ହିମାଚଳପ୍ରଦେଶର ରିଭା ସୁଦ୍ ଜୈବିକ ପଦ୍ଧତିରେ ଡ୍ରାଗନଫ୍ରୁଟ୍ସ ଚାଷ କରୁଛନ୍ତି। ଏହାକୁ ନେଇ ସେ ୧ କୋଟି ଟଙ୍କାର ବ୍ୟବସାୟିକ ସାମ୍ରାଜ୍ୟ ପ୍ରତିଷ୍ଠା କରିପାରିଛନ୍ତି। ସେ ଡ୍ରାଗନଫ୍ରୁଟ୍ସକୁ ସ୍ଥାନୀୟ ଅଞ୍ଚଳରେ କେ.ଜି. ପ୍ରତି ୨୦୦ ଟଙ୍କାରେ ବିକ୍ରି କରିବା ସହ ସେଥିରୁ ଜୁସ୍ ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ରିଭା ଫାର୍ମର୍ସ ପ୍ରଡ୍ୟୁସର୍ ଅର୍ଗାନାଇଜେଶନ(ଏଫ୍ପିଓ) ‘ହିମ୍ ଟୁ ହମ୍’ ପ୍ରତିଷ୍ଠା କରିଛନ୍ତି। ଏହି ସଂସ୍ଥା ସହ ସେ ହିମାଚଳପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ ଓ ଦିଲ୍ଲୀ ଭଳି ରାଜ୍ୟଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଚାଷୀଙ୍କୁ ସାମିଲ କରିଛନ୍ତି। ସେମାନେ ମଧ୍ୟ ଡ୍ରାଗନଫ୍ରୁଟ୍ସ ଚାଷ, ପ୍ରୋସେସିଂ ଓ ବ୍ୟବସାୟରେ ରିଭାଙ୍କୁ ସାହାଯ୍ୟ କରୁଛନ୍ତି। ରିଭା ଥାଇଲାଣ୍ଡ ଓ ତାଇଓ୍ବାନରୁ ପ୍ରଥମେ ୨୦୦୦ ଡ୍ରାଗନଫ୍ରୁଟ୍ସ ଚାରା ଆଣି ୫ ଏକରରେ ଲଗାଇଥିଲେ। ପରେ ଚାଷକୁ ୭୦ ଏକରକୁ ବଢ଼ାଇଛନ୍ତି ଓ ଏବେ ଫାର୍ମରେ ୩୦,୦୦୦ ଗଛ ଅଛି। ସେ ମଧ୍ୟ ଅଶ୍ୱଗନ୍ଧା ଓ ସଜନା ଚାଷ କରି ସେଥିରୁ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି।


