବେକାରି ଅଛନ୍ତି। ଯେଉଁମାନଙ୍କର ରୋଜଗାର କେବଳ ଚାଷ କାର୍ଯ୍ୟ ଉପରେ ନିର୍ଭର କରେ। ବର୍ଷକୁ କେବଳ ବିହନ ବୁଣିବା ଏବଂ ଅମଳ ସମୟରେ ହିଁ କାମ ଥାଏ, ବାକି ୩ରୁ ୪ମାସ ଧରି ସେମାନେ ବେକାର ହୋଇ ବସନ୍ତି। ଶିକ୍ଷିତ ବେକାର ଏବେ ଦେଶରେ ବହୁଳ ମାତ୍ରାରେ ଦେଖାଦେଲେଣି। କାରଣ ପ୍ରତିବର୍ଷ ଲକ୍ଷାଧିକ ଯୁବତୀ ଯୁବକ ସ୍ନାତକ ଏବଂ ସ୍ନାତକୋତ୍ତର ପରି ଉଚ୍ଚ ଶିକ୍ଷା ହାସଲ କରିବା ପରେ ଚାକିରି ନାହିଁର ଅବସ୍ଥା। ଓଡ଼ିଶାରେ ବିଶେଷ ଭାବରେ ଅଧ୍ୟାପକ ଚାକିରି କ୍ଷେତ୍ରରେ ଭୂଗୋଳ, ଭୂତତ୍ତ୍ୱ, ସମାଜ ବିଜ୍ଞାନ, ନୃତତ୍ତ୍ୱ ପରି କେତେକ ବିଷୟରେ ବର୍ତ୍ତମାନ ଅନେକ ଉଚ୍ଚ ଶିକ୍ଷିତ ଏଣେତେଣେ ଚାକିରି ଅନ୍ବେଷଣରେ ବୁଲୁଛନ୍ତି। ବେକାର ଯେଉଁମାନେ କାରଖାନାରେ କାମ କରନ୍ତି, କିନ୍ତୁ ଯଦି କୌଣସି କାରଣବଶତଃ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିରେ ଅବନତି ଆସେ ଉକ୍ତ ସମୟରେ କାରଖାନାରେ ଉତ୍ପାଦନ ହ୍ରାସ ପାଇବା ଦ୍ୱାରା ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଏ। ଉଦାହରଣ ସ୍ବରୂପ କୋଭିଡ-୧୯ ସମୟରେ ଏହି ବେକାର ସମସ୍ୟା ସୃଷ୍ଟି ହୋଇଥିଲା।
ବେକାରି ସମସ୍ୟା ସୃଷ୍ଟି ହେବାର ମୂଳ କାରଣ ହେଉଛି ଜନସଂଖ୍ୟା ବୃଦ୍ଧି। ବର୍ତ୍ତମାନର ଯୁବ ସମାଜ ରୋଜଗାର ପାଇଁ ଯେଉଁ ଦିଗକୁ ଯିବା ପାଇଁ ଚେଷ୍ଟା କରୁଛି ସେହି ଦିଗରେ ଅସଂଖ୍ୟ ବେକାର ଯୁବବର୍ଗ ଆଗରୁ ରହିଛନ୍ତି। ତେଣୁ ଏହି ପରିସ୍ଥିତି ମଧ୍ୟ ଦେଇ ନିଜର ଲକ୍ଷ୍ୟପଥକୁ ହାସଲ କରିବା ନିମନ୍ତେ ଯୁବ ସମାଜ ଅଗ୍ରସର ହେଉଛି ସତ କିନ୍ତୁ କେତେକଙ୍କ କ୍ଷେତ୍ରରେ ଲକ୍ଷ୍ୟ ପୂରଣ ନ ହେବା ଦ୍ୱାରା ବେକାର ସମସ୍ୟା ବଢ଼ିବା ସହିତ ଆତ୍ମହତ୍ୟା, ପରିବାର ମଧ୍ୟରେ ଅଶାନ୍ତି ଆଦି ବୃଦ୍ଧି ପାଉଛି। ଯୁବବର୍ଗଙ୍କ ଭବିଷ୍ୟତର ସ୍ବପ୍ନ ଆଜି ସେଇ ସ୍ବପ୍ନରେ ହିଁ ରହିଯାଉଛି। ଖାଲି ଯେ ଯୁବବର୍ଗ ନୁହନ୍ତି, ସେମାନଙ୍କ ପାଇଁ ତାଙ୍କ ପରିବାର ମଧ୍ୟ ଅନେକ ସ୍ବପ୍ନ ଦେଖିଥାନ୍ତି, ଯାହାକି ଧୂଳିସାତ୍ ପ୍ରାୟ। ଦିନକୁ ଦିନ ମଣିଷ ସମାଜ ବସ୍ତୁବାଦୀ ଦୁନିଆରେ ଚାଲିଛି। ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଅର୍ଥ ଆବଶ୍ୟକ। ଯଦି ଅର୍ଥ ନାହିଁ, ତେବେ କିଛି ନାହିଁ। କାରଣ ଏବେକାର ସମୟରେ ଅତ୍ୟାବଶ୍ୟକ ସାମଗ୍ରୀଠାରୁ ଆରମ୍ଭକରି ଫଳ ଓ ପନିପରିବା ଆଦି ସବୁଥିରେ ମହଙ୍ଗା ମାଡ। ତା’ସହିତ ବିଭିନ୍ନ ପ୍ରକାର ରୋଗ ଦିନକୁ ଦିନ ଦେଖାଦେବା ସହିତ ତାହାର ଉପଶମ ପାଇଁ ଯଥେଷ୍ଟ ଅର୍ଥର ଅଭାବ ଜଣେ ବେକାର ମଣିଷ ବା ଖୁବ୍ କମ୍ ରୋଜଗାର କରୁଥିବା ମଣିଷ ପାଖରେ ସମ୍ଭବ ହେଉନାହିଁ। ସରକାରୀ ସ୍ତରରେ ଏବଂ ବେସରକାରୀ ବା ଘରୋଇ କମ୍ପାନୀମାନେ ରୋଜଗାର ସୃଷ୍ଟି କରିବାରେ ଯେତେ ଚେଷ୍ଟା କଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ମନେ ହୁଏ। ତେଣୁ ଯଥାସମ୍ଭବ ଜନସଂଖ୍ୟା ନିୟନ୍ତ୍ରଣ ରହିବା ସହିତ ମଣିଷର ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ଅଳ୍ପରେ ସନ୍ତୁଷ୍ଟ ହୋଇ ରହିବାକୁ ଚେଷ୍ଟା କଲେ ବର୍ତ୍ତମାନର ତଥା ଆଗାମୀ ଭବିଷ୍ୟତର ସମାଜ ପାଇଁ ବଞ୍ଚିବାକୁ କିଞ୍ଚିତ ସୁବିଧା ହୋଇପାରିବ। ନଚେତ ଯଥା ପୂର୍ବଂ ତଥା ପରମ୍ ଅବସ୍ଥା ରହିଛି ଏବଂ ରହିଥିବ, ଏହା ନିଃସନ୍ଦେହ।
ଅରିଜିତ ମିଶ୍ର
ଅଧ୍ୟାପକ (ଭୂଗୋଳ ବିଭାଗ)
ବାଙ୍କୀ ସ୍ବୟଂଶାସିତ ମହାବିଦ୍ୟାଳୟ
କଟକ, ଓଡ଼ିଶା
ମୋ: ୯୦୪୦୩୫୦୦୮୯
Dharitri – Odisha’s No.1 Odia Daily

