ଶୀତୁଆ କୁହୁଡ଼ି

ଡା.କାନ୍ତୀ ନାୟକ

 

ଶୀତ ଓ କୁହୁଡ଼ିର ଚାଦର ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦେଉଛି। ବେଳେ ବେଳେ କୁହୁଡ଼ିର ମାତ୍ରା ବଢ଼ି ଯାଉଥିବାବେଳେ ପରିବେଶରୁ ତାପ ମଧ୍ୟ କମିଯାଉଛି। ସେହିପରି ମଝିରେ ମଝିରେ ଅଦିନିଆ ଅସରା ବା ଦିଅସରା ବର୍ଷା ଯଦି ହୋଇଗଲା ତାହାହେଲେ ସୁଖଟା ଦୁଃଖରେ ପରିଣତ ହୋଇଯାଏ। କାଲୁଆ ଜାଡ ଦେହର ସବୁ ଅଙ୍ଗପ୍ରତ୍ୟଙ୍ଗକୁ ଏକ ପ୍ରକାର ଥଣ୍ଡା ଥଣ୍ଡା କରିଦେଉଥିବା ବେଳେ ଅସମୟର ବର୍ଷା ମଧ୍ୟ ସବୁକିଛିକୁ ବିଗାଡ଼ି ଦିଏ। ଭଳିକି ଭଳି ସୌଖୀନ ଶୀତବସ୍ତ୍ର ପିନ୍ଧି ଆଟ୍ରାକ୍ଟିଭ ଲୁକ୍‌ ପାଇବା ସାଙ୍ଗକୁ ସାଙ୍ଗସାଥୀଙ୍କ ସହ ପିକ୍‌ନିକ ଏବଂ ବୁଲାବୁଲିର ମଜା ନେବା ଲାଗି ଯୁବପିଢ଼ି ଚାହିଁ ରହିଥାନ୍ତି ଶୀତ ଦିନକୁ। ଆଉ ଏମିତିରେ ଶୀତ ଆରମ୍ଭରୁ ହଠାତ୍‌ ଲଘୁଚାପ ଜନିତ ବର୍ଷା ନା କେବଳ ବାହାରକୁ ବାହାରିବା ମୁସ୍କିଲ କରି ସେମାନଙ୍କ ଏସବୁ ପ୍ଲାନରେ ବାଧକ ସାଜୁଛି ବରଂ ଶୀତ ସାଙ୍ଗକୁ ବର୍ଷାପାଣି ସେମାନଙ୍କ ଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ବି ସୃଷ୍ଟି କରୁଛି। ଯାହାକୁ ଏଡ଼ାଇବା ଲାଗି ସତର୍କତା ଅବଲମ୍ବନ କରିବା ଆବଶ୍ୟକ।
ସାଧାରଣତଃ ଶୀତ ଆସିଲେ ପାଣିପାଗ ବଦଳିବା ଯୋଗୁ ଅଧିକାଂଶଙ୍କ ଠାରେ ଶରୀର ଶୁଷ୍କ ହୋଇଯିବା, ଶିରା ପ୍ରଶିରା ସଂକୁଚିତ ହୋଇଯିବା ସହ ରୋଗ ପ୍ରତିରୋଧକ ଶକ୍ତି କମିବା ଫଳରେ ଥଣ୍ଡା, ଜ୍ୱର ଭଳି ରୋଗ ଦେଖାଦେଇଥାଏ। ଆଉ ଏମିତିରେ ଅଦିନିଆ ବର୍ଷା ନିଅଁାରେ ଘିଅ ଢାଳିବା ସଦୃଶ କାର୍ଯ୍ୟ କରିଥାଏ। ଅର୍ଥାତ୍‌ ଏଥିପାଇଁ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଇଥାଏ। ତେଣୁ ଏହାକୁ ଏଡ଼େଇବା ଲାଗି ସର୍ବପ୍ରଥମେ ଯଥାସମ୍ଭବ ବର୍ଷାପାଣି ସଂସ୍ପର୍ଶରେ ଆସିବାଠାରୁ ନିଜକୁ ବଞ୍ଚାନ୍ତୁ। ବାହାରକୁ ବାହାରିବା ସମୟରେ ଉଭୟ ବର୍ଷାପାଣି ଏବଂ ଶୀତରୁ ରକ୍ଷା ପାଇବା ଲାଗି ମୁଣ୍ଡ ଏବଂ ଦେହକୁ ଭଲ ଭାବେ ଘୋଡ଼ାଇ ରଖନ୍ତୁ। ଶୀତ ଦିନେ ଅନେକଙ୍କଠାରେ ଜଳୀୟଂଶ କମିଯାଇ ଶରୀର ଅଧିକ ଶୁଷ୍କ ହେବା, ଚର୍ମ ପାଉଁଶିଆ ଦେଖାଯିବା, ଗୋଡ଼, ହାତ, ଓଠ ଆଦି ଫାଟିବା, କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଯାଏ। ହେଲେ ଏହି ଦିନେ ବର୍ଷାରେ ଏହି ସମସ୍ୟା ଅଧିକ ବଢ଼ିଯାଏ। ଏହାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳ ଅଧିକ ଶୁଷ୍କ ଥିବାରୁ ଧୂଳିକଣା ଆକାରରେ ଥିବା କାର୍ବନ ଡାଇଅକ୍ସାଇଡ, କାର୍ବନ ମନୋକ୍ସାଇଡ, ସଲଫର ମ୍ୟାଗ୍ନେସିୟମ୍‌, ଭାଇରସ୍‌, ବ୍ୟାକ୍ଟେରିଆ ଭଳି ବିଷାକ୍ତ ପଦାର୍ଥ ରହିଥାଏ ଯାହାକି ବର୍ଷା ଆକାରରେ ତ୍ୱଚା ସଂସ୍ପର୍ଶରେ ଆସିବା ଦ୍ୱାରା କୁଣ୍ଡାଇ ହେବା, ଫଳିଯିବା, ସ୍କିନ୍‌ ଆଲର୍ଜି, ଫଙ୍ଗାଲ୍‌ ଇନ୍‌ଫେକ୍ସନ ଭଳି ଚର୍ମରୋଗ କରାଇଥାଏ। ତେଣୁ ବର୍ଷା ପାଣି ଏବଂ ଶୀତୁଆର ଥଣ୍ଡା ପବନ ସଂସ୍ପର୍ଶରେ ନ ଆସିବା ଲାଗି ଚେଷ୍ଟା କରନ୍ତୁ। ତା’ଛଡ଼ା ଏଭଳି ହଠାତ୍‌ ପାଣିପାଗ ପରିବର୍ତ୍ତନ ଯୋଗୁଁ ବର୍ଷାରେ ଭାରି ପୋଷାକ, ଫୁଲ୍‌ ଜୋତା ସାଙ୍ଗକୁ ଶୀତବସ୍ତ୍ର ବ୍ୟବହାର କରିବା କଷ୍ଟ ହେଉଥିବାରୁ ଥଣ୍ଡା ପବନ ବାଜି ଥଣ୍ଡା, ଜ୍ୱର, କାଶ ଆଦି ସମସ୍ୟା ବଢ଼ିଥାଏ। ଏଣେ ପାଣି ଲାଗି ପୋଷାକ ସହଜରେ ନ ଶୁଖିବା କାରଣରୁ ଚର୍ମ ରୋଗ ବିଶେଷ କରି ଫଙ୍ଗାଲ ଇନ୍‌ଫେକ୍ସନ ଦେଖାଦେଇଥାଏ। ତେଣୁ ଏଭଳି ସମସ୍ୟାରୁ ମୁକ୍ତି ପାଇବା ଲାଗି ଏସବୁ ବ୍ୟବହାର କରିବା ସହିତ ପ୍ରତିଦିନ ରାତିରେ ଉଷୁମ ଶୋରିଷ ତେଲ ପାଦରେ ମସାଜ କରନ୍ତୁ। ଆଙ୍ଗୁଠି ଫାଙ୍କଗୁଡ଼ିକରେ ଭେସଲିନ୍‌ ଲଗାନ୍ତୁ। ଗାଧୋଇବା ବେଳେ ତେଲ କିମ୍ବା ବଡ଼ି ଲୋଶନ ଲଗାନ୍ତୁ।
ଏମିତିରେ ଶୀତଦିନେ ଅଧିକାଂଶ ଯୁବତୀ ଯୁବକଙ୍କ ଲାଗି କେଶ ଶୁଷ୍କ ହେବା, ରୁପି ହେବା ଏକ ବଡ଼ ସମସ୍ୟା ପାଲଟେ। ଆଉ ଏ ସମୟରେ ଅଦିନିଆ ବର୍ଷା ହେବା ଯୋଗୁଁ ମୁଣ୍ଡରେ ପାଣି ପଡ଼ିବା ଦ୍ୱାରା ରୁପି ସହ ବିଭିନ୍ନ ଫଙ୍ଗାଲ ଇନ୍‌ଫେକ୍ସନ ହୋଇ କେଶ ଝଡ଼ିବା ଆଶଙ୍କା ବୃଦ୍ଧି ପାଇଥାଏ। ଯାହାକୁ ଦୂର କରିବା ଲାଗି କେଶ ଓଦା ହେବାକୁ ଦିଅନ୍ତୁ ନାହିଁ ଏବଂ ଯଦି ଓଦା ହୋଇଯାଏ ତେବେ ସଙ୍ଗେ ସଙ୍ଗେ ପୋଛି ଦିଅନ୍ତୁ। ଏହା ବ୍ୟତୀତ କେଶମୂଳେ ନିୟମିତ ସମୟ ଅନ୍ତରାଳରେ ତେଲ ମସାଜ କରନ୍ତୁ। ଭିଟାମିନ୍‌ ବି, ଏ, ସି, ଇ ସହିତ ଜିଙ୍କ, ପୋଟାସିୟମ ଏବଂ ଆଇରନ ଭଳି ମିନେରାଲ୍ସ ଥିବା ଖାଦ୍ୟ ବିଶେଷ କରି କଦଳୀ, ସେଓ, ଅମୃତଭଣ୍ଡା ଆଦି ଫଳ ଖାଆନ୍ତୁ। ବଜାରରେ ମିଳୁଥିବା ଫାଷ୍ଟଫୁଡ ଜାତୀୟ ଖାଦ୍ୟ ପରିବର୍ତ୍ତେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ସୁଷମ ଆହାର ଗ୍ରହଣ କରନ୍ତୁ। ବିଶେଷକରି ପ୍ରୋଟିନ୍‌, ଆଇରନ୍‌, ଜିଙ୍କ୍‌, ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସହିତ ଋତୁଭିିତ୍ତିକ ସବୁଜ ପନିପରିବା, ଫଳ ଓ ଶାଗ ଭଳି ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ଗାଈଘିଅକୁ ସାମିଲ କରନ୍ତୁ। ଯଦି କାଶ ହୁଏ ତେବେ ସକାଳୁ ଖାଲିପେଟରେ ଅଦାରସ, ମହୁ କିମ୍ବା ତୁଳସୀ ରସ, ମହୁ ଖାଆନ୍ତୁ। ଉଷୁମ କ୍ଷୀର ପିଇବା ଦ୍ୱାରା ମଧ୍ୟ ଆପଣ ଉପକୃତ ହେବେ। ରସୁଣ ମଧ୍ୟ ଖାଇବା ଏଦିନେ ବେଶ୍‌ ଉପକାରୀ। ପ୍ରଚୁର ପରିମାଣରେ ପାଣି ପିଅନ୍ତୁ। କୁହାଯାଏ ସୁଖ ଓ ଦୁଃଖ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱପରି ତେଣୁ ଭଗବାନଙ୍କ ସୃଷ୍ଟିରେ ଛଅଟି ଋତୁ ନିଜ ନିଜ ଯୁଗର କର୍ତ୍ତବ୍ୟକୁ ପାଳନ କରିଥାନ୍ତି। ତେଣୁ ବର୍ତ୍ତମାନର କରୋନା ପରିସ୍ଥିତିକୁ ଦେଖି ସବୁ ଦୃଷ୍ଟିରୁ ନିଜ ପାଇଁ ନିଜେ ସ୍ବାସ୍ଥ୍ୟ ସତର୍କ ରହିଲେ ଶୀତ ଦିନଟି ଆପଣଙ୍କ ପାଇଁ ଆନନ୍ଦ ଓ ଖୁସିର ଋତୁ ହେବ।
ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ, ଅର୍ବାନ ସିଏଚ୍‌ସି, ସିଡିଏ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri