ଅର୍ଥ ଅନର୍ଥର ଖେଳ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ

ସାଧୁତା ସାଂପ୍ରତିକ ସମାଜର ଏକ ବିରଳ ସମ୍ପଦ ଏବଂ ଅସାଧୁତାର ଏକ ସିଂହଭାଗ ମୂଳରେ ଥାଏ ପୁଳାଏ ସହଜଲଭ୍ୟ ଅର୍ଥ ଅର୍ଜନ କରିବାର ପ୍ରଚଣ୍ଡ ପ୍ରବଣତା। ଯେଉଁ ସମ୍ପଦ ଉପାର୍ଜନ କରି ବଡ଼ ଲୋକ ଭାବେ ଗଣା ହେବାର ସାମାନ୍ୟ ସମ୍ଭାବନା ନାହିଁ, ସାଧୁତାର ସେଇ ସମ୍ପଦ ପଛରେ ଗୋଡ଼ାଇ କିଏ କାହିଁକି ନିଜ ଶ୍ରମ ଓ ସମୟର ବୃଥା ଅପଚୟ କରନ୍ତା! ଯେନତେନ ପ୍ରକାରେଣ ଅସୁମାରି ଅର୍ଥ ଅର୍ଜନ କରି ସେଇ ଅର୍ଥ ବଳରେ ସଂସାରରେ ଉପଲବ୍ଧ ଯାବତୀୟ ସୁଖ ଲାଭ କରିବା ଯେଉଁଠି ସଫଳ ଜୀବନର ଏକମାତ୍ର ସଙ୍କେତ ହୋଇପଡିଛି, ସେଠି ଅର୍ଥହୀନ ସାଧୁତାର ସୂକ୍ଷ୍ମ ଅନୁଭବରେ ରୋମାଞ୍ଚତ୍ତ ହେବାକୁ କିଏ କାହିଁକି ଆଗେଇ ଆସନ୍ତା !! ସୁତରାଂ ସମାଜର ବେଶି ଭାଗ ଲୋକ ଗୁପ୍ତରେ ଅବା ମୁକ୍ତରେ ଥୋଡ଼େ ଅର୍ଥ ଅର୍ଜନ କରିବାକୁ ନିଜ ପୁରୁଷାକାର ବୋଲି ବିଚାରନ୍ତି ଓ ଜୀବନ ସାରା ଲାଗି ପଡ଼ନ୍ତି ଏହି ପରମାର୍ଥକ କସରତରେ।
ଆଖି ଆଗରେ ଘଟିଯାଇଛି ସମଗ୍ର ବିଶ୍ୱକୁ ସନ୍ତ୍ରସ୍ତ କରି ରଖିଥିବା କରୋନା ମହାମାରୀର ବିଭୀଷିକା। କୋଟି କୋଟି ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। କେଇ ଲକ୍ଷ ଲୋକ ଅକାଳରେ ବିଦାୟ ନେଇ ଚାଲିଯାଇଛନ୍ତି ଏ ଦୁନିଆରୁ। କେଉଁଠି କେଉଁଠି ତ ଗୋଟିଏ ବଂଶରେ ଜଣେ କେହି ବି ବଞ୍ଚତ୍ ରହିନାହାନ୍ତି ଅନ୍ୟମାନଙ୍କ ଶ୍ରାଦ୍ଧତର୍ପଣ କରିବା ପାଇଁ । ଏ ମହାମାରୀର ମୁକାବିଲା ପାଇଁ ଦେଶ ବିଦେଶର ବହୁ ଗବେଷକ ରାତିଦିନ ଲାଗି ପଡ଼ି ଟିକା ଉଦ୍ଭାବନ କରିଛନ୍ତି। ଏହି ଭୟଙ୍କର ଭୂତାଣୁ ମୁହଁରୁ ମଣିଷ ଜାତିକୁ ବଞ୍ଚାଇବା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରକାଶ ପାଇଛି ବିଶ୍ୱ ମାନବତାର ଅଦ୍ଭୁତ ଉଦ୍‌ବେଳନ। ଅଥଚ ମୃତ୍ୟୁର ବିଷାକ୍ତ ପଞ୍ଝାଠାରୁ କେଇ ହାତ ଦୂରରେ ରହିଥିବା ମଣିଷର ତଥାପି ଚୈତନ୍ୟ ଉଦୟ ହୋଇନାହିଁ। ସେ ମୃତ୍ୟୁର ଏହି ଧ୍ୱଂସସ୍ତୂପ ମଧ୍ୟରୁ ତା’ ଦୁଇ ହାତ ପ୍ରସାରି ଟାଣି ଆଣୁଛି ପୁଳା ପୁଳା ଅର୍ଥ ଓ ପରମ ଆନନ୍ଦରେ ନିଜ ପକେଟ ଭରିବାରେ ଲାଗିଛି। ସତେ ଯେମିତି ତା’ ପାଇଁ ମୃତ୍ୟୁ କେବେ ବି ଆସିବ ନାହିଁ ।
କରୋନା ସଙ୍କଟ ବେଳେ ନିଜକୁ ଅଧିକ ସ୍ବଚ୍ଛଳ କରିବାକୁ ଏହାକୁ ସୁବର୍ଣ୍ଣ ସୁଯୋଗ ବୋଲି ମନେ କରୁଥିଲେ ଅନେକ ପରାଙ୍ଗପୁଷ୍ଟ ଅର୍ଥଲୋଭୀ। ତା’ ହୋଇ ନ ଥିଲେ କରୋନା ପରୀକ୍ଷା ପାଇଁ ଚାରିଶହ ଟଙ୍କା ନିର୍ଦ୍ଧାରିତ ହୋଇଥିଲା ବେଳେ କିଛି ହସ୍ପିଟାଲର ପରୀକ୍ଷାଗାର ପନ୍ଦରଶହ ଟଙ୍କା ନେଉ ନ ଥାନ୍ତେ କି ଥଣ୍ଡା ସର୍ଦ୍ଦି ବା କାଶ ଜ୍ୱରର ସାମାନ୍ୟ ଲକ୍ଷଣ ନ ଥାଇ ମଧ୍ୟ ଅନ୍ୟ ରୋଗର ଚିକିତ୍ସା ପାଇଁ ଯାଇଥିବା ରୋଗୀଙ୍କୁ କରୋନା ପରୀକ୍ଷା ଲାଗି ବାଧ୍ୟ କରୁ ନ ଥାନ୍ତେ।
ଏବେ ଆସିବା ସାଧାରଣ ଜୀବନ ଯାତ୍ରା ଭଳି ସାଧାରଣ ପ୍ରସଙ୍ଗକୁ। ଗତ କେଇ ଦିନ ମଧ୍ୟରେ ରାଜ୍ୟର ସବୁଠାରୁ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ କଟକ ସମେତ ରାଜଧାନୀ ଭୁବନେଶ୍ୱରରେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଯେଉଁ ଅବିଚାରିତ ଅପମିଶ୍ରଣର ଖବର ମିଳିବାରେ ଲାଗିଛି ତାହା ଗୋଟିଏ ସତ୍ୟକୁ ସ୍ପଷ୍ଟ କରୁଛି ଯେ, ଅନ୍ୟମାନଙ୍କୁ ବିଷ ଦେଇ ମାରିବା ଦ୍ୱାରା ହିଁ ନିଜ ପାଇଁ ଅର୍ଥର ଅମୃତ ଉପଲବ୍ଧ ହୋଇଥାଏ। ଜୀବନଟିଏ ଜିଇବା ପାଇଁ ଅର୍ଥ ତ ନିଶ୍ଚିତ ଲୋଡ଼ା। ବଞ୍ଚତ୍ବା ପାଇଁ ଅର୍ଥର ଉପଯୋଗିତାକୁ ଚାହିଁ ନିଜର ସର୍ବନିମ୍ନ ଆବଶ୍ୟକତା ମେଣ୍ଟାଇବା ଲାଗି ଅର୍ଥ ଅର୍ଜନ ପଥରେ ଧାଇଁ ଧାଇଁ ମଣିଷ ରକ୍ତକୁ ପାଣି କରି ଦେଉଛି। ମାତ୍ର କେବଳ ବଞ୍ଚତ୍ବା ପାଇଁ ନୁହେଁ, ଯେଉଁଠି ଧନପତି ବୋଲାଇବାର ଦୁର୍ବାର ଲାଳସାକୁ ତୃପ୍ତ କରିବା ପାଇଁ ନାନା ଅନୁଚିତ ଓ ଅନୈତିକ ଉପାୟରେ ମଣିଷ ଅଧିକରୁ ଅଧିକ ଅର୍ଥ ଅର୍ଜନ କରିବାରେ ଲାଗି ପଡିଛି। ସେଠି ସେ ଆଉ ମଣିଷ ହୋଇ ରହିନାହିଁ। ଅର୍ଥ ମୋହରେ ସେ ନିଜର ମଣିଷତ୍ୱ ହରାଇ ଅମଣିଷ ପାଲଟି ଯାଇଛି। ତେଣିକି ସେଇ ଅମଣିଷଟିର ନାମ ହୋଇପାରେ ଅପମିଶ୍ରଣ କରୁଥିବା ବ୍ୟବସାୟୀ, ଆବଶ୍ୟକତା ନ ଥାଇ ରୋଗ ପରୀକ୍ଷା କରାଇ ହଜାର ହଜାର ଖର୍ଚ୍ଚ କରାଉଥିବା ଡାକ୍ତର, ପିସି ନେଇ ଦୁର୍ବଳ ବନ୍ଧବାଡ଼ ଗଢୁଥିବା ଇଞ୍ଜିନିୟର ଅବା ନଅଟଙ୍କାର ଚିଜକୁ ଷୋହଳ ଟଙ୍କାରେ କିଣି କୋଟି କୋଟି ଟଙ୍କା ତୋସରପାତ କରୁଥିବା ହାକିମ!!
ଅର୍ଥ ମୋହରେ ଆକ୍ରାନ୍ତ ହୋଇ ମଣିଷ ତା’ର ମଣିଷତ୍ୱ ହରାଇ ଅମଣିଷ ପାଲଟି ଯାଇଥିଲେ ଆଉ କଥା ନ ଥା’ନ୍ତା। ମାତ୍ର ସେତେବେଳେ ଏହି ଅର୍ଥ ଲୋଭ ତାକୁ ଇତର ପଶୁରେ ପରିଣତ କରିପକାଏ। ସେମିତି ମଣିଷରୂପୀ ପଶୁଟିର କୁତ୍ସିତ କାହାଣୀ ସମ୍ପର୍କରେ ଶୁଣିବାକୁ ମିଳିଥିଲା କେଇଦିନ ତଳେ। ନିଜ ପନତ୍ୀକୁ ପର ପୁରୁଷ ଶଯ୍ୟା ସଙ୍ଗିନୀ ହେବାକୁ ଟେକିଦେଇ, ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ପରବର୍ତ୍ତୀ ସମୟରେ ବ୍ଲାକ୍‌ମେଲିଂ କରି ବାରମ୍ବାର ଅର୍ଥ ଆଦାୟ କରୁଥିବା ଇତର ଲୋକଟିକୁ କ’ଣ ମଣିଷ କୁହାଯାଇପାରିବ? ଅର୍ଥର କି ଚମତ୍କାରୀ ଶକ୍ତି ସତେ! ଏହା ପାଇଁ ମଣିଷ ନ୍ୟାୟ, ନୈତିକତା ଓ ସଦାଚାର ଭୁଲି ଯାଉଥିବାର ନଜିର ଅତୀତରେ ଅଭାବ ନ ଥିଲା। ମାତ୍ର ନିମ୍ନତମ ମାନବୀୟ ସଂସ୍କାର ଭୁଲି ପଶୁପାଲଟି ଯାଉଥିବା କଥା କେବେ ଶୁଣାଯାଇ ନ ଥିଲା। ଅର୍ଥ ପାଇଁ ଯିଏ ଲୋଭ ପାଖରେ ନିଜ ବିବେକକୁ ଟେକି ଦେଇପାରିଛି ତା’ ପାଇଁ କେହି ଲମ୍ପଟ ପୁରୁଷ ପାଖରେ ନିଜ ପନତ୍ୀକୁ ଟେକିଦେବା କୋଉ ବଡ଼କଥା ଯେ! ଏ ପ୍ରସଙ୍ଗରେ ଆମ ପୁରୁଣା କଥାପେଡ଼ିରୁ ଚେତନା ଉଦ୍ରେକକାରୀ କାହାଣୀଟି ବେଶ୍‌ ପ୍ରଣିଧାନଯୋଗ୍ୟ।
ଥରେ ଜଣେ ବଣିକ ନିଜ ଟିକି ପୁଅଟି ସହ ଗୋଟିଏ ଜଙ୍ଗଲ ଭିତର ଦେଇ ଫେରୁଥିଲେ। ବାଟ ଚାଲୁଥିବା ବେଳେ ପୁଅଟି ଗୋଟିଏ ନିମ୍ନ ମୂଲ୍ୟର ମୁଦ୍ରାକୁ ଏ ହାତରୁ ସେ ହାତ କରି ଖେଳୁଥିବାର ଦେଖି ବଣିକ ବାପା ବାରଣ କରି କହିଲେ ”ଅର୍ଥ ସହ ଏମିତି ଖେଳନ୍ତିନି! ଏହା ଏମିତି ଚିଜ, ଯାହା ଦୁନିଆର ସବୁକିଛିକୁ ଆୟତ୍ତ କରିପାରେ; ସମସ୍ତଙ୍କୁ ଦାସ ବନାଇପାରେ।“ ଛୋଟ ପିଲାଟି ଉପରେ ଅର୍ଥର ଏ ମହତ୍ତ୍ୱ କିଛି ପ୍ରଭାବ ପକାଇବା ପୂର୍ବରୁ ତା’ ହାତରୁ ମୁଦ୍ରାଟି ଖସି ପଡ଼ିଲା ଓ କେଉଁଠି ହଜିଗଲା। ପୁଅ ଉପରେ ବିରକ୍ତ ହେଲେ ବାପା। ଦୁହେଁ ମିଶି ମୁଦ୍ରାଟିକୁ ଢେର ଖୋଜିଲେ ଓ ପାଇବାରେ ବିଫଳ ହୋଇ ମନଦୁଃଖରେ ସେମାନଙ୍କ ବାଟରେ ଚାଲିଗଲେ।
ମୁଦ୍ରାଟିକୁ ପାଇଲା ଗୋଟିଏ ଶୃଗାଳ। ଅର୍ଥର ଯାଦୁକରୀ ଶକ୍ତି ସମ୍ପର୍କରେ ଯେତେବେଳେ ବାପା ପୁଅକୁ ବୁଝାଉଥିଲେ, ସେତେବେଳେ ଚତୁର ଶୃଗାଳଟି ସେ କଥା ଶୁଣୁଥିଲା। ମୁଦ୍ରାଟି ପାଇ ସେ ସେହି ଶକ୍ତିର ଅଧିକାରୀ ହୋଇପାରିଛି ବୋଲି ଭାବିଲା ଓ ଧରାକୁ ସରା ଜ୍ଞାନ କଲା। ବଣ ସାରା ବୁଲିବୁଲି ଚିତ୍କାର କଲା, ”ମୁଁ ଏବେ ଖୁବ୍‌ ଶକ୍ତିଶାଳୀ। ମୋ ସହ ଯୁଝିବା ପାଇଁ ସ୍ବୟଂ ପଶୁରାଜ ସିଂହ ବି ସାହସ କରିବ ନାହିଁ।“ ଏମିତି ଚାରିଆଡ଼େ ବୁଲୁବୁଲୁ ଗୋଟିଏ ପାଗଳ ହାତୀ ସାମ୍ନାରେ ପଡ଼ିଗଲା ସେ। ହାତୀ ଆଗରୁ ହଟି ନ ଯାଇ ସେ ସେମିତି ଆସ୍ଫାଳନ କରି କହିଲା ”ମୁଁ ଆଉ ସେଇ ପୁରୁଣା ଶିଆଳ ହୋଇ ରହିନାହିଁ। ଏକ ଅପୂର୍ବ ଶକ୍ତିର ଏବେ ମୁଁ ଅଧିକାରୀ। ସାହସ ଅଛି ଯଦି ମୋ ସଙ୍ଗେ ଲଢ଼ି ଦେଖ ତ!“
ପରିଣାମ ଯାହା ହେବାର କଥା ହେଲା। ଶୃଗାଳର ପ୍ରଳାପ ଶୁଣି ମତ୍ତହସ୍ତିଟି ତାକୁ ଶୁଣ୍ଢରେ ଟେକି ଚକ୍ରବାତରେ ଘୂରାଇ ଘୂରାଇ ପାଦରେ ଦଳିଦେଲା ଓ ତା’ ରାସ୍ତାରେ ଚାଲିଗଲା। ନିମିଷକ ମଧ୍ୟରେ ଏକ ରକ୍ତାକ୍ତ ମାଂସ ପିଣ୍ଡୁଳା ପାଲଟି ଯାଇଥିବା ଶୃଗାଳକୁ ଦେଖି ଜଙ୍ଗଲର ପଶୁକୁଳ ଦୁଃଖ ମିଶା ତାଚ୍ଛଲ୍ୟ କଲେ, ”ବିଚରା ଶିଆଳ! ନିଜ ଓଲୁପଣ ପାଇଁ ସିନା ଅକାଳରେ ପ୍ରାଣ ହାରିଲା। କେଉଁଠୁ ଏକ ମୁଦ୍ରା ପାଇଲା ଯେ ନିଜକୁ ସର୍ବ ଶକ୍ତିମାନ ମଣୁଥିଲା।“ ପଶୁମାନଙ୍କ ମନ୍ତବ୍ୟ ଶୁଣୁଥିଲା ପାଖ ଗଛ ଡାଳରେ ବସିଥିବା ବୁଢ଼ା ମାଙ୍କଡ଼ଟିଏ। ସେ କହିଲା, ”ଜନପଦରେ ତୁମମାନଙ୍କର ପ୍ରବେଶ ନାହିଁ। ଥିଲେ ଜାଣିଥା’ନ୍ତ, ମଣିଷମାନେ ଏ ଶିଆଳ ପୁଅଠାରୁ ଆହୁରି ଓଲୁ। ଅର୍ଥ ଦ୍ୱାରା ସବୁ କିଛି ସାଧିପାରିବେ ବୋଲି ସେମାନେ ଆସ୍ଫାଳନ କରନ୍ତି। ଅଥଚ ଅର୍ଥ ତାକୁ ଶତ୍ରୁ, ରୋଗ ଓ ମରଣ ମୁହଁରୁ ରକ୍ଷା କରିପାରେନା। ପୁଣି ଅର୍ଥ ସେମାନଙ୍କୁ କେବଳ ସ୍ବାଧୀନ କରେନା ବରଂ ଅର୍ଥ ବଳରେ ସେମାନେ ମୁନିବ ବନିଯାଇ ପାରନ୍ତି ବୋଲି ଭାବନ୍ତି। ମାତ୍ର ପ୍ରାପ୍ତିର ଚରମ ଶିଖରରେ ପହଞ୍ଚି ମଧ୍ୟ ନିଜ ଅଜାଣତରେ ସେମାନେ ସେଇ ଅର୍ଥର କ୍ରୀତଦାସ ହିଁ ପାଲଟି ଯାଆନ୍ତି।
ଅର୍ଥ ମୋହରେ ନିରନ୍ତର ଘାଣ୍ଟି ହେଉଥିବା ଓ ଅର୍ଥ ବଳରେ ବଳୀୟାନ ହୋଇ ମୂର୍ଖ ଶୃଗାଳ ଭଳି ଆସ୍ଫାଳନ କରୁଥିବା ମଣିଷମାନେ ମାଙ୍ଗଡ଼ର ଏହି ବିବେକ ବାଣୀକୁ ଥରେ କେବେ ବୁଝନ୍ତେ ସିନା!!
ପ୍ରଜ୍ଞା ନିଳୟ
ବିଦ୍ୟାପତି ନଗର, ଚକେଇସିହାଣି,
ଭୁବନେଶ୍ୱର, ମୋ: ୯୭୭୬୭୭୭୧୫୦


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?