ସଚ୍ଚୋଟତା: ଏକ ସ୍ବତଃସ୍ଫୂର୍ତ୍ତ ଅଭିବ୍ୟକ୍ତି

ଆଜିର ଦୁନିଆରେ ଅସାଧୁ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ସଚ୍ଚୋଟ ବା ସାଧୁ ବ୍ୟକ୍ତିଙ୍କ ସଂଖ୍ୟା କମ୍‌ ହେଲେ ମଧ୍ୟ ସେମାନେ ଅଛନ୍ତି ବୋଲି ସଂସାର ଚାଲିଛି। ଏହି ପ୍ରସଙ୍ଗରେ ଇନ୍‌ଫୋସିସ୍‌ ଫାଉଣ୍ଡେଶନ୍‌ର ପ୍ରତିଷ୍ଠାତା ସୁଧା ମୂର୍ତ୍ତିଙ୍କ ଜୀବନାନୁଭୂତିରୁ ଦୁଇଟି ଘଟଣା ପ୍ରେରଣାପ୍ରଦ ମନେହୁଏ।
ଦିନେ ସୁଧା ମୂର୍ତ୍ତି ଖବରକାଗଜ ପଢ଼ୁ ପଢ଼ୁ ଗୋଟିଏ ନାମ ତାଙ୍କର ଦୃଷ୍ଟି ଆକର୍ଷଣ କଲା। ମାଧ୍ୟମିକ ସ୍କୁଲର ପରୀକ୍ଷାଫଳ ପ୍ରକାଶ ପାଇଥାଏ। ସେଥିରେ ଅଷ୍ଟମ ସ୍ଥାନ ଅଧିକାର କରିଥିବା ହନୁମାନ ଥାପ୍ପାଙ୍କର ମଳିନ ଦେଖାଯାଉଥିବା ଫଟୋଟିଏ ବାହାରିଥାଏ। ସୁଧା ଖବର ସଂଗ୍ରହ କରି ଜାଣିଲେ ଯେ, ସେ ପିଲାଟି ଏକ ଜନଜାତି ସମ୍ପ୍ରଦାୟର ଜଣେ କୁଲିଙ୍କ ପୁଅ, ଯାହାଙ୍କ ଦୈନିକ ଆୟ ଥିଲା ମାତ୍ର ୪୦ ଟଙ୍କା। ବାପାଙ୍କର ଏହି ସ୍ବଳ୍ପ ଆୟରେ ପିଲାଟିର ଉଚ୍ଚଶିକ୍ଷା ଏକ ଅସମ୍ଭବ ସ୍ବପ୍ନ ଥିଲା। ନିପଟ ମଫସଲରେ କୌଣସି ସ୍ବତନ୍ତ୍ର ଦିଗ୍‌ଦର୍ଶନ, କୋଚିଂ ଓ ପୁସ୍ତକ ନ ପାଇ ବି ସେ ଏହି କୃତିତ୍ୱ ଅର୍ଜନ କରିଥିବାରୁ ସୁଧା ମୂର୍ତ୍ତି ତାଙ୍କ ପ୍ରତି ଆକର୍ଷିତ ହେଲେ। ପିଲାଟିର ଘର ଠିକଣା ସଂଗ୍ରହ କରି ତାଙ୍କ ପାଖକୁ ଚିଠିଟିଏ ଲେଖିଲେ ଓ ବାଙ୍ଗାଲୋର ଆସି ସାକ୍ଷାତ୍‌ କରିବାକୁ କହିଲେ। ବାଙ୍ଗାଲୋର ଆସିବା ପାଇଁ ଆବଶ୍ୟକ ବସ୍‌ଯାତ୍ରା ଖର୍ଚ୍ଚ ମଧ୍ୟ ପଠାଇଲେ।
ହନୁମାନ ଥାପ୍ପା ବାଙ୍ଗାଲୋର ଆସିବା ପରେ ସୁଧା ତାଙ୍କୁ କହିଲେ ଯେ, ଯଦି ସେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ, ସେ ତାଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ। ଥାପ୍ପା କହିଲେ, ସେ ବେଲାରିରେ ଥିବା ଶିକ୍ଷକ ତାଲିମ କେନ୍ଦ୍ରରେ ପଢ଼ିବାକୁ ଚାହାନ୍ତି। ସୁଧା ଏ ବାବଦକୁ ମାସିକ ଖର୍ଚ୍ଚ ଜାଣିବାକୁ ଚାହାନ୍ତେ ସେ ସବୁ ବୁଝି ଦୁଇଦିନ ପରେ ଜଣାଇବି ବୋଲି କହିଲେ। ସୁଧା ମୂର୍ତ୍ତିଙ୍କଠାରୁ ଆର୍ଥତ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ସେ ସ୍ଥିର କଲେ ଜଣେ ସାଙ୍ଗ ସହ ଏକ କୋଠରି ଭଡ଼ା ନେବେ ଓ ଖର୍ଚ୍ଚ କମାଇବା ପାଇଁ ସେମାନେ ନିଜେ ରାନ୍ଧି ଖାଇବେ। ଏଥିପାଇଁ ମାସିକ ପ୍ରାୟ ୩୦୦ ଟଙ୍କା ଖର୍ଚ୍ଚ ହେବ। ୨ ଦିନ ପରେ ଏହି ସୂଚନା ପାଇ ସୁଧା ସଙ୍ଗେ ସଙ୍ଗେ ୬ ମାସ ପାଇଁ ପ୍ରଥମ କିସ୍ତିରେ ୧୮୦୦ ଟଙ୍କା ତାଙ୍କ ପାଖକୁ ପଠାଇଦେଲେ। ପିଲାର ପାଠପଢ଼ା ଚାଲିଲା। ଦ୍ୱିତୀୟ କିସ୍ତିରେ ଆଉ ୧୮୦୦ ଟଙ୍କା ପଠାଇବା ପରେ ସେ ତାଙ୍କଠାରୁ ଏକ ଲଫାପା ପାଇଲେ, ଯେଉଁଥିରେ ଥିଲା ୩୦୦ ଟଙ୍କା ଏବଂ ଏକ ଚିଠି। ଥାପ୍ପା ଲେଖିଥିଲେ, ”ମ୍ୟାଡାମ୍‌! ମୁଁ ଆପଣଙ୍କ ପ୍ରଥମ କିସ୍ତି ଟଙ୍କା ପାଇଛି। ଗତ ଦୁଇମାସ ଧରି ମୁଁ ବେଲାରି ସହରରେ ନ ଥିଲି। ଆମ କଲେଜ ଗୋଟିଏ ମାସ ଛୁଟିଥିଲା ଓ ଆଉ ଗୋଟିଏ ମାସ ଆନ୍ଦୋଳନ ପାଇଁ ବନ୍ଦ ଥିଲା। ଏଣୁ ମୁଁ ଘରକୁ ଚାଲି ଆସିଲି। ଫଳରେ ୩୦୦ ଟଙ୍କା ଖର୍ଚ୍ଚ କମିଗଲା। ଏଣୁ ଆପଣଙ୍କୁ ତାହା ଫେରାଇଲି। ଦୟାକରି ଏହା ଗ୍ରହଣ କରିବେ।“ ଚିଠିଟି ପଢ଼ି ସୁଧା ନିର୍ବାକ୍‌ ହୋଇଗଲେ। ଦାରିଦ୍ର୍ୟ ମଧ୍ୟରେ ବି ଜଣେ ଏତେ ସଚ୍ଚୋଟ ହୋଇପାରେ, ଏହା ଅବିଶ୍ୱାସ୍ୟ ହେଲେ ବି ସତ୍ୟ।
ଆଉ ଏକ ଘଟଣା। ବାଙ୍ଗାଲୋରରେ ଶେଖ୍‌ ମହମ୍ମଦ୍‌ଙ୍କ ଏକ ବହି ଦୋକାନ ଥାଏ। ସୁଧା ତାଙ୍କ ପାଖରୁ ନିୟମିତ ବହି କିଣି ବସ୍ତିଗୁଡ଼ିକରେ ଥିବା ଅନୁନ୍ନତ ସ୍କୁଲଗୁଡ଼ିକୁ ଦିଅନ୍ତି। ପ୍ରତ୍ୟେକ ମାସ ଶେଷରେ ସେ ସୁଧାଙ୍କ ଅଫିସ୍‌କୁ ଆସି ବହିର ମୂଲ୍ୟ ଚେକ୍‌ ଆକାରରେ ନେଇଯାଆନ୍ତି। ଥରେ ଅଫିସ୍‌ରେ ଏକ ଉତ୍ସବ ପାଳନ ଉପଲକ୍ଷେ ମିଠା ବଣ୍ଟନ ହେଉଥିବା ସମୟରେ ଶେଖ୍‌ ନିଜେ ମିଠା ନ ଖାଇ ଦୁଇଟି ମିଠା ପକେଟରେ ଭର୍ତ୍ତି କରିବାର ଦେଖିଲେ ସୁଧା। କାରଣ ପଚାରନ୍ତେ ସେ କହିଲେ, ତାଙ୍କ ଘରେ ଅଛନ୍ତି ମିଠାପ୍ରିୟ ଦୁଇଜଣ ପିଲା- ଜଣେ ନିଜ ଝିଅ ଓ ଅନ୍ୟଜଣେ ଭାଣିଜୀ (ସ୍ବାମୀ ହରାଇଥିବା ଭଉଣୀ ଜୁବେଦାଙ୍କ ଝିଅ)। ସେମାନଙ୍କ ପାଇଁ ସେ ମିଠା ଦୁଇଟି ନେଉଥିଲେ। ତାଙ୍କ ଭଉଣୀ ଓ ସ୍ତ୍ରୀ ଉଭୟେ ଜାମା ସିଲାଇ କରି କିଛି ଅର୍ଥ ରୋଜଗାର କରନ୍ତି। ସମସ୍ତଙ୍କ ସ୍ବଳ୍ପ ଉପାର୍ଜିତ ଅର୍ଥରେ ପରିବାର ଚାଲେ ଓ ସମସ୍ତେ ଖୁସିରେ ଅଛନ୍ତି।
ଦିନକର ଘଟଣା। ଥରେ ଶେଖ୍‌ ମହମ୍ମଦ୍‌ ନିର୍ଦ୍ଧାରିତ ସମୟ ପୂର୍ବରୁ ବହି ବିକ୍ରି ବାବଦକୁ ଚେକ୍‌ ଦେବାକୁ ଅନୁରୋଧ କଲେ। ତା’ର କାରଣ ତାଙ୍କ ଭଉଣୀ ଜୁବେଦାର କ୍ୟାନ୍‌ସର ଅପରେଶନ୍‌ ନିମନ୍ତେ ୫୦ ହଜାର ଟଙ୍କା ଆବଶ୍ୟକତା ଥିଲା। ସେ କହିଲେ, ”ମୁଁ ଭଉଣୀ ଓ ପନତ୍ୀଙ୍କ ଅଳଙ୍କାର ବିକି କିଛି ଅର୍ଥ ସଂଗ୍ରହ କରିଛି ଓ ବ୍ୟାଙ୍କରୁ କିଛି ଲୋନ୍‌ ଆଣିଛି। ଆଉ ୫୦ ହଜାର ଟଙ୍କା ହେଲେ ଅପରେଶନ୍‌ ହୋଇଯିବ।“ ସୁଧା କହିଲେ, ”ତୁମେ ଏସବୁ କାହିଁକି କଲ? ମୁଁ ଆହୁରି କିଛି ଟଙ୍କା ଦେଇପାରିଥାନ୍ତି। ମାତ୍ର ଶେଖ କହିଲେ, ”ମୁଁ ଏତିକି କରିପାରିବି ମ୍ୟାଡାମ୍‌। ମୋ’ଠାରୁ ଆହୁରି ଅଧିକ ଗରିବ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଅଳଙ୍କାର ବା ଅନ୍ୟ କିଛି ସମ୍ପଦ ନାହିଁ। ଆପଣ ସେହି ଟଙ୍କା ସେମାନଙ୍କୁ ସାହାଯ୍ୟ କରିପାରିବେ।“ ସୁଧା ଏହା ଶୁଣି ସ୍ତମ୍ଭୀଭୂତ ହୋଇଗଲେ। ସେ ୫୦ ହଜାର ଟଙ୍କା ଦେଲେ। ଅପରେଶନ୍‌ ସରିଲା। ଅନେକ ଦିନ ଅତିକ୍ରାନ୍ତ ହେଲା। ଦିନେ ସୁଧା ତାଙ୍କ ଦୋକାନକୁ ଯାଇ ଦେଖିଲେ ଅଭ୍ୟର୍ଥନା କକ୍ଷରେ ଚାରିବର୍ଷର ଝିଅଟିଏ ବସିଛି। ସେ ଥିଲା ତାଙ୍କ ଭାଣିଜୀ, ଜୁବେଦାର ଝିଅ। ସୁଧା ଶେଖ୍‌ ମହମ୍ମଦ୍‌କୁ ତାଙ୍କ ଭଉଣୀ ଜୁବେଦାର ସ୍ବାସ୍ଥ୍ୟ ବିଷୟରେ ପଚାରନ୍ତେ ସେ କହିଲେ, ଅପରେଶନ ସଫଳ ହେଲା ନାହିଁ ଓ ତାଙ୍କର ମୃତ୍ୟୁ ହେଲା। ସୁଧା ଦୁଃଖିତ ହେଲେ।
କିଛି ସମୟର ନୀରବତା ପରେ ଶେଖ୍‌ ତାଙ୍କ ବ୍ୟାଗରୁ ତିନିହଜାର ଟଙ୍କା କାଢ଼ି ସୁଧାଙ୍କ ହାତକୁ ବଢ଼ାଇଦେଇ କହିଲେ, ”ମ୍ୟାଡାମ୍‌! ଭଉଣୀର ଅପରେଶନ ପାଇଁ ଆପଣ ଯେଉଁ ୫୦ ହଜାର ଟଙ୍କା ଦେଇଥିଲେ, ସେଥିରୁ ୪୭ ହଜାର ଖର୍ଚ୍ଚ ହେଲା। ମୃତ୍ୟୁ ପୂର୍ବରୁ ମୋ’ ଭଉଣୀ ବାକି ତିନିହଜାର ଆପଣଙ୍କୁ ଫେରାଇଦେବା ପାଇଁ କହିଥିଲା, କାରଣ ତାହା ହୁଏତ ଆଉ କୌଣସି ନିରାଶ୍ରୟ ରୋଗୀର କାମରେ ଆସିପାରେ। ଆପଣ ତାହା ଗ୍ରହଣ କରନ୍ତୁ।“ ଏହା ଶୁଣି ସ୍ତବ୍ଧ ହେଲେ ସୁଧା। ମୃତ୍ୟୁଶଯ୍ୟାରେ ନିଜର ଦାରିଦ୍ର୍ୟ ଓ ଯନ୍ତ୍ରଣା ସତ୍ତ୍ୱେ ଜଣେ ଆଉ ଜଣେ ନିରାଶ୍ରୟ ସାହାଯ୍ୟପ୍ରାର୍ଥୀଙ୍କ କଥା ଚିନ୍ତା କରିପାରେ- ଏ କଥା ତାଙ୍କ ହୃଦୟକୁ ବିଚଳିତ କରିଦେଲା। ସେହି ଟଙ୍କା ସେ ଜୁବେଦାଙ୍କ ଝିଅ ହାତରେ ଦେଇ ଭବିଷ୍ୟତରେ ଅର୍ଥର ଆବଶ୍ୟକ ହେଲେ ତାଙ୍କୁ ଜଣାଇବା ପାଇଁ କହି ସେ ସେଠାରୁ ଚାଲିଗଲେ।
ବିଡ଼ମ୍ବନାର ବିଷୟ, ଆଜି ଉଚ୍ଚ ଦରମା ପାଇ ଅପର୍ଯ୍ୟାପ୍ତ ଧନସମ୍ପଦର ଅଧିକାରୀ ହୋଇ ମଧ୍ୟ ଅନେକ ସରକାରୀ କର୍ମଚାରୀ ଅସାଧୁ ଉପାୟରେ କୋଟି କୋଟି ଟଙ୍କା ସଂଗ୍ରହ କରୁଛନ୍ତି। ବେଳେବେଳେ ଧରାପଡୁଛନ୍ତି ଓ ଜେଲ ଯାଉଛନ୍ତି। ତଥାପି ଏହି ଅସାଧୁ କାର୍ଯ୍ୟ ନିରବଚ୍ଛିନ୍ନ ଭାବରେ ଚାଲିଛି। ଅପରପକ୍ଷରେ କେହି କେହି ରିକ୍ସାଚାଳକ, ଗରିବ ବାଟୋଇ ରାସ୍ତାକଡ଼ରେ ଲକ୍ଷ ଲକ୍ଷ ଟଙ୍କା ଓ ସୁନା ଗହଣାର ପେଟିକା ପାଇ ମଧ୍ୟ ଲୋଭଗ୍ରସ୍ତ ନ ହୋଇ ସେଗୁଡ଼ିକୁ ଥାନାରେ ଜମା ଦେଉଛନ୍ତି ବା ଏସବୁ ହରାଇଥିବା ଲୋକଙ୍କୁ ଖୋଜି ଫେରାଇ ଦେଉଛନ୍ତି। ନିଜ ଅର୍ଥ ବା ଅଳଙ୍କାର ଫେରିପାଇ ସେମାନେ ଏହି ଗରିବଙ୍କ ପ୍ରତି କୃତଜ୍ଞ ରହୁଛନ୍ତି ଓ ସେହି ଗରିବମାନେ ସେସବୁର ପ୍ରକୃତ ଅଧିକାରୀଙ୍କୁ ତାହା ଫେରାଇଦେଇ ଆନନ୍ଦ ଲାଭ କରୁଛନ୍ତି। ଆମେ କାହାକୁ ମଣିଷ କହିବା- ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ନା ସେହି ରିକ୍ସାବାଲା ବା ଗରିବ ବାଟୋଇକୁ। ସଚ୍ଚୋଟତା ମଣିଷର ସର୍ବଶ୍ରେଷ୍ଠ ଗୁଣ। ଏହା ବ୍ୟକ୍ତିର ଚରିତ୍ରକୁ ଉଜ୍ଜ୍ୱଳ କରେ ଏବଂ ସମାଜରେ ବିଶ୍ୱାସ ଓ ସମ୍ମାନ ସୃଷ୍ଟିକରେ। ବାସ୍ତବ ସଫଳତା ମିଳେ କେବଳ ସଚ୍ଚୋଟ ଓ ସତ୍ୟନିଷ୍ଠ ବ୍ୟକ୍ତିକୁ। ପରିବାର, କାର୍ଯ୍ୟକ୍ଷେତ୍ର ଓ ସାର୍ବଜନୀନ ଜୀବନରେ ସଚ୍ଚୋଟତାର ମୂଲ୍ୟ ଅପରିସୀମ। ତା’ ସତ୍ତ୍ୱେ ଆଜିର ଲୋକେ ସଚ୍ଚୋଟତାର ଏହି ଆଦର୍ଶକୁ ଅନୁସରଣ ନ କରିବା ଦୁର୍ଭାଗ୍ୟଜନକ।

ଛାୟାକାନ୍ତ ଷଡ଼ଙ୍ଗୀ

ଟିଟିଲାଗଡ଼, ମୋ:୭୦୦୮୩୬୯୯୨୦

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?