ଛତ୍ରପୁର, ୧୬/୯ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ପୋଷ୍ଟ ଅଫିସ ସାହିରେ ଥିବା ଏକ ଘରୋଇ କମ୍ୟୁଟର ଶିକ୍ଷାନୁଷ୍ଠାନରୁ ସୋମବାର ବିଳମ୍ବିତ ରାତ୍ରରେ ଚୋରି କରିବା ସହିତ ନିଆଁ ଲଗାଇଛନ୍ତି ଦୁର୍ବୃତ୍ତ । ଏହା ସହ ଜୀବନରୁ ମାରିଦେବାକୁ କାଚ କବାଟରେ ଲେଖି କରି ଦେଇଛନ୍ତି ଧମକ । ପୁରୁଣା ପୋଷ୍ଟ ଅଫିସ ସାହି ସ୍ଥିତ ଏଜୁ କେୟାର କମ୍ପ୍ୟୁଟର ଅନୁଷ୍ଠାନରୁ ଗତକାଲି ବିଳମ୍ବିତ ରାତ୍ରରେ ପଶି କମ୍ପ୍ୟୁଟର, ଏସି ସମେତ ବହୁ ଆସବାବ ପତ୍ର ନିଆଁ ଲଗାଇ ନଷ୍ଟ କରିବା ସହିତ ହାର୍ଡ ଡିସ୍କ ଭଳି କିଛି ଜିନିଷ ଚୋରି କରିଛନ୍ତି ଦୁର୍ବୃତ୍ତ। ଏହା ସହ ମୁଁ କେବଳ ତୋ ପାଇଁ ଆସିଛି, ଏତେ ସହଜରେ ମୁଁ ତୋତେ ମାରିବି ନାହିଁ, ତୋତେ ଟର୍ଚ୍ଚର କରି ମାରିବି ବୋଲି କବାଟରେ ଲେଖି ଧମକ ଦେଇଛନ୍ତି ଦୁର୍ବୃତ୍ତ । ଏପରିକି ନିଜକୁ ଘୋଷ୍ଟ ବୋଲି ଲେଖିଛି। ଆଜି ସକାଳୁ ସ୍ଥାନୀୟ ବାସିନ୍ଦା ନିଆଁ ଲାଗିବାର ଦେଖି ଅଗ୍ନିଶମବାହିନୀକୁ ଜଣାଇଥିଲେ। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ଛତ୍ରପୁର ଥାନା ପୋଲିସ ପହଞ୍ଚି ତଦନ୍ତ କରିଛି । ତେବେ କିଏ ଏପରି କାଣ୍ଡ ଘଟାଇଛି ଏବଂ କାହିଁକି ଏପରି କରିଛି, ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି।

