ଦୁର୍ନୀତିର ଚେର

ଚାରିଆଡେ ଖାଲି ଦୁର୍ନୀତିର ଗନ୍ଧ, ଭିଜିଲାନ୍ସର ଚଢ଼ଉ, ପୁଳାପୁଳା ଟଙ୍କା। ପରବର୍ତ୍ତୀ ପିଢି ଉପରେ ଏହାର ପ୍ରଭାବ ସୁଦୂରପ୍ରସାରୀ। ଅଧୁନା ହାଇସ୍କୁଲରେ ଭଲ ନମ୍ବର ରଖି ପାସ୍‌ କରିଥିବା ମେଧାବୀ ପିଲାଏ ଭବିଷ୍ୟତରେ ଇଞ୍ଜିନିୟର କି ଭାରତୀୟ ପ୍ରଶାସନିକ ସେବାରେ ଭର୍ତ୍ତିହେବାକୁ ଆଶା ରଖିଲେଣି। କୁହାଯାଏ ଯେତିକି ଧରାପଡୁଛନ୍ତି ତା’ଠାରୁ କୁଆଡେ ଅନେକ ସଂଖ୍ୟାରେ ବଡ଼ମାଛ ଖସି ଯାଉଛନ୍ତି। ତେଣୁ ପ୍ରଶ୍ନ ଉଠେ, ଏତେ ଚଢ଼ାଉ, ଗିରଫ ସତ୍ତ୍ୱେ ପୁଣି କେମିତି ଧରା ପଡୁଛନ୍ତି ? କାରଣ ଧଣ୍ଡସାପ ବେଙ୍ଗ ଗିଳିଲା ପରି ପଞ୍ଝାଏ ଦୁର୍ନୀତିଗ୍ରସ୍ତ ଏମିତି ପେଟ ଭରିଛନ୍ତି ଯେ ନା ହଜମ କରି ପାରୁଛନ୍ତି ନା ବାନ୍ତି କରିପାରୁଛନ୍ତି। ଚାକିରି ଜୀବନର ଶେଷ ସମୟକୁ ବିଡ଼ା ବିଡା ଟଙ୍କା ପଡୋଶୀଙ୍କ ଛାତକୁ ଫୋପାଡିବା ହିଁ ସାର ହେଉଛି। ଆଉ ପଞ୍ଝାଏ ଏହାକୁ ଦେଖି ଚାକିରି ଆରମ୍ଭରୁ ହିଁ ଲାଞ୍ଚମିଛରେ ଏମିତି ମାତି ଯାଉଛନ୍ତି ସତେ ଅବା ଏ ବାବଦରେ ସ୍ବତନ୍ତ୍ର ତାଲିମ ନେଇ ଆସିଛନ୍ତି, କମ୍‌ ଦିନ ଭିତରେ ଲକ୍ଷ୍ୟ ହାସଲ କରିନେବା ପାଇଁ। ଏଣୁ ଯଦି କି ନୂଆ କି ପୁରୁଣା ସମସ୍ତେ ଲାଞ୍ଚଖୋରିରେ ମାତିବେ ତେବେ ବିକାଶ ପାଇଁ ଆସୁଥିବା ଅର୍ଥରାଶି ବାଟମାରଣା ହୋଇ ଗୁପ୍ତରେ ସ୍ବିସ୍‌ ବ୍ୟାଙ୍କମାନଙ୍କୁ ହିଁ ଯିବ। ଏଥିକୁ ଦୋଷ ବା ଦେବା କାହାକୁ?
କାଁ ଭାଁ ଦୁର୍ନୀତିଗ୍ରସ୍ତଙ୍କୁ ଧରି ପକାଇଲେ ଦୁର୍ନୀତିର ମୂଳୋତ୍ପାଟନ ହୋଇ ପାରିବ କି? ଏଥିପାଇଁ ବ୍ୟବସ୍ଥାକୁ ସଜାଡିବା ଆବଶ୍ୟକତା ନାହିଁ କି? ଲାଞ୍ଚଗ୍ରହୀତାଙ୍କ ପରି ଲାଞ୍ଚ ଦାତାମାନେ ତ ସମପରିମାଣରେ ଦୋଷୀ, କିନ୍ତୁ ଧରା ହେଉଛନ୍ତି କେତେଜଣ? ଆଇନ ବ୍ୟବସ୍ଥାକୁ ମୋଡିମକଚି ପେଞ୍ଚୁଆ ଅଧିକାରୀମାନେ ଯେତେବେଳେ ଦୁର୍ନୀତିକୁ ନୀତିରେ ପରିଣତ କରି ସ୍ପଷ୍ଟ ଦିବାଲୋକରେ ଆଇନକୁ ଆଖିଠାର ମାରି ଲୁଟୁଛନ୍ତି, ସେତେବେଳେ ଏଥିରେ ଲାଞ୍ଚଦାତା ଏବଂ ଅନୁଗୃହୀତ ହେଉଥିବା ବ୍ୟକ୍ତିଙ୍କର ଅବାଧ ସହଭାଗିତା ରହୁଛି। ଉଦାହରଣସ୍ବରୂପ ଥରେ ମାଛ ବିକ୍ରି କରି ପେଟ ପୋଷୁଥିବା ବ୍ୟକ୍ତିଟିଏ ପ୍ରତିଦିନ ପରି ସକାଳୁ ତା’ର ମାଛଧରା ଯନ୍ତ୍ର ପାଖକୁ ଯାଇ ଦେଖେ ଗୋଟିଏ ଧଣ୍ଡସାପ ଭିତରେ ପଶି ମାଛ ଯାକ ଖାଇ ଦେଇଥିବାରୁ ଆଉ ବାହାରି ନ ପାରି ଛଟପଟ ହେଉଛି। ତା’ର ସେଦିନର ରୋଜଗାର ହେରେଇଥିବା ରାଗରେ ଲୋକଟି ଧଣ୍ଡ ସାପର ମୁଣ୍ଡକୁ ଧରି ବୁଲାଇ ବୁଲାଇ ଦୂରକୁ ଫିଙ୍ଗିଦିଏ। ସାପଟି ନିକଟସ୍ଥ ଏକ ବୁଦା ପାଖରେ ପଡି କଷ୍ଟରେ ଆର୍ତ୍ତଚିତ୍କାର କରିବାରୁ ପାଖ ଗାତରେ ରହୁଥିବା ନାଗସାପଟିଏ ଘଟଣା କ’ଣ ଜାଣିବାକୁ ବାହାରକୁ ମୁଣ୍ଡକାଢ଼େ। ବିଚ଼ରା ଜଖମି ଧଣ୍ଡସାପଠାରୁ ସମସ୍ତ ବୃତ୍ତାନ୍ତ ଶୁଣିସାରି ତାକୁ ନିଜ ଗାତରେ ସାଷ୍ଟାମହେବା ପାଇଁ ଉପଦେଶ ଦେଇ ପ୍ରତିଶୋଧ ଆଶାରେ ମାଛଧରା ଯନ୍ତ୍ର ପାଖକୁ ବୀରଦର୍ପରେ ଯାଇ ମାଛ ଖାଏ। ପରଦିନ ସକାଳେ ବ୍ୟକ୍ତିଟି ଆସି ପୁନଶ୍ଚ ସାପଟିଏ ଦେଖି ରାଗରେ ଧରିବାକୁ ଉଦ୍ୟତ ହୁଅନ୍ତେ ନାଗସାପଟି ଫଣା ଟେକି ଗର୍ଜନ କରେ। ତହୁଁ ବ୍ୟକ୍ତିଟି ହାତରେ ଗାମୁଛାକୁ ଗୁଡାଇ ପାଟିରେ ଗଦ ଜାକି ନାଗର ମୁଣ୍ଡକୁ ଧରିନେଇ ଘେରାଏ ବୁଲାଇ ଫିଙ୍ଗିଦିଏ। ସାପଟି ସେଇ ବୁଦା ପାଖରେ ଭୁସ କରି ପଡି ବିକଳରେ ଚିତ୍କାର କରନ୍ତେ, ପୂର୍ବରୁ ବିଶ୍ରାମ ନେଉଥିବା ଧଣ୍ଡସାପଟି ପଦାକୁ ବାହାରି କାରଣ ପଚାରେ। ନାଗସାପଟି ମନ୍ତବ୍ୟ ରଖେ, ନାଇଁ ଭାଇ, ଏହା ସେ ଯନ୍ତ୍ର କରାମତି, ତା’ ଭିତରକୁ ଧଣ୍ଡ ଯାଉ କି ନାଗ ସମସ୍ତଙ୍କର ଏହି ସମ ଅବସ୍ଥା ହିଁ ହେବ। ଅତଏବ ଆମ ବ୍ୟବସ୍ଥାରେ ଭଲ ଛାତ୍ର ଆସନ୍ତୁ କି ଖରାପ ଛାତ୍ର ଏକା ପ୍ରକାରେ ଦୁନୀତିରେ ହିଁ ଲିପ୍ତ ହେବେ। ତେଣୁ ବ୍ୟବସ୍ଥାରେ ପରିବର୍ତ୍ତନ ଆଜି ଜରୁରୀ ହୋଇପଡିଛି। ପ୍ରବେଶିକା ପରୀକ୍ଷା ହେଉ କି ଚାକିରି ପାଇଁ ଲିଖିତ ପରୀକ୍ଷା ପ୍ରତିଟିରେ ପାସ୍‌ କରାଇ ନେବା ପାଇଁ ଦଲାଲ ଗୋଷ୍ଠୀ ଜାଲ ବିଛାଉଛନ୍ତି। ସରକାର କାଁ ଭାଁ ଦଲାଲଙ୍କୁ ଧରି ବାହାଦୁରି ନେଲାବେଳେ ଲାଞ୍ଚଦାତାମାନଙ୍କୁ ଧରିବା ନଜିରରେ ଆସୁନାହିଁ। ଏତେ ଘଟଣା ସତ୍ତ୍ୱେ ଆଜି ବି ଲୋକେ ଚାକିରି କରାଇବା ପାଇଁ ଲାଞ୍ଚର ଆଶ୍ରୟ ନେଇ ଠକେଇ ହେଲେ ଥାନାକୁ ଦୈାଡୁଛନ୍ତି।
ଲାଞ୍ଚ ଦେବା କ’ଣ ଅପରାଧ ନୁହେଁ, ଆମେ ପଇସା ଦେଇ ଯଦି ଚାକିରିଟି ହାତେଇ ନେବା ତେବେ ବର୍ଷବର୍ଷ ଧରି ପରିଶ୍ରମ କରୁଥିବା ଗରିବ ମେଧାବୀ ପିଲାଏ ଯିବେ କୁଆଡ଼େ? ସରକାରଙ୍କ ଅନେକ ସଞ୍ଚୟ ଯୋଜନାକୁ ଅଣଦେଖା କରି ଯେଉଁମାନେ ରାତାରାତି କୋଟିପତି ହେବା ଆଶାରେ ଘରୋଇ ଅର୍ଥଲଗାଣକାରୀ ସଂସ୍ଥାରେ କଷ୍ଠଲବ୍ଧ ଅର୍ଥ ଜମାରଖି ଠକେଇ ହେବା ବେଳକୁ ଯାଇ ଚିତ୍କାର କରୁଛନ୍ତି, ସେମାନେ କ’ଣ ଦେଶ ଭକ୍ତ? ଆୟକରରୁ ବଞ୍ଚିବା ପାଇଁ ବ୍ୟବସ୍ଥାର ଆଶ୍ରୟ ନେଉନାହାନ୍ତି ତ? ଅତଏବ ଦୁର୍ନୀତିର ମୂଳଉତ୍ସଗୁଡିକୁ ଚିହ୍ନଟ କରି ଯଦି ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇପାରନ୍ତା ତେବେ କେଜାଣି ଏହା କେତେକାଂଶ କମିପାରନ୍ତା। ନଚେତ୍‌ ଯେତେଦିନ ଯାଏ ଲାଞ୍ଚ ଦେଇ କାମ କରାଇ ନେବାର ମନୋବୃତ୍ତି ଆମ ପାଖରେ ଥିବ ସେତେଦିନ ଯାଏ ପିଢି ପରେ ପିଢ ିଲାଞ୍ଚ ଗ୍ରହୀତାମାନେ ଜନ୍ମ ନେଉଥିବେ ଏବଂ ଏହି ଧାରା ସୁବ୍ୟବସ୍ଥିତ ଢଙ୍ଗରେ ଚାଲୁଥିବ। ଏହି ଲାଞ୍ଚଦାତାମାନଙ୍କର ମାନସିକ ପରିବର୍ତ୍ତନ ଘଟିଲେ ଯାଇ ସମାଜରୁ ଦୁର୍ନୀତି ଧୀରେ ଧୀରେ ଲୋପପାଇବ, ଯାହା ସମୟ ସାପେକ୍ଷ।

ପୁଷ୍ପାରାଣୀ ମିଶ୍ର
ଭକ୍ତମଧୁନଗର, ଗଣ୍ଡମୁଣ୍ଡା, ଭୁବନେଶ୍ୱର
ମୋ:୬୩୭୧୯୪୭୧୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ଏଇ ଭାରତରେ

ଭାରତୀୟ ବନ ସେବା ଅଧିକାରୀ (ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ...

ଶିକ୍ଷକ ହେବା କି ସହଜ କଥା

କେବଳ ପାଠ ପଢ଼େଇଦେଲେ ବା ବିଦ୍ୟା ସମ୍ବନ୍ଧୀୟ ଜ୍ଞାନ ଦେଇଦେଲେ କେହି ପ୍ରକୃତ ଶିକ୍ଷକ ହୋଇଯାଏ ନାହିଁ। ଏଥି ପାଇଁ ଦରକାର ବିଶାଳ ହୃଦୟ, ଦରଦୀ...

ବିମାନବନ୍ଦର କାହା ସ୍ବାର୍ଥରେ

ଆମ ଉପକୂଳ ଅଞ୍ଚଳ ଏକ ବାତ୍ୟାପ୍ରବଣ ଅଞ୍ଚଳ ଭାବେ ବ୍ରିଟିଶ ଶାସନ ସମୟରୁ ଘୋଷଣା କରାଯାଇଛି। ଏହାର ନିରାକରଣ ନିମନ୍ତେ ୧୯୭୨ ମସିହାରୁ ସରକାରୀ ସ୍ତରରେ...

ବିଶେଷଜ୍ଞ ଲୋଡ଼ା

ଆମେ ପ୍ରାୟତଃ ଅଣଦେଖା କରୁଥିବା କଥାକୁ ଇଣ୍ଡିଗୋ ଘଟଣା ପୁଣି ଥରେ ମନେପକାଇ ଦେଇଛି। ବିଶ୍ୱରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ଆଭିଏସନ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri