ଅବକାରୀ ନୀତିରେ ମହିଳାଙ୍କ ସହଭାଗିତା

ଓଡ଼ିଶାରେ ବହୁଳ ମଦ କାରବାର ହେତୁ ନୂତନ ସରକାରଙ୍କ ଉପରେ ଏକ ମଦ ବିରୋଧୀ ନୀତି ପ୍ରବର୍ତ୍ତନ ପାଇଁ ପ୍ରବଳ ଜନମତ ସୃଷ୍ଟି ହେଉଥିଲା। ଏହାକୁ ନିର୍ଦ୍ଦିଷ୍ଟ ଭାବେ ଦୃଷ୍ଟିରେ ରଖି ନୂତନ ଅବକାରୀ ନୀତି ଆଗତ କରିବାକୁ ସରକାର ଯୋଜନା ରଖିଛନ୍ତି। ସରକାରୀ ସୂତ୍ରରୁ ପ୍ରକାଶିତ ଖବର ଅନୁଯାୟୀ, ନୂତନ ନୀତି ରାଜ୍ୟର ସାମାଜିକ, ଆର୍ଥିକ ସ୍ଥିତି ତଥା ଜନସ୍ବାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିଶା କାରବାରକୁ ଅଧିକ ସୁବ୍ୟବସ୍ଥିତ ଏବଂ ନିୟନ୍ତ୍ରିତ ହେବା ଲକ୍ଷ୍ୟ ରଖିଛି, ଯାହା ପ୍ରତି ତିନି ବର୍ଷରେ ପରିବର୍ତ୍ତନ ହେବ। ନୂତନ ଅବକାରୀ ନୀତିରେ ମଦ ନିଷେଧ ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ ତେବେ ସରକାରୀ ସ୍ତରରେ ଆର୍ଥିକ କଠିନତା ଭଳି ଆହ୍ବାନକୁ ସାମ୍ନା କରିବା ସ୍ପଷ୍ଟ। ଅବକାରୀ ରାଜସ୍ବ ଆଦାୟ ପରିମାଣ ୮,୬୮୦ କୋଟି ଟଙ୍କା ୨୦୨୫ ସୁଦ୍ଧା ପହଞ୍ଚତ୍ବାକୁ ଓଡ଼ିଶା ସରକାର ଲକ୍ଷ୍ୟ ରଖିଥିବା ବେଳେ ଏହା ରାଜ୍ୟ ରାଜସ୍ବ ଆୟର ଶତକଡା ୧୪.୭ ଭାଗ କୁହାଯାଏ। ୨୦୨୨-୨୩ ବେଳକୁ ରାଜସ୍ବ ଆଦାୟ ୬,୪୫୫ କୋଟିରେ ପହଞ୍ଚିଥିଲା। ବର୍ତ୍ତମାନ ରାଜସ୍ବ ବୃଦ୍ଧି ଆଶାତୀତ ହେଉଥିବା ସରକାରୀ ସ୍ତରରେ ଖୁସିର ବିଷୟ ହୋଇଥିବା ବେଳେ ସାମାଜିକ ସ୍ତରରେ ବର୍ତ୍ତମାନ ଆବାଳ ବୃଦ୍ଧବନିତାଙ୍କୁ ମଦ ଗ୍ରାସ କରିବା ପରିତାପର ବିଷୟ। ଏପରି ସ୍ଥିତିରେ ମଦ ନିୟନ୍ତ୍ରଣ କ୍ଷମତା ‘ମିଶନ ଶକ୍ତି’ ମହିଳାମାନଙ୍କୁ ହସ୍ତାନ୍ତର କରି ଗୃହଲକ୍ଷ୍ମୀମାନଙ୍କୁ ସରକାର ଅଧିକ ବିଶ୍ୱାସକୁ ଯଦି ନିଅନ୍ତେ ତେବେ ନିଜ ଘରେ ଥିବା ମଦ୍ୟପ ପୁରୁଷଙ୍କୁ ନିୟନ୍ତ୍ରଣ କରିବା ସହ ଗାଁ ଗହଳିରେ ଅତ୍ୟଧିକ ମଦ୍ୟପ ସୃଷ୍ଟି ଉପରେ ଅବଶ୍ୟ ଅଙ୍କୁଶ ଲାଗିପାରନ୍ତା। ମିଶନ ଶକ୍ତି ସ୍ବୟଂ ସହାୟିକା ମହିଳାମାନେ ନିଜର ଅର୍ଥ ଉପାର୍ଜନ କ୍ଷମତା ବୃଦ୍ଧିରେ ବିଶେଷ ସକ୍ଷମ ହୋଇ ବିଗତ ଦିନଗୁଡ଼ିକରେ ନିଜର ଦକ୍ଷତା ପ୍ରମାଣିତ କରିପାରିଛନ୍ତି। ଭାରତବର୍ଷରେ ଓଡ଼ିଶା ଏପରି ଅନନ୍ୟ ରାଜ୍ୟ, ଯେଉଁଠାରେ ନାରୀ ସମାଜକୁ ମିଶନ ଶକ୍ତି ମାଧ୍ୟମରେ ସରକାର ରୂପାନ୍ତରିତ କରି ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଯେକୌଣସି ସ୍ବୀକୃତିପ୍ରାପ୍ତ ମଦ ଦୋକାନ ପାଖରେ ପ୍ରବଳ ଭିଡ଼ ହେବା ସହିତ ପାରିପାର୍ଶ୍ୱିକ ଅବସ୍ଥା ମଦ୍ୟପଙ୍କ ଦ୍ୱାରା କଳୁଷିତ ହୋଇଉଠୁଛି। କୋଭିଡ୍‌ ମଦ ବନ୍ଦ ପରବର୍ତ୍ତୀ ଅବସ୍ଥାରେ ମଦ ଦୋକାନ ଖୋଲିବା କ୍ଷଣି ମାଇଲ ମାଇଲ ଲମ୍ବା ଲାଇନରେ ଠିଆ ହୋଇ ଜନସାଧାରଣ ମଦ ସଂଗ୍ରହ କରିବା, ମଦ ପ୍ରତି ଅହେତୁକ ଦୁର୍ବଳତା ପ୍ରତିପାଦିତ କରିବା କୌତୂହଳର କାରଣ ନିଶ୍ଚୟ। ସାମାଜିକ କର୍ମୀ ତଥା ବୟସ୍କ ଗୋଷ୍ଠୀ ମଦ ନିଷେଧ କରିବାକୁ ଦାବି କରିବା ପଛରେ ଅନେକ କାରଣ ରହିଛି। କୌଣସି ପାର୍କ କିମ୍ବା ମନୋରଞ୍ଜନ ସ୍ଥଳରେ ମଦ୍ୟପଙ୍କ ଆଡ୍ଡା ଜମୁଥିବା ଦେଖାଯାଏ କିମ୍ବା ଖାଲି ମଦ ବୋତଲ ଗଡୁଥିବା ଦୃଶ୍ୟ ହୁଏ। ଏପରି ସ୍ଥଳକୁ ପରିବାର ସହିତ ଭ୍ରମଣ ଅସମ୍ଭବ ହୋଇଥାଏ। ସ୍କୁଲ କଲେଜ ଛାତ୍ରୀଛାତ୍ରମାନେ ଏହାର କବଳିତ। ଶିକ୍ଷାନୁଷ୍ଠାନ ନିକଟ ପରିଧିରେ ମଦ ବିକ୍ରି ହେବା ଦ୍ୱାରା ଛାତ୍ରୀଛାତ୍ର ନିଶାସକ୍ତ ହୋଇ ଅନୁଷ୍ଠାନର ପବିତ୍ରତାକୁ କଳୁଷିତ କରିବା ସହ ନିଜ ଭବିଷ୍ୟତ ନଷ୍ଟ କରୁଛନ୍ତି। ଅନେକ ଲୁକ୍କାୟିତ କାରଣ ଯୋଗୁ ଆଜି ଓଡ଼ିଶାର ଗଳିକନ୍ଦିରେ ମାଦକ ଦ୍ରବ୍ୟ ସହଜେ ଉପଲବ୍ଧ, ଯଦ୍ଦ୍ବାରା ଛାତ୍ର ଓ ଯୁବଗୋଷ୍ଠୀ ପଥଭ୍ରଷ୍ଟ।
ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌) ଅନୁଯାୟୀ ଓଡ଼ିଶାରେ ୧୫ ବର୍ଷରୁ ଅଧିକ ମହିଳାଙ୍କ ସଂଖ୍ୟା ମଦ୍ୟପ ଭାବେ ବୃଦ୍ଧି ପାଇବାରେ ଲାଗିଛନ୍ତି। ଗ୍ରାମାଞ୍ଚଳର ୧୫ ବର୍ଷରୁ ଅଧିକ ବୟସ ପୁରୁଷ ଓ ମହିଳା ସହରାଞ୍ଚଳ ଅପେକ୍ଷା ଅଧିକ ମଦ୍ୟପାନରେ ଲିପ୍ତ। ସେହିପରି ଶତକଡ଼ା ୩୦.୨ ପ୍ରତିଶତ ଗ୍ରାମାଞ୍ଚଳର ପୁରୁଷ ମଦ୍ୟପାନ କରୁଥିବା ବେଳେ ସହରାଞ୍ଚଳରେ ଏହା ୨୨.୭ ପ୍ରତିଶତରେ ସୀମିତ। ଦେଖାଯାଏ, କୌଣସି ବିବାହ ବା ମାଙ୍ଗଳିକ କାର୍ଯ୍ୟକ୍ରମରେ ମଦ ପରିବେଷଣ ଯୁବ ଗୋଷ୍ଠୀଙ୍କ ନିମନ୍ତେ ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ମଦ୍ୟପାନ ଯେପରି ଏକ ଆଭିଜାତ୍ୟତନ୍ତ୍ରର ପରିଚୟ ଭାବେ ଏକ ଛଦ୍ମ ଭ୍ରମ ଜାଲ ସୃଷ୍ଟି କରିଛି।
୧୯୯୨ ମସିହା କଟକ ଲୋମହର୍ଷଣକାରୀ ୨୦୦ରୁ ଅଧିକ ମଦ ମୃତ୍ୟୁ ତତ୍କାଳୀନ ଜନତା ଦଳ ସରକାରକୁ ଦୋହଲାଇ ଦେଇଥିଲା। ପରେ ୨୦୦୬ ଓ ୨୦୦୯ ମସିହାରେ ବ୍ରହ୍ମପୁର ଓ ଖୋର୍ଦ୍ଧା ଜିଲାରେ ପୁନଶ୍ଚ ଅନୁରୂପ ଅଘଟଣ ସାମ୍ନାକୁ ଆସିଥିଲା, ଯେଉଁଥିରେ ଯଥାକ୍ରମେ ୨୬ ଓ ୩୦ ଜଣ ପ୍ରାଣ ହରାଇଥିଲେ। ଏବେ ବି ବଡ଼ ଆକାର ନ ହେଲେ ମଧ୍ୟ ମଦମୃତ୍ୟୁ ଖବର ସ୍ଥାୟୀ ଅନ୍ତରରେ ଖବରକାଗଜ ପୃଷ୍ଠାରେ ଦେଖିବାକୁ ମିଳେ। ମଦ ଯେ ବିଭିନ୍ନ ପ୍ରକାର ହିଂସା ଓ ଅପରାଧର କାରଣ ତାହା ପ୍ରମାଣିତ। ବିଜ୍ଞାନ କହେ ଅତ୍ୟଧିକ ମଦ୍ୟପାନ ଦ୍ୱାରା ନିରପେକ୍ଷତା, ଭଲ ମନ୍ଦ ବିଚାର କ୍ଷମତା ହ୍ରାସ ସହିତ ଉଗ୍ରତା ମଣିଷ ଶରୀରରେ ବୃଦ୍ଧିପାଏ। ଏହା ଦ୍ୱାରା ସାମୟିକ ଅନ୍ଧ ପାଲଟି ସାଧାରଣ ମଣିଷ ବିଭିନ୍ନ ଅପରାଧ କରିବା ଯୋଗୁ ଆଜି ଓଡ଼ିଶା ସମେତ ଦେଶରେ ଅପରାଧ ସୂଚକାଙ୍କ ବୃଦ୍ଧି ପାଉଛି।
ନୂତନ ସରକାରଙ୍କ ପାଇଁ ମଦ ନିଷେଧାଜ୍ଞା ଆଦେଶ ହିମାଳୟ ସଦୃଶ ବାଟ ଓଗାଳୁଛି ନିଶ୍ଚିତ। ଏହାର କାରଣ ହେଲା ପ୍ରାୟ ୯୦୦୦ କୋଟି ଟଙ୍କାର ରାଜସ୍ବ ଆଦାୟ। ଏତେ ବଡ଼ ପରିମାଣ ଅନାଦାୟ ହେଲେ ସରକାର ବିକାଶମୁଖୀ କାର୍ଯ୍ୟ ସମ୍ପାଦନ କରିବେ କିପରି! ବିତ୍ତ ଅଧିକାରୀମାନଙ୍କ ମୁଣ୍ଡବିନ୍ଧା କାରଣ ନିଶ୍ଚୟ ହେବ। ହେଲେ, ଜନମଙ୍ଗଳକାରୀ ରାଷ୍ଟ୍ରରେ ସରକାରଙ୍କ ଦାୟିତ୍ୱ ହେଲା ଜନସାଧାରଣଙ୍କ କୁଶଳ ଓ ନିରାମୟ ଜୀବନଯାପନ ସହିତ ଏକ ଭୟ ମୁକ୍ତ, ସ୍ବାଚ୍ଛନ୍ଦ୍ୟ ଭରା ସମାଜ ଗଠନ। ନାଗରିକ ସୁସ୍ଥ ଓ ସ୍ବଚ୍ଛ ପରିବେଶରେ ରହିଲେ ଦେଶର ଜିଡିପି ବୃଦ୍ଧିରେ ସହାୟକ ହୋଇପାରିବ, କିନ୍ତୁ ରୁଗ୍ଣ ହେଲେ ନୁହେଁ। ବିହାର ସରକାର ୨୦୧୫-୧୬ ଆର୍ଥିକ ବର୍ଷରେ ୩,୧୪୬ କୋଟି ମଦ ରାଜସ୍ବ ପାଉଥିବା ବେଳେ ୨୦୧୬ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମ୍ପୂର୍ଣ୍ଣ ମଦ ବନ୍ଦ ଘୋଷଣା କରିଥିଲେ। ଫଳରେ ୨୦୧୬-୧୭ରେ ତାହା ୨୯ କୋଟିକୁ ଖସି ଆସିଥିଲା। ତଥାପି ସରକାର ଜନତାଙ୍କ ପ୍ରତି ପ୍ରତିବଦ୍ଧତା ଦେଖାଇ ନିଜ ନିଷେଧାଜ୍ଞା କାଏମ ରଖିଛନ୍ତି।
ମହିଳାମାନଙ୍କୁ ଦାୟିତ୍ୱ ଦେବା ସରକାର ଚିନ୍ତା କରିପାରନ୍ତି। ନିର୍ଦ୍ଦିଷ୍ଟ କେଉଁ ବର୍ଗର ଲୋକଙ୍କୁ ମଦ୍ୟ ଯୋଗାଇ ଦିଆଯିବା ଉଚିତ ନିର୍ଦ୍ଧାରଣ କରିବାକୁ ହେବ। ୨୧ ବର୍ଷରୁ କମ୍‌ ବୟସ୍କଙ୍କୁ ମଦ ନିହାତି ପକ୍ଷେ ନିଷେଧ କରିବା ସହିତ ସେମାନଙ୍କ ପାଇଁ ନିଶା ସେବନ ଧର୍ତ୍ତବ୍ୟ ଅପରାଧ ଆଖ୍ୟା ଦିଆଯିବା ବିଧେୟ। ମଦ ସମ୍ପୂର୍ଣ୍ଣ ବାରଣ କରିବା ବୋଧେ ସରକାରୀ ଭାବେ ସମ୍ଭବ ନୁହେଁ,କିନ୍ତୁ ମଦ୍ୟପଙ୍କୁ ନିରୁତ୍ସାହିତ କରିବା ପାଇଁ ସଶକ୍ତ ଦଣ୍ଡ ବିଧାନ ସହିତ ଆକାଶଛୁଆଁ ଟିକସ ଦେଲେ ହୁଏତ ଆର୍ଥିକ ଦୁର୍ବଳ ଗୋଷ୍ଠୀ ଏଥିରୁ ବିରତ ହୋଇପାରନ୍ତି। ଗୃହଲକ୍ଷ୍ମୀ ଓ ମହିଳାଙ୍କ ପାଖରେ ‘ପେଟେଣ୍ଟ ମେଡିସିନ’ ଉପଲବ୍ଧ, ଯେଉଁଥିପାଇଁ କୌଣସି ସ୍ବାମୀ ମାତାଲ ଅବସ୍ଥାରେ ନିଜ ସ୍ତ୍ରୀ ସାମ୍ନାକୁ ଯିବାକୁ ଭୟ କରନ୍ତି। ମିଶନ ଶକ୍ତି ମହିଳାଙ୍କୁ ମଦ୍ୟ ନିୟନ୍ତ୍ରଣ ସହିତ ସୁବ୍ୟବସ୍ଥିତ ପଦ୍ଧତି ମାଧ୍ୟମରେ ବଣ୍ଟନ କାର୍ଡ ଦ୍ୱାରା ଅନ୍‌ଲାଇନ ହିସାବ ରଖି ନିୟନ୍ତ୍ରିତ ଆକାରରେ ମଦ୍ୟ ବିକ୍ରି କରାଗଲେ ଉଦ୍ଦେଶ୍ୟ ଚରିତାର୍ଥ ହେବ। ମହିଳା ସାଧାରଣତଃ ଘରୋଇ ହିଂସାର ଶିକାର ହୋଇ ବିବାହ ବିଚ୍ଛେଦ ଓ ନିର୍ଯାତନାର ସର୍ବାଧିକ ଅଭିଜ୍ଞ, ତେଣୁ ସେମାନଙ୍କ ଏପରି ମହତ କାର୍ଯ୍ୟରେ ନିୟୋଜନ ମଦ ବିକ୍ରି ନିୟନ୍ତ୍ରଣରେ ସୁଧାର ନିଶ୍ଚିତ ଆଣିପାରିବ। ନାରୀଶକ୍ତି ପରିଶ୍ରମ କରିବା ବେଳେ ଛତୁଫୁଟିଲା ଭଳି ମଦ ଦୋକାନ ଖୋଲିବା ଉପରେ ଅଙ୍କୁଶ ଲାଗିବା ସହିତ ପରିଚୟ ଓ ବୟସ ପ୍ରମାଣପତ୍ର ଦେଖାଇ ମଦ ବିକ୍ରୟ କରିବା ଭଳି ଆଇନ ଜରୁରୀ। ମିଶନ ଶକ୍ତି ଉଦ୍ୟମ, ଅବକାରୀ ଓ ପୋଲିସ ବିଭାଗଙ୍କ ମିଳିତ ତ୍ୱରିତ ଓ ବିହିତ କଠୋର କାର୍ଯ୍ୟାନୁଷ୍ଠାନ ନିହାତି ସମୟୋପଯୋଗୀ।

ଡ. ମାନସ ରଞ୍ଜନ ଶତପଥୀ
ଅଧ୍ୟକ୍ଷ, ମଡେଲ ଡିଗ୍ରୀ କଲେଜ, ନୟାଗଡ଼
ମୋ-୯୪୩୭୪୭୯୦୪୫


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri