ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି। ହେଲେ ଭାରତ ତାହାକୁ ଅଗ୍ରାହ୍ୟ କରୁଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ଆମେରିକାର ମଧ୍ୟସ୍ଥତାକୁ ସ୍ବୀକାର କରିଥିଲେ। ପ୍ରଥମେ ଏଚ୍‌୧ବି ଭିଜା ଓ ପରବର୍ତ୍ତୀ ସମୟରେ ବିଶେଷକରି ଟାରିଫ୍‌ ଯୋଗୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡ଼ିଯାଇଛି। ଏହାକୁ ଭାରତ ସଜାଡ଼ିବା ପରିବର୍ତ୍ତେ ଟ୍ରମ୍ପ୍‌ଙ୍କୁ କ୍ରୋଧିତ କଲା ଭଳି କିଛି କଥା ଏବେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିବା ପରେ ସଦ୍ୟ ଚର୍ଚ୍ଚା ଦେଖାଦେଇଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଟ୍ରମ୍ପ୍‌ଙ୍କ ପ୍ରଥମ ୪ ବର୍ଷ ଶାସନ ଶେଷବେଳକୁ ଯେଉଁ ନିର୍ବାଚନ ହୋଇଥିଲା, ସେଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ରହୁଥିବା ଭାରତୀୟଙ୍କୁ ଟେକ୍ସାସ୍‌ ରାଜ୍ୟର ହ୍ୟୁଷ୍ଟନ୍‌ଠାରେ ଏକ ସାଧାରଣ ସଭାରେ ‘ଅବ୍‌କି ବାର୍‌ ଟ୍ରମ୍ପ୍‌ ସରକାର’ କହି ପ୍ରଚାର ଆରମ୍ଭ କରିଥିଲେ। କୂଟନୀତିରେ ଏହା ଏକ ବିରାଟକାୟ ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଥିଲା ବୋଲି ପରବର୍ତ୍ତୀ ସମୟରେ ବୁଝାପଡୁଛି।
ନିକଟରେ ନ୍ୟୁୟର୍କରେ ୮୧ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ଅଧିବେଶନରେ ଯୋଗଦେବାକୁ ଯାଇଥିବା ବେଳେ ଏସିଆ ସୋସାଇଟିକୁ ସମ୍ବୋଧନ କରି ଜୟଶଙ୍କର ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଭାରତ ଓ ଆମେରିକା ସମ୍ପର୍କକୁ ଆହୁରି ତିକ୍ତ କରିପାରେ ବୋଲି ବିଦେଶୀ ଗଣମାଧ୍ୟମରେ ଆଲୋଚନା ହେଉଛି। ଆମେରିକାର ପୂର୍ବତନ କୂଟନୀତିଜ୍ଞ ଡାନିଏଲ ରସେଲଙ୍କ ସହ ଆଲୋଚନା କରି ଜୟଶଙ୍କର ଆମେରିକା, ପାକିସ୍ତାନ, ଚାଇନା ଏବଂ ବିଶ୍ୱ କୂଟନୀତିକୁ ନେଇ କେତେକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ୱାଶିଂଟନ୍‌ର ଏକ ବ୍ୟାଖ୍ୟାନ ଥିଲା ଯେ, ଭାରତ ପାଖରେ ଅଧିକ ବିକଳ୍ପ ରହିବା ଉଚିତ ନୁହେଁ ଏବଂ କେବଳ ଆମେରିକା ଉପରେ ତା’ର ଧ୍ୟାନ କେନ୍ଦ୍ରିତ କରିବା ଦରକାର। କିନ୍ତୁ ଆମେରିକା ନିଜର ବିକଳ୍ପଗୁଡ଼ିକୁ ଖୋଲା ରଖୁଥିଲା। ବର୍ତ୍ତମାନ ଏହି ଛଳନା ଦୂର ହୋଇଛି ବୋଲି ଜୟଶଙ୍କର କହିଛନ୍ତି। ସେହିପରି ପାକିସ୍ତାନରୁ ଆତଙ୍କବାଦ କାର୍ଯ୍ୟ ଚାଲୁଥିଲେ ମଧ୍ୟ ଆମେରିକା ସେହି ଦିଗରେ ଉଚିତ ପଦକ୍ଷେପ ନେଉ ନାହିଁ ବୋଲି ଜୟଶଙ୍କର ମତ ଦେଇଛନ୍ତି। ଏହିସବୁ କାରଣ ଯୋଗୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି ବୋଲି ଜୟଶଙ୍କର କହିବା ଅନ୍ତର୍ଜାତୀୟ କୂଟନୀତିକୁ କିଭଳି ପ୍ରଭାବିତ କରିବ ତାହା ପରେ ଜଣାପଡ଼ିବ।
ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଆମେରିକାରେ ଦୃଢ଼ ଭାବେ ନିଜ ମତ ରଖିବା ଠିକ୍‌ କଥା। କିନ୍ତୁ ଭାରତର ବହିର୍ବ୍ୟାପାର ନୀତିରେ ଅନେକ ସମୟରେ ଅସ୍ପଷ୍ଟତା ରହୁଥିବାରୁ ଜୟଶଙ୍କରଙ୍କ ଦୃଢ଼ୋକ୍ତି କେତେଦୂର ଓ କେତେ ସମୟଯାଏ ଟାଣ ହୋଇ ରହିବ, ତାହା ଗୁରୁତ୍ୱ ବହନ କରେ। ଏହା ଲେଖିବାର ପ୍ରଚ୍ଛଦପଟରେ ଜୟଶଙ୍କରଙ୍କ ଅନ୍ୟ ଦିଗକୁ ଦୃଷ୍ଟିରେ ରଖାଯାଇପାରେ। ଇଣ୍ଟରନେଟ୍‌ ଖୋଜିଲେ ଜଣାପଡ଼େ ଯେ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ପୁତ୍ର ଧ୍ରୁବ ଜୟଶଙ୍କର କିଛି ବର୍ଷ ଧରି ଆମେରିକାରେ ରହୁଛନ୍ତି। ଓ୍ବାଶିଂଟନସ୍ଥିତ ଏକ ଥିଙ୍କ୍‌ଟ୍ୟାଙ୍କ୍‌ ଅବ୍‌ଜରଭର ରିସର୍ଚ୍ଚ ଫାଉଣ୍ଡେଶନ ଆମେରିକା (ଓଆର୍‌ଏଫ୍‌ ଆମେରିକା)ରେ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ମନେରଖିବାକୁ ହେବ ଯେ, ଥିଙ୍କ୍‌ଟ୍ୟାଙ୍କ କୌଣସି ବ୍ୟବସାୟିକ କମ୍ପାନୀ ନୁହେଁ, ଆମେରିକାରେ ଥିବା ଏଭଳି ଥିଙ୍କ୍‌ଟ୍ୟାଙ୍କ୍‌କୁ ବହୁ ଅଜଣା ମାଧ୍ୟମରୁ ପ୍ରବଳ ଅର୍ଥ ମିଳିଥାଏ। ଏହି ସଂସ୍ଥାଗୁଡ଼ିକର ମୁଖ୍ୟ ଦାୟିତ୍ୱ ହେଉଛି ଆମେରିକା ସରକାରକୁ ପୃଥିବୀର ବିଭିନ୍ନ ଦେଶ ସମ୍ପର୍କରେ ଗବେଷଣାଧର୍ମୀ ଗୋପନୀୟ ତଥ୍ୟ ଯୋଗାଇଦେବା। ପୁତ୍ର ଯେବେ ଯୋଗ୍ୟ ହେଲା ଦେଶକୁ କିଏ ବା ପଚାରେ। ଏଭଳି ସ୍ଥିତିକୁ ‘କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟ୍ରେଷ୍ଟ୍‌’ ବା ‘ସ୍ବାର୍ଥନିହିତ ଦ୍ୱନ୍ଦ୍ୱ’ କୁହାଯାଇଥାଏ। ଏମିତି ଦେଖିଲେ ଭାରତୀୟ ଅର୍ଥନୀତି ଭଲ ଅବସ୍ଥାରେ ନାହିଁ। ଟ୍ରମ୍ପ୍‌ଙ୍କ ‘ଆମେରିକା ଆଗ’ ନୀତି ଯୋଗୁ ଭାରତ ସେଠାରୁ ଯେଉଁ ସୁବିଧା ପାଉଥିଲା ତାହା ପ୍ରାୟ ବନ୍ଦ ହୋଇଗଲାଣି। କୂଟନୀତିରେ ସମ୍ପର୍କକୁ ସିଧାସଳଖ କ୍ଷତିରେ ପହଞ୍ଚତ୍ଲା ଭଳି ମନ୍ତବ୍ୟ ଦେବା ବୁଦ୍ଧିମାନର କାମ ନୁହେଁ। କାରଣ ଭାରତୀୟଙ୍କ ଦୃଷ୍ଟିକୋଣରୁ ଏଭଳି ଆଭିମୁଖ୍ୟ ଦେଶ ପାଇଁ ଆହୁରି କ୍ଷତିକାରକ ହେବା ସ୍ପଷ୍ଟ ଦିଶୁଛି। ନିକଟରେ ଏକଜିଦିଆ ଟ୍ରମ୍ପ୍‌ ଭାରତୀୟ ସାମଗ୍ରୀ ଉପରେ ୧୦୦% ଟାରିଫ୍‌ ବସାଇବା ନୀତିକୁ କଂଗ୍ରେସରେ ଗୃହୀତ କରାଇ ଦେଇଛନ୍ତି। ତାହା ଯେକୌଣସି ସମୟରେ ଲାଗୁ ହୋଇଯାଇପାରେ। ସେଭଳିସ୍ଥଳେ ଭାରତୀୟ ରପ୍ତାନି ଘୋର ବାଧାପ୍ରାପ୍ତ ହେବ। ଭୂରାଜନୈତିକ ସ୍ଥିତିକୁ ଦେଖିଲେ କୌଣସି ଏକ ସ୍ଥାନରେ ଯୁଦ୍ଧ, ବିବାଦ, ଏପରିକି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲେ ତାହାର ପ୍ରଭାବ ଅନ୍ୟ ରାଷ୍ଟ୍ର ଉପରେ ପଡ଼ୁଛି। ଏଭଳି ସ୍ଥଳେ ଆମେରିକା ଭଳି ରାଷ୍ଟ୍ର ସହ ବୁଝିବିଚାରି ସମ୍ପର୍କକୁ ଆଗେଇ ନିଆଯିବା ଦରକାର। ଯେହେତୁ ତା’ର ମୁଦ୍ରା ଡଲାର ବିଶ୍ୱରେ ଶକ୍ତିଶାଳୀ ରହିଛି, ତାହା ସହ ସିଧାସଳଖ ଶତ୍ରୁତା କରିବା ବୋକାମି। ଇରାନରେ ହର୍ମୁଜ ଜଳପଥ ଉପରେ ନିୟନ୍ତ୍ରଣ ରଖି ଆମେରିକା ଯେମିତି ବିଶ୍ୱବ୍ୟାପୀ ଶକ୍ତିସଙ୍କଟ ସୃଷ୍ଟି କରି ସବୁ ଦେଶକୁ କଲବଲ କରିପାରୁଛି, ସେହି ଦୃଷ୍ଟିରୁ ଦେଖିଲେ ଭାରତକୁ ବିଭିନ୍ନ ଦିଗରୁ ହଇରାଣ କରିପାରେ। ହୁଏତ ଏହାକୁ ଭାବିକରି ଭାରତର ଅନେକ ବୃହତ୍‌ ବ୍ୟବସାୟିକ ସଂସ୍ଥା ଆମେରିକାରେ ଶିଳ୍ପ ନିର୍ମାଣ କରିବାକୁ ଆରମ୍ଭ କଲେଣି। ଗତ ସପ୍ତାହରେ ଟ୍ରମ୍ପ୍‌ଙ୍କ ଘୋଷଣା ଅନୁଯାୟୀ ଭାରତର ଏସାର୍‌ କମ୍ପାନୀ ୧୮ ବିଲିୟନ ଡଲାର ଆମେରିକାରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି।
ଚାଇନା ଭଳି ରାଷ୍ଟ୍ର ଆମେରିକା ସହ ମାପିଚୁପି କଥାବାର୍ତ୍ତା କରୁଛି। ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ଦେଖି ଭାରତର ଶୀର୍ଷ ନେତାମାନେ ଭାବିନେଲେ ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଗଲା। କିନ୍ତୁ ଏହି ସମ୍ମିଳନୀ ପରେ ଜିନ୍‌ପିଙ୍ଗ୍‌ ଆମେରିକା ଯାଇ ଟ୍ରମ୍ପ୍‌ଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖି ଫେରିଲେ। ସ୍ବାଭାବିକ ଭାବେ ଭାରତର ନାମଗନ୍ଧ ରହିଲା ନାହିଁ। ଏଥିରୁ ଅନୁମାନ କରାଯିବା ଦରକାର ଯେ, କୂଟନୀତିକୁ ଏଭଳି ବ୍ୟବହାର କରାଯିବା ଉଚିତ; ଯେଉଁଥିରେ ନିଜ ରାଷ୍ଟ୍ରର ସ୍ବାର୍ଥ ଅଗ୍ରପ୍ରାଧାନ୍ୟ ପାଉଥିବ। କିନ୍ତୁ ଦୁଃଖର ବିଷୟ ଯେ ଭାରତ ଏବେକା ପରିସ୍ଥିତିରେ ତାହା କରିବାକୁ ଅସମର୍ଥ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ସିରାଜଙ୍କୁ ଅଣଦେଖା କରିବା ନେଇ ରାଗିଗଲେ ସୁନୀଲ ଗାଭାସ୍କର, ଟିମ୍ ଇଣ୍ଡିଆର ନିଷ୍ପତ୍ତିକୁ ନେଇ କହିଲେ….

ନୂଆଦିଲ୍ଲୀ,୨୯।୧୧: ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଅପେକ୍ଷା ଦଳର କିଛି ନିଷ୍ପତ୍ତିକୁ ନେଇ ଅଧିକ ଚର୍ଚ୍ଚା ଓ ବିବାଦ ଦେଖାଦେଇଛି । ଟି-୨୦ ସିରିଜ୍‌ରେ ଯୁବ…

ସୀମା ପୁନଃନିର୍ଦ୍ଧାରଣ ବିଲ୍‌ ପାଇଁ ସରକାରଙ୍କୁ ୩୭୧ ସାଂସଦଙ୍କ ସମର୍ଥନ! ଲୋକ ସଭା ଆସନ ୮୫୦କୁ ବଢ଼ାଇବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୯ା୧୧: ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇବା ପାଇଁ ସୋମବାରଠାରୁ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି ।…

କେରଳରୁ ଘରକୁ ଫେରୁଥିବା ବେଳେ ବିଜୟୱାଡ଼ାରୁ ନିଖୋଜ ଲାଞ୍ଜିଗଡ଼ର ଯୁବକ, ୧୦ ଦିନ ହେଲା ମିଳୁନି ପତ୍ତା

ଲାଞ୍ଜିଗଡ଼,୨୯।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ କାମ ନପାଇ ହଜାର ହଜାର ସଂଖ୍ୟାରେ ଲୋକେ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ…

ଗୁଡ଼ାରି ଡାକ୍ତରଖାନାରେ ନାହିଁ ଏକ୍ସ-ରେ ସୁବିଧା, ୪୫ କିମି ଦୂର ଯାଉଛନ୍ତି ରୋଗୀ

ଗୁଡାରି,୨୯।୧୧(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲାର ଗୁଡାରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ୍ସ-ରେ (X-Ray) ସୁବିଧା ନଥିବାରୁ ରୋଗୀମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି…

ପ୍ରଥମ ‘ଟେଷ୍ଟ ଟ୍ୱେଣ୍ଟି’ ଟାଇଟଲ୍ ଜିତିଲା ସାଉଥ୍ ଏସିଆ, ବୋଲିଂରେ କମାଲ କଲେ କୋହଲିଙ୍କ ଭଣଜା

ନୂଆଦିଲ୍ଲୀ,୨୯।୧୧ ରାଜକୁମାର ଶର୍ମାଙ୍କ ମାର୍ଗଦର୍ଶନରେ ଖେଳୁଥିବା ସାଉଥ୍ ଏସିଆ ଟିମ୍ ପ୍ରଥମ ଟେଷ୍ଟ ଟ୍ୱେଣ୍ଟି ଟୁର୍ନାମେଣ୍ଟର ଟାଇଟଲ୍ ଜିତିଛି । ରବିବାର ଫାଇନାଲ୍ ମ୍ୟାଚ୍‌ରେ ଏବି ଡି’ଭିଲିୟର୍ସଙ୍କ…

ବିଜେଡିର ବରିଷ୍ଠ ନେତ୍ରୀଙ୍କ ପରଲୋକ, ଭବାନୀପାଟଣାରେ ଶୋକର ଛାୟା

ଭବାନୀପାଟଣା, ୨୯।୧୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ବରିଷ୍ଠ ନେତ୍ରୀ ତଥା ଭବାନୀପାଟଣା ନଗର ସଭାନେତ୍ରୀ ସୁତପା ବହିଦାରଙ୍କ ପରଲୋକ ଘଟିଛି…

ଷ୍ଟାଲିନଙ୍କୁ ମନାଇବାରେ ବିଫଳ INDIA ମେଣ୍ଟ! କହିଲେ ଡିଲିମିଟେସନ ବିଲ୍‌କୁ ସମର୍ଥନ ନିଷ୍ପତ୍ତିରେ…

ଚେନ୍ନାଇ,୨୯।୧୧ : ସଂସଦରେ ସୀମା ନିର୍ଦ୍ଧାରଣ ବିଲକୁ ଡିଏମ୍‌କେ ସମର୍ଥନ କରିବ ବୋଲି ଘୋଷଣା କରିବାର ଦିନକ ପରେ ଚେନ୍ନାଇରେ ଦଳର ମୁଖ୍ୟ ଏମ୍‌କେ ଷ୍ଟାଲିନଙ୍କୁ ଭେଟିଛନ୍ତି…

LIVE ମ୍ୟାଚ୍‌ରେ ମୁହାଁମୁହିଁ ଜେମି ଓଭରଟନ୍‌-ମିଚେଲ ମାର୍ଶ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୯।୧୧: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ଚତୁର୍ଥ ଟି-୨୦ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୭ ରନ୍‌ରେ ପରାସ୍ତ କରିଛି ଇଂଲଣ୍ଡ। ଏହି ବିଜୟ ସହ ୫ ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?