ନୂଆଦିଲ୍ଲୀ/ଶିକାଗୋ,୨୦।୧୧(ପି.ଟି.): ଆମେରିକାର ଶିିକାଗୋ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ସମୟରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ରକୁ ‘ପବିତ୍ର’ ବୋଲି କହିବା ସହ ନିର୍ବାଚନ ବର୍ଜନ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବୁଧବାର ପ୍ରଫେସର ରବର୍ଟ ପେପ୍ଙ୍କ ସଂଯୋଜନାରେ ‘ଦି ଇରାନ୍ ୱାର୍ ଆଣ୍ଡ୍ ଇଣ୍ଡିଆଜ ରୋଲ୍ ଇନ୍ ଦି ୱାଲର୍ଡ’ ଶୀର୍ଷକ କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି, ଯଦି ବିରୋଧୀ ଦଳ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନିଏ, ତେବେ ସେହି ମୁହୂର୍ତ୍ତରେ ହିଁ ଭାରତୀୟ ଗଣତନ୍ତ୍ର ଶେଷ ହୋଇଯିବ। ତେବେ ବିଦେଶ ମାଟିରେ ଭାରତର ନିର୍ବାଚନୀ ପ୍ରକ୍ରିୟା ଏବଂ ‘ଭୋଟ ଚୋରି’ ନେଇ ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟକୁ ଗୁରୁବାର ଭାଜପା ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି।
ଶିକାଗୋ ବିଶ୍ୱବିଦ୍ୟାଳୟରେ ରାହୁଲ ଗାନ୍ଧୀ କହିଛନ୍ତି, ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଅନିୟମିତତା ହୋଇଥିବା ନେଇ ସନ୍ଦେହ ଥିଲା, କିନ୍ତୁ ସେତେବେଳେ ସେମାନଙ୍କ ପାଖରେ କୌଣସି ପ୍ରମାଣ ନ ଥିଲା। ବର୍ତ୍ତମାନ ପ୍ରମାଣ ମିଳିବା ପରେ ମଧ୍ୟ ଦଳୀୟ ନେତାମାନେ ଏହା ନ କହିବାକୁ ପରାମର୍ଶ ଦେଇଥିଲେ, କାରଣ ଭାରତୀୟ ଗଣତନ୍ତ୍ର ସେମାନଙ୍କ ପାଇଁ ପବିତ୍ର। ସେ ଆହୁରି ଦାବି କରିଛନ୍ତି ଯେ ନିର୍ବାଚନ କମିଶନଙ୍କ ଭିତରୁ ହିଁ ବର୍ତ୍ତମାନ ସେମାନଙ୍କୁ ସୂଚନା ମିଳୁଛି ଏବଂ ଖୁବ୍ଶୀଘ୍ର ସେହି ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ଏହାସହ ୨୦୨୪ ସାଧାରଣ ନିର୍ବାଚନର ବୈଧତା ଉପରେ ପ୍ରଶ୍ନ ଉଠାଇ ରାହୁଲ କହିଛନ୍ତି, କେବେ ଭାରତ ଆସି ନ ଥିବା ଜଣେ ବ୍ରାଜିଲିଆନ୍ ମହିଳା ଏକ ରାଜ୍ୟ ବିଧାନସଭା ନିର୍ବାଚନରେ ୨୩ ଥର ଭୋଟ ଦେଇଛନ୍ତି। ଆମେ କୌଣସି ଅଣ-ଗଣତାନ୍ତ୍ରିକ ଭାରତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ଉଲ୍ଲେଖ କରି ସେ କହିଛନ୍ତି ଯେ ଲୋକମାନେ ନିର୍ଭୟରେ ନିଜ ମତ ପ୍ରକାଶ କରିବାର ଶକ୍ତିକୁ ପୁନଃ ସ୍ଥାପିତ କରିବା ପାଇଁ ଲଢ଼େଇ ଜାରି ରହିବ ଏବଂ ଲୋକେ ବ୍ୟବସ୍ଥାର ସତ୍ୟତା ନ ବୁଝିବା ପର୍ଯ୍ୟନ୍ତ ବିରୋଧୀ ଦଳ ନିର୍ବାଚନ ଲଢ଼ି ପରାଜୟ ସ୍ବୀକାର କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। ୨ଦିନିଆ ଆମେରିକା ଗସ୍ତରେ ଥିବା ରାହୁଲ ଏହା ପୂର୍ବରୁ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ। ଏହାଛଡ଼ା ଇସ୍ରାଏଲ-ଗାଜା ସଂଘର୍ଷ ପ୍ରସଙ୍ଗରେ ସେ ଅକ୍ଟୋବର ୭ରେ ହମାସ୍ର ଆକ୍ରମଣ ଏବଂ ଗାଜାରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଉଭୟକୁ ନିନ୍ଦାକରିବା ସହ ଭାରତର ବୈଦେଶିକ ନୀତି ନିଜ ଦେଶର ସ୍ବାର୍ଥ ଉପରେ ଆଧାରିତ ହେବା ଉଚିତ ବୋଲି ମତ ଦେଇଛନ୍ତି।
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ଭାଜପା ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଦଳୀୟ ମୁଖପାତ୍ର ତଥା ରାଜ୍ୟ ସଭା ସଦସ୍ୟ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଯେଉଁ ଶିକାଗୋ ସହରରେ ସ୍ବାମୀ ବିବେକାନନ୍ଦ ଭାରତର ଗୌରବ ବଢ଼ାଇଥିଲେ, ସେହି ସ୍ଥାନରେ ରାହୁଲ ଗାନ୍ଧୀ ଭାରତ ମାତାର ସମ୍ମାନ ହ୍ରାସ କରୁଛନ୍ତି। ସେ କଟାକ୍ଷ କରି କହିଛନ୍ତି, କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ବିଦେଶ ପଠାଇବା ପାଇଁ ଅର୍ଥ ଖର୍ଚ୍ଚ କରିବା ବଦଳରେ ତାଙ୍କର ଏକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସଂସ୍କରଣ ପଠାଇବା ଉଚିତ୍, କାରଣ ସେ ସବୁ ସ୍ଥାନରେ ସେହି ସମାନ କଥା ଦୋହରାଉଛନ୍ତି। ସେହିପରି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଯଦି ଭାରତରେ ଗଣତନ୍ତ୍ର ନାହିଁ, ତେବେ ବିରୋଧୀ ଦଳ କିପରି ସାରା ଦିନ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସରକାରଙ୍କୁ ସମାଲୋଚନା କରିପାରୁଛନ୍ତି। ଭାଜପା ସଭାପତି ନୀତିନ୍ ନବୀନ ଏବଂ ମୁଖପାତ୍ର ସି.ଆର୍. କେଶବନ ମଧ୍ୟ ରାହୁଲଙ୍କୁ ସମାଲୋଚନା କରି କହିଛନ୍ତି, ୨୦୧୪ ନିର୍ବାଚନ ସମୟରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ହିଁ କ୍ଷମତାରେ ଥିଲା ଏବଂ ନିର୍ବାଚନ ହାରିଲେ ରାହୁଲ ଗାନ୍ଧୀ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ପ୍ରଶ୍ନ ଉଠାଉଛନ୍ତି।

