ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ ପ୍ରଦାନ କରିବା, ନାଗରିକଙ୍କ ଅଧିକାର ସୁରକ୍ଷା କରିବା ଏବଂ କର୍ତ୍ତବ୍ୟ ନିର୍ଦ୍ଧାରଣ କରିବାର ଏକ ସଶକ୍ତ ମାଧ୍ୟମ। ମାତ୍ର ସମାଜ ବଦଳୁଛି, ପ୍ରଯୁକ୍ତିବିଦ୍ୟା ନୂତନ ରୂପ ନେଉଛି ଏବଂ ମଣିଷର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆସୁଛି। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠେ-ଯଦି ସମାଜ ଗତିଶୀଳ, ତେବେ ଆଇନ କିପରି ସ୍ଥିର ରହିପାରିବ? ଯେଉଁ ଆଇନ ଏକ ଶତାବ୍ଦୀରୁ ଅଧିକ ସମୟ ପୂର୍ବରୁ ପ୍ରଣୟନ କରାଯାଇଥିଲା, ତାହା କ’ଣ ଆଜିର କୃତ୍ରିମ ବୁଦ୍ଧିମତ୍ତା ଏବଂ ଡିଜିଟାଲ ବିପ୍ଳବ ଯୁଗରେ ପ୍ରାସଙ୍ଗିକ ହୋଇ ରହିପାରିବ? ଏହି ଚିନ୍ତାଧାରା ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ବାସ୍ତବରେ, ଆଇନର ସଂଶୋଧନ କେବଳ ଏକ ବିକଳ୍ପ ନୁହେଁ, ବରଂ ଏହା ଏକ ଅନିବାର୍ଯ୍ୟ ଆବଶ୍ୟକତା।
ଭାରତର ଅଧିକାଂଶ ଆଇନଗତ ଭିତ୍ତିଭୂମି ବ୍ରିଟିଶ ଔପନିବେଶିକ ଶାସନ କାଳରୁ ଉତ୍ପନ୍ନ, ଯାହା ମୁଖ୍ୟତଃ ଶାସିତଙ୍କୁ ଦମନ କରିବା ପାଇଁ ପ୍ରସ୍ତୁତ କରାଯାଇଥିଲା। ଦୀର୍ଘ ୧୬୦ ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ୧୮୬୦ର ଭାରତୀୟ ଦଣ୍ଡ ସଂହିତା ( ଆଇପିସି), ୧୮୭୨ର ଭାରତୀୟ ସାକ୍ଷ୍ୟ ଆଇନ ଏବଂ ୧୮୯୮ର ଦଣ୍ଡ ପ୍ରକ୍ରିୟା ସଂହିତା (ସିଆର୍‌ପିସି)କୁ ବଦଳାଇ ସରକାର ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌), ଭାରତୀୟ ସାକ୍ଷ୍ୟ ଅଧିନିୟମ (ବିଏସ୍‌ଏ ) ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌) ଲାଗୁ କରାଯାଇଛି। ଏହି ପରିବର୍ତ୍ତନ ଆମ ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟକୁ ‘ଦଣ୍ଡ’ରୁ ‘ନ୍ୟାୟ’ ଆଡ଼କୁ ମୋଡ଼ି ଦେଇଛି। ତେବେ କେବଳ ଏହି ତିନୋଟି ମୁଖ୍ୟ ଆଇନ ନୁହେଁ, ବରଂ ବ୍ରିଟିଶ ଅମଳରୁ ପ୍ରଚଳିତ ଅନ୍ୟାନ୍ୟ ପୁରାତନ ଆଇନଗୁଡ଼ିକର ବ୍ୟାପକ ସଂସ୍କାର ଆବଶ୍ୟକ। ଉଦାହରଣ ସ୍ବରୂପ, ୧୮୬୭ର ପ୍ରେସ୍‌ ଏବଂ ବୁକ୍‌ ରେଜିଷ୍ଟ୍ରେଶନ ଆକ୍ଟ, ୧୮୬୧ର ପୋଲିସ ଆଇନ, ୧୮୮୫ର ଭାରତୀୟ ଟେଲିଗ୍ରାଫ୍‌ ଆକ୍ଟ, ୧୮୯୪ର ଜମି ଅଧିଗ୍ରହଣ ଆଇନ (ଯଦିଓ କିଛି ସଂଶୋଧନ ହୋଇଛି), ୧୮୭୨ର ଭାରତୀୟ ଚୁକ୍ତିନାମା ଆଇନ (କଣ୍ଟ୍ରାକ୍ଟ ଆକ୍ଟ) ଏବଂ ୧୮୬୧ର ପୋଲିସ ଆଇନ ଆଜି ମଧ୍ୟ ପୁରୁଣା ମାନସିକତାରେ ଚାଲିଛି। ଯେଉଁ ସମୟରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଶାସନ କରୁଛି, ସେଠାରେ ଶତାବ୍ଦୀ ପୁରୁଣା ଆଇନ ଦ୍ୱାରା ସମସ୍ୟାର ସମାଧାନ କରିବା ଅସମ୍ଭବ। ତେଣୁ ସରକାର ଏବକାର ଆହ୍ବାନକୁ ଦୃଷ୍ଟିରେ ରଖି ସମସ୍ତ ପୁରାତନ ଆଇନର ପୁନଃ ସମୀକ୍ଷା କରିବା ସହ ସେଗୁଡ଼ିକୁ ସମୟୋପଯୋଗୀ କରିବା ଜରୁରୀ।
ସାଇବର ଠକେଇ, ଡାଟା ଚୋରି, ସୋସିଆଲ ମିଡିଆ ମାଧ୍ୟମରେ ମାନହାନି ଏବଂ ଆର୍ଥିକ ହ୍ୟାକିଂ ଭଳି ଆହ୍ବାନଗୁଡ଼ିକ ପାଇଁ ପୁରୁଣା ଧାରାଗୁଡ଼ିକ ଅନେକ ସମୟରେ ଅକାମୀ ପ୍ରମାଣିତ ହେଉଥିଲା। ପୂର୍ବରୁ ବୈଦ୍ୟୁତିକ ସାକ୍ଷ୍ୟକୁ ନେଇ ଅନେକ ଆଇନଗତ ଜଟିଳତା ଥିଲା, ଯାହା କି ଅପରାଧୀଙ୍କୁ ଖସିଯିବାର ସୁଯୋଗ ଦେଉଥିଲା। ଆଇନର ସଂଶୋଧନ ଦ୍ୱାରା ଏହି ସମସ୍ୟାର ସମାଧାନ କରାଯାଇଛି। ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ଆଇନରେ ପରିବର୍ତ୍ତନ ନ କଲେ ଅପରାଧୀମାନେ ପ୍ରଯୁକ୍ତିର ବ୍ୟବହାର କରି ନ୍ୟାୟକୁ ବଞ୍ଚିତ କରିବେ। ତେଣୁ ଆଇନକୁ ସମୟାନୁଯୋଗୀ କରିବା ଏକ ବୈଜ୍ଞାନିକ ଓ ସାମାଜିକ ଆବଶ୍ୟକତା।
ସମାଜର ମନୋଭାବ ଏବଂ ମୂଲ୍ୟବୋଧ କାଳକ୍ରମେ ବଦଳିଛି। ମହିଳାଙ୍କ ସମ୍ମାନ, ଶିଶୁ ସୁରକ୍ଷା, ବ୍ୟକ୍ତିଗତ ଗୋପନୀୟତା ଏବଂ ପରିବେଶ ସୁରକ୍ଷା ଏବେ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ। ପୂର୍ବରୁ ଯେଉଁ କାର୍ଯ୍ୟକୁ ସାମାନ୍ୟ ଭାବେ ଗ୍ରହଣ କରାଯାଉଥିଲା, ଆଜି ତାହା ମାନବ ଅଧିକାରର ଉଲ୍ଲଂଘନ ଭାବେ ବିବେଚନା କରାଯାଉଛି। ଉଦାହରଣ ସ୍ବରୂପ, ସୁପ୍ରିମକୋର୍ଟଙ୍କ ବିଭିନ୍ନ ଐତିହାସିକ ରାୟ ପରେ ସମଲିଙ୍ଗୀ ସମ୍ପର୍କ କିମ୍ବା ବ୍ୟଭିଚାର ଭଳି ପୁରୁଣା ଆଇନଗତ ଧାରାରେ ପରିବର୍ତ୍ତନ ଅଣାଯାଇଛି। ଏହା ଦର୍ଶାଏ ଯେ ଆମ ନ୍ୟାୟପାଳିକା ସଜାଗ ଅଛି। କିନ୍ତୁ କେବଳ ନ୍ୟାୟପାଳିକାର ବ୍ୟାଖ୍ୟା ଯଥେଷ୍ଟ ନୁହେଁ; ସଂସଦ ମଧ୍ୟ ସକ୍ରିୟ ଭାବେ ଆଇନର ପରିମାର୍ଜନ କରିବା ଉଚିତ। ସଂଶୋଧିତ ଆଇନ ସମାଜର ନୂତନ ନୈତିକତା ଓ ଚେତନାକୁ ପ୍ରତିଫଳିତ କରିବା ଆବଶ୍ୟକ।
ଅନେକ ସମୟରେ ଦେଖାଯାଏ ଯେ ଆଇନର ଜଟିଳତା ଓ ପୁରୁଣା ପଦ୍ଧତି ଯୋଗୁ ନ୍ୟାୟ ପାଇବାରେ ବହୁତ ବିଳମ୍ବ ହୁଏ। ‘ବିଳମ୍ବିତ ନ୍ୟାୟ , ନ୍ୟାୟ ନୁହେଁ’-ଏହି ଉକ୍ତିଟି ଆମ ଦେଶର ନ୍ୟାୟିକ ବ୍ୟବସ୍ଥା ପାଇଁ ବଡ଼ ଚେତାବନୀ। ଆଇନର ସଂଶୋଧନ ପ୍ରକ୍ରିୟାରେ ଯଦି କୋର୍ଟର କାର୍ଯ୍ୟପ୍ରଣାଳୀକୁ ସରଳୀକରଣ କରାଯାଏ, ଡିଜିଟାଲ ପ୍ରମାଣକୁ ଅଧିକ ଗୁରୁତ୍ୱ ଦିଆଯାଏ ଏବଂ ମାମଲା ଶୁଣାଣି ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଏ, ତେବେ ହିଁ ସାଧାରଣ ଜନତା ଉପକୃତ ହୋଇପାରିବେ। ଅଦାଲତମାନେ ବାରମ୍ବାର କହିଛନ୍ତି ଯେ ଆଇନ ଏକ ନିର୍ଜୀବ ପୁସ୍ତକ ନୁହେଁ, ବରଂ ଏକ ‘ଜୀବନ୍ତ ଦଲିଲ’। ଏହାର ପ୍ରାଣଶକ୍ତି ହେଉଛି ଏହାର ପ୍ରାସଙ୍ଗିକତା। ଯଦି ଆଇନ ବାସ୍ତବ ପରିସ୍ଥିତି ସହ ତାଳମେଳ ରଖିପାରିବ ନାହିଁ, ତେବେ ଲୋକଙ୍କର ନ୍ୟାୟ ବ୍ୟବସ୍ଥା ଉପରୁ ଭରସା ତୁଟିଯିବ।
ପରିବେଶ ସୁରକ୍ଷା ଏବଂ ପ୍ରଯୁକ୍ତିଗତ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଆଇନର ସଂଶୋଧନ ଅତ୍ୟନ୍ତ ଜରୁରୀ। ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ପାଇଁ ପୁରୁଣା ଜରିମାନା ବ୍ୟବସ୍ଥା ଆଜିର ଯୁଗରେ ଅତି ସାମାନ୍ୟ ମନେହୁଏ। ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ଏହି ଦଣ୍ଡ କିଛି ନୁହେଁ। ସେହିଭଳି ତଥ୍ୟର ଗୋପନୀୟତାକୁ ନେଇ କଡ଼ା ଆଇନ ନ ରହିଲେ ନାଗରିକଙ୍କ ବ୍ୟକ୍ତିଗତ ଜୀବନ ବିପଦରେ ପଡ଼ିବ। ଏହି ସବୁ ବିଷୟକୁ ନେଇ ସରକାର ନୂଆ ନୂଆ ନିୟମ ପ୍ରଣୟନ କରୁଛନ୍ତି, କିନ୍ତୁ ଏହାର ଏକ ବ୍ୟବସ୍ଥିତ ସମୀକ୍ଷା ହେବା ଆବଶ୍ୟକ। ଆଇନଗତ ସଂସ୍କାର ହେଉଛି ଏକ ନିରନ୍ତର ପ୍ରକ୍ରିୟା। ଏହାଦ୍ୱାରା ହିଁ ଆମେ ଏକ ବିକଶିତ ଏବଂ ନ୍ୟାୟପୂର୍ଣ୍ଣ ସମାଜ ଗଠନ କରିପାରିବା।
ଏହି ସମସ୍ତ ଦିଗକୁ ବିଚାର କରିବା ପରେ ଏକ ଦୃଢ଼ ବ୍ୟବସ୍ଥାର ଆବଶ୍ୟକତା ଅନୁଭବ ହୁଏ। ଭାରତ ସରକାରଙ୍କୁ ଏକ ସ୍ଥାୟୀ ବ୍ୟବସ୍ଥା କିମ୍ବା ସାମ୍ବିଧାନିକ କମିଟି ଗଠନ କରିବାକୁ ପଡ଼ିବ, ଯାହା ପ୍ରତି ୫ କିମ୍ବା ୧୦ ବର୍ଷରେ ଥରେ ଦେଶର ସମସ୍ତ ଆଇନ ଏବଂ ନ୍ୟାୟାଳୟର ଐତିହାସିକ ରାୟଗୁଡ଼ିକର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିବ। ଏହି ବିଶେଷଜ୍ଞ କମିଟି ଆଇନର ସେହି ଧାରାଗୁଡ଼ିକୁ ଚିହ୍ନଟ କରିବେ, ଯାହା ବର୍ତ୍ତମାନର ସମାଜରେ ଅପ୍ରାସଙ୍ଗିକ ହୋଇପଡ଼ିଛି କିମ୍ବା ଯେଉଁଠାରେ ନୂତନ ସଂଶୋଧନର ଆବଶ୍ୟକତା ରହିଛି। ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଆଇନର ସମୀକ୍ଷା କରାଗଲେ, ବଦଳୁଥିବା ସମୟ ସହିତ ଆମର ନ୍ୟାୟିକ ବ୍ୟବସ୍ଥା ସଦାବେଳେ ପ୍ରସ୍ତୁତ ରହିବ। ଏହାଦ୍ୱାରା ବିଧାନମଣ୍ଡଳ, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ମଧ୍ୟରେ ଏକ ସମନ୍ବୟ ରହିବା ସହ ସାଧାରଣ ଜନତାଙ୍କୁ ଦ୍ରୁତ ଏବଂ ଠିକ ନ୍ୟାୟ ମିଳିପାରିବ। ଏହିପରି ଏକ ବିଭାଗ ବା କମିଟି ରାଷ୍ଟ୍ରର ଆଇନଗତ ସଂରଚନାକୁ ସଜୀବ ଏବଂ ଶକ୍ତିଶାଳୀ କରି ରଖିବାରେ ସହାୟକ ହେବ।
ପରିଶେଷରେ, ଆମେ ଏକ ‘ନୂତନ ଭାରତ’ ଗଠନର ସଂକଳ୍ପ ନେଇଛୁ। ଏହି ଭାରତ କେବଳ ଅର୍ଥନୀତି କିମ୍ବା ଭିତ୍ତିଭୂମିରେ ନୁହେଁ, ବରଂ ନ୍ୟାୟିକ ଚେତନାରେ ଅଗ୍ରଗାମୀ ହେବା ଉଚିତ। ପୁରୁଣା ଏବଂ ତ୍ରୁଟିପୂର୍ଣ୍ଣ ଆଇନକୁ ପାଥେୟ କରି ଏକ ଆଧୁନିକ ରାଷ୍ଟ୍ର ଗଠନ କରାଯାଇପାରିବ ନାହିଁ। ପୁରୁଣା ଆଇନର ମୂଲ୍ୟବୋଧକୁ ସମ୍ମାନ ଦେଇ ସେଥିରେ ଆବଶ୍ୟକ ସଂଶୋଧନ କରିବା ହିଁ ବୃଦ୍ଧିମତ୍ତା। ସଂଶୋଧନ ବିନା ଆଇନ ଅଚଳ ହୋଇଯିବ ଏବଂ ଅଚଳ ଆଇନ ପ୍ରକୃତ ନ୍ୟାୟ ପ୍ରଦାନରେ ପ୍ରତିବନ୍ଧକ ସାଜିବ। ତେଣୁ ସମୟ ସହ ପାଦ ମିଳାଇ ଚାଲିବା ପାଇଁ ଆଇନର ସଂଶୋଧନ ଓ ପୁନର୍ବିଚାରକୁ ଏକ ନିରନ୍ତର ସାଧନା ଭାବେ ଗ୍ରହଣ କରିବାକୁ ହେବ। ତେବେ ଯାଇ ଆମର ଗଣତନ୍ତ୍ର ସୁଦୃଢ଼ ହେବ ଏବଂ ଶେଷ ଧାଡ଼ିରେ ଠିଆ ହୋଇଥିବା ବ୍ୟକ୍ତିଟି ସହଜରେ ନ୍ୟାୟ ପାଇପାରିବ।
ଅଧ୍ୟାପକ, ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁର
ମୋ:୮୮୯୫୯୫୨୩୧୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?