ଗୁଆହାଟୀ,୧।୧୦:ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁଆହାଟୀର ବାରସାପାରା କ୍ରିକେଟ ଷ୍ଟାଡିୟମ୍ରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ କ୍ରିକେଟ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି। ୧୯୭୧ରୁ ଆରମ୍ଭ ହୋଇଥିବା ଦିନିକିଆ କ୍ରିକେଟ୍ର ୫୫ ବର୍ଷର ଇତିହାସରେ ୫,୦୨୩ଟି ମ୍ୟାଚ ଖେଳାଯାଇଥିବାବେଳେ ଗୁଆହାଟୀରେ ଏପରି ଘଟଣା ପ୍ରଥମଥର ଦେଖିବାକୁ ମିଳିଛି।
ଏହି ମ୍ୟାଚ୍ରେ ଉଭୟ ଦଳର ବ୍ୟାଟର୍ମାନଙ୍କ ପକ୍ଷରୁ ମୋଟ ୫ଟି ଶତକ ଦେଖିବାକୁ ମିଳିଛି। ଗୋଟିଏ ଦିନିକିଆ ମ୍ୟାଚ୍ରେ ଦୁଇ ଦଳ ମିଶି ୫ ଜଣ ବ୍ୟାଟର୍ ଶତକ ହାସଲ କରିବା ଦିନିକିଆ କ୍ରିକେଟ୍ରେ ପ୍ରଥମ ଘଟଣା ବୋଲି ଦାବି କରାଯାଇଛି।
ୱେଷ୍ଟଇଣ୍ଡିଜ ପକ୍ଷରୁ ୩ ଶତକ
ମ୍ୟାଚ୍ର ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ ବ୍ୟାଟର୍ମାନେ ଭାରତୀୟ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ। ଓପନର୍ ଜନ କ୍ୟାମ୍ପବେଲ ୧୦୧ ରନ୍ର ଆକ୍ରମଣାତ୍ମକ ପାଳି ଖେଳିଥିଲେ। ଏହାପରେ ଅଧିନାୟକ ଶାଇ ହୋପ ୧୦୪ ରନ କରିଥିବା ବେଳେ ଯୁବ ବ୍ୟାଟର୍ ଆର୍ମି ଜାଙ୍ଗୁ ୧୧୪ ରନ୍ର ଅପରାଜିତ ପାଳି ଖେଳିଥିଲେ। ଏହି ତିନି ଶତକୀୟ ପାଳିର ଦମ୍ରେ ୱେଷ୍ଟଇଣ୍ଡିଜ ୫୦ ଓଭରରେ ୭ ଉଇକେଟ ହରାଇ ୪୦୫ ରନର ବିଶାଳ ସ୍କୋର କରିଥିଲା।
ଭାରତର ଜବରଦସ୍ତ ଜବାବ
୪୦୬ ରନ୍ର ବିଶାଳ ଲକ୍ଷ୍ୟର ପିଛା କରିବାକୁ ଓହ୍ଲାଇଥିବା ଭାରତୀୟ ଦଳକୁ ଓପନର୍ ରୋହିତ ଶର୍ମା ଓ ଅଧିନାୟକ ଶୁବମନ ଗିଲ ଦମ୍ଦାର ଆରମ୍ଭ ଦେଇଥିଲେ।
ରୋହିତ ଶର୍ମା ମାତ୍ର ୭୫ ବଲ୍ରେ ୧୦ ଚୌକା ଓ ୬ ଛକା ସହ ୧୦୧ ରନ କରିଥିଲେ। ଅନ୍ୟପଟେ ଶୁବମନ ଗିଲ ଆହୁରି ବିସ୍ଫୋରକ ବ୍ୟାଟିଂ କରି ୧୩୩ ବଲ୍ର ୨୬ ଚୌକା ଓ ୮ ଛକା ସହ ୨୨୩ ରନ୍ର ଅପରାଜିତ ଦ୍ୱିଶତକ ହାସଲ କରିଥିଲେ।
ଫଳରେ ଏହି ମ୍ୟାଚ୍ରେ ଉଭୟ ଦଳ ମିଶି ମୋଟ ୫ ଜଣ ବ୍ୟାଟର୍ ୧୦୦ କିମ୍ବା ତା’ଠାରୁ ଅଧିକ ରନ କରିଥିଲେ। ଦିନିକିଆ ଇତିହାସରେ ଏହା ପୂର୍ବରୁ ଏପରି ଘଟଣା ଦେଖିବାକୁ ମିଳି ନ ଥିଲା।
ଭାରତ ମାତ୍ର ୨ ଉଇକେଟ ହରାଇ ୪୩.୩ ଓଭରରେ ୪୦୬ ରନ କରି ମ୍ୟାଚ ଜିତିଥିଲା। ଏହା ଦିନିକିଆ ଇତିହାସର ଦ୍ୱିତୀୟ ସର୍ବବୃହତ ସଫଳ ରନ ଚେଜ ଭାବେ ମଧ୍ୟ ରେକର୍ଡ ହୋଇଛି।
ପୂର୍ବରୁ ୩ ଥର ଗୋଟିଏ ଦିନିକିଆରେ ହୋଇଥିଲା ୪ ଶତକ
ଗୁଆହାଟୀ ମ୍ୟାଚ ପୂର୍ବରୁ ଗୋଟିଏ ଦିନିକିଆରେ ସର୍ବାଧିକ ୪ ଜଣ ବ୍ୟାଟର୍ ଶତକ ହାସଲ କରିବାର ରେକର୍ଡ ଥିଲା। ୫,୦୨୩ଟି ଦିନିକିଆ ମ୍ୟାଚ୍ର ଇତିହାସରେ ଏପରି ଘଟଣା କେବଳ ୩ ଥର ଘଟିଥିଲା।
-୧୯୯୮, ଲାହୋର:ପାକିସ୍ତାନ ବନାମ ଅଷ୍ଟ୍ରେଲିଆ ଆମିର ସୋହେଲ ଓ ମହମ୍ମଦ ୟୁସୁଫ; ଆଦାମ ଗିଲକ୍ରିଷ୍ଟ ଓ ରିକି ପଣ୍ଟିଂ।
-୨୦୧୩, ନାଗପୁର:ଭାରତ ବନାମ ଅଷ୍ଟ୍ରେଲିଆ ଶେନ ୱାଟସନ ଓ ଜର୍ଜ ବେଲି; ଶିଖର ଧାୱନ ଓ ବିରାଟ କୋହଲି।
-୨୦୨୩, ହାଇଦ୍ରାବାଦ:ପାକିସ୍ତାନ ବନାମ ଶ୍ରୀଲଙ୍କା କୁସଲ ମେଣ୍ଡିସ ଓ ସାଦିରା ସମରବିକ୍ରମା; ଅବଦୁଲ୍ଲା ଶଫିକ ଓ ମହମ୍ମଦ ରିଜୱାନ।
ଗୁଆହାଟୀରେ ମ୍ୟାଚ୍ରେ ୫ଟି ଶତକ ଦେଖିବାକୁ ମିଳିବା ସହ ଏହି ମ୍ୟାଚ ଦିନିକିଆ କ୍ରିକେଟ୍ରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛି।
Dharitri – Odisha’s No.1 Odia Daily

