ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ। ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖରୁ ନୂତନ ସଂଶୋଧିତ ବନାନକୁ ସବୁଠି କାର୍ଯ୍ୟକାରୀ କରିବାକୁ ସରକାରୀ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ବରଗଡ଼ ଜିଲ୍ଲାରେ ଏହି ନିର୍ଦ୍ଦେଶର ବ୍ୟତିକ୍ରମ ଦେଖିବାକୁ ମିଳିଛି, ଯାହାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ପୂର୍ବରୁ ବରଗଡ଼ର ଇଂରାଜୀ ବନାନ ‘BARGARH’ ଥିବା ବେଳେ ଏହାକୁ ସଂଶୋଧନ କରାଯାଇ ‘BARAGADA’ କରାଯାଇଛି। ଏହି ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇବାର ତିନି ମାସ ବିତିଯାଇଥିଲେ ସୁଦ୍ଧା ସରକାରୀ କାଗଜପତ୍ରରେ ସିନା ବନାନ ବଦଳିଛି, କିନ୍ତୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ସାଇନ୍ବୋର୍ଡ ଓ ନାମଫଳକରେ ଏପର୍ଯ୍ୟନ୍ତ ପୁରୁଣା ବନାନ ଶୋଭା ପାଉଛି।
ଜିଲ୍ଲା ସଦର ମହକୁମାରେ କେବଳ ଜିଲାପାଳ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଛାଡ଼ିଦେଲେ ଅନ୍ୟ କୌଣସି ସ୍ଥାନରେ ନୂଆ ବନାନ ଲେଖାଯାଇ ନାହିଁ। ସମଗ୍ର ଶିକ୍ଷା କାର୍ଯ୍ୟାଳୟ, ବାଣିଜ୍ୟକର ଏବଂ ଦ୍ରବ୍ୟ ଓ ସେବାକର (GST) ମଣ୍ଡଳ କାର୍ଯ୍ୟାଳୟ, ଜିଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଏବଂ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଭଳି ପ୍ରମୁଖ ସରକାରୀ ସଂସ୍ଥାଗୁଡ଼ିକରେ ନାମଫଳକ ବଦଳାଯାଇ ନଥିବାରୁ ଜିଲାବାସୀ ଅସମଞ୍ଜସରେ ପଡ଼ୁଛନ୍ତି।
ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ କହିଛନ୍ତି ଯେ ନାମର ବନାନ ପରିବର୍ତ୍ତନ ନେଇ ସମସ୍ତ କାର୍ଯ୍ୟାଳୟକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇସାରିଛି। କେତେକ କାର୍ଯ୍ୟାଳୟରେ ନାମଫଳକ ପରିବର୍ତ୍ତନ ସରିଥିବା ବେଳେ ଅତିଶୀଘ୍ର ବାକି ସମସ୍ତ କାର୍ଯ୍ୟାଳୟର ଫଳକରେ ମଧ୍ୟ ସଂଶୋଧିତ ବନାନ ସ୍ଥାନ ପାଇବ।

