ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ ଆପରାଧୀକ ମାମଲା ରହିଛି। ଏଭଳି ବିଧାୟକଙ୍କ ସଂଖ୍ୟା ୧୩୬ ଥିବା କୁହାଯାଉଛି। ସେଥିମଧ୍ୟରୁ ୯୪ ଅର୍ଥାତ୍ ୩୯ ପ୍ରତିଶତ ବିଧାୟକଙ୍କ ବିରୋଧରେ ଗୁରୁତର ମାମଲା ରହିଛି। ୧୧ ଜଣ ବିଧାୟକଙ୍କ ଉପରେ ହତ୍ୟା ମାମଲା ରହିଛି। ଏନେଇ ଆସୋସିଏଶନ୍ ଫର ଡେମୋକ୍ରାଟିକ୍ ରିଫମର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସେମାନଙ୍କ ମଧ୍ୟରେ ଆର୍ଜେଡିର ୪୫, ଜେଡିୟୁର ୩୪, ଭାଜପାର ୩୪, କଂଗ୍ରେସର ୧୪, ଏଲ୍ଜେପିର ୨,ସିପିଆଇର ୩ ଏବଂ ୫ ନିର୍ଦ୍ଦଳୀୟ ବିଧାୟକ ରହିଛନ୍ତି। ସେହିପରି ରାଜ୍ୟରେ ଥିବା ବିଧାୟକଙ୍କ ମଧ୍ୟରୁ ୬୭ ପ୍ରତିଶତ କୋଟିପତି। ସେମାନଙ୍କ ସଂଖ୍ୟା ୧୬୦ ରହିଛି। ୮୦ଜଣ ଆର୍ଜେଡି ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ୩ କୋଟି ୨ଲକ୍ଷ ରହିଛି। ସେହିପରି ଜେଡ଼ିୟୁର ୬୯ ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ୨ କୋଟି ୭୯ ଲକ୍ଷ, ଭାଜପାର ୫୪ ବିଧାୟକଙ୍କ ହାରାହାରି ସମ୍ପତ୍ତି ପରିମାଣ ୨ କୋଟି ୩୮ ଲକ୍ଷ, କଂଗ୍ରେସର ୨୫ ବିଧାୟକଙ୍କ ହାରାହାରି ସମ୍ପତ୍ତି ୪ କୋଟି ୩୬ ଲକ୍ଷ ଟଙ୍କା ରହିଛି। ୪୬ ଜଣ ବିଧାୟକ ସେମାନଙ୍କ ଆୟକର ବିବରଣୀ ଦେଇ ନ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ୯୪ ଜଣ ବିଧାୟକଙ୍କ ଶିକ୍ଷାଗତ ଯୋଗ୍ୟତା ୫ମ ଶ୍ରେଣୀରୁ ଦ୍ୱାଦଶ ମଧ୍ୟରେ ରହିଛି। ୧୩୪ ଜଣଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଏବଂ ଏହାଠାରୁ ଅଧିକ ରହିିଛି। ୯ ଜଣ ବିଧାୟକ ନିଜକୁ ସାକ୍ଷର ବୋଲି ଦର୍ଶାଇଛନ୍ତି। ବିଧାୟକଙ୍କ ମଧ୍ୟରେ ୨୮ ଜଣ ମହିଳା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।


