ବିଶ୍ୱର ନିଷ୍ପେଷିତ ଜନଗୋଷ୍ଠୀ

ନାରାୟଣ ପଣ୍ଡା

 

ବିଶ୍ୱରେ ଏବେ ବି କିଛି ମଣିଷ ବିଭିନ୍ନ ଦେଶରେ ଧର୍ମ, ବର୍ଣ୍ଣ ଜାତିକୁ ନେଇ ନିଷ୍ପେଷିତ ଅଛନ୍ତି। ତାହା ହିନ୍ଦୁ ପ୍ରଧାନ ଦେଶ ଭାରତ ହେଉ କିମ୍ବା ବର୍ଣ୍ଣ ବୈଷମ୍ୟର ରଙ୍ଗରେ ରଙ୍ଗାୟିତ ଆମେରିକା ହେଉ ଅବା ମୁସଲିମ୍‌ ବହୁଳ ୟେମେନ ଓ ବୁଦ୍ଧପୂଜିତ ଜାପାନ। ଏ ସମସ୍ତ ଅଞ୍ଚଳରେ କିଛି ମଣିଷମାନଙ୍କୁ ମଣିଷ ଜାତିର ନିମ୍ନତମ ସୋପାନରେ ରଖାଯାଇ ସେମାନଙ୍କୁ ଶାରୀରିକ, ମାନସିକ ଓ ମନସ୍ତାତ୍ତ୍ୱିକ ନିପୀଡ଼ନ କରାଯାଉଛି। ଛିନ୍ନ କରାଯାଉଛି ମଣିଷରୂପେ ତାଙ୍କର ବଞ୍ଚିବାର ଅଧିକାର। ୟେମେନରେ ଏମିତି କିଛି ଲୋକ ଅଛନ୍ତି, ମୁଖ୍ୟ ସ୍ରୋତରେ ମିଶିବା ପାଇଁ ସେମାନଙ୍କ ସ୍ବପ୍ନ ଏବେ ବି ବହୁତ ଦୂରରେ। କଳା ଚମଡ଼ାର ଆଖଡମ୍‌ ସଂପ୍ରଦାୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ଚିରନ୍ତନ ପକ୍ଷପାତିତା ଓ ସାଂସ୍କୃତିକ ନିର୍ଯାତନାର ଶିକାର ହେଉଛନ୍ତି। ସେ ମାଟିରେ ଇସ୍‌ଲାମ ପ୍ରବେଶ ପୂର୍ବରୁ ୧୪ଶ ଖ୍ରୀଷ୍ଟାବ୍ଦ ବେଳକୁ ଲୋହିତ ସାଗର ଅତିକ୍ରମ କରି ସେମାନେ ୟେମେନରେ ଆସି ବାସ କରୁଥିଲେ। ସେମାନେ ଆଜି ୟେମେନରେ ସଂଖ୍ୟାଲଘୁ ଓ ଦଳିତ। ସେ ଦେଶର ୨.୯୨ କୋଟି ଲୋକ ସଂଖ୍ୟାରେ ସେମାନଙ୍କ ସଂଖ୍ୟା ୧.୫ ନିୟୁତ। ଜାତିବାଦର ପଦାନୁକ୍ରମରେ ଏହି କୃଷ୍ଣକାୟ ସମୁଦାୟ ସେଠାକାର ସମାଜରେ ଆଜି ଅଦରକାରୀ। ୟେମେନୀୟମାନେ ଜାତିଗତ ଉତ୍କର୍ଷତାକୁ ନେଇ ସେମାନଙ୍କୁ ଆଜି ବି ଅପମାନିତ କରି ଏକଘରିଆ ରଖିଛନ୍ତି। ସାଧାରଣ ଶ୍ମଶାନରେ ସେମାନଙ୍କୁ ସମାଧି ନେବାକୁ ଦିଆଯାଏ ନାହିଁ। ସହରଠାରୁ ଦୂର ବସ୍ତି ଅଞ୍ଚଳରେ ଏକବଖୁରିଆ କୁଡ଼ିଆରେ ସେମାନେ ସାତ ଆଠ ଜଣ ବାସ କରନ୍ତି। ସେମାନେ ସର୍ବତ୍ର ଘୃଣାର ପାତ୍ର। ସେମାନେ ଉତ୍କଟ ଦାରିଦ୍ର୍ୟ ଓ ହୀନମନ୍ୟତା ମଧ୍ୟରେ ବାସ କରିବାକୁ ବାଧ୍ୟ ହେଉଛନ୍ତି। ମୌଳିକ ଶିକ୍ଷା ଆହରଣ କରିବା ପାଇଁ ୟେମେନ ସରକାର ସମସ୍ତଙ୍କୁ ବିନା ପକ୍ଷପାତିତାରେ ଆଇନ ନିର୍ମାଣ କରିଥିଲେ ମଧ୍ୟ ଏହାର କାର୍ଯ୍ୟାନ୍ବୟନ ଦାୟିତ୍ୱରେ ଥିବା ଅଧିକାରୀ ସମ୍ପୃକ୍ତ ସମ୍ପ୍ରଦାୟଙ୍କ ପ୍ରତି ଘୃଣା ମନୋଭାବ ଯୋଗୁ ଅସ୍ବୀକାର କରିଥାନ୍ତି। ବିଶ୍ୱରେ ଏହି ଆଖଡମ୍‌ ଜାତି ସର୍ବାପେକ୍ଷା ଅଧିକ ନିର୍ଯାତିତ ଓ ବର୍ଣ୍ଣ ବୈଷମ୍ୟର ଶିକାର। ଆଖଡମ୍‌ମାନଙ୍କ ସମ୍ପର୍କରେ କୁହାଯାଏ ଯଦି କୌଣସି ଖାଦ୍ୟ ପାତ୍ରକୁ କୁକୁରଟିଏ ସ୍ପର୍ଶ କରେ ତାହାକୁ ଧୁଆଯାଇ ବ୍ୟବହାର କରାଯାଇପାରେ କିନ୍ତୁ ପାତ୍ରକୁ ଯଦି ଆଖଡମ୍‌ ସ୍ପର୍ଶ କରନ୍ତି ତାହାକୁ ଭାଙ୍ଗି ଦେବାକୁ ହୁଏ। ଏବେ ବି ଏମାନେ ନିଜର ଅଧିକାର ପାଇଁ ସଂଘର୍ଷରତ।
ଜାପାନର ବୁରାକୁମିନ- ଜାପାନୀ ଭାଷାରେ କ୍ଷୁଦ୍ର ଗ୍ରାମର ଲୋକ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ। ସେମାନଙ୍କ ରହୁଥିବା ଗ୍ରାମକୁ ଘେଟୋଜ କୁହାଯାଏ। ସମାଜରେ ସେମାନେ ପକ୍ଷପାତ ଓ ବାସନ୍ଦର ଶିକାର ହୋଇଥାନ୍ତି। ଜାପାନ ଆଇନରେ ୧୮୬୮ରୁ ଏହା ଉଚ୍ଛେଦ ହୋଇଥିଲେ ମଧ୍ୟ ଆଜି ବି ସେମାନେ ଅପବାଦ ଓ କଳଙ୍କର ବୋଝ ମୁଣ୍ଡାଇ ଚାଲୁଛନ୍ତି। ଦେଶର ମୁଖ୍ୟ ସ୍ରୋତରେ ମିଶିବା ପାଇଁ ସେମାନଙ୍କ ସଂଗ୍ରାମ ଅବ୍ୟାହତ ରହିଛି । ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣ ଜୀବନର ଉତ୍ଥାନ ପତନର କଠିନ ସୋପାନ ଅତିକ୍ରମ କରି ସଫଳତାର ଶୀର୍ଷରେ ଅବଶ୍ୟ ପହଞ୍ଚିଛନ୍ତି। କିନ୍ତୁ ଏବେ ବି ସେମାନଙ୍କ ସଂଖ୍ୟାର ସିଂହଭାଗ ଘାତକ, କଂସେଇ, କଂସେଇଖାନାର ଶ୍ରମିକ ଓ ଚମଡ଼ା କଷ କରିବା କାର୍ଯ୍ୟରେ ନିୟୋଜିତ ରହି ଜୀବିକା ନିର୍ବାହ କରନ୍ତି। ଜିଚିରୋ ମାତ୍ସୁଗୋଟାଙ୍କୁ ଜାପାନର ବୁରାକୀ ମୁକ୍ତି ଆନ୍ଦୋଳନର ପିତା କୁହାଯାଏ। ବୁରାକ୍ୟୁମିନ ପୃଷ୍ଠଭୂମିରୁ ଆସିଥିବା ହିରମୁ ନୋନାକା ନିଜର ଚେଷ୍ଟା, ସଂଘର୍ଷ ଓ ଅଧ୍ୟବସାୟ ଦ୍ୱାରା ଜାପାନର କ୍ୟାବିନେଟ୍‌ ସେକ୍ରେଟାରୀ, ପ୍ରତିନିଧି ସଭାର ସଦସ୍ୟ ଓ ଗୃହମନ୍ତ୍ରୀ ହୋଇପାରିଥିଲେ।
ଏକବିଂଶ ଶତାବ୍ଦୀରେ ମଧ୍ୟ ଆମେରିକାରେ କିଭଳି ବର୍ଣ୍ଣ ବୈଷମ୍ୟ ରହିଛି ୨୦୨୦ ମେ ମାସରେ ପୋଲିସ ହେପାଜତରେ ଜଣେ ଅଶ୍ୱେତ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ଘଟଣା ଏହାର ସାକ୍ଷୀ। ଟାକ୍ସ ଠକେଇଜନିତ ଏକ ଘଟଣାରେ ପୋଲିସର ଜଣେ ପୂର୍ବତନ ଅଧିକାରୀ ଡେରେକ ଚାଉଭିନ ଫ୍ଲଏଡଙ୍କ ବେକକୁ ନିଷ୍ଠୁରଭାବେ ପ୍ରାୟ ୯ ମିନିଟ ଆଣ୍ଠୁରେ ଚାପି ଧରିଥିଲେ। ସେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ହେଁ ପୋଲିସ ତାଙ୍କ କଥା ଶୁଣି ନ ଥିଲା। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା। ଫ୍ଲଏଡ ଜଣେ ଅଶ୍ୱେତ ହୋଇଥିବାରୁ ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ସହ ସମଗ୍ର ଆମେରିକାରେ ବିକ୍ଷୋଭ ହୋଇଥିଲା। ଜାତିଗତ ଭେଦଭାବ ବିରୋଧରେ ବ୍ଲାକ୍‌ ଲାଇଭ୍ସ ମେଟର ନାମରେ ଆନ୍ଦୋଳନ ସମଗ୍ର ବିଶ୍ୱକୁ ବ୍ୟାପିଯାଇଥିଲା। ଏଥିରେ ଚାଉଭିନଙ୍କ ସମେତ ତିନି ପୋଲିସ ଅଧିକାରୀଙ୍କ ଉପରେ ହତ୍ୟା ଅଭିଯୋଗ ଆରୋପିତ ହୋଇଛି। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି ଦେଶର ପ୍ରଚଳିତ ଆଇନ ଅନୁସାରେ ଅତି ବେଶିରେ ୬୫ ବର୍ଷ ପର୍ଯ୍ୟନ୍ତ ସେ ଜେଲ ଦଣ୍ଡ ଭୋଗିପାରନ୍ତି। ଉଲ୍ଲେଖଯୋଗ୍ୟ ସମ୍ପ୍ରତି ଏକ ଚୁକ୍ତି ଅନୁସାରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଫ୍ଲଏଡଙ୍କ ପରିବାରକୁ ୨୭ ମିଲିୟନ ଡଲାର ବା ୧୯୬.୨୦୦ କୋଟି ଟଙ୍କା କ୍ଷତିପୂରଣ ସ୍ବରୂପ ଦେବାପାଇଁ ସ୍ଥିର ହୋଇଛି । ଆମେରିକାରେ କଳା ଗୋରା ଭେଦଭାବ ଦୀର୍ଘ ବର୍ଷ ଧରି ଚାଲିଛି। ଏହି ଭେଦଭାବ ବିଲୋପ କରିବା ପାଇଁ ଅତୀତରେ ଆମେରିକାର କିମ୍ବଦନ୍ତୀ କୃଷ୍ଣକାୟ ସପକ୍ଷବାଦୀ ସଂଗ୍ରାମୀ ମାର୍ଟିନ ଲୁଥର କିଙ୍ଗ ଜୁନିୟର ତାଙ୍କର ୩୭ ବର୍ଷ ଜୀବନକାଳ ମଧ୍ୟରେ ୨୦ ଥର ଜେଲ ଯିବା ସହିତ ୪ଥର ମାଡଖାଇ ଶେଷରେ ମେମଫିସଠାରେ ଆତତାୟୀଙ୍କ ନିର୍ମମ ଗୁଳିରେ ଶହୀଦ ହୋଇଥିଲେ । ସମୟର ପରିବର୍ତ୍ତନ ହୋଇଛି। କଳା ଲୋକ ଆମେରିକାର ରାଷ୍ଟ୍ରପତି ପଦବୀ ମଣ୍ଡନ କରିଛନ୍ତି। ସମ୍ପ୍ରତି ଜଣେ ମୂଳ ଭାରତୀୟ ମହିଳା ଆମେରିକାର ଉପରାଷ୍ଟ୍ରପତି ଅଛନ୍ତି। ଶ୍ୱେତାଙ୍ଗମାନଙ୍କର ମାନସିକତାରେ ତଥାପି ପରିବର୍ତ୍ତନ ହୋଇ ନାହିଁ। କଳା ଲୋକଙ୍କ ପ୍ରତି ଆମେରିକୀୟ ଶ୍ୱେତାଙ୍ଗଙ୍କ ମନରେ ଅସରନ୍ତି ଘୃଣା।
ପଶ୍ଚିମ ଫ୍ରାନ୍ସ ଓ ଉତ୍ତର ସ୍ପେନରେ କାଗୋଟ ନାମକ ଏକ ପ୍ରାଚୀନ ସମ୍ପ୍ରଦାୟ ସେଠାରେ ଅସ୍ପୃଶ୍ୟତାର ଶରବ୍ୟ ହେଉଛନ୍ତି। ଦିନ ଥିଲା ତାଙ୍କ ପାଇଁ ସ୍ବତନ୍ତ୍ର ନିବାସସ୍ଥଳ ଥିଲା। ସାମାଜିକ ଓ ରାଜନୈତିକ ଅଧିକାରରୁ ସେମାନେ ବଞ୍ଚିତ ହେଉଥିଲେ। ସେମାନେ ଅଣକାଗୋଟମାନଙ୍କୁ ବିବାହ କରିପାରୁ ନ ଥିଲେ। ସାଧାରଣ ଗାଧୁଆ ସ୍ଥଳରେ ସ୍ନାନ କରିପାରୁ ନ ଥିଲେ। ରାତ୍ରି ଉତ୍ସବ ପାଳନ କରିପାରୁ ନ ଥିଲେ କିମ୍ବା ଖାଦ୍ୟ ଓ ମଦ୍ୟ ବିକ୍ରି କରିବାର ଅଧିକାର ସେମାନଙ୍କର ନ ଥିଲା। ସେମାନେ ଚର୍ଚ୍ଚର ସଂକୀର୍ଣ୍ଣ ଓ ଅନୁଚ୍ଚ ପାର୍ଶ୍ୱ ଦରଜାଦେଇ ମୁଣ୍ଡ ନୂଆଁଇ ପ୍ରବେଶ କରିବାକୁ ବାଧ୍ୟ ହେଉଥିଲେ। ଆଧୁନିକତାରେ ତାଳ ଦେଇ ସେମାନଙ୍କ ଅବସ୍ଥାରେ ସମ୍ପ୍ରତି କିଛିଟା ପରିବର୍ତ୍ତନ ପରିଦୃଶ୍ୟ ହେଉଥିଲେ ମଧ୍ୟ ଅନେକ କାଗୋଟଙ୍କର ସ୍ଥିତି ମଧ୍ୟ ପୂର୍ବତ୍ୱ ରହିଛି। ସେହିପରି ନାଇଜେରିଆର ଓହୁହୁ ସମ୍ପ୍ରଦାୟ ସେଠାରେ ‘ଘୃଣ୍ୟ ଓ ଅସ୍ପୃଶ୍ୟ’ ରୂପେ ଯୁଗ ଯୁଗ ଧରି ରହିଆସିଛନ୍ତି। ବୋଝ ଓ ଟୋକେଇ ବୁଣିବା, କଂସେଇଖାନାରେ କାମ କରିବା, ଚମଡ଼ା ଧୋଇବା ସେମାନଙ୍କର ବୃତ୍ତି। ଉଚ୍ଚସ୍ତରୀୟ ବ୍ୟକ୍ତିମାନେ ସେମାନଙ୍କୁ ଘୃଣା ହିଁ କରିଥାନ୍ତି। କୋରିଆରେ ବାଏକ ଜିୱଙ୍ଗ ସମ୍ପ୍ରଦାୟ ନୀଚ, ପ୍ରଦୂଷିତ ଓ ଅସ୍ପୃଶ୍ୟ। ଏଠାରେ ଜାତି ବିଭାଗରେ ସମ୍ଭ୍ରାନ୍ତ, ମଧ୍ୟସ୍ଥିତ ଓ ସାଧାରଣ ବର୍ଗର ନିମ୍ନରେ ବାଏକ ଜିୱଙ୍ଗ ଚତୁର୍ଥ ବର୍ଗର। ଭାରତରେ ଆଇନ ପ୍ରଣୟନଦ୍ୱାରା ଅସ୍ପୃଶ୍ୟତା ଉଚ୍ଛେଦ କରାଯାଇଛି। ଅତୀତରେ ବୈଦିକ ଯୁଗରୁ ଏଠାରେ କଠୋର ବର୍ଣ୍ଣାଶ୍ରମ ବ୍ୟବସ୍ଥା ଥିଲା। ଚତୁର୍ଥ ବର୍ଗର ଲୋକମାନେ ଅକଳନ ଘୃଣା ଓ ଦ୍ୱେଷର ଶରବ୍ୟ ହେଉଥିଲେ। ବିଡ଼ମ୍ବନାର ବିଷୟ, ଆଜି ବି ଭାରତର ଗ୍ରାମାଞ୍ଚଳରେ କିଛି ସମ୍ପ୍ରଦାୟ ଉଚ୍ଚ ବର୍ଗଙ୍କ ଦ୍ୱାରା ଶୋଷିତ ଓ ଘୃଣିତ ହେଉଛନ୍ତି। ପ୍ରକୃତରେ ବେଦ କୌଣସି ଜାତି ସୃଷ୍ଟି କରିନାହିଁ। ବ୍ୟକ୍ତିର କର୍ମର ଆଧାରରେ ହିଁ ତାହାର ବର୍ଣ୍ଣ ନିରୂପିତ ହୋଇଥାଏ। ମାନବତା ମନ୍ତ୍ରକୁ ଛାଡ଼ି ଲୋକମାନେ ଦଳୀୟ ଓ ସାମ୍ପ୍ରଦାୟିକ ବିଚାରରେ ଉନ୍ମତ୍ତ ହେଲେ ମନୁଷ୍ୟର ସଂଗଠନ ବହୁଧା ବିଭକ୍ତ ହୁଏ। ବହୁଦଳ, ସଂଘ, ସମ୍ପ୍ରଦାୟ ଗଠିତ ହୋଇ ବିଚାର ଭିନ୍ନ ଭିନ୍ନ ହୁଏ। ମନୁଷ୍ୟ ମନୁଷ୍ୟ ମଧ୍ୟରେ ଭେଦଭାବ ସୃଷ୍ଟି ହୁଏ। ଦଳ ଦଳ ମନୁଷ୍ୟ ଭିନ୍ନ ଭିନ୍ନ ଶିବିର ଗଢ଼ନ୍ତି। ତେଣୁ ଈଶ୍ୱର କହୁଛନ୍ତି,- ମୁଁ ତୁମମାନଙ୍କ ପାଇଁ ସମାନ ସୁଯୋଗ ଅର୍ପଣ କରୁଛି। ତୁମମାନଙ୍କ ସଂକଳ୍ପ ଶକ୍ତି ସମାନ ହେଉ। ତୁମମାନଙ୍କ ହୃଦୟ ଓ ମନ ସମାନ ହେଉ। ଏହାଦ୍ୱାରା ତୁମର ବଳ ଓ ସାମର୍ଥ୍ୟ ଉତ୍ତମ ଭାବରେ ପ୍ରକାଶିତ ହୋଇ ରାଷ୍ଟ୍ରର ହିତ ପାଇଁ ଉପଯୋଗ ହେବ। ଉକ୍ତ ବୈଦିକ ବାଣୀ ଅନୁସରଣ କରାଗଲେ ଦେଶ ସୁଖଶାନ୍ତିରେ ଉଲ୍ଲସି ଉଠିବ। ପରିତାପର ବିଷୟ, ଆଜି ବି ଭାରତର ଗ୍ରାମାଞ୍ଚଳର ମନ୍ଦିର ଦ୍ୱାର ଅନେକଙ୍କ ପାଇଁ ନିଷିଦ୍ଧ ରହିଛି। ଏହା ଅତ୍ୟନ୍ତ ଅମାନବୀୟ ଓ ଯୁଗ ବିରୋଧୀ। ନିର୍ବାଚନ ସମୟରେ ଆମର ନମସ୍ୟ ରାଜନେତାଗଣ ସ୍ବ-ବାଜି କରି ଅଚ୍ଛବଙ୍କ ଘରେ ପ୍ରାୟୋଜିତ ଭୋଜନ କରିଥାନ୍ତି। ଏଥିରେ କୌଣସି ଲାଭ ହୁଏ ନାହିଁ। ରାଜନେତାମାନଙ୍କର ବିଭିନ୍ନ ଅଞ୍ଚଳ ଗସ୍ତ ସମୟରେ ଏହି ବର୍ଗର ଲୋକମାନଙ୍କୁ ନେଇ ଯଦି ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହନ୍ତା ଦେଶର ଅସ୍ପୃଶ୍ୟତା ସମସ୍ୟା ଅଚିରେ ବି ଦୂରିତ ହୁଅନ୍ତା। ଏଥିପାଇଁ ନୀତି ପ୍ରସ୍ତୁତ ହେବା ସହିତ ତଦନୁଯାୟୀ ମାନସିକତା ପ୍ରସ୍ତୁତ ହେବା ଦରକାର।
ମୋ.- ୯୪୩୭୧୧୮୯୬୨


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?