ନୂଆଦିଲ୍ଲୀ,୨୦।୧୦:ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳର ପ୍ଲେଇଂ ଇଲେଭେନ୍ରୁ ଷ୍ଟାର୍ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ବାଦ ଦିଆଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଦଳର ମ୍ୟାନେଜମେଣ୍ଟ ଓ ଅଧିନାୟକ ଶୁବମନ ଗିଲଙ୍କ ନିଷ୍ପତ୍ତିକୁ ନେଇ ଅନେକ ପୂର୍ବତନ କ୍ରିକେଟର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ତାଲିକାରେ ଏବେ ଯୋଡ଼ି ହୋଇଛି ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ନାଁ। କେବଳ ସିରାଜଙ୍କୁ ଟେଷ୍ଟ ଦଳରୁ ବାଦ ଦେବା ନୁହେଁ, ୨୦୨୭ ଦିନିକିଆ ବିଶ୍ୱକପ୍ରେ ମଧ୍ୟ ତାଙ୍କୁ ସୁଯୋଗ ନ ମିଳିବାର ଆଶଙ୍କା ରହିଥିବା ନେଇ ଅଶ୍ୱିନ ସଙ୍କେତ ଦେଇଛନ୍ତି।
ଅଶ୍ୱିନ କହିଛନ୍ତି ଯେ, ସିରାଜଙ୍କୁ ଦଳରୁ ବାଦ ଦେବାର ପ୍ରକ୍ରିୟା କେବଳ ଗୋଟିଏ ସପ୍ତାହ ପୂର୍ବରୁ ଆରମ୍ଭ ହୋଇନାହିଁ। ଏହାର ସଙ୍କେତ ପ୍ରାୟ ଏକ ମାସ ପୂର୍ବରୁ ମିଳିବା ଆରମ୍ଭ ହୋଇଥିଲା। ଆଗକୁ ବିଶ୍ୱକପ ଥିବା ସତ୍ତ୍ୱେ ସିରାଜଙ୍କୁ ଦିନିକିଆରେ ସୁଯୋଗ ନ ମିଳିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ୨୦୨୩ ବିଶ୍ୱକପ୍ରେ ସିରାଜଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା। ଏଭଳି ଜଣେ ବୋଲରଙ୍କୁ କାହିଁକି ଦଳର ଆବଶ୍ୟକତା ନାହିଁ, ତାହା ସେ ବୁଝିପାରୁନାହାନ୍ତି। ତାଙ୍କ ମତରେ ଜସପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କ ନାଁ ପ୍ରଥମେ ପ୍ଲେଇଂ ଇଲେଭେନରେ ରହିବା ଉଚିତ୍, ଏହାପରେ ଅନ୍ୟ ଦୁଇ ଦ୍ରୁତ ବୋଲରଙ୍କୁ ଚୟନ କରାଯିବା ଦରକାର।
ଅଶ୍ୱିନ ଆହୁରି କହିଛନ୍ତି, ମିଡିଲ ଓଭରରେ ପୁରୁଣା ବଲ୍ରେ ବୋଲିଂ କରିବା ପାଇଁ ସିରାଜଙ୍କ ଭଳି ମାନସିକତା ଓ ଲଢ଼ୁଆ ମନୋଭାବ ଥିବା ବୋଲର ଆବଶ୍ୟକ। ସିରାଜ ସବୁବେଳେ ଉଇକେଟ ନେବେ ବୋଲି ନୁହେଁ, କିନ୍ତୁ ସେ ନିରନ୍ତର ପ୍ରୟାସ କରିପାରନ୍ତି ଏବଂ ମ୍ୟାଚ୍ରେ ଶେଷ ପର୍ଯ୍ୟନ୍ତ ଲଢ଼ିଥାନ୍ତି।
ସିରାଜଙ୍କୁ ୱେଲିଂଟନ ଟେଷ୍ଟରୁ ବାଦ ଦିଆଯିବା ନିଷ୍ପତ୍ତିରେ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ବିଶେଷକରି ବିଦେଶ ମାଟିରେ ସିରାଜଙ୍କ ପ୍ରଦର୍ଶନକୁ ଦେଖିଲେ ସେ ଟେଷ୍ଟ ଦଳରେ ନିଜ ସ୍ଥାନ ବଜାୟ ରଖିବା ପାଇଁ ଯଥେଷ୍ଟ ଭଲ ପ୍ରଦର୍ଶନ କରିଛନ୍ତି। ନିକଟରେ ଖେଳିଥିବା ମ୍ୟାଚ୍ଗୁଡ଼ିକରେ ମଧ୍ୟ ସେ ଭଲ ଫର୍ମରେ ଥିଲେ। ତେଣୁ ତାଙ୍କୁ କାହିଁକି ଚୟନ କରାଗଲା ନାହିଁ, ତାହା ତାଙ୍କ ବୁଝିବା ବାହାରେ ବୋଲି ଗାଭାସ୍କର କହିଥିଲେ।
ଏବେ ଅଶ୍ୱିନ ଓ ଗାଭାସ୍କରଙ୍କ ଭଳି ଅଭିଜ୍ଞ ଖେଳାଳି ସିରାଜଙ୍କ ସମର୍ଥନରେ ବାହାରିବା ପରେ ଭାରତୀୟ ଦଳର ଚୟନ ପ୍ରକ୍ରିୟାକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତେବେ ୨୦୨୭ ବିଶ୍ୱକପରେ ସିରାଜଙ୍କୁ ସୁଯୋଗ ମିଳିବ କି ନାହିଁ, ତାହା ଆଗାମୀ ଦିନରେ ଦଳର ଚୟନ ଉପରେ ନିର୍ଭର କରିବ।
Dharitri – Odisha’s No.1 Odia Daily

