ବିଜେପୁର ଉପନିର୍ବାଚନ : ପ୍ରାର୍ଥୀଙ୍କ କଥା, ସେମାନଙ୍କ ମୁହଁରୁ

ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ବରଗଡ ଜିଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳୀ। ମାତ୍ର ୧୮ ମାସ ମଧ୍ୟରେ ତୃତୀୟ ଥର ପାଇଁ ଭୋଟ ଦେବେ ବିଜେପୁରବାସୀ। ୨୦୧୮ ପରି ୨୦୧୯ରେ ମଧ୍ୟ ଏହି ଅଞ୍ଚଳ ଦେଖିବାକୁ ଯାଉଛି ଏକ ଉପନିର୍ବାଚନ। ନିର୍ବାଚନ ରଣାଙ୍ଗନରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଭାବେ ଉଭା ହୋଇଛନ୍ତି ବିଜେଡି ପ୍ରାର୍ଥିନୀ ରୀତା ସାହୁ ଓ ଭାଜପାର ସନତ ଗଡତିଆ। ଅପରପକ୍ଷରେ ଏହି ଆସନରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଜିତି ଆସିଥିବା କଂଗ୍ରେସ ନିଜର ସ୍ଥିତି ରକ୍ଷା ପାଇଁ ପ୍ରୟାସ କରୁଛି। ଦଳ ପକ୍ଷରୁ ସ୍ଥାନୀୟ ନେତା ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଛି। ଦିନ କେଇଟା ପରେ ବିଜେପୁରବାସୀ ଭୋଟ ଦେବେ। ତେଣୁ କିପରି ରହିଛି ପ୍ରଚାର ଏବଂ କ’ଣ ରହିଛି ପ୍ରାର୍ଥୀଙ୍କ ଆଭିମୁଖ୍ୟ। ସେ ସବୁକୁ ନେଇ ୩ ପ୍ରମୁଖ ଦଳ ପ୍ରାର୍ଥୀଙ୍କ ସହ ଧରିତ୍ରୀ ପକ୍ଷରୁ କରାଯାଇଥିଲା ଆଲୋଚନା, ଯାହାର କ୍ରିୟଦଂଶ ନିମ୍ନରେ ପ୍ରଦାନ କରାଗଲା।

ମୋର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି : ରୀତା ସାହୁ
ଉପନିର୍ବାଚନରେ ପ୍ରଚାର କାର୍ଯ୍ୟ କିପରି ଚାଲିଛି?
ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ଦଳର କର୍ମୀ ଓ ବିଜେପୁର ଭୋଟର ସମସ୍ତେ ଉତ୍ସାହିତ ଅଛନ୍ତି। ବିଜେଡିର ସମସ୍ତ ନେତୃବୃନ୍ଦ ଓ କର୍ମକର୍ତ୍ତା ମୋତେ ବିଜୟୀ କରିବା ପାଇଁ ଚେଷ୍ଟା କରୁଛନ୍ତି।
ପୂର୍ବ ଦୁଇଥର ଭଲ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଏହିଠାରୁ ବିଜୟୀ ହୋଇଥିଲେ। ଚଳିତ ଥର ପୂର୍ବାପେକ୍ଷା ବିଜୟ ବ୍ୟବଧାନ ବଢିବ ନା କମିବ?
ପ୍ରଚାର କାର୍ଯ୍ୟ ଠିକ୍‌ଭାବେ ଚାଲିଛି। ସମସ୍ତେ ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ସମସ୍ତଙ୍କ ବିଶ୍ୱାସ ରହିଛି। ତେଣୁ ପୂର୍ବପରି ଭଲ ବ୍ୟବଧାନରେ ବିଜୟୀ ହେବି ବୋଲି ଆଶା।
ଏହି ଉପନିର୍ବାଚନରେ କେଉଁ ଦଳ ବା ପ୍ରାର୍ଥୀଙ୍କଠାରୁ ଆପଣ କଡା ଲଢେଇର ସମ୍ମୁଖୀନ ହେଉଥିବା ଅନୁଭବ କରୁଛନ୍ତି?
ଏହି ନିର୍ବାଚନରେ କାହାକୁ ବି ମୁଁ ପ୍ରତିଦ୍ୱନ୍ଦ୍ୱୀ ବୋଲି ଭାବୁ ନାହିଁ। ମୋର କେହି ପ୍ରତିଦ୍ୱନ୍ଦ୍ୱୀ ନାହାନ୍ତି।
ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢି ଆସନ ଛାଡିଦେବା ପ୍ରସଙ୍ଗ ହିଁ ଭାଜପାର ଅସ୍ତ୍ର ପାଲଟିଛି। ଏହାର ପ୍ରଭାବ ଉପନିର୍ବାଚନ ଉପରେ ପଡିବ ବୋଲି ଭାବୁଛନ୍ତି କି?
ନାଁ, ବିଲକୁଲ୍‌ ନୁହେଁ। ଆମ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା କରିଛନ୍ତି। ଆମର ନିଶ୍ଚିତ ରୂପେ ବିଜୟ ହେବ। ଅଞ୍ଚଳର ବିକାଶ ପାଇଁ ବହୁତ କିଛି ଅନୁଦାନ ଦେଇଛନ୍ତି, ଏକଥା ସମସ୍ତେ ଜାଣିଛନ୍ତି। ମୁଖ୍ୟମନ୍ତ୍ରୀ ହିଁ ଉନ୍ନତି ଓ ବିକାଶର ଧାରା ଆଗକୁ ନେବେ। ନିଶ୍ଚିତ ଭାବେ ଲୋକଙ୍କ ବିକାଶ ହେବ, ଏଥିରେ କୌଣସି ଅସୁବିଧା ହେବ ନାହିଁ।
ନିର୍ବାଚନମଣ୍ଡଳୀରେ ଜଳସେଚନ ଏବଂ ବୁଣାକାର ସମସ୍ୟା ନେଇ ଅଭିଯୋଗ ରହିଛି, ଏ ସମ୍ପର୍କରେ କ’ଣ କହିବେ?
ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହାକୁ ଖୁବ୍‌ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଯୋଜନା ଅଛି। ଖୁବ୍‌ଶୀଘ୍ର ଲୋକମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ। ସେହିପରି ବୁଣାକାରମାନଙ୍କ ସମସ୍ୟା ମଧ୍ୟ ସମାଧାନ କରାଯିବ।
ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ୧୭,୧୮ରେ ବିଜେପୁର ଆସୁଛନ୍ତି, ଏହାକୁ ନେଇ କେତେ ଉତ୍ସାହିତ?
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସମ୍ପୂର୍ଣ୍ଣ ଅଞ୍ଚଳବାସୀ ବହୁତ ଉତ୍ସାହିତ ଅଛନ୍ତି। ମୁଁ ନିଜେ ମଧ୍ୟ ବହୁତ ଖୁସି ଅଛି।
ପୂର୍ବ ଉପନିର୍ବାଚନରେ ୪୧ ହଜାରୁ ଅଧିକ ବ୍ୟବଧାନରେ ଜିତିଥିଲେ। ଚଳିତ ଥର ବିଜୟ ବ୍ୟବଧାନ ନେଇ କ’ଣ କହିବେ?
ମୋର ଲୋକମାନଙ୍କ ଉପରେ ଭରସା ରହିଛି। ନିଶ୍ଚିତଭାବେ ବ୍ୟବଧାନ ବଢିବ।
କଂଗ୍ରେସ ଜିତିଲେ ଲୋକଙ୍କ ସ୍ବର ପ୍ରତିଫଳିତ ହେବ : ଦିଲୀପ ପଣ୍ଡା
କଂଗ୍ରେସ ଉପନିର୍ବାଚନରେ କେଉଁଠି ରହିଛି?
କଂଗ୍ରେସ ଲୋକମାନଙ୍କ ହୃଦୟରେ ଅଛି। ଲୋକମାନେ ମୋ ହୃଦୟରେ ଅଛନ୍ତି। ରାଜନୀତି ମୋ ପାଇଁ ନୂଆ ନୁହେଁ, ବିଜେପୁରର ପ୍ରତି ଗାଁରେ ମୋର ଶୁଭେଚ୍ଛୁ ରହିଛନ୍ତି। ସେମାନଙ୍କୁ ନେଇ ହିଁ ରାଜନୀତି ଜାରି ରଖିଛି।
ଗତ ୨ଟି ନିର୍ବାଚନରେ କଂଗ୍ରେସ ଭୋଟ ଅହେତୁକ ଭାବେ ହ୍ରାସ ପାଇଛି। ଦଳ ପୂର୍ବ ଭୋଟ ଫେରି ପାଇବ କି ?
ହ୍ରାସ ପାଇଛି, ହେଲେ ଆଗକୁ ଦଳର ଭୋଟ ବଢିବ। ଯେତେବେଳେ କଂଗ୍ରେସ ଭଲ ସ୍ଥିତି ଥିଲା। ସେ ସମୟରେ ଏତେଟା ଆଲୋଚନା ହେଉ ନ ଥିଲା। ଏବେ ସ୍ଥିତି ଖରାପ ହୋଇଥିବାରୁ ଅଧିକ ଆଲୋଚନା ହେଉଛି।
କଂଗ୍ରେସ ଦଳ ନିର୍ବାଚନରେ ଜିଣିବା ପାଇଁ ଯେପରି ରଣକୌଶଳ ଆବଶ୍ୟକ, ତାହା ପ୍ରସ୍ତୁତ କରିଛି କି ?
ଦଳ ମୋତେ ଲଢିବା ପାଇଁ ଟିକେଟ୍‌ ଦେଇଛି। ମଁୁ ସେ ସୁଯୋଗକୁ ହାତଛଡ଼ା କରିବି ନାହିଁ। ବିଜେଡି ଓ ଭାଜପାର ପ୍ରାର୍ଥୀମାନେ ଦଳ ପାଇଁ ଭୋଟ ପାଉଛନ୍ତି। ମୋର ନିଜସ୍ବ ଭୋଟ ରହିଛି।
ସବୁଥର ପ୍ରାର୍ଥୀ ବଦଳାଇବା, ନେତାଙ୍କ ନକାରାତ୍ମକ ମନ୍ତବ୍ୟ ଦଳକୁ କ୍ଷତି କରିବ ନାହଁି କି?
ସବୁ ଦଳରେ ଅନ୍ତର୍ଦ୍ୱନ୍ଦ୍ୱ ରହିଛି। ଏହି ସମସ୍ୟାକୁ ପଛରେ ଛାଡିଦେଇ ଆଗକୁ ବଢିଯିବା ହିଁ ନେତାର କର୍ତ୍ତବ୍ୟ।
୨୦୧୮ ଉପନିର୍ବାଚନରେ ଦଳ ପ୍ରାୟ ୧୦ ହଜାର ଓ ଗତ ସାଧାରଣ ନିର୍ବାଚନରେ ପାଖାପାଖି ୧୪ ହଜାର ଭୋଟ ପାଇଥିଲା। ଚଳିତ ଥର କେତେ ଭୋଟ ପାଇବେ ବୋଲି ଭାବୁଛନ୍ତି ?
କେତେ ଭୋଟ ପାଇବି, ସେ କଥା କହିବି ନାହିଁ। ହେଲେ ଏ ନିର୍ବାଚନ ଆମେ ଜିତିବା ପାଇଁ ଲଢୁଛୁ।
କେନ୍ଦ୍ରରେ ଭାଜପା ସରକାର, ରାଜ୍ୟରେ ବିଜେଡି ସରକାର ଏସବୁ ମଧ୍ୟରେ କଂଗ୍ରେସ ପାଇଁ ଲଢ଼େଇ କିପରି ରହିଛି?
ବିଜେଡି ଓ ଭାଜପା ମଧ୍ୟରୁ ଗୋଟିଏ ଜିତିଲେ କିଛି ଅଧିକ ହେବ ନାହିଁ। କଂଗ୍ରେସ ଜିତିଲେ ଲୋକଙ୍କ ସ୍ବର ପ୍ରତିଫଳିତ ହେବ। ଗୋଟିଏ ଉପଯୁକ୍ତ ବିରୋଧୀ ସୃଷ୍ଟି ହୋଇପାରିବ।
ଯଦି ନିର୍ବାଚନରେ ବିଜୟୀ ହୁଅନ୍ତି, ତେବେ କେଉଁ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେବେ?
ମୁଁ ସର୍ବପ୍ରଥମେ ସ୍ବାସ୍ଥ୍ୟ ସମସ୍ୟାକୁ ଗୁରୁତ୍ୱ ଦେବି। ଛୁଆଟିଏ ଜନ୍ମ ହେଲେ ତାହାର ପ୍ରଥମେ ସ୍ବାସ୍ଥ୍ୟ ସୁବିଧାର ଆବଶ୍ୟକତା ରହିଛି। ଏହା ପରେ ଶିକ୍ଷା ଓ କୃଷି କଥାକୁ ପ୍ରାଥମିିକତା ଦେବି। ଡାକ୍ତରଖାନାର ଭିତ୍ତିଭୂମି ନାହିଁ, ଆବଶ୍ୟକ ସଂଖ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ଚାଷୀଙ୍କୁ ଉପଯୁକ୍ତ ସବ୍‌ସିଡି ମିଳୁନାହିଁ।
ପୂର୍ବାପେକ୍ଷା ଦୁଇଗୁଣା ଅଧିକ ଭୋଟ ପାଇବି: ସନତ
ଉପନିର୍ବାଚନକୁ ନେଇ ପ୍ରଚାର କିପରି ଜାରି ରହିଛି?
ପ୍ରଚାର ଜୋର୍‌ଦାର ଚାଲିଛି। ଭାଜପାର ପ୍ରତିଟି କର୍ମୀ ଓ ନିର୍ବାଚନମଣ୍ଡଳୀର ଭୋଟର ଉତ୍ସାହିତ ଅଛନ୍ତି।
ଭାଜପା ପଶ୍ଚିମ ଓଡ଼ିଶାରେ ପାଇଥିବା ଲୋକ ସଭା ଆସନର ସଫଳତା ବିଧାନସଭା ସିଟ୍‌ରେ ପ୍ରତିଫଳନ କରିପାରିବ କି?
ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲୋକେ ଆସ୍ଥା ରଖିଥିଲେ। ଏହି କାରଣରୁ ଲୋକ ସଭା ନିର୍ବାଚନରେ ସଫଳତା ମିଳିଥିଲା, ବିଧାନସଭା ଆସନରେ ମିଳି ନ ଥିଲା। ହେଲେ ମୁଖ୍ୟମନ୍ତ୍ରୀ ଏଠାରୁ ପ୍ରାର୍ଥୀ ହୋଇ ବିଜୟୀ ହେଲେ, କିନ୍ତୁ ଜିତିବା ପରେ ଆସନ ଛାଡି ଦେଲେ। ଏହି ନିଷ୍ପତ୍ତି ବିଜେପୁରବାସୀଙ୍କ ଆଶା, ଆକାଂକ୍ଷାକୁ ଧୂଳିସାତ୍‌ କଲା। ଅଞ୍ଚଳବାସୀ ପ୍ରତାରିତ ହେବା ଭଳି ମନେ କରୁଛନ୍ତି। ତେଣୁ ଏଥର ଭାଜପାକୁ ନିଶ୍ଚିତ ସଫଳତା ମିଳିବ।
କୁହାଯାଇଛି ଭାଜପା ଭଲ ପ୍ରାର୍ଥୀ ଦେଇଛି, ହେଲେ ବିଜେଡି ସହ ଉପର ସ୍ତରରେ ବୁଝାମଣା ପାଟକୁରା ନିର୍ବାଚନ ଭଳି ଫଳ ଦେବ?
ବିଜୟୀ ହେବା ପାଇଁ ଭାଜପା ଲଢୁଛି। ଉପର ସ୍ତରରେ କୌଣସି ମେଣ୍ଟ ନାହିଁ, ଆଗକୁ ମଧ୍ୟ ହେବାର ସମ୍ଭାବନା ନାହିଁ।
ଆପଣ ବିଧାୟକଭାବେ ନିର୍ବାଚିତ ହେଲେ କେଉଁ ୩ଟି ସମସ୍ୟାର ସମାଧାନକୁ ପ୍ରାଥମିକତା ଦେବେ?
ସର୍ବପ୍ରଥମେ ଚାଷୀଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବି। ଅଞ୍ଚଳବାସୀ ଧାର୍ଯ୍ୟ ଦରଠାରୁ କମ୍‌ ମୂଲ୍ୟରେ ଧାନ ବିକୁଛନ୍ତି। ମଣ୍ଡି ଖୋଲୁ ନାହିଁ, ଧାନ ପଡି ରହୁଛି। ଦ୍ୱିତୀୟତଃ ଜଳସେଚନର ଯଥେଷ୍ଟ ଉନ୍ନତି ହୋଇନାହିଁ। ତାହାର ସମାଧାନକୁ ଗୁରୁତ୍ୱ ଦେବି। ତୃତୀୟତଃ ଅଞ୍ଚଳରେ ଶିକ୍ଷା ସମସ୍ୟା ରହିଛି। ଅନେକ ସ୍ଥାନରେ କେବଳ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ବିଦ୍ୟାଳୟ ରହିଛି, ହେଲେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି। ଶିକ୍ଷା ଭିତ୍ତିଭୂମିର ଆହୁରି ଉନ୍ନତି ହେବାର ଆବଶ୍ୟକତା ରହିଛି।
ଗତଥର ୫୩ ହଜାରରୁ ଅଧିକ ଭୋଟ ପାଇଥିଲେ। ଏଥର କେତେ ଭୋଟ ପାଇବେ ବୋଲି ଆଶା କରିଛନ୍ତି?
ପୂର୍ବାପେକ୍ଷା ଦୁଇଗୁଣା ଅଧିକ ଭୋଟ ପାଇବି। ମୁଁ ଲକ୍ଷାଧିକ ଭୋଟ ପାଇବି ବୋଲି ଆଶା କରୁଛି।
ପୂର୍ବ ଉପନିର୍ବାଚନରେ ଭାଜପାରୁ ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀ ଦଳ ଛାଡିବା ସହ ବିଜେଡିକୁ ବାହ୍ୟ ସମର୍ଥନ ଘୋଷଣା କରିଛନ୍ତି। ଏହାର କି ପ୍ରଭାବ ପଡିବ ବୋଲି ଭାବୁଛନ୍ତି?
ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ଭଲ ପାଇବା ଅଛି। କୌଣସି ବ୍ୟକ୍ତିବିଶେଷ ଦଳ ଛାଡି ଗଲେ ତାହାର ପ୍ରଭାବ ଭୋଟ ଉପରେ ପଡିବ ନାହିଁ। ଭାଜପା ପୂର୍ବାପେକ୍ଷା ଭଲ କରିବ।
ସାକ୍ଷାତକାର : ଚିଦାନନ୍ଦ ଜେନା
ଫଟୋ: ମୁକେଶ ରାମ୍‌

 


Enter your email to get our daily news in your inbox.

All Right Reserved By Dharitri.Com

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

ଲୁଣା ନଦୀରେ ଗୋଡ଼ ଖସି ଛାତ୍ରୀ ନିଖୋଜ: ଉଦ୍ଧାର କାର୍ଯ୍ୟ ଜାରି

ମହାକାଳପଡ଼ା,୨୭।୪( ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ବନ୍ଧପଡ଼ା ଗ୍ରାମରେ ଏକ ଅଘଟଣ ଘଟିଛି। ଦୁଇ ସାଙ୍ଗ ନିକଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri