କେସିଙ୍ଗା, ୨୦।୧୧ (ତୁମେଶ୍ୱର ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅକ୍ୱାନ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲାରେ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି। ଜିଲାପାଳଙ୍କ ତତ୍ତ୍ୱାବଧାନରେ କେସିଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ପ୍ରସ୍ତୁତି ଜୋରଦାର କରାଯାଇଛି। ବିପଦ ମୁକାବିଲା ପାଇଁ ରାତି ଅଧିଆ ବିଭିନ୍ନ ଗ୍ରାମରେ ପହଞ୍ଚି ଲୋକଙ୍କୁ ସଚେତନ କରିଛନ୍ତି ବିଡିଓ ଓ ତହସିଲଦାର।
କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ ଓ ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀଙ୍କ ଏକ ଟିମ ରାତିରେ କଲେକ୍ଟରପଡ଼ା, କୁର୍ଲୁପଡ଼ା ଓ କନ୍ତେଶିର ଗ୍ରାମ ପଞ୍ଚାୟତ ଅଞ୍ଚଳ ଗସ୍ତ କରିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ସଜାଗ ଓ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ।
ବିଶେଷକରି ଦୁର୍ବଳ ଘରେ ରହୁଥିବା ପରିବାର, ବୟସ୍କ ବ୍ୟକ୍ତି, ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ନିକଟସ୍ଥ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ହେବାକୁ କୁହାଯାଇଛି। କୁର୍ଲୁପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ, ବସ୍ଷ୍ଟାଣ୍ଡ ନିକଟସ୍ଥ ଆଶ୍ରୟସ୍ଥଳୀ ଏବଂ କଲେକ୍ଟରପଡ଼ା ଅଞ୍ଚଳରେ ଥିବା ସୁରକ୍ଷିତ ଗୃହଗୁଡ଼ିକରେ ଆବଶ୍ୟକସ୍ଥଳେ ରାତ୍ରିଯାପନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଅନାବଶ୍ୟକ ଭାବେ ଘରୁ ବାହାରକୁ ନଯିବା, ଗଛ ଓ ବିଦ୍ୟୁତ ଖୁଣ୍ଟ ନିକଟରେ ଆଶ୍ରୟ ନନେବା, ଜରୁରୀ ସାମଗ୍ରୀ ଆଗୁଆ ପ୍ରସ୍ତୁତ ରଖିବା ଏବଂ ସରକାରୀ ସତର୍କ ସୂଚନାକୁ ଅନୁସରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି।
ଅନ୍ୟପକ୍ଷରେ ବାତ୍ୟାର ସମ୍ଭାବ୍ୟ ପ୍ରଭାବ ଯୋଗୁ କେବଳ ଉପକୂଳ ଅଞ୍ଚଳ ନୁହେଁ, ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ପ୍ରଶାସନିକ ସତର୍କତା ଜରୁରୀ ହୋଇପଡ଼ିଛି। କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଗତକାଲିଠାରୁ ଝିପିଝିପି ବର୍ଷା ସହ ପବନ ବହୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁଙ୍କୁ ପଚାରିବାରୁ ବ୍ଲକର ବିଭିନ୍ନ ଗ୍ରାମରେ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିବା ସେ ପ୍ରକାଶ କରିଛନ୍ତି।
ବିପଦ ଆସିବା ପୂର୍ବରୁ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ରାତି ଅଧିଆ ଗ୍ରାମାଞ୍ଚଳରେ ପହଞ୍ଚି ପ୍ରଶାସନ ପକ୍ଷରୁ କରାଯାଇଥିବା ଏହି ପଦକ୍ଷେପକୁ ସ୍ଥାନୀୟ ମହଲରେ ସ୍ବାଗତ କରାଯାଇଛି। ବିପର୍ଯ୍ୟୟ ସମୟରେ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ବୟ ହିଁ ସୁରକ୍ଷାର ମୁଖ୍ୟ ଆଧାର ବୋଲି ମତ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily

