ୱେଲିଂଟନ,୧୯।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ଅପେକ୍ଷା ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ପ୍ରଥମ ଟେଷ୍ଟରେ ରବୀନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଦଳରୁ ବାଦ ଦିଆଯିବାକୁ ନେଇ ଅନେକ କ୍ରିକେଟ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ସୁନୀଲ ଗାଭାସ୍କର, ଅଜୟ ଜାଡେଜା ଓ ଅଜିଙ୍କେ ରାହାଣେ ମଧ୍ୟ ଏହି ନିଷ୍ପତ୍ତିକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ତେବେ ଭାରତୀୟ ଦଳର ବ୍ୟାଟିଂ କୋଚ ସିତାଂଶୁ କୋଟକ ଏହି ନିଷ୍ପତ୍ତିକୁ ଠିକ ବୋଲି କହିଛନ୍ତି।
ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହେବା ପରେ ଗଣମାଧ୍ୟମ ସହ ଆଲୋଚନା କରି କୋଟକ କହିଛନ୍ତି, ୱେଲିଂଟନ୍ର ପରିସ୍ଥିତି ଓ ପ୍ରତିପକ୍ଷ ଦଳକୁ ଦୃଷ୍ଟିରେ ରଖି ଭାରତ ଶ୍ରେଷ୍ଠ ଚୂଡ଼ାନ୍ତ ଏକାଦଶ ଚୟନ କରିଛି। ଅଧିନାୟକ ଓ ଟିମ ମ୍ୟାନେଜମେଣ୍ଟଙ୍କ ମତରେ ଏହି ଦଳ ହିଁ ପରିସ୍ଥିତି ଅନୁଯାୟୀ ସବୁଠାରୁ ଉପଯୁକ୍ତ। ବ୍ୟକ୍ତିଗତ ଭାବେ ସିରାଜଙ୍କୁ ଦଳରୁ ବାଦ ଦେବା ଭୁଲ ନିଷ୍ପତ୍ତି ନୁହେଁ ବୋଲି ସେ କହିଛନ୍ତି।
ଚୂଡ଼ାନ୍ତ ଏକାଦଶରେ ପ୍ରସିଦ୍ଧ କୃଷ୍ଣାଙ୍କୁ ସାମିଲ କରିବା ନିଷ୍ପତ୍ତିକୁ ମଧ୍ୟ କୋଟକ ସମର୍ଥନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ପ୍ରସିଦ୍ଧ ଜଣେ ଆକ୍ରମଣାତ୍ମକ ବୋଲର। ସେ ଉଇକେଟ ନେଲେ ତାଙ୍କୁ ପ୍ରଶଂସା କରାଯାଏ, କିନ୍ତୁ ରନ ବ୍ୟୟ କଲେ ସମାଲୋଚନା କରାଯାଏ। ୱେଲିଂଟନ ଟେଷ୍ଟ ପାଇଁ ଦୁଇ ଜଣ ସ୍ବିଇଂ ବୋଲର ଓ ଦୁଇ ଜଣ ସିମ ବୋଲରଙ୍କୁ ଚୟନ କରାଯାଇଛି। ପ୍ରତିଦିନର ପରିସ୍ଥିତିକୁ ଧ୍ୟାନରେ ରଖି ଦଳ ଗଠନ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସାମିଲ କରିବା ନିଷ୍ପତ୍ତି ଉପରେ ମଧ୍ୟ କୋଟକ ସଫେଇ ଦେଇଛନ୍ତି। ନ୍ୟୁଜିଲାଣ୍ଡ ଦଳରେ ଅଧିକ ସଂଖ୍ୟକ ବାମହାତୀ ବ୍ୟାଟର୍ ଥିବାରୁ ସୁନ୍ଦରଙ୍କୁ ସୁଯୋଗ ଦିଆଯାଇଥିବା ସେ କହିଛନ୍ତି।
ୱେଲିଂଟନ ଟେଷ୍ଟର ପ୍ରଥମ ଦିନ ଶେଷରେ ନ୍ୟୁଜିଲାଣ୍ଡ ଦୃଢ଼ ସ୍ଥିତିରେ ରହିଛି। ଗୋଟିଏ ସମୟରେ ଦଳ ମାତ୍ର ୭୦ ରନ୍ରେ ୫ଟି ଉଇକେଟ ହରାଇଥିଲା। କିନ୍ତୁ ହେନରୀ ନିକୋଲସଙ୍କ ଶତକ ଓ ଗ୍ଲେନ ଫିଲିପ୍ସଙ୍କ ଦମ୍ଦାର ବ୍ୟାଟିଂ ଯୋଗୁ ଦଳ ମ୍ୟାଚ୍କୁ ଫେରିଥିଲା। ଉଭୟଙ୍କ ମଧ୍ୟରେ ୧୭୩ ରନ୍ର ଅବିଭାଜିତ ଭାଗୀଦାରି ହୋଇଥିଲା।
ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୫ ଉଇକେଟ ହରାଇ ୨୪୩ ରନ ସଂଗ୍ରହ କରିଛି। ଭାରତ ପକ୍ଷରୁ ଜଶପ୍ରୀତ ବୁମ୍ରା ସର୍ବାଧିକ ୩ଟି ଉଇକେଟ ନେଇଥିବା ବେଳେ ଅଂଶୁଲ କାମ୍ବୋଜ ଓ ଆକାଶ ଦୀପ ଗୋଟିଏ ଲେଖାଏ ଉଇକେଟ ହାସଲ କରିଛନ୍ତି।
Dharitri – Odisha’s No.1 Odia Daily

