ଅପେକ୍ଷା କର, ବଛାଚାଲିଛି

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ୨୯ ସେପ୍ଟେମ୍ବରରେ ହେବାକୁ ଥିବା ମୁଦ୍ରାନୀତି କମିଟି ବା ମନିଟାରୀ ପଲିସି କମିଟି (ଏମ୍‌ପିସି) ବୈଠକକୁ ୨୮ ସେପ୍ଟେମ୍ବରରେ ସ୍ବଳ୍ପ ସୂଚନାରେ ସ୍ଥଗିତ କରିଦିଆଯାଇଛି। ଏହି କମିଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହାର ନିଷ୍ପତ୍ତି ଦ୍ୱାରା ଆର୍‌ବିଆଇର କାର୍ଯ୍ୟଶୈଳୀ ସ୍ଥିର ହୋଇଥାଏ। ସେଥିପାଇଁ ଏଭଳି ଏକ ବୈଠକକୁ ହଠାତ୍‌ ସ୍ଥଗିତ କରିଦେବା ଅନେକ ଦିଗକୁ ଇଙ୍ଗିତ କରୁଛି। ସ୍ଥଗିତର କାରଣ ଭାବେ ଦର୍ଶାଯାଇଛି ଯେ ସରକାରଙ୍କ ଦ୍ୱାରା ମନୋନୀତ ହେଉଥିବା ୩ ଜଣ ସ୍ବାଧୀନ ସଦସ୍ୟଙ୍କ ନାମ ଚୂଡ଼ାନ୍ତ ହୋଇପାରି ନ ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଆର୍‌ବିଆଇ ଆଇନ, ୧୯୩୪କୁ ସଂଶୋଧନ କରାଯାଇ ବିତ୍ତୀୟ ଆଇନ (ଭାରତ), ୨୦୧୬ ଅଣାଯିବା ପରେ ମୁଦ୍ରାନୀତି ସ୍ଥିର କରିବା ଲାଗି ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଜାୟ ରଖିବା ପାଇଁ ଏମ୍‌ପିସି ଗଠନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏଥିଲାଗି ୬ ଜଣିଆ ପ୍ୟାନେଲକୁ ନିଷ୍ପତ୍ତି ନେବାକୁ ଦାୟିତ୍ୱ ଦିଆଯାଇଥିଲା। ଏଥିରେ ୩ ଜଣ ସଦସ୍ୟ ଆର୍‌ବିଆଇରୁ ରହିଥିବା ବେଳେ ଆଉ ୩ ଜଣ ସରକାରଙ୍କ ଦ୍ୱାରା ମନୋନୀତ ବିଶେଷଜ୍ଞଙ୍କୁ ଉକ୍ତ ପ୍ୟାନେଲକୁ ପଠାଯାଇଥିଲା। ନିକଟ ଅତୀତରେ ସେହି ସ୍ବାଧୀନ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବାରୁ ନୂଆ ବ୍ୟକ୍ତିଙ୍କ ନାମ ସରକାର ସ୍ଥିର କରିପାରି ନ ଥିବାରୁ ୨୯ ସେପ୍ଟେମ୍ବର ବୈଠକକୁ ସ୍ଥଗିତ ରଖାଯାଇଛି। ବିଭିନ୍ନ ଆର୍ଥିକ ସଂସ୍କାର ଆଣି ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରାଯାଉଛି ବୋଲି ଡିଣ୍ଡିମ ପିଟୁଥିବା କେନ୍ଦ୍ର ସରକାର ୩ ଜଣ ସ୍ବାଧୀନ ସଦସ୍ୟଙ୍କୁ ବାଛିବାରେ ବିଳମ୍ବ କରିଛନ୍ତି। ସମ୍ଭବତଃ ସରକାରଙ୍କୁ ସୁହାଇଲା ଭଳି ବିଶେଷଜ୍ଞ ମିଳୁ ନ ଥିବାରୁ ନାମ ଚୂଡ଼ାନ୍ତ ହୋଇପାରୁ ନାହିଁ।
ଆଜିର କେନ୍ଦ୍ର ସରକାର ପ୍ରତି ପଦକ୍ଷେପରେ ବିଭିନ୍ନ କ୍ଷେତ୍ର ଉପରେ ନିଜର ସରକାରୀ ପ୍ରଭାବ ପକାଇବାକୁ ଉଦ୍ଦେଶ୍ୟ ରଖୁଥିବାରୁ ଅସଙ୍ଗତି ଦେଖାଦେଉଛି। କିଏ କେତେ ମ୍ୟାନେଜ୍‌ ବା ପରିଚାଳନା କରି ସରକାରକୁ ସୁରକ୍ଷା ଦେଇପାରିବ ସତେ ଯେମିତି ହୋଇଯାଇଛି ନିଉ ନର୍ମାଲ ବା ନୂଆ ସ୍ବାଭାବିକତା। ଆର୍‌ବିଆଇ ଏକ ସ୍ବାଧୀନ ସଂସ୍ଥା ବୋଲି କୁହାଯାଉଥିଲେ ମଧ୍ୟ ଗତ କିଛି ବର୍ଷର କାର୍ଯ୍ୟଧାରାକୁ ଦେଖିଲେ ସେଥିରେ ଅତ୍ୟଧିକ ସରକାରୀ ହସ୍ତକ୍ଷେପ ଏହାର ମୁଦ୍ରାନୀତି ଢାଞ୍ଚାକୁ ଦୁର୍ବଳ କରିଦେଲାଣି। ୨୦୧୯ ଅଗଷ୍ଟରେ ଆର୍‌ବିଆଇ ତା’ର ବଳକା ଅର୍ଥ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ନିଷ୍ପତ୍ତି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା କଥା। ଏହି ଅର୍ଥରୁ ସରକାର କେତେ ନେଇ କେଉଁ ଦିଗରେ ବ୍ୟୟ କଲେ ତାହାର ବିବରଣୀ ସାଧାରଣରେ ଜାଣିବା କଷ୍ଟକର। ସେହି ବଳକା ଅର୍ଥ ଥିଲେ ଆଜି ଅର୍ଥନୀତି ଯେଉଁଭଳି ଚାପରେ ରହିଛି ତାହାକୁ ହ୍ରାସ କରିବାରେ ଯଥେଷ୍ଟ ସହାୟକ ହୋଇପାରିଥାନ୍ତା। ବ୍ୟାଙ୍କଗୁଡ଼ିକୁ ଆର୍‌ବିଆଇଠାରୁ ଅଧିକ ଅର୍ଥ ମିଳିଥିଲେ ତାହା ବଜାର ଅର୍ଥନୀତିକୁ ବିଭିନ୍ନ ମାଧ୍ୟମରେ ଚଳଚଞ୍ଚଳ କରିପାରିଥାଆନ୍ତା। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କଥାକୁ ଆଲୋଚନାକୁ ଅଣାଯାଇପାରେ। ରାଜ୍ୟ ସରକାରଗୁଡ଼ିକ ସେମାନଙ୍କ ଜିଏସ୍‌ଟି ଅଂଶ ନ ପାଇବା ପରେ ଯେତେବେଳେ କେନ୍ଦ୍ର ନିକଟରେ ଫେରାଦ ହେଲେ, ସେତେବେଳେ ପ୍ରସ୍ତାବ ଦିଆଗଲା ଋଣ କରି ସରକାର ଚଳାଅ। ଏ ପ୍ରକାର ପରାମର୍ଶ ସମ୍ଭବତଃ ଅନ୍ୟ କୌଣସି ଦେଶର ସଂଘୀୟ ଅର୍ଥ ବ୍ୟବସ୍ଥାରେ ଦେଖାଦେଉ ନ ଥିବ। ଅପାରଗତାକୁ ଲୁଚାଇବାକୁ ଯାଇ ରାଜ୍ୟ ସରକାରଗୁଡ଼ିକୁ ଏଭଳି ପ୍ରସ୍ତାବ ଦିଆଯିବା ଅର୍ଥ ତା’ର ଲୋକଙ୍କ ଉପରେ ମୁଣ୍ଡ ପିଛା ବୋଝ ବଢ଼ାଇବା ସକାଶେ ବାଟ ଦେଖାଇ ଦିଆଯାଉଛି।
ଭାରତୀୟ ଅର୍ଥନୀତି ଅନ୍ତର୍ଜାତୀୟ ସ୍ତରରେ ତା’ର ସ୍ଥିତି ସୁଦୃଢ଼ କରିପାରିଛି ବୋଲି ଆଜିର ଶାସକ ବିଭିନ୍ନ ବିଶ୍ୱ ମଞ୍ଚରେ କହିବା ଗୋଟେ ଘୋଷାରେ ପରିଣତ ହୋଇଯାଇଛି। ହେଲେ ନିକଟରେ ଭୋଡାଫୋନ୍‌ ମାମଲାରେ ନେଦରଲାଣ୍ଡ୍‌ସର ହେଗ୍‌ସ୍ଥିତ ‘ପର୍ମାନେଣ୍ଟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ’ ଭାରତକୁ ଭର୍ସନା କରିବା ଦେଶର ମର୍ଯ୍ୟାଦାକୁ ଅନ୍ତର୍ଜାତୀୟ ସ୍ତରରେ ଯେଭଳି ନୂ୍ୟନ କରିଦେଲା, ତାହା ଉପରେ ସରକାରଙ୍କଠାରୁ ଆଉ କୌଣସି ମନ୍ତବ୍ୟ ପ୍ରକାଶ ପାଉ ନାହିଁ। ଭୋଡାଫୋନ୍‌କୁ ଟିକସ ସହ ସୁଧ ମିଶାଇ ୨୦,୦୦୦ କୋଟି ଟଙ୍କା ଦେୟ ଦେବା ଲାଗି ମୋଦି ସରକାର ଯେଉଁ ନୋଟିସ୍‌ ଦେଇଥିଲେ ତାହା ଅନ୍ତର୍ଜାତୀୟ କୋର୍ଟରେ ଖାରଜ ହୋଇଗଲା। କେବଳ ସେତିକି ନୁହେଁ, ନୋଟିସ ଦିଆଯାଇଥିବା ଅର୍ଥ ବୁଡ଼ିବା ସହ ଭୋଡାଫୋନ୍‌ ମକଦ୍ଦମା ଲାଗି ବ୍ୟୟ କରିଥିବା ଅର୍ଥ ଦେବା ଲାଗି ଭାରତ ସରକାରଙ୍କୁ କୁହାଯାଇଛି। ଫଳରେ ଭାରତର ସମ୍ମାନ ଗଲା ଓ ଜରିମାନା ଦେବାକୁ ପଡ଼ିବ। ଏଥିରୁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପରିଚାଳନା କରୁଥିବା ମୁଣ୍ଡଗୁଡ଼ିକ କେଉଁ ସ୍ତରରେ ଅଛନ୍ତି ବୁଝି ହେଉଛି।
ଆର୍‌ବିଆଇ କଥାକୁ ଫେରିବା। ପ୍ୟାନେଲରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନ ଥିଲେ ବୈଠକ ବସିପାରିବ ନାହିଁ ବୋଲି ଆର୍‌ବିଆଇ ଓ ସରକାର ଜାଣିିଛନ୍ତି। ତେବେ ସ୍ବାଧୀନ ସଦସ୍ୟଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ନୂତନ ବ୍ୟକ୍ତିଙ୍କ ନାମ ବଛା ନ ଯିବା ସୂଚାଇ ଦେଉଛି ଯେ ସରକାର ସେହି କେନ୍ଦ୍ରୀୟ ବ୍ୟଙ୍କକୁ ସିଧାସଳଖ ନିୟନ୍ତ୍ରଣ କରୁଛନ୍ତି। ଛୋଟିଆ ଛୋଟିଆ କଥାରେ ସରକାର ଓ ପ୍ରଶାସକ ଆଗ୍ରହର ସହ ପଶି ସମାଧାନ ଆଣିପାରୁଥିବା ବେଳେ ଦେଶର ଅର୍ଥନୀତିକୁ ଦିଶା ଦେଖାଉଥିବା ଆର୍‌ବିଆଇ ବିଷୟ ପାସୋରି ଦିଆଯିବା ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ବର୍ତ୍ତମାନ ଦେଶ ଯେଉଁ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଓ ବଜାର ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୋହଲି ଯାଇଛି ସେତେବେଳେ ମୁଦ୍ରାନୀତି ନେଇ ନିଶ୍ଚିତତା ଆସି ନ ପାରିବା ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି। ସୁଧ ହାର ସୂଚାଇବାରେ ଡେରି ହେବା ମାନେ ବ୍ୟବସାୟ ଓ ବିତ୍ତୀୟ କ୍ଷେତ୍ରକୁ ଭୁଲ ବାର୍ତ୍ତା ପହଞ୍ଚିବ। ଆର୍ଥିକ ଦୁଃସ୍ଥିତି ଦେଇ ଭାରତ ଗତି କରୁଥିବା ବେଳେ ଯଦି ସଙ୍କଟ ସର୍ବନିମ୍ନ ସ୍ତରକୁ ଚାଲିଯାଏ, ସେତେବେଳେ କୌଣସି ‘ଆତ୍ମନିର୍ଭର ଭାରତ’ ଦେଶକୁ ବଞ୍ଚାଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri