ରାୟଗଡ଼ା/ଟିକିରି,୧୫/୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ କୁମାର ବେହେରା): ବକ୍ସାଇଟ ଖଣି ଗନ୍ତାଘର ଭାବେ ବିଶ୍ୱ ପରିଚିତ କାଶୀପୁର ବ୍ଲକର ଜଣେ ୨୫ବର୍ଷୀୟ ଯୁବକ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି । ମୃତକ ଜଣକ ହେଲେ କୁଚେଇପଦର ଗ୍ରାମର ଲିଙ୍ଗରାଜ ମାଝିଙ୍କ ପୁଅ ଗୁରୁନାଥ ମାଝି । ସୂଚନା ମୁତାବକ ଗୁରୁନାଥ ତାମିଲନାଡ଼ୁ ରାଜ୍ୟର ଏକ ସୂତା କଳରେ ଶ୍ରମିକ ଭାବେ କାମ କରୁଥିଲେ । କମ୍ପାନୀରେ କାମ ସାରିବା ପରେ କୌଣସି କାର୍ଯ୍ୟ ପାଇଁ ବଜାରକୁ ଯାଇଥିବା ବେଳେ ଦୁର୍ଘଟଣା ହୋଇଥିଲା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।
ମୃତକଙ୍କ ମରଶରୀରକୁ ଆମ୍ବୁଲାନ୍ସ ଯୋଗେ ଗାଁକୁ ଫେରାଇ ଆଣୁଥିବା ମାନବଧିକାର କର୍ମୀ ସଦନ ମାଝି ସୂଚନା ଦେଇଛନ୍ତି । ତେବେ କାଶୀପୁର ବ୍ଲକରେ ଉତ୍କଳ ଆଲୁମିନା କମ୍ପାନୀ ଦୀର୍ଘ ବର୍ଷ ହେଲା ରହିଥିଲେ ମଧ୍ୟ ସ୍ଥାନୀୟ ଯୁବତୀଯୁବକଙ୍କୁ କୌଣସି ପ୍ରଶିକ୍ଷଣ ସଠିକ୍ ଭାବେ ମିଳୁନାହିଁ କି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନାହିଁ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଏଭଳିକି ଯୋଗ୍ୟତା ଭିତିରେ ନିଯୁକ୍ତି ବଦଳରେ ସିଏସଆର ପ୍ରୋଜେକ୍ଟ ମାଧ୍ୟମରେ କିଛି ମାସର କାମ ଦେଇ କମ୍ପାନୀ ସେମାନଙ୍କୁ ଚାକିରିରୁ ବାହାର କରି ଦେଉଥିବା ଅଭିଯୋଗ ହୋଇଛି । ରାୟଗଡ଼ା ବିଧାୟକ ଆପଲସ୍ୱାମୀ କାଡ୍ରାକା ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିବା ସହିତ ଜିଲାରେ ୫ରୁ ଉରର୍ଦ୍ଧ୍ବ ବଡ଼ ଧରଣର ଶିଳ୍ପ ପ୍ରତିଷ୍ଠାନ ରହିଥିଲେ ମଧ୍ୟ ଜିଲାର ଯୁବତୀଯୁବକଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁନଥିବା ଅଭିଯୋଗ କରିଛନ୍ତି ।
ଏଭଳିକି କଂସାରିଗୁଡ଼ା ଠାରେ ଆରମ୍ଭ ହେବାକୁ ଥିବା ପୋଷାକ ତିଆରି ୟୁନିଟର ଏଯାବତ୍ ଫାଉଣ୍ଡେସନ କାମ ମଧ୍ୟ ଆରମ୍ଭ ହୋଇନାହିଁ । ସେମାନଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ବଦଳରେ ଏମଜିଏନଆରଇଜିଏସ୍ ଯୋଜନାରେ ଅର୍ନ୍ତଭୁକ୍ତ କରି ୧୦୦ ଦିନିଆ କାମ ଦେଉଛି ପ୍ରଶାସନ । ତାହାବି ଦଲାଲଙ୍କ କବଳରେ ପଡ଼ିବା କାରଣରୁ ଉପଯୁକ୍ତ ପାରିଶ୍ରମିକ ପାଉନାହାଁନ୍ତି ଏବଂ ଦଲାଲ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ମିଶି ମାଲାମାଲ ହେଉଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି । ଫଳରେ ଯୁବତୀଯୁବକମାନେ ପରିବାର ଭରଣପୋଷଣ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି ଏବଂ ଶାରିରୀକ ଓ ମାନସିକ ନିର୍ଯାତନାର ଶିକାର ହେଉଛନ୍ତି ବୋଲି ରାୟଗଡ଼ା ବିଧାୟକ କହିଛନ୍ତି ।


