ବାଣିଜ୍ୟ ଯୁଦ୍ଧର ପ୍ରଭାବ

ସମାଜବାଦୀ ସୋଭିଏତ୍‌ ସଂଘର ପତନ ପରେ ସାମ୍ରାଜ୍ୟବାଦୀ ଆମେରିକା ତା’ ଆଧିପତ୍ୟ ବିସ୍ତାର କରିବା ପାଇଁ ତୃତୀୟ ବିଶ୍ୱର ଅଂଶୀଦାର ରାଷ୍ଟ୍ର ଉପରେ ଆକ୍ରମଣ କରିଚାଲିଛି। ଏହି ଆକ୍ରମଣ କେବଳ ସାମରିକ କ୍ଷେତ୍ରରେ ସୀମିତ ନୁହେଁ, ବାଣିଜ୍ୟ ଯୁଦ୍ଧ ଏହାର ଅନ୍ୟ ଏକ ରୂପରେଖ। ସମୟ ବିଶେଷରେ ଏହା ସାମରିକ ଯୁଦ୍ଧଠାରୁ ଅଧିକ ଭୟାନକ ହୋଇପାରେ। ଭାରତ ଉପରେ ଆମେରିକା ମଧ୍ୟ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଭାରତ ରୁଷିଆଠାରୁ ଅଶୋଧିତ ତୈଳ କିଣିବା ଫଳରେ ସେହି ଅର୍ଥ ୟୁକ୍ରେନ୍‌ ଯୁଦ୍ଧରେ ଖର୍ଚ୍ଚ ହେଉଛି ମନେକରେ ଆମେରିକା ଭାରତ ଉପରେ ଟାରିଫ୍‌ ଲାଗୁ ହୋଇଛି।
ଉଲ୍ଲେଖ କରାଯାଇପାରେ ଯେ, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଦୁର୍ବଳ ହେବା ଫଳରେ ଆମେରିକାର ଏଭଳି ଆଧିପତ୍ୟ ବୃଦ୍ଧି ପାଇଛି। ଆମ ଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ‘ନାମ୍‌’ ବା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ନେତୃତ୍ୱ ନେଉଥିବା ସମୟରେ ଆମେରିକାର ଆଧିପତ୍ୟ ସମ୍ମୁଖରେ ମୁଣ୍ଡ ନୁଆଁଇ ନ ଥିଲେ, ବରଂ ବାଂଲାଦେଶ ଯୁଦ୍ଧ ସମୟରେ ଆମେରିକାର ଆଧିପତ୍ୟକୁ କ୍ଷୁଣ୍ଣ କରିବାରେ ଭୂମିକା ଗ୍ରହଣ କରିଥିଲେ। ଅବଶ୍ୟ ସେ ସମୟରେ ଭାରତ ସହିତ ସୋଭିଏତ୍‌ ୟୁନିୟନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟକ୍ଷ ସହଯୋଗ ରହିଥିଲା।
ବର୍ତ୍ତମାନ ଆଉ ସେ ସୋଭିଏତ୍‌ ସଂଘ ନାହିଁ। ଦେଶର ନେତୃତ୍ୱ ପରିବର୍ତ୍ତନ ପରେ ଆମେରିକା ସହିତ ବିଭିନ୍ନ କ୍ଷେତ୍ରରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଛି। ଏବେ ଅନେକ କ୍ଷେତ୍ରରେ ଭାରତ ସେ ଦେଶ ଉପରେ ନିର୍ଭରଶୀଳ। ଦୀର୍ଘ ୨୫ ବର୍ଷ ଧରି ଆମେରିକା ସହିତ ଆମର ଉତ୍ତମ ବାଣିଜି୍ୟକ ସମ୍ପର୍କ ରହିଥିବା ସତ୍ତ୍ବେ ଟ୍ରମ୍ପ୍‌ ପ୍ରଶାସନ ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ୫୦% ଟାରିଫ୍‌ ବୃଦ୍ଧି କରିବା କେବଳ ଅର୍ଥନୈତିକ ନୁହେଁ, ଏହା ସବୁ ସମୟରେ ରାଜନୈତିକ ଅଭିସନ୍ଧିମୂଳକ।
ଏହି ଟାରିଫ ବୃଦ୍ଧି ଯୋଗୁଁ ଭାରତର ଯୁକ୍ତରାଷ୍ଟ୍ରକୁ ରପ୍ତାନି ୩୭.୫% ହ୍ରାସ ପାଇଛି ଏବଂ ଭାରତର ବାଣିଜି୍ୟକ ନିଅଣ୍ଟ ୩୨.୧୫ ବିଲିୟନ ଡଲାରରେ ପହଞ୍ଚିଛି। ବିଶେଷକରି ଟେକ୍ସଟାଇଲ, ଚିଙ୍ଗୁଡ଼ି, ମୁକ୍ତା ଓ ଅଳଙ୍କାର ରପ୍ତାନି ଅଧିକ ହ୍ରାସ ପାଉଛି। ସେହିପରି ଟାରିଫ୍‌ ବୃଦ୍ଧି ପ୍ରଭାବରେ ସେଠାରେ ଭାରତୀୟ ଜିନିଷ ପ୍ରାୟ ୩୫% ମହଙ୍ଗା ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବାଣିଜ୍ୟ ସଚିବ ରାଜେଶ ଅଗ୍ରୱାଲ କହିଛନ୍ତି, ବିଶ୍ବ ବଜାରରେ ଜଟିଳ ସ୍ଥିତି ସତ୍ତ୍ୱେ ଭାରତର ରପ୍ତାନିରେ ଗତିଶୀଳତା ବଜାୟ ରହିଛି। ଗତ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରାୟ ୨୨୦.୧୨ ବିଲିୟନ ଡଲାରର ସାମଗ୍ରୀ ବିଦେଶକୁ ରପ୍ତାନି ହୋଇଛି, ଯାହାକି ସେହି ସମୟ ମଧ୍ୟରେ ଗତବର୍ଷ ଅପେକ୍ଷା (୨୧୩.୬୮ ବିଲିୟନ ଡଲାର) ୩.୦୨% ଅଧିକ। ସେହିପରି ଆମଦାନୀ ୩୭୫.୧୧ ବିଲିୟନ ଡଲାର (ପୂର୍ବ ବର୍ଷ +୩୫୮.୮୫ ବିଲିୟନ ଡଲାର)ରେ ପହଞ୍ଚତ୍ଛି। ଉଭୟ ଦେଶ ପରସ୍ପର ପ୍ରତି ବିଭିନ୍ନ ସମୟରେ ଲାଗୁ ହେଉଥିବା ଶୁଳ୍କ, ବଜାର ଅଭିଗମ (Market access)ଓ ନିୟାମକ ଅବରୋଧ (Regulatory barriers) ଭଳି ବିଷୟରେ ସମାଧାନ ଆଣିବା ପାଇଁ ଆଲୋଚନା କରୁଛନ୍ତି।
ଆମେରିକା କୃଷି ଓ ଦୁଗ୍‌ଧ ଜାତୀୟ ଦ୍ରବ୍ୟ ଉପରେ ରପ୍ତାନି ଶୁଳ୍କ କମ କରିବା ପାଇଁ ଲଗାଯାଇଥିବା ବେପାର ପ୍ରତିବନ୍ଧ ଉଠାଇ ଦେବାକୁ ଦାବି କରିଛି। ଭାରତର କ୍ଷୁଦ୍ର ଓ ମଧ୍ୟମ ଧରଣର ଗ୍ରାମୀଣ ଚାଷୀଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିପାରେ ମନେକରି ଭାରତ ଏ ପର୍ଯ୍ୟନ୍ତ ଏହି ବ୍ୟାପାରରେ ସମ୍ମତ ହୋଇ ନାହିଁ। ଅନ୍ୟପକ୍ଷରେ ଆମେରିକାର ଯେଉଁ ଶିଳ୍ପଗୁଡ଼ିକ ଭାରତୀୟ କଞ୍ଚାମାଲ ଉପରେ ନିର୍ଭରଶୀଳ ସେଗୁଡ଼ିକ ପ୍ରଭାବିତ ହୋଇଛି। ସେଥିଯୋଗୁଁ ଭାରତ-ଆମେରିକା ମଧ୍ୟରେ ଆରମ୍ଭ ହୋଇଥିବା ବ୍ୟାପାରିକ ଯୁଦ୍ଧ ଉଭୟ ଦେଶ ପାଇଁ ବିଭିନ୍ନ ସମସ୍ୟାର କାରଣ ହୋଇଛି। ବର୍ତ୍ତମାନ ବାଣିଜି୍ୟକ ନିଅଣ୍ଟର ବ୍ୟବଧାନ ବୃଦ୍ଧି ପାଉଥିବାରୁ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ୮୮ ଟଙ୍କାର ନିକଟତର ହୋଇଛି।
ଏକ ସୁରକ୍ଷାମୂଳକ ବ୍ୟାପାର ଅନୁସରଣ କରିବାକୁ ଯାଇ ଯଦିଓ ଆମେରିକା ଓ ଭାରତ ସମେତ ବିଭିନ୍ନ ଦେଶ ଉପରେ ଆମଦାନୀ ଶୁଳ୍କ ଲାଗୁ କରିଛି, ତଥାପି ଉଭୟ ଦେଶର ସମ୍ପର୍କକୁ ନେଇ ଏହାର ନକାରାତ୍ମକ ପ୍ରଭାବ ସୁଦୂରପ୍ରସାରୀ। ଉଲ୍ଲେଖ କରାଯାଇପାରେ ଯେ, ଯୁକ୍ତରାଷ୍ଟ୍ର, ଭାରତ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘କ୍ୱାଡ୍‌’ ନାମକ ଏକ ଚତୁଃପକ୍ଷୀୟ ରାଷ୍ଟ୍ରର ସୁରକ୍ଷା କବଚ ଗଠିତ। ଏହା ଏକ ସ୍ଥିର ଓ ସୁରକ୍ଷିତ ଅଞ୍ଚଳ ଗଠନ କରିବାରେ ଲକ୍ଷ୍ୟ ରଖେ। ଆମେରିକା ଇଣ୍ଡୋପାସିଫିକ ଅଞ୍ଚଳରେ ଭାରତର ଭୂମିକାକୁ ସମର୍ଥନ କରେ। ଏହି ଅଞ୍ଚଳ ହେଉଛି ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ମିଶିଥିବା ଏକ ବିଶାଳ ଭୂରାଜନୀତିକ ଆର୍ଥିକ କ୍ଷେତ୍ର। ଏହା ଆନ୍ତର୍ଜାତିକ ବାଣିଜ୍ୟ ଓ ନୌ ସମ୍ପର୍କର ମୁଖ୍ୟ ପଥ ହୋଇଥିବାରୁ ସେଠାରେ ଚାଇନାର ପ୍ରଭାବକୁ ସନ୍ତୁଳିତ କରିବା ଉଦ୍ଦେଶ୍ୟ ନିହିତ ରହିଛି। ଏସବୁ ସତ୍ତ୍ୱେ ଆମେରିକା ଯଦି ଭାରତ ସହିତ ତା’ର ବ୍ୟବସାୟିକ ଯୁଦ୍ଧ ଜାରି ରଖେ, ତେବେ ଆମକୁ ପ୍ରତ୍ୟେକ କ୍ଷେତ୍ରରେ ଆତ୍ମନିର୍ଭଶୀଳ ହେବାକୁ ପଡ଼ିବ। ଆମଦାନୀ ହ୍ରାସ କରି ଦେଶୀୟ ଉତ୍ପାଦନ ଓ ରପ୍ତାନିକୁ ଗୁରୁତ୍ୱ ଦେବାକୁ ହେବ।
ଆମେରିକା ଭାରତର ବନ୍ଧୁ ରାଷ୍ଟ୍ର ନୁହେଁ, ଏହା ପ୍ରମାଣିତ ହୋଇ ସାରିଛି । ଆମେରିକା ଓ ରୁଷିଆ ମଧ୍ୟରେ ସମ ଦୂରତା ରଖି ସମ୍ପର୍କ ବଜାୟ ରଖିବା ଭାରତ ପାଇଁ ଆଉ ସମ୍ଭବପର ହୋଇ ରହିପାରି ନାହିଁ। ତେଣୁ ଭାରତ ନିଜର ବ୍ୟାପାର ବୃଦ୍ଧି କରିବା ପାଇଁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ସମେତ ଅନ୍ୟ କେତେକ ଆଫ୍ରିକୀୟ ଦେଶ ସହିତ ମୁକ୍ତ ବାଣିଜ୍ୟନାମା ସ୍ବାକ୍ଷରିତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏତଦ୍‌ବ୍ୟତୀତ ଲାଟିନ୍‌ ଆମେରିକା ଓ ପୂର୍ବ ଦକ୍ଷିଣ ଏସିଆ ଭଳି ଅଞ୍ଚଳରେ ସୁଯୋଗ ଖୋଜିବା ସଙ୍ଗେ ସଙ୍ଗେ ଜର୍ମାନୀ, ବ୍ରିଟେନ୍‌, ସିଙ୍ଗାପୁର ଓ ମାଲେସିଆ ସହିତ ବ୍ୟାପାର ପାଇଁ ପ୍ରସ୍ତାବ ଦେଇଛି । ‘ଇଉରୋପ ସମୁଦାୟ’ ଓ ‘ନାଟୋ’ ସଂଗଠନ ସହିତ ବେପାର ସହଯୋଗ ବୃଦ୍ଧି କରାଯାଇଛି। ବ୍ରିକ୍ସ ସଂଗଠନ ପକ୍ଷରୁ ରୁଷିଆ ଓ ଚାଇନା ମଧ୍ୟ ସହଯୋଗର ହାତ ବଢ଼ାଇଛନ୍ତି। ଏତଦ୍‌ବ୍ୟତୀତ ଭାରତ ଇଣ୍ଡୋପାସିଫିକ ଅଞ୍ଚଳରେ ଥିବା ଦେଶଗୁଡ଼ିକ ମଧ୍ୟରେ କୌଶଳଗତ ଓ ଅର୍ଥନୈତିକ ସଂପର୍କ ଅଧିକ ବୃଦ୍ଧି କରିବାରେ ଲାଗିଛି। ଭାରତ ଓ ଆମେରିକା ମଧ୍ୟରେ ବ୍ୟାପାରିକ ସମସ୍ୟା କଥାବାର୍ତ୍ତା ମାଧ୍ୟମରେ ସମାଧାନ ହେଲେ ଆମେରିକା କୋହଳ ମନୋବୃତ୍ତି ପୋଷଣ କରିପାରେ।
କହିବାବାହୁଲ୍ୟ ଯେ, ବର୍ତ୍ତମାନ ବିଶ୍ୱର ଭୂ-ରାଜନୈତିକ ସନ୍ତୁଳନ ଓ ଗତିବିଧିର ପରିବର୍ତ୍ତନ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିସତ୍ତାକୁ ବିପଦମୁହଁକୁ ଠେଲି ଦେଇଛି। ତେଣୁ ଭାରତ ପରି ଏକ ବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ରରେ ଦେଶର ପ୍ରତ୍ୟେକ ନାଗରିକ ଦେଶ ଗଠନରେ ସହାୟକ ହେଲେ ପ୍ରତ୍ୟେକ କ୍ଷେତ୍ରରେ ଆମେ ଯେ ସ୍ବାବଲମ୍ବୀ ହୋଇପାରିବା ଏଥିରେ ଦ୍ୱିମତ ନାହିଁ।

ପ୍ରମୋଦ କୁମାର ମିଶ୍ର
ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର ଲେନ୍‌, ସମ୍ବଲପୁର
ମୋ: ୯୪୩୭୪୨୦୫୪୬


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri