ସୁରକ୍ଷା ଖୋଜୁଛି ସୁରକ୍ଷାକବଚ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର, ୨୪।୧୦(ଡି.ଏନ୍‌.ଏ):ହେନ୍ତାଳ ହେଉଛି ଲବଣ ପ୍ରତିରୋଧୀ ପ୍ରଜାତିର ବୃକ୍ଷ, ଯାହାକି ସମୁଦ୍ର ଉପକୂଳ ଏବଂ ନଦୀ ମୁହାଣରେ ଥିବା ଆର୍ଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ। ଏହା ବାତ୍ୟା, ଜୁଆର ସମୟରେ ମାଡ଼ି ଆସୁଥିବା ସମୁଦ୍ର ପାଣିରୁ ଉପକୂଳକୁ ସୁରକ୍ଷା ଦେଇଥାଏ। ସମୁଦ୍ର କୂଳରେ ମୃତ୍ତିକା କ୍ଷୟରୁ ମଧ୍ୟ ଏହି ହେନ୍ତାଳ ବଣ ରକ୍ଷା କରିଥାଏ। ହେନ୍ତାଳ ବନାଞ୍ଚଳରେ ଜୈବ ବିବିଧତା ବିଶେଷଭାବେ ବିକଶିତ ହୋଇଥାଏ। ଏହି ଅଞ୍ଚଳରେ ଚିଙ୍ଗୁଡ଼ି, କଙ୍କଡ଼ା, ମାଛ, କଇଁଛ ଭଳି ବିଭିନ୍ନ ପ୍ରଜାତିର ସାମୁଦ୍ରିକ ଜୀବ ଅଣ୍ଡାଦାନ କରିବା ସହ ବଂଶବୃଦ୍ଧି କରିଥାନ୍ତି। ଏହା ଉପକୂଳ ଅଞ୍ଚଳବାସୀଙ୍କ ପାଇଁ ସୁରକ୍ଷା ଦେବା ସହ ମତ୍ସ୍ୟଜୀବୀଙ୍କ ଜୀବିକା ଉପାର୍ଜନରେ ସହାୟକ ହୋଇଥାଏ। ୨୦୨୧ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ତଥ୍ୟ ଅନୁସାରେ ଓଡ଼ିଶା ଉପକୂଳରେ ହେନ୍ତାଳ ବନ ବୃଦ୍ଧି ପାଇଛି। ହେନ୍ତାଳ ବନୀକରଣ ବୃଦ୍ଧିରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି। ୨୦୧୮ ସୁଦ୍ଧା ରାଜ୍ୟରେ ୨୫୧ ବର୍ଗ କି.ମି. ଅଞ୍ଚଳରେ ହେନ୍ତାଳବନ ପରିବ୍ୟାପ୍ତ ଥିବାବେଳେ ୨୦୧୯ ଓ ୨୦୨୦ରେ ଏହା ୮କି.ମି. ବୃଦ୍ଧି ପାଇ ୨୫୯ କି.ମି.ରେ ପହଞ୍ଚତ୍ଛି। କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ସର୍ବାଧିକ ୨୦୯.୨୫ ବର୍ଗ କିଲୋମିଟର ହେନ୍ତାଳ ବଣ ରହିଥିବାବେଳେ ଭଦ୍ରକ ଜିଲାରେ ୩୪.୮୭ କି.ମି., ଜଗତ୍‌ସିଂହପୁରରେ ୮.୩୩ କି.ମି., ପୁରୀ ଜିଲାରେ ୧.୧୩ କି.ମି. ଏବଂ ବାଲେଶ୍ୱର ଜିଲାରେ ୫.୪ ବର୍ଗ କି.ମି. ପରିବ୍ୟାପ୍ତ ରହିଛି। ହେଲେ ବାସ୍ତବ ସ୍ଥିତି କିନ୍ତୁ ଭିନ୍ନ। ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁ ହେନ୍ତାଳ ବଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଲୋକମାନେ ହେନ୍ତାଳ ଜଙ୍ଗଲ କାଟି ସେଠାରେ ବସତି ସ୍ଥାପନ କରିବା ସହ ବେଆଇନ୍‌ ଚିଙ୍ଗୁଡ଼ି ଘେରି କରି ବ୍ୟବସାୟ ଚଳାଇଛନ୍ତି। ଅପରପକ୍ଷରେ ହେନ୍ତାଳ ବଣର ସୁରକ୍ଷା କରୁଥିବା ବନ ବିଭାଗ ଜବରଦଖଲକୁ ନ ରୋକି ହେନ୍ତାଳ ଚାରା ରୋପଣ କରି ଜଙ୍ଗଲ ସୃଷ୍ଟି କରୁଥିବା କହୁଛି। ଯେପର୍ଯ୍ୟନ୍ତ ହେନ୍ତାଳ ବଣ ସୁରକ୍ଷାରେ ଅଧିକରୁ ଅଧିକ ସ୍ଥାନୀୟ ଲୋକଙ୍କୁ ସମ୍ପୃକ୍ତ କରା ନ ଯାଇଛି, ସେପର୍ଯ୍ୟନ୍ତ ବନୀକରଣ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ପରିବେଶବିତ୍‌ ମତ ପ୍ରକାଶ କରୁଛନ୍ତି। ହେନ୍ତାଳରେ ବାୟୋ ଆକ୍ଟିଭ କମ୍ପାଉଣ୍ଡ ବା ଜୈବ ସକ୍ରିୟ ଉପାଦାନ ରହିଛି। ହେନ୍ତାଳ ଗଛରୁ ପ୍ରସ୍ତୁତ କେମିକାଲ ମାରାତ୍ମକ ରୋଗ ବିରୋଧରେ ଲଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ୧୯୭୧ ବାତ୍ୟାରେ ରାଜନଗର ଅଞ୍ଚଳରେ ପ୍ରାୟ ୧୦ ହଜାର ଲୋକ ସମୁଦ୍ର ଜୁଆରରେ ଭାସିଯାଇଥିବାବେଳେ ୧୯୯୯ ମହାବାତ୍ୟାରେ ଭିତରକନିକା ହେନ୍ତାଳବଣ ଯୋଗୁ ରାଜନଗର ଜନବସତି ଅଳ୍ପକେ ରକ୍ଷା ପାଇଯାଇଛି। ଅନେକ ବାତ୍ୟା ହୁଡ୍‌ହୁଡ୍‌, ଫାଇଲିନ୍‌, ଅମ୍ଫନ ଭଳି ବାତ୍ୟାକୁ ଲୁଣା ଜଙ୍ଗଲ ସୁରକ୍ଷା କବଚ ହୋଇ ନିର୍ବିକାର ଭାବେ ଛିଡ଼ା ହୋଇଛି। ଏବେ ଏହାର ସୁରକ୍ଷା ପାଇଁ ଭିତରକନିକା ସୀମା ସରହଦରେ ଥିବା କନକ ନଗର, ଶୈଳେନ୍ଦ୍ର ନଗର, ରାଜେଶ୍ୱରୀ ନଗର, ତ୍ରିଲୋଚନପୁର, କୃଷ୍ଣ ନଗର ପ୍ରଭୁତି ଗ୍ରାମର ୫୦ ପରିବାର ହେନ୍ତାଳ ବଣ ସୃଷ୍ଟି ପାଇଁ ସେମାନଙ୍କ ଜମି ଦେଇଥିବା ଜଣାପଡ଼ିଛି।
ପ୍ରାକୃତିକ ବିପର୍ଯ୍ୟୟରୁ ଉପକୂଳ ଅଞ୍ଚଳକୁ ସୁରକ୍ଷା ଦେବାରେ ହେନ୍ତାଳ ବନର ବଡ଼ ଭୂମିକା ରହିଛି। ଏଥିସହିତ ସ୍ଥାନୀୟ ଲୋକଙ୍କ ଜୀବନଜୀବିକାର ଏକ ମାଧ୍ୟମ। ପୂର୍ବରୁ ବହୁ ସ୍ଥାନରେ ଲୋକେ ଜବରଦଖଲ କରି ଚିଙ୍ଗୁଡ଼ି ଘେରି କରିଦେଇଥିଲେ। କିନ୍ତୁ ଏବେ ସେଠାରେ ଘେରି ଉଚ୍ଛେଦ କରାଯାଇ ଚାରାରୋପଣ କରାଯାଉଛି। ଏହାର ସୁରକ୍ଷା ପାଇଁ ଭିତରକନିକାରେ ସ୍ବତନ୍ତ୍ର ଏକ ମାନ୍‌ଗ୍ରୋଭ୍‌ ଫରେଷ୍ଟ ଡିଭିଜନ ହୋଇଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଥିବା ବନଖଣ୍ଡରେ ମଧ୍ୟ ଡିଏଫ୍‌ଓମାନେ ଏହାର ସୁରକ୍ଷା ପାଇଁ ପଦକ୍ଷେପ ନେଉଛନ୍ତି। ତେବେ ଏହାର ସୁରକ୍ଷା ପାଇଁ ରାଜ୍ୟସ୍ତରରେ ଏକ ହେନ୍ତାଳ ବନ ମନିଟରିଂ କମିଟି କରାଗଲେ ଭଲ ହୁଅନ୍ତା। ଏ ଦିଗରେ ଯେଉଁ ବରିଷ୍ଠ ଅଧିକାରୀଙ୍କ ବହୁ ଅଭିଜ୍ଞତା ରହିଥିବ ସେମାନଙ୍କୁ ଏହି କମିଟିରେ ରଖାଯାଇ ଏହାର ଅନୁଧ୍ୟାନ କରାଯାଇପାରନ୍ତା। ଯେତେ ମନିଟରିଂ କରିବ ସେତେ ଅଧିକ ରାଜ୍ୟରେ ହେନ୍ତାଳ ବନ ବୃଦ୍ଧି ପାଇବ ବୋଲି ରାଜନଗର ପୂର୍ବତନ ଡିଏଫ୍‌ଓ ଅଜୟ ଜେନା କହିଛନ୍ତି।
ପୁରୀ ଅସ୍ତରଙ୍ଗ ଅଞ୍ଚଳର ଯୁବ ପରିବେଶବିତ୍‌ ସୌମ୍ୟରଞ୍ଜନ ବିଶ୍ୱାଳଙ୍କ ମତରେ ହେନ୍ତାଳ ବଣନଷ୍ଟ ହେବାର ବିଭିନ୍ନ କାରଣ ରହିଛି। ଉପକୂଳ ଅବକ୍ଷୟ ରୋକିବା ଏବଂ ନଦୀବନ୍ଧ ସୁରକ୍ଷା ପାଇଁ ସରକାର ଲୁଣା ବନ୍ଧ କରୁଛନ୍ତି, ହେଲେ ଏହା ହେନ୍ତାଳ ବଣ ଉପରେ ପ୍ରଭାବ ପକାଉଛି। ତେଣୁ ଏ ଦିଗରେ ସରକାର ଗୁରୁତ୍ୱ ଦେଇ ଏହାକୁ ତୁରନ୍ତ ବନ୍ଦ କରିବା ଉଚିତ। ରାଜ୍ୟରେ ହେନ୍ତାଳ ବନ ବଢ଼ିଛି ବୋଲି ରିପୋର୍ଟ କହୁଛି। କାରଣ ଚାରାରୋପଣ ଅଧିକ ରହିଛି। ଏହା ସତ। କିନ୍ତୁ ତା’ର ସୁରକ୍ଷା ଅଭାବରୁ ସେସବୁ ନଷ୍ଟ ହେବାରେ ଲାଗିଛି। ପ୍ରାକୃତିକ ଭାବେ ଯେଉଁଠି ଉଠୁଛି ସେଠି ଗଛସବୁ ବଢ଼ିବାରେ ଲାଗୁଛି। କିନ୍ତୁ ଯେଉଁଠି ରୋପଣ କରାଯାଉଛି ସେହି ନୂଆ ଗଛଗୁଡ଼ିକ ନଷ୍ଟ ହେବାରେ ଲାଗୁଛି। ସେହିଭଳି ହାତୀ, ବାଘ ସୁରକ୍ଷା ପାଇଁ ଯେଉଁଭଳି ଭାବେ ସ୍କ୍ବାଡ୍‌ ରହିଛି, ସେମିତି ହେନ୍ତାଳ ବନ ସୁରକ୍ଷା ପାଇଁ ରାଜ୍ୟସ୍ତରରେ ଏକ ସ୍ବତନ୍ତ୍ର ସ୍କ୍ବାଡ୍‌ କରାଯିବା ଉଚିତ ବୋଲି ବିଶ୍ୱାଳ କହିଛନ୍ତି। ସେହିପରି ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀଙ୍କ ମତରେ ଜଳବାୟୂ ପରିବର୍ତ୍ତନ ପ୍ରଭାବ ଏବେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରରେ ଏକ ସ୍ଥାୟୀ ଭାବେ ବିଶେଷଜ୍ଞ କମିଟି ଗଠନ କରାଯିବା ଦରକାର। ବିଶେଷଜ୍ଞଙ୍କ ପରାମର୍ଶକ୍ରମେ କେଉଁ ଜାଗାରେ କ’ଣ ହୋଇପାରିବ ତାହା କରିବା ଉଚିତ। ହେନ୍ତାଳ ବନାଞ୍ଚଳରେ ନଦୀ ଓ ସମୁଦ୍ର ଜଳର ସମ୍ମିଶ୍ରଣରେ ଏକ ନୂତନ ପରିସଂସ୍ଥା ହୋଇଛି ଯାହା ହେଉଛି ସ୍ବଳ୍ପ ଲବଣାକ୍ତ ଜଳ। ଏହାର ବିଶେଷତ୍ୱ ଭିନ୍ନ ରହିଛି। ମଧୁର ଜଳ ହେଉ କିମ୍ବା ସମୁଦ୍ରରେ ଯେଉଁ ଜୀବଜନ୍ତୁ ଦେଖାଯାଆନ୍ତି, ସେମାନଙ୍କୁ ଛାଡ଼ି ଏଠାରେ ଏକ ସ୍ବତନ୍ତ୍ର ପ୍ରଜାତିର ଜୀବଜନ୍ତୁ ଦେଖାଯାଆନ୍ତି। ଜୈବବିବଧତା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ପରିସଂସ୍ଥା। ତେଣୁ ଏହାର ସୁରକ୍ଷା ଅପରିହାର୍ଯ୍ୟ। ପୂର୍ବରୁ ଯେତିକି ପରିମାଣର ହେନ୍ତାଳ ବନ ଥିଲା, ଏବେ ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁ ପ୍ରାୟ ୫୦% ନଷ୍ଟ ହେବାରେ ଲାଗିଲାଣି। ସଂରକ୍ଷଣ ପାଇଁ ସ୍ଥାନୀୟ ଅଧିବାସୀଙ୍କ ସମ୍ପୃକ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେଉଁଠାରେ ବନୀକରଣ କରାଯାଉଛି ସେଠାରେ ସ୍ଥାନୀୟ ଲୋକଙ୍କୁ ମିଶାଯାଇ ତାଙ୍କୁ ସଚେତନ କରାଯାଉ। ସେମାନେ ଚାହିଁଲେ ତା’ର ସୁରକ୍ଷା ଦେଇପାରିବେ। ନଚେତ୍‌ ନଷ୍ଟ ବି କରିପାରିବେ ବୋଲି ପାଣିଗ୍ରାହୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ: ଭକ୍ତ କହିଲେ..

ଭୁବନେଶ୍ୱର,୨୧।୧୨: ପିସିସି ସଭାପତି ଭକ୍ତ ଚରଣ ଦାସ ରବିବାର ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆସନ୍ତା ୨୬ ତାରିଖରେ କଂଗ୍ରେସ ପକ୍ଷରୁ ଜନ ଜାଗରଣ ଆନ୍ଦୋଳନ...

ଦାରିଙ୍ଗବାଡ଼ିରେ ଦିନତମାମ ବିଦ୍ୟୁତ୍‌ କାଟ୍‌, ଟୟ ଟ୍ରେନ୍‌, ମ୍ୟୁଜିକାଲ ଫାଉଣ୍ଟେନ୍‌ର ମଜା ନେଇପାରିଲେନି ପର୍ଯ୍ୟଟକ, ଶେଷରେ…

ଦାରିଙ୍ଗବାଡ଼ି,୨୧ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ...

VB-G RAM G ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, MGNREGA ବଦଳରେ ଏଣିକି ଲାଗୁ ହେବ…

ନୂଆଦିଲ୍ଲୀ,୨୧।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିକାଶିତ ଭାରତ-ନିଯୁକ୍ତି ଏବଂ ଆଜୀବିକା ମିଶନ (ଗ୍ରାମୀଣ) ଗ୍ୟାରେଣ୍ଟି ବିଲ୍ VB-G RAM G ୨୦୨୫ କୁ ଅନୁମୋଦନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri