ରୋଗଶଯ୍ୟାରେ ଯୋଗଚର୍ଚ୍ଚା

ଆଲୋଚ୍ୟ ଶୀର୍ଷକଟି ଆଜିର ଅବ୍ୟବସ୍ଥିତ, ଅସନ୍ତୁଳିତ ତଥା ବିଶୃଙ୍ଖଳିତ ଜୀବନଚର୍ଯ୍ୟା ପାଇଁ ପ୍ରାସଙ୍ଗିକ। ଘରେ ଘରେ ଆଦୃତ ଓଡ଼ିଆ ଲୋକକଥା ଶ୍ମଶାନ ବୈରାଗ୍ୟ ବାବଦରେ ଆମେ ପ୍ରାୟତଃ ଜାଣୁ। ହଠାତ ଯଦି କେହି ଜଣାଶୁଣା କିମ୍ବା ବନ୍ଧୁକୁଟୁମ୍ବ ଅବା ଅପରିଚିତ ବ୍ୟକ୍ତିଙ୍କ ନିଧନ ହୋଇଗଲା ଏବଂ ଆମେ ତାଙ୍କ ପାର୍ଥିବ ଶରୀରକୁ ଶ୍ମଶାନକୁ ନେବା କିମ୍ବା ଚିତା ଜଳୁଥିବା ଦୃଶ୍ୟ ଦେଖି ତୁରନ୍ତ ବୈରାଗ୍ୟ ଉଦ୍ରେକ ହୋଇଯାଏ। ଜୀବନ ତୁଚ୍ଛ ଲାଗେ। କିନ୍ତୁ ତା’ପରେ ଆମେ ସେସବୁ ଭୁଲି ପୁଣି ଯଥା ପୂର୍ବଂ ତଥା ପର ସ୍ଥିତିର ପ୍ରବର୍ତ୍ତକ, ପ୍ରଚାରକ ଓ ପୃଷ୍ଠପୋଷକ ବନିଯାଉ। ସେମିତି ରୋଗଶଯ୍ୟାରେ ପଡ଼ିଲେ ଆମକୁ ଯୋଗସାଧନା, ନିୟମିତ ବ୍ୟାୟାମ, ଖାଦ୍ୟ, ଦିନଚର୍ଯ୍ୟା ସବୁ ମନେପଡ଼େ। ଦିବ୍ୟଜ୍ଞାନ ପ୍ରାପ୍ତ ହୋଇ ମନକୁ ବୁଝାଇ ଦେଉ ଶରୀର ପ୍ରତି ଏତେ ଅନ୍ୟାୟ କରିବା ଠିକ୍‌ ନୁହେଁ। ପେଟଟାକୁ ଡଷ୍ଟବିନ୍‌ ଭାବି ଯେଉଁଠି ଯାହା ମିଳୁଛି ଭର୍ତ୍ତି କରିବା ଠିକ୍‌ ନୁହେଁ। ଜିହ୍ବା ଲାଳସାକୁ ଚରିତାର୍ଥ କରିବାକୁ କେତେ ଅନ୍ୟାୟ ହୋଇଛି। ପାଟି ସ୍ବାଦ ପାଇଁ କେତେ ଫାଷ୍ଟଫୁଡ୍‌ ଖାଇଛେ। ଶାକାହାରୀଙ୍କୁ କେତେ ଉପହାସ କରିଛେ। ସ୍ଥାନେ ସ୍ଥାନେ ବସି ପ୍ରାଣାୟାମ କରୁଥିବା ଲୋକଙ୍କୁ କେତେ କଟାକ୍ଷ ଓ ପରିହାସ କରିଛେ ହିସାବ ନାହିଁ। ଏମିତି ପ୍ରାତଃ ଭ୍ରମଣରେ ଯାଉଥିବା ଲୋକମାନଙ୍କୁ କାମ ନଥିବା ଲୋକ କହିଛେ। ବିଳମ୍ବିତ ରାତିରେ ଭୋଜନ କରିବାକୁ ସମ୍ଭ୍ରାନ୍ତ ଭାବିଛେ। ସୂର୍ଯ୍ୟୋଦୟର ବହୁ ଘଣ୍ଟା ପରେ ଉଠିବାକୁ ବଡ଼ଲୋକି ମଣିଛେ। ଓଃ କି ଯନ୍ତ୍ରଣା। ବୟସ କମ୍‌ ଥିବାରୁ ଜଣା ପଡୁନଥିଲା। ବୟସ ଖସିବା ପରେ ଏବେ ଜଣାପଡୁଛି ସମ୍ପୂର୍ଣ୍ଣ ଜୀବନ କେତେ ଅବ୍ୟବସ୍ଥିତ ଥିଲା। ଆଉ ସେ ଭୁଲ୍‌ ହେବ ନାହିଁ। ଡାକ୍ତର ଭଗବାନ ଏଥରଟା ଭଲ କରିଦିଅନ୍ତୁ, ତା’ପରେ ଜୀବନଚର୍ଯ୍ୟା ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଓ ଅନୁଶାସିତ ହୋଇଯିବ। ଶରୀର ଅନୁସାରେ ଜୀବନ ବିତିବ ଓ ଖାଦ୍ୟପେୟ ଶରୀର ଉପଯୋଗୀ ଓ ମନ ମସ୍ତିଷ୍କ ଅନୁକୂଳ ହେବ। ବ୍ରହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗଠାରୁ ରାତ୍ରି ଶୟନ ଯାଏ ଜୀବନଚର୍ଯ୍ୟା ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ଅନୁଶାସନ ଯୁକ୍ତ ହେବ, ଇତ୍ୟାଦି ପ୍ରତିଶ୍ରୁତି,ପ୍ରତିଜ୍ଞା ତଥା ପ୍ରତିଶ୍ରୁତିବଦ୍ଧତା ରୋଗଶଯ୍ୟାରେ ପଡିଥିବା ବେଳେ ମନକୁ ଆସେ।
କିନ୍ତୁ ଡାକ୍ତରଖାନାରୁ ଛୁଟିର କିଛି ଦିନ ପର୍ଯ୍ୟନ୍ତ ସବୁ କାମ ବ୍ୟବସ୍ଥିତ ହୁଏ। ସଅଳ ସଅଳ ଉଠି ନିତ୍ୟକର୍ମ ସାରି ଯୋଗାସନ, ପ୍ରାଣାୟମ ଓ ଆବଶ୍ୟକତା ଅନୁଯାୟୀ ଶାରୀରିକ ବ୍ୟାୟାମ ହୁଏ। ଖାଦ୍ୟାଭ୍ୟାସ ମଧ୍ୟ ଭଲ ରହେ। କିନ୍ତୁ କିଛି ଦିନ ପରେ ଆଉ ଡାକ୍ତରଖାନାର ରୋଗଶଯ୍ୟା ମନେ ପଡେନା। ମୁଠା ମୁଠା ଔଷଧ ଗିଳିବାର କଷ୍ଟ ଭୁଲିଯାଏ। ରୋଗଶଯ୍ୟାରେ ଦେବଦେବୀଙ୍କୁ ବିକଳ ହୋଇ ଡାକିବା କଥାକୁ ହେୟଜ୍ଞାନ ମନେହୁଏ। ଡାକ୍ତରଙ୍କ ପରାମର୍ଶକୁ ଶର୍ଟକର୍ଟ ଉପାୟରେ ମାନିବାକୁ ଇଚ୍ଛା ହେବ। ପୁଣି ଜିହ୍ବା ଲାଳସା ତିବ୍ରତର ହୁଏ। ପେଟଟାକୁ ଆମଦାନୀ ହୋଇଥିବା ଦାମୀ କଚଡା ଡବା(ଡଷ୍ଟବିନ) କରିବା ପାଇଁ ସବୁ ଚେଷ୍ଟା ହୁଏ। ଏମିତି ବି ବିଚାର ଆସେ ସଂସାରକୁ ଆସିଛେ ମାନେ ଉପଭୋଗ କରିବା କଥା। କିଏ ଜାଣେ ଆସନ୍ତାକାଲି କ’ଣ ହେବ? ଚର୍ବକଙ୍କ ଆଜ୍ଞାକାରୀ ଶିଷ୍ୟ ଭଳି ଋଣ କରି ଅୟସରେ ରହିବାରୁ ମନ ବିଳିବିଳାଏ। ଶକ୍ତିଶାଳୀ ଇନ୍ଦ୍ରିୟମାନଙ୍କ ଶକ୍ତି ଆଗରେ ବୁଦ୍ଧି ବିବେକ ଆତ୍ମସମର୍ପଣ କରେ। ପୁଣି କୁଅଭ୍ୟାସ ରୀତିମତ ଚାଲେ ଆଗାମୀ ଶାରୀରିକ ଅସୁସ୍ଥତା ଯାଏ।
ବାସ୍ତବରେ ଆଜି ଆମ୍ଭେମାନେ ଯେଭଳି ଭାବରେ ବିଭିନ୍ନ ରୋଗର ଶିକାର ହେଉଛେ ଏହାର ପ୍ରମୁଖ କାରଣ ଆମର ଅସନ୍ତୁଳିତ ଦିନଚର୍ଯ୍ୟା ଓ ଖାଦ୍ୟାଭ୍ୟାସ। ମୋର ଠିକ୍‌ ମନେ ପଡୁଛି ପିଲାବେଳ କଥା। ପ୍ରାୟ ପଚିଶ ତିରିଶ ବର୍ଷ ଯାଏ ଆମେ ରୋଗ କହିଲେ ସାମାନ୍ୟ ଥଣ୍ଡା କାଶ, ଋତୁକାଳୀନ ଜ୍ବର, ହାଡଫୁଟି, ମିଳିମିଳା, ବସନ୍ତ ବା ବାର୍ଦ୍ଧକ୍ୟ ଜନିତ ରୋଗବ୍ୟାଧିକୁ ବୁଝୁଥିଲୁ। ସେତେବେଳେ ଏଭଳି ରୋଗଗୁଡିକର ଘରୋଇ ପ୍ରତିକାର ଥିଲା। ଘରର ମାଆବାପା ବା ବରିଷ୍ଠ ସଦସ୍ୟ ସଦସ୍ୟାମାନେ ଚେରମୂଳି ବା ସ୍ବତନ୍ତ୍ର ଖାଦ୍ୟ ମାଧ୍ୟମରେ ଭଲ କରିଦେଉଥିଲେ। ବେଳେବେଳେ ଔଷଧ ସେବନ ହେଉଥିଲା। ସେଥିପାଇଁ ଆମ ଅଞ୍ଚଳରେ ଗୋଟିଏ ମାତ୍ର ଔଷଧ ଦୋକାନ ଥିଲା ତାହା ପୁଣି ଲୁଗାଦୋକାନ ସହ। ବହୁତ କମ୍‌ ଔଷଧ ବିକ୍ରି ହେଉଥିଲା । ସେତେବେଳେ ଖାଦ୍ୟପଦାର୍ଥ ସମ୍ପୂର୍ଣ୍ଣ ଜୈବିକ ଥିଲା। ପ୍ରତି ଘରେ ଶାଗ, ଫଳମୂଳ, ପନିପରିବା ଚାଷ ହେଉଥିଲା। ପନିପରିବା କିଣା କହିଲେ କେବଳ ଆଳୁ ତାହା ପୁଣି କୁଣିଆ ବନ୍ଧୁବାନ୍ଧବ ଆସିଲେ ଅବା ପର୍ବପର୍ବାଣି ପଡିଲେ। ଶାଗ, କୌଣସି ବି ମଞ୍ଜି ଜାତୀୟ ଶସ୍ୟ (ମୁଗ, କାନ୍ଦୁଲ ବା ହରଡ, ବାଇଲ, ଶିମ୍ବ, ଡଙ୍ଗରରାଣୀ, ମଟର, ବୁଟ ଏପରିକି ବିରି) ସିଝା ବା ତରକାରି ହେଉଥିଲା। ମସଲା କହିଲେ ଆଜିକାଲି ଭଳି ବଜାରରେ ଉପଲବ୍ଧ ଭଳିକି ଭଳି ରସାୟନିକ ମସଲା ନ ଥିଲା।
ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନାଦି ନିତ୍ୟକର୍ମ ସୂର୍ଯ୍ୟୋଦୟ ପୂର୍ବରୁ କରିବା ଏପ୍ରକାର ଅଲିଖିତ ନିର୍ଦ୍ଦେଶନାମା ଥିଲା। ଠାକୁରଙ୍କୁ ମୁଣ୍ଡିଆ ମାରି ଚୁଡ଼ା ଗୁଡ଼ ନଡ଼ିଆ କଦଳୀ ମିଶା ଜଳଖିଆ କିମ୍ବା ବାସି ପଖାଳ ବା ମାଣ୍ଡିଆ ଜାଉ ସକାଳର ଖାଇବା ଥିଲା। ବେଳେବେଳେ ବିରି ଚକୁଳି, ମୁଗପୁଳି, ଏଣ୍ଡୁରି (ଇଡିଲି ଏତେ ଆଦୃତ ନଥିଲା) ଆଦି ମଧ୍ୟ ସକାଳ ଆହାରର ଅଂଶବିଶେଷ ଥିଲା। ଗାଧୁଆ ପୂର୍ବରୁ ତୈଳ ମର୍ଦ୍ଦନ ବାଧ୍ୟତାମୂଳକ ଥିଲା। ସାବୁନ ଶାମ୍ପୁ ଆଦିର ବ୍ୟବହାର ବହୁତ କମ ଥିଲା। ଘରର ବଡଲୋକମାନେ କଥା ଛଳରେ କହୁଥିଲେ – ଗାଧୁଆ ଆଗରୁ ଲଗାଅ ତେଲ, ବଇଦ ସାଙ୍ଗରେ କରିବ ଗେଲ। ସପ୍ତାହର ଥରେ ନିମ୍ବ ବା ଭୂଇଁ ନିମ୍ବ ପିତା ଓ କଞ୍ଚାହଳଦୀ ପାଣି ବା ହଳଦୀବଟା ଖାଇବା ବା ଦେହରେ ବୋଳିହେବା ଏକପ୍ରକାର ପରମ୍ପରା ଥିଲା। ବସନ୍ତ ଋତୁ ପୂର୍ବରୁ ନିମ୍ବ ଫୁଲ ତରକାରି ବା ଭଜା ଓ ଘର ଦ୍ବାର ବନ୍ଧ ଆଗରେ ନିମ୍ବ ଡାଳ ମାଳ ବାନ୍ଧିବା ଏକ ପ୍ରଥା ଥିଲା। ଜେଜେମା କହୁଥିଲେ ଏହାଦ୍ବାରା ହାଡଫୁଟି ଭଳି ବାୟୁବାହିତ ରୋଗ ହେବ ନାହିଁ।
ଆଜି କିନ୍ତୁ ସମୟ ବଦଳିଛି। ଉଠିବା,ଶୋଇବା,ଖାଇବା ଆଦିରେ କୌଣସି ନୀତିକାନ୍ତି ନାହିଁ। ଯେତେବେଳେ ମନ ହେଲା ଖାଇଲେ,ଶୋଇଲେ ଉଠିଲେ। ଖାଦ୍ୟମଧ୍ୟ ସ୍ବାସ୍ଥ୍ୟପ୍ରଦ ପରିବର୍ତ୍ତେ ଜିହ୍ବା ଲାଳସାକୁ ଚରିତାର୍ଥ କରିବା ପାଇଁ ଉଦ୍ଦିଷ୍ଟ। ସେତେବେଳେ ଔଷଧ ଦୋକାନରେ ଯେତିକି ଔଷଧ ରହୁଥିଲା ଆଜିକାଲି ଘରେ ଘରେ ତାଠୁ ବେଶି। ଔଷଧ ଦୋକାନ ସବୁଆଡ଼େ। ଡାକ୍ତରମାନଙ୍କ ବେସରକାରୀ ଚିକିତ୍ସା ପସରା ମଧ୍ୟ ଖୁବ୍‌ ଜମୁଛି। ରୋଗୀଙ୍କ ଭିଡ଼ ମଧ୍ୟ ଅସମ୍ଭାଳ। ହେଲେ ଏସବୁର କାରଣ ଯେ ଆମର ବୈଚାରିକ ପରିବର୍ତ୍ତନ ଆମେ ବୁଝିପାରୁନୁ। ଅସନ୍ତୁଳିତ ଦିନଚର୍ଯ୍ୟା ଓ ଖାଦ୍ୟାଭ୍ୟାସ ଯେ ଏସବୁର ମୂଳ କାରଣ ଆମେ ଜାଣି ଅଜଣା ହେଉଛୁ। କେବଳ ରୋଗଶଯ୍ୟାରେ ହିଁ ଯୋଗ ଚର୍ଚ୍ଚା କରୁଥିବା ଏ ବଡ଼ ବୁଦ୍ଧିଆମାନଙ୍କୁ କହିକି କି ଲାଭ! ଏମାନଙ୍କ ପାଇଁ ପେଟଟା କଚଡା ଡବା ଓ ଜିଭ ଟେଷ୍ଟିଙ୍ଗ ସେଣ୍ଟର।
ଚାଲୁ। ସମୟ କିନ୍ତୁ ନିଶ୍ଚୟ ସବୁକଥା ଶିଖେଇଦେବ। ତଥାପି ଆଶା କରିବା ଏ ଉଗ୍ର ଆଧୁନିକ ମଣିଷ ଅନ୍ତତଃ ନିଜ ଶରୀରକୁ ନ୍ୟାୟ ଦେଉ। ନହେଲେ ବିଦେଶୀ ଔଷଧ ଡବା ଧରିବୁଲୁଥିବ।

ଡ. ମନୋରଞ୍ଜନ ପ୍ରଧାନ
ବିକ୍ରମ ଦେବ ବିଶ୍ବବିଦ୍ୟାଳୟ,
ଜୟପୁର, କୋରାପୁଟ
ମୋ-୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri