ଗ୍ରୀଷ୍ମ ଲହରିରେ ପଶୁପକ୍ଷୀ ପାଣି ବିନା ଡହଳବିକଳ ହେଉଛନ୍ତି ଓ ଖାଦ୍ୟ ପାଇପାରୁନାହାନ୍ତି। ଫଳରେ ସେମାନେ ଅସୁସ୍ଥ ହୋଇପଡ଼ୁଛନ୍ତି ଓ ଅନେକ କ୍ଷେତ୍ରରେ ସେମାନଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ରାଜସ୍ଥାନରେ ଏଭଳି ଜଳ ଓ ଖାଦ୍ୟ ସଙ୍କଟ ଦୂର କରି ପ୍ରାଣୀଙ୍କ ଜୀବନ ରକ୍ଷା କରିବା ପାଇଁ ‘ଜୀବଜନ୍ତୁ ପ୍ରେମୀ ବନ୍ଧୁ ସଂସ୍ଥା’(ପିଏଫ୍ଏ)ର ସଦସ୍ୟମାନେ ୩୫ଟି ଗାଁରେ ପଶୁପକ୍ଷୀଙ୍କ ପାଇଁ ପିଇବା ପାଣି ଓ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି। ପିଏଫ୍ଏରେ ୬୯୦ ସଦସ୍ୟ ଅଛନ୍ତି। ସେମାନେ ଗାଁଗୁଡ଼ିକରେ ପାଣି ଟାଙ୍କି ନିର୍ମାଣ କରିବା ସହ ପୋଖରୀଗୁଡ଼ିକର ପୁନରୁଦ୍ଧାର କରୁଛନ୍ତି। ଯୋଧପୁର ନିକଟସ୍ଥ ବଓ୍ବାର୍ଲା ଗାଁରେ ପ୍ରଥମେ ୭ଜଣ ସରକାରୀ କର୍ମଚାରୀ ଏକାଠି ହୋଇ ପାତ୍ରରେ ପାଣି ଓ ଖାଦ୍ୟ ରଖିବା ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ନିଜେ ଟଙ୍କା ଦେଇ ଏହା କରିଥିଲେ। ପରେ ସେମାନେ ମାର୍ଚ୍ଚ ୨୦୨୧ରେ ‘ଜୀବଜନ୍ତୁ ପ୍ରେମୀ ବନ୍ଧୁ ସଂସ୍ଥା’ ଗଠନ କରି ମାସକୁ ପ୍ରତ୍ୟେକ ସଦସ୍ୟ ୧୦୦୦ ଟଙ୍କା ଦେଇ ପାଣିଟାଙ୍କି ନିର୍ମାଣ ସହ ପୋଖରୀଗୁଡ଼ିକର ପୁନରୁଦ୍ଧାର ଏବଂ ଖାଦ୍ୟ ଯୋଗାଣ କାର୍ଯ୍ୟ ଚଳାଇଛନ୍ତି। ଏ ବାବଦରେ ଏବେ ସୁଦ୍ଧା ସେମାନେ ୨୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲେଣି।


