ବରଗଡ଼,୨୦।୧୧(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଧାନଚାଷୀଙ୍କ ଦୁଃଖ ସରୁ ନାହିଁ। ଜିଲାରେ ଧାନ ବିକ୍ରିବଟା ସମସ୍ୟା ସାଧାରଣରେ ପରିଣତ ହୋଇଛି। ଏଠାରେ ଗତ ସପ୍ତାହରୁ ଖରିଫ୍ ଧାନ ଅମଳ ପ୍ରକ୍ରିୟା ଜୋର୍ ଧରିଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲାରେ ଧାନମଣ୍ଡି ଖୋଲି ନାହିଁ। କେବଳ ସେତିକି ନୁହେଁ, ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଏଯାଏ ଧାନ ସଂଗ୍ରହ କମିଟି ବୈଠକ ମଧ୍ୟ ବସିପାରି ନାହିଁ। ଆସନ୍ତା ୨୨ତାରିଖ ଏହି ବୈଠକ ବସିପାରେ ବୋଲି ସୂଚନା ମିଳିଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ ବର୍ଷା ମାଡ଼ି ଆସିଛି। ଗୁରୁବାର ଜିଲାର ଭେଡ଼େନ ବ୍ଲକ ସମେତ ବିଭିନ୍ନ ଅଞ୍ଚଳରେ ବର୍ଷା ହୋଇଥିବା ଜଣାପଡ଼ିଛି। ସେହିପରି ବର୍ଷାପାଗ ଲାଗି ରହିଥିବାରୁ କେତେବେଳେ ମଧ୍ୟ ଜିଲାର ଅନ୍ୟ ଅଞ୍ଚଳକୁ ବର୍ଷା ମାଡ଼ି ଆସିବା ଆଶଙ୍କା ରହିଛି। ଗୋଟିଏ ପଟେ ଧାନ ଅମଳ ସତ୍ତ୍ୱେ ମଣ୍ଡି ନ ଖୋଲିବା ଏବଂ ଅନ୍ୟପଟେ ବର୍ଷା ମାଡ଼ି ଆସିବା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ସାଧାରଣତଃ ଜିଲାରେ ନଭେମ୍ବର ମାସରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ଏହା ପୂର୍ବରୁ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ବସିଥାଏ। ପୂର୍ବରୁ ଅକ୍ଟୋବର ଶେଷ ସପ୍ତାହ ସୁଦ୍ଧା ଧାନ ସଂଗ୍ରହ କମିଟି ବୈଠକ ସରି ଯାଉଥିଲା ଏବଂ ନଭେମ୍ବର ପ୍ରଥମ ସପ୍ତାହରୁ ମଣ୍ଡି ଖୋଲି ଧାନ କିଣାବିକା ଆରମ୍ଭ ହୋଇ ଯାଉଥିଲା। ମାତ୍ର ବର୍ଷକୁ ବର୍ଷ ଏହି ପ୍ରକ୍ରିୟା ବିଳମ୍ବିତ ହେବାରେ ଲାଗିଛି। ଫଳରେ କେବଳ ଧାନ ବିକ୍ରିବଟା ନୁହେଁ, ପରବର୍ତ୍ତୀ ଫସଲ ପ୍ରସ୍ତୁତି ପାଇଁ ମଧ୍ୟ ଚାଷୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଏବଂ ସେମାନଙ୍କ ଚାଷକାର୍ଯ୍ୟ ବିଳମ୍ବିତ ହେବାରେ ଲାଗିଛି। ଏଥର ମଧ୍ୟ ଧାନ ବିକ୍ରିବଟା ବିଳମ୍ବ ହେବ ବୋଲି ଅନୁମାନ କରାଯାଉଛି। ଯଦିଓ ଆସନ୍ତା ୨୨ତାରିଖ ଧାନ ସଂଗ୍ରହ କମିଟି ବୈଠକ ବସେ, ତେବେ ଚଳିତମାସ ଶେଷ କିମ୍ବା ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବା ତଥା ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ। ଏହାକୁ ନେଇ ଜିଲାରେ ଏବେଠାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି ଏବଂ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।
ଖରିଫ୍ରେ ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ଧାନ ଫସଲ କରିଥାନ୍ତି। ପ୍ରାୟତଃ ଅଧିକାଂଶ ଅଞ୍ଚଳରେ ଅମଳ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଚାଷୀମାନେ ଅମଳ ଧାନକୁ କ୍ଷେତ, ଖଳାରେ ରଖିଛନ୍ତି। ସେହିପରି କେତେକ ଚାଷୀ ରାସ୍ତାଘାଟରେ ମଧ୍ୟ ଅମଳ ଧାନକୁ ଶୁଖାଇ ଥିବାବେଳେ କ୍ଷେତରେ କଟାଧାନ ପଡ଼ି ରହିଛି। ଏଭଳି ସ୍ଥିତିରେ ବାତ୍ୟା ପ୍ରଭାବରେ ମାଡ଼ି ଆସୁଥିବା ବର୍ଷା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଭେଡ଼େନ ବ୍ଲକର ବିଭିନ୍ନ ଅଞ୍ଚଳରେ ଗୁରୁବାର ବର୍ଷା ହୋଇଛି। ସେହିପରି ଜିଲାର ଅତାବିରା, ବରଗଡ଼ ବ୍ଲକର କେତେକାଞ୍ଚଳରେ ମଧ୍ୟ ଝିପିଝିପି ବର୍ଷା ହୋଇଛି। ତେବେ ଏଥିରେ ଚାଷୀଙ୍କ ଅମଳ ଧାନ ସେତେ ପ୍ରଭାବିତ ହୋଇ ନ ଥିଲେ ହେଁ ଆଗକୁ ବର୍ଷା ଲାଗି ରହିଲେ, ଚାଷୀମାନଙ୍କୁ ଅଧିକ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆଶଙ୍କା ରହିଛି। ଏହାସତ୍ତ୍ୱେ ମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀ ଅସନ୍ତୋଷ ତେଜି ଉଠିଛି। ଧାନ ଅମଳ ଆରମ୍ଭ ହୋଇଯାଇ ଥିବାରୁ ତୁରନ୍ତ ମଣ୍ଡି ଖୋଲିବା ପାଇଁ ଚାଷୀନେତା ସୁରେଶ ନିକାଣ୍ଟି ଦାବି କରିଛନ୍ତି। ମଣ୍ଡି ଖୋଲିବା ଯେତେ ବିଳମ୍ବିତ ହେବ, ଚାଷୀଙ୍କୁ ସେତେ କ୍ଷତି ସହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, ବର୍ଷା ମାଡ଼ି ଆସିଲାଣି, ତଥାପି ମଣ୍ଡି ଖୋଲି ନାହିଁ। ଏହା ଜିଲାର ଚାଷୀମାନଙ୍କ ପାଇଁ ଦୁର୍ଭାଗ୍ୟଜନକ। ଏଥିରୁ ଚାଷୀଙ୍କ ପ୍ରତି ସରକାରୀ କଳର ଆନ୍ତରିକତା କିଭଳି ରହିଛି, ତାହା ଆପେ ବାରି ହୋଇ ପଡ଼ିଛି। ଅନ୍ୟପଟେ ମଣ୍ଡି ଖୋଲି ନ ଥିବାରୁ ଜିଲାରେ ଧାନର ଅଭାବୀ ବିକ୍ରି ଆରମ୍ଭ ହୋଇଯାଇଛି। ତେବେ ଏଥିପାଇଁ ଆଗକୁ ଯେଉଁ ସ୍ଥିତି ଉପୁଜିବ, ସେଥିପାଇଁ ପ୍ରଶାସନ ହିଁ ଦାୟୀ ରହିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ଚେତାବନୀ ଦେଇଛନ୍ତି।
Dharitri – Odisha’s No.1 Odia Daily

