ଭୁବନେଶ୍ୱର,୪।୩(ବ୍ୟୁରୋ): ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଶିମିଳିପାଳ କେବଳ ଓଡ଼ିଶା ବା ଭାରତର ନୁହେଁ, ଏହା ସମଗ୍ର ବିଶ୍ୱର ଏକ ଅମୂଲ୍ୟ ସମ୍ପଦ। ତେଣୁ ଏହାର ସୁରକ୍ଷା ପାଇଁ ସତର୍କ ରହିବା ସହ ତୁରନ୍ତ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଶିମିଳିପାଳର ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ
ମୋନା ଶର୍ମା କହିଛନ୍ତି, ଲାଗିଥିବା ନିଆଁ ନିୟନ୍ତ୍ରଣାଧୀନ ରହିଛି। ଏଥିରେ କୌଣସି ଜୀବନ ହାନି ଘଟି ନାହିଁ। ବଡ଼ ବଡ଼ ଗଛଗୁଡ଼ିକର କିଛି ବି କ୍ଷତି ହୋଇନାହିଁ। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଏସ୍ଓପି ଜାରି କରାଯାଇଛି। ଫାୟାର ଆଲର୍ଟ ସମ୍ପର୍କରେ ପ୍ରତି ସନ୍ଧ୍ୟାରେ ରାଜ୍ୟ ସରକାରଙ୍କୁ ଓ ଜିଲାପାଳଙ୍କୁ ଅବଗତ କରିବା ପାଇଁ ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶର୍ମା କହିଛନ୍ତି। ପିସିସିଏଫ୍(ବନ୍ୟପ୍ରାଣୀ) ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ପରିସ୍ଥିତି ଉପରେ ନଜର ରଖିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇଛି। ଏହି ବୈଠକରେ ୫-ଟି ସଚିବ ଭି. କେ. ପାଣ୍ଡିଆନ, ପିସିସିଏଫ୍(ବନ୍ୟପ୍ରାଣୀ) ଏବଂ ଜଙ୍ଗଲ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।


