ସିଙ୍ଗାପୁର,୨୦ା୧୧(ପି.ଟି.): ଭାରତୀୟ ନାଗରିକଙ୍କ ପାଇଁ ମାଲେସିଆ ଆସନ୍ତା ଜାନୁଆରୀ ୧ରୁ ଭିଜାମୁକ୍ତ ପ୍ରବେଶ ସୁବିଧା ବନ୍ଦ କରିବାକୁ ଯାଉଛି। ମାଲେସିଆର ଇମିଗ୍ରେସନ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ପୂର୍ବରୁ ଏହି ଦେଶକୁ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କୁ ୩୦ ଦିନିଆ ଭିଜା ଛାଡ଼ ସୁବିଧା ମିଳୁଥିଲା। ସେମାନଙ୍କୁ କେବଳ ପହଞ୍ଚିବାର ୩ ଦିନ ପୂର୍ବରୁ ‘ମାଲେସିଆ ଡିଜିଟାଲ ଆରାଇଭାଲ୍ କାର୍ଡ’ ପାଇଁ ପଞ୍ଜୀକରଣ କରିବାକୁ ପଡ଼ୁଥିଲା। ଏହି ଭିଜା ଛାଡ଼ ସୁବିଧା ୨୦୨୩ ଡିସେମ୍ବର ୧ରେ ଆରମ୍ଭ ହୋଇଥିଲା ଏବଂ ପରେ ଏହାକୁ ୨୦୨୬ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ତଦନୁଯାୟୀ ଏହି ତାରିଖଠାରୁ ମାଲେସିଆରେ ପ୍ରବେଶ କରୁଥିବା ଭାରତୀୟ ନାଗରିକମାନଙ୍କୁ ସେଠାରେ ପହଞ୍ଚିବା ପୂର୍ବରୁ ଏକ ବୈଧ ଭିଜା ହାସଲ କରିବା ବାଧ୍ୟତାମୂଳକ ହେବ ବୋଲି ବିଭାଗ କହିଛି। ୨୦୨୬ ଡିସେମ୍ବର ୧ରୁ ‘ମାଇଁଭିଜା’ ପୋର୍ଟାଲ ମାଧ୍ୟମରେ ଭିଜା ପାଇଁ ଆବେଦନ କରାଯାଇପାରିବ। ଆବେଦନର ଫଳାଫଳ ଯାହା ହେଉ ନା କାହିଁକି, ନୀତିରେ ପରିବର୍ତ୍ତନ ହେଉ କିମ୍ବା ପରବର୍ତ୍ତୀ ସମୟରେ ଯାତ୍ରା ଯୋଜନାରେ କୌଣସି ପରିବର୍ତ୍ତନ ହେଉ, ଭିଜା ପ୍ରକ୍ରିୟାକରଣ ଶୁଳ୍କ ଫେରସ୍ତ ଯୋଗ୍ୟ ହେବ ନାହିଁ। ସୂଚନାଯୋଗ୍ୟ ଗତ ସେପ୍ଟେମ୍ବରରେ ଭାରତ ସରକାର ମାଲେସିଆରେ ଥିବା ଭାରତୀୟ ନାଗରିକମାନଙ୍କୁ ଚାକିରି ଖୋଜିବା ପାଇଁ ଦେଶର ୩୦ ଦିନିଆ ଭିଜା-ମୁକ୍ତ ପ୍ରବେଶ ସୁବିଧାର ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲେ।

