ଭୁବନେଶ୍ୱର,୧୯ା୧୧: ଓଡ଼ିଶାରେ ସୁନା, ରୁପା ଓ ମାଣିକ୍ୟ ଭଳି ମୂଲ୍ୟବାନ ଖଣିଜ ସମ୍ପଦର ସନ୍ଧାନ ମିଳିଛି । ରାଜ୍ୟର କେନ୍ଦୁଝର, ଦେବଗଡ଼ ଓ ମୟୂରଭଞ୍ଜ ଜିଲାରେ ସୁନା ଖଣି ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲାରେ ରୁପା ଖଣି ଏବଂ କଳାହାଣ୍ଡିରେ ମୂଲ୍ୟବାନ ମାଣିକ୍ୟ ବା ରୁବି ଖଣିଜର ସନ୍ଧାନ ମିଳିଥିବା ଖଣି ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ।
ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ସୂଚନା ରଖିଛନ୍ତି । ଉପଲବ୍ଧ ଉତ୍ତର ଅନୁସାରେ, ଭାରତୀୟ ଭୂ-ବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (GSI) ଏବଂ ରାଜ୍ୟ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ଅନୁସନ୍ଧାନ କରାଯାଇଛି । ଏଥିରେ କେନ୍ଦୁଝର ଜିଲାର ଗୋପୁର-ଜଳଡିହା, ଦେବଗଡ଼ ଜିଲାର ଆଡାସ-ରାମପଲ୍ଲୀ ଏବଂ ମୟୂରଭଞ୍ଜ ଜିଲାର ମଦନସାହି-କଞ୍ଜିଆ ଅଞ୍ଚଳରେ ସୁନାବାହୀ ପଥର ଚିହ୍ନଟ ହୋଇଛି ।
ସେହିପରି ଦେବଗଡ଼ ଜିଲାର ଆଡାସ-ରାମପଲ୍ଲୀ ଅଞ୍ଚଳରେ ସୁନା ସହିତ ତମ୍ବା, ଗ୍ରାଫାଇଟ୍, ରୁପା ଓ ନିକେଲ୍ ଖଣିଜର ସନ୍ଧାନ ମିଳିଥିବା ଉତ୍ତରରେ ଉଲ୍ଲେଖ ରହିଛି । ମୟୂରଭଞ୍ଜ ଜିଲ୍ଲାର ମଦନସାହି-କଞ୍ଜିଆ ଅଞ୍ଚଳରେ ମଧ୍ୟ ତମ୍ବା ଓ ସୁନାବାହୀ ଖଣିଜ ପଦାର୍ଥ ଚିହ୍ନଟ ହୋଇଛି। ଏହି ଖଣିଜ ସମ୍ପଦର ଉପଯୋଗ ପାଇଁ ରାଜ୍ୟ ସରକାର ଖଣିଜ ବ୍ଲକ୍ ନିଲାମ ନିମନ୍ତେ ପଦକ୍ଷେପ ନେଇଥିବା ମଧ୍ୟ ଉତ୍ତରରେ ଦର୍ଶାଯାଇଛି। ଖଣିଜ ସମ୍ପଦର ଉପଲବ୍ଧତା ଓ ଆର୍ଥିକ ଦୃଷ୍ଟିରୁ ଏହାର ଉପଯୋଗିତାକୁ ଆକଳନ କରି ଆଗାମୀ ଦିନରେ ଆବଶ୍ୟକ ପଦକ୍ଷେପ ନିଆଯିବ।
ତଥ୍ୟ ଅନୁସାରେ, ୩ଟି ଜିଲାରେ ମୋଟ ୩,୩୩୮.୭୯ କେଜି ସୁନା ମହଜୁଦ ରହିଛି । ସେହିପରି ଦୁଇଟି ଜିଲାର ମୋଟ ୨.୩୮୭ ମେଟ୍ରିକ୍ ଟନ୍ ରୁପା ମହଜୁଦ ରହିଛି ।

