ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ ଶ୍ରେଣୀ କୋଠରି କିମ୍ବା ଶିକ୍ଷୟିତ୍ରୀଶିକ୍ଷକ ନୁହେଁ, ଏଠାରେ ଛାତ୍ରୀଛାତ୍ରଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ଫଳରେ ଛାତ୍ରୀଛାତ୍ରଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଶିଶୁ ବାଟିକାଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ରହିଛି। ଗତବର୍ଷ ୧୦୪ ଛାତ୍ରୀଛାତ୍ର ଏଠାରେ ପଢ଼ୁଥିବାବେଳେ ଏବର୍ଷ ଏହା ହ୍ରାସ ପାଇ ୮୮ରେ ପହଞ୍ଚତ୍ଲାଣି।
ବିଦ୍ୟାଳୟରେ ଶ୍ରେଣୀ ଓ ଛାତ୍ରୀଛାତ୍ରଙ୍କ ଅନୁପାତରେ ଶ୍ରେଣୀଗୃହର ଅଭାବ ରହିଛି। ୨ଟି ବ୍ଲକରେ ୬ଟି କୋଠରି ରହିଛି। ସେଥିମଧ୍ୟରୁ କେବଳ ୨ଟି ଭଲ ସ୍ଥିତିରେ ଥିବାବେଳେ ଅନ୍ୟ ୪ଟିରେ ଥରକୁ ଥର ମରାମତି ଚାଲିଛି। କେଉଁ କୋଠରିର ଝରକା ନାହିଁ ତ ଆଉ କେଉଁଠି କବାଟ ଭଙ୍ଗାଦଦରା ଅବସ୍ଥାରେ ରହିଛି। ଏହାସହିତ ବିଭିନ୍ନ ସମୟରେ ଶ୍ରେଣୀ କୋଠରି ଛାତରୁ ପାଣି ମଧ୍ୟ ଗଳୁଛି। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ପାଠପଢ଼ା ଗୋଟିଏ କୋଠରିରେ ଚାଲିଛି। ଅନୁରୂପଭାବେ ତୃତୀୟ ଓ ଚତୁର୍ଥ ଶ୍ରେଣୀ ଛାତ୍ରୀଛାତ୍ର ଗୋଟିଏ କୋଠରି ଏବଂ ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରୀଛାତ୍ର ଆଉ ଗୋଟିଏ କୋଠରିରେ ଏକାଠି ପଢୁଛନ୍ତି। ବିପଦସଙ୍କୁଳ ଅବସ୍ଥାରେ ଖପର ଛାତ ରହିଥିବା ଅନ୍ୟ କୋଠରିଟି ରୋଷେଇଘର ପାଲଟିଛି। ଫଳରେ ବାରଣ୍ଡାରେ ପଟି ପକାଇ ପିଲାମାନେ ମଧ୍ୟାହ୍ନଭୋଜନ କରୁଛନ୍ତି। ଶ୍ରେଣୀ କୋଠରିଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ପର୍ଯ୍ୟାପ୍ତ ବେଞ୍ଚ, ଡେସ୍କ ନାହିଁ। ଫଳରେ ଅନେକ ଛାତ୍ରୀଛାତ୍ର ଚଟାଣରେ ବସି ପାଠ ପଢୁଛନ୍ତି। ଏଥିସହିତ ସ୍ବତନ୍ତ୍ର ଅଫିସ ଗୃହ ନାହିଁ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପାଠପଢ଼ା ଚାଲିଥିବା କୋଠରିର କିଛି ଅଂଶକୁ ଅଫିସ ଭାବେ ବ୍ୟବହାର କରାଯାଉଛି।
୮୬ ବର୍ଷର ପୁରୁଣା ଏହି ବିଦ୍ୟାଳୟ ପରିସରରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୀମା ପ୍ରାଚୀର ନିର୍ମାଣ ହୋଇପାରି ନାହିଁ। ବିଦ୍ୟାଳୟର ସମ୍ମୁଖଭାଗରେ କେବଳ ପ୍ରାଚୀର ଥିବାବେଳେ ଅନ୍ୟ ତିନିପାର୍ଶ୍ୱ ଖୋଲା ରହିଛି। ଫଳରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ବିଦ୍ୟାଳୟରେ ଖେଳପଡ଼ିଆ ନ ଥିବାରୁ ପିଲାମାନେ ଖେଳକୁଦ କରିପାରୁ ନ ଥିବାବେଳେ ସେମାନଙ୍କ ଶାରୀରିକ ବିକାଶ ଦିଗରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇପଡୁଛି। ବିଦ୍ୟାଳୟରେ ପାନୀୟଜଳ ଯୋଗାଣ ମଧ୍ୟ ଚିନ୍ତାଜନକ। ବୋରୱେଲ(ଗଭୀର ନଳକୂପ) ଖୋଳାଯାଇଛି। ହେଲେ ତାହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଅନ୍ୟପଟେ ବିଦ୍ୟାଳୟରେ ରହିଥିବା ପାଣିଟାଙ୍କିକୁ ପଞ୍ଚାୟତ ପକ୍ଷରୁ ପାଇପ୍ ଯୋଗେ ଯୋଗାଇ ଦିଆଯାଉଥିବା ପାନୀୟଜଳ ଆସୁଛି। କିନ୍ତୁ ପାଣିଟାଙ୍କିରୁ ପାଣି ଲିକେଜ୍ ହୋଇଯାଉଛି। ଝିଅ, ପୁଅମାନଙ୍କ ପରିସ୍ରାଗାରକୁ ନିୟମିତ ପାଣି ଯୋଗାଣ ହେଉନାହିଁ। ଏପରି କି ଶିକ୍ଷକମାନଙ୍କ ପାଇଁ ପାଇଖାନା, ପରିସ୍ରାଗାର ନ ଥିବାରୁ ସେମାନେ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏ ସମ୍ପର୍କରେ ଗ୍ରାମବାସୀ ସାରଙ୍ଗ ସାହୁ କହିଛନ୍ତି, ବିଦ୍ୟାଳୟର ସୀମା ପ୍ରାଚୀର ଏବଂ ଅଧିକ ଶିକ୍ଷକ ନିଯୁକ୍ତି ନେଇ ବାରମ୍ବାର ଦାବି କରିଆସୁଛୁ। ମାତ୍ର ଏପର୍ଯ୍ୟନ୍ତ କିଛି ସୁଫଳ ମିଳିପାରି ନାହିଁ। ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ବରିହାଙ୍କ କହିବା ହେଲା, ବିଦ୍ୟାଳୟର ସମସ୍ୟା ସମୂହ ନେଇ ସ୍ଥାନୀୟ ସରପଞ୍ଚ ଏବଂ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଣ୍ଠିରୁ ଦେଢ଼ଲକ୍ଷ ଟଙ୍କା ଅନୁଦାନ ମିଳିଛି। ସେହି ଅନୁଦାନ ରାଶିରେ ଆଜବେଷ୍ଟସ୍ ଛାତ ମରାମତି ଚାଲିଛି। ସେହିପରି ବ୍ଲକ ଶିକ୍ଷା ଅଧିକାରୀ ଶୁଭମ କୁମାର ପତି କହିଛନ୍ତି, ବିଦ୍ୟାଳୟର ସୀମା ପ୍ରାଚୀର ସରପଞ୍ଚ ପଞ୍ଚାୟତ ଅନୁଦାନ ପାଣ୍ଠିରୁ କରିବେ। ଆଉଜଣେ ଶିକ୍ଷକ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି ବୋଲି ପତି କହିଛନ୍ତି। ସରପଞ୍ଚ ସୁନୀଲ କୁମାର ରାୟ କହିଛନ୍ତି, କିଛି ଜାଗା ବିବାଦ ଯୋଗୁ ସୀମା ପ୍ରାଚୀର ହୋଇପାରୁନାହିଁ। ସୀମା ଚିହ୍ନଟ କରି ଏହାର ସମାଧାନ କରାଯିବ ଏବଂ ସୀମା ପ୍ରାଚୀର ନିର୍ମାଣ କରାଯିବ। ଏହାସହିତ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ୟାର ସମାଧାନ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ରାୟ କହିଛନ୍ତି। ସ୍କୁଲ ପରିଚାଳନା କମିଟି ସଭାପତି ନୀଳମଣି ବାରିକ କହିଛନ୍ତି, ବିଦ୍ୟାଳୟରେ ଆହୁରି ଶିକ୍ଷକ ନିଯୁକ୍ତି, ଅଧିକ ଶ୍ରେଣୀ କୋଠରି ନିର୍ମାଣ ସହ ବାଉଣ୍ଡାରି ୱାଲ୍ ନିର୍ମାଣର ଆବଶ୍ୟକତା ରହିଛି। ଏଥିପାଇଁ ସରପଞ୍ଚ ଏବଂ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛୁ ବୋଲି ସେ କହିଛନ୍ତି।

