ବରିଷ୍ଠଙ୍କ ସୁରକ୍ଷା ସଭିଙ୍କ ଦାୟିତ୍ୱ

ଭାରତୀ ଚକ୍ର

୨୦୧୧ ଜନଗଣନା ଅନୁସାରେ ଭାରତରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଆମ ଜନସଂଖ୍ୟାର ପାଖାପାଖି ୧୦ ଭାଗ। ସେହିଭଳି ଓଡ଼ିଶା ଜନସଂଖ୍ୟାର ପାଖାପାଖି ୧୦ ଭାଗ ହେଉଛନ୍ତି ବରିଷ୍ଠ ନାଗରିକ। ଜନସଂଖ୍ୟାର ଏହି ଅଂଶଟି ଅନେକାଂଶରେ ଅଶୁଣା, ଅଦେଖା ତଥା ଅବହେଳିତ ହୋଇ ରହିଥାନ୍ତି। ହେଲ୍ପଏଜ୍‌ ଇଣ୍ଡିଆର ଏକ ସର୍ଭେ ଅନୁସାରେ ୭୦ ଭାଗରୁ ଅଧିକ ବରିଷ୍ଠ ନାଗରିକ ନିଜ ଘରେ ଅବହେଳା ତଥା ନିର୍ଯାତନାର ଶିକାର ହେବା କଥା ସ୍ବୀକାର କରିଛନ୍ତି। ସହର ହେଉ କି ଗାଁ, ସାରା ଜୀବନ ପରିବାର ତଥା ରାଷ୍ଟ୍ର ଗଠନରେ ସହଯୋଗ କରିଥିବା ଉକ୍ତ ଗୋଷ୍ଠୀ ଅନୁଭବ, ଜ୍ଞାନ, ସଂସ୍କୃତି ତଥା ପରମ୍ପରାର ଏକ ସମୃଦ୍ଧ ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଆମେ ସେମାନଙ୍କ ପାଇଁ ଚିନ୍ତିତ କି – ଏହା ଏକ ବିରାଟ ପ୍ରଶ୍ନବାଚୀ।
ଏଇଠି ମନେପଡ଼େ କୋରାପୁଟର କୋଟିଆ ପାହାଡ଼ ଉପରେ ଥିବା ଗୋଟିଏ ଗାଁରେ ଜଣେ ବୁଢ଼ୀ ମାଉସୀ ମୋତେ କହିଥିବା କଥା, ‘ମରବାର ଉଷ ଟିକେ ଦେ, ପିଲା ନାଇଁ, ମରଦ ନାଇଁ, ଘର ନାଇଁ, ଏକଲା ଏକଲା ନାଇଁ ବଁଛେ ’। ମାଉସୀଙ୍କ ସହ ଦେଖା ହୋଇଥିଲା, ଯେବେ ସେ ରୋଷେଇ ପାଇଁ କାଠ ହାଣିବା ବେଳେ ତାଙ୍କ ପାଦ ଅଙ୍ଗୁଳିରେ କୁରାଢ଼ି ବାଜି ଖଣ୍ଡିଆ ହୋଇଥିବାରୁ ଔଷଧ ନେବା ପାଇଁ ସ୍ବାସ୍ଥ୍ୟ ଗାଡି ନିକଟକୁ ଆସିଥିଲେ। ଉତ୍ତର ବୟସରେ, ଖଣ୍ଡେ କୁଡ଼ିଆରେ, ଏକୁଟିଆ ଜୀବନ ବିତାଉଥିବା ଜଣେ ଆଦିବାସୀ ମହିଳାଙ୍କ ଏ କାହାଣୀ, ଯିଏ ଗୋଡ଼ ଖଣ୍ଡିଆ ପାଇଁ ଔଷଧ ନେବା ବେଳେ ମରିଯିବାକୁ ଔଷଧ ମାଗିଥିଲେ। ମନେପଡ଼େ ପୁଣି କେନ୍ଦ୍ରାପଡ଼ାର ଆହାର କେନ୍ଦ୍ରରେ ପୁଅ ଛାଡିଯାଇଥିବା ଅନ୍ଧୁଣୀ ମା’ଙ୍କ କଥା। ମନେପଡ଼େ ରାୟଗଡ଼ାରେ ପୁଅ ଘରର ବନ୍ଦ ଗେଟ ବାହାର ଘରେ ରହିବାକୁ ଅପେକ୍ଷାରତ ବୁଢ଼ୀ ମା’ଙ୍କ କଥା।
ବରିଷ୍ଠ ନାଗରିକମାନଙ୍କ ପ୍ରତି ହେଉଥିବା ବିଭିନ୍ନ ପ୍ରକାର ଅବହେଳା ତଥା ନିର୍ଯାତନାର ଅଳ୍ପ କିଛି ଖବର ଆମେ ଗଣମାଧ୍ୟମରେ କେବେ କେବେ ଦେଖିବାକୁ ପାଉ। କିଛି ଲୋକ ସେଭଳି ନିର୍ଯାତିତ ହେଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କୁ ଦୋଷ ଦେଇ ମନ ଶାନ୍ତି କରିନିଅନ୍ତି। ଆମେ କେବେ ବୁଝିବାକୁ ଚେଷ୍ଟା କରିଛେ କି ଯେ ଏଭଳି ସ୍ଥିତିରେ ସେମାନେ କ’ଣ କରିବେ, କାହା ପାଖକୁ ଯିବେ? ଆମ କଲ୍ୟାଣକାରୀ ରାଷ୍ଟ୍ରରେ ତାଙ୍କ ପାଇଁ କିଛି ବ୍ୟବସ୍ଥା ରହିଛି କି?
୨୦୦୭ରେ ଭାରତ ସରକାର ‘ବରିଷ୍ଠ ନାଗରିକ ଓ ମାତାପିତା ଭରଣପୋଷଣ ଆଇନ-୨୦୦୭’ ଆଣିଥିଲେ, ଯାହା ଓଡ଼ିଶାରେ ୨୦୦୯ରେ ରାଜ୍ୟ ନିୟମ ପାରିତ ହୋଇ ଲାଗୁ ହୋଇଛି। ବରିଷ୍ଠ ନାଗରିକଙ୍କ ଭରଣପୋଷଣ, ତାଙ୍କ ପ୍ରତି ଅବହେଳା ତଥା ଦୁର୍ବ୍ୟବହାରକୁ ବନ୍ଦ କରିବା, ସେମାନଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ସ୍ବାସ୍ଥ୍ୟ ସେବା ଇତ୍ୟାଦି ବିଭିନ୍ନ ବିଷୟ ଏହି ଆଇନର ଅନ୍ତର୍ଭୁକ୍ତ। ଜଣେ ବରିଷ୍ଠ ନାଗରିକ କିପରି ସମ୍ମାନର ସହ ଜୀବନଯାପନ କରିପାରିବେ ସେଥିପାଇଁ ଉକ୍ତ ଆଇନକୁ ସରଳୀକରଣ କରାଯାଇଛି।
ଅବହେଳାର ଶିକାର ହେଉଥିବା ବରିଷ୍ଠ ନାଗରିକ ନିଜ ଉତ୍ତରାଧିକାରୀଙ୍କଠାରୁ ଏହି ଆଇନ ବଳରେ ଭରଣପୋଷଣ ସହାୟତା ଦାବି କରିପାରିବେ। ସେଥିପାଇଁ ଏହି ଆଇନର ବ୍ୟବସ୍ଥା ଅନୁସାରେ ତାଙ୍କୁ କୌଣସି ପୋଲିସ ପାଖକୁ ଯିବାକୁ ହେବ ନାହିଁ, କୋର୍ଟରେ କେସ ହେବ ନାହିଁ ବା ଫି’ ଦାଖଲ କରିବାକୁ ହେବ ନାହିଁ। ଏହି ଆଇନ ଓକିଲଙ୍କ ଉପସ୍ଥିତିକୁ ମଧ୍ୟ ସ୍ପଷ୍ଟ ଭାବରେ ବନ୍ଦ କରିଛି। ଏଥିରେ ଜଣେ ବରିଷ୍ଠ ନାଗରିକ ନିଜେ ବା ତାଙ୍କ ତରଫରୁ କେହି ଜଣେ ବ୍ୟକ୍ତି, ଅନୁଷ୍ଠାନ ବା ସାମାଜିକ ସୁରକ୍ଷା ଅଧିକାରୀ ନିଜ ସବ୍‌ଡିଭିଜନର ଉପ ଜିଲାପାଳଙ୍କ ଅଫିସରେ ସାଦା କାଗଜରେ ବା ଏକ ଫର୍ମରେ ଆବେଦନ କରିପାରିବେ। ଦୁଇ ପକ୍ଷଙ୍କୁ ଡାକି ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଉପଜିଲାପାଳ ବ୍ୟବସ୍ଥା କରିବେ। ଆପୋସ ଆଲୋଚନାରେ ସମାଧାନ ନ ହେଲେ, ଉପଜିଲାପାଳ ନିଜର ରାୟ ପ୍ରଦାନ କରିବେ, ଯେଉଁଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଦେଖାଶୁଣା, ଖାଦ୍ୟ, ସ୍ବାସ୍ଥ୍ୟ, ବାସସ୍ଥାନ ଓ ଯତ୍ନ ନେବା ପାଇଁ ରାୟ ଦେଇପାରିବେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ ତାଙ୍କ ଉତ୍ତରାଧିକାରୀ ମାସିକ ଅତି ବେଶିରେ ୧୦,୦୦୦ଟଙ୍କା ଭରଣ ପୋଷଣ ବାବଦକୁ ପ୍ରଦାନ କରିବାକୁ ରାୟ ଦେଇପାରିବେ ତଥା ଏହି ରାୟକୁ ନ ମାନିଲେ ଜେଲ ବା ଜରିମାନାର ବ୍ୟବସ୍ଥା ମଧ୍ୟ ଏହି ଆଇନରେ ରହିଛି।
କିନ୍ତୁ ଏହି ଆଇନକୁ କାର୍ଯ୍ୟକାରୀ କରିବାରେ ଇଚ୍ଛାଶକ୍ତିର ଅନେକ ଅଭାବ ପରିଲକ୍ଷିତ ହେଉଛି। ସାଧାରଣତଃ ବୟସ୍କ ବ୍ୟକ୍ତିମାନେ ନିଜ ପରିବାରରେ ଯେତେ କଷ୍ଟ ହେଉପଛେ, ସ୍ନେହବଶତଃ ବା ସାମାଜିକ ପ୍ରତିଷ୍ଠା/ଲୋକଲଜ୍ଜାବଶତଃ ନିଜ ପରିବାର ଲୋକଙ୍କ ବିରୋଧରେ କୌଣସି ଆବେଦନ କରିବାକୁ ଚାହାନ୍ତି ନାହିଁ। ସେ ଦିଗକୁ ବାଦ ଦେଲେ ଏହା ମଧ୍ୟ ଦେଖାଯାଇଛି ଯେ, ଅନେକ ସରକାରୀ କର୍ମକର୍ତ୍ତା ଏହି ଆଇନ ବିଷୟରେ କିଛି ଜାଣନ୍ତି ନାହିଁ। ନିର୍ଯାତିତ ହୋଇ ବୁଢ଼ାବୁଢ଼ୀ କେହି ଥାନାକୁ ଗଲେ, ଥାନାବାବୁ ପୁଅଝିଅଙ୍କୁ ଡାକି ଧମକାଇ ଫେରାଇ ଦେଉଛନ୍ତି। ଥାନାବାବୁ ନିଶ୍ଚୟ ତାଙ୍କର ଭଲ ଚାହୁଁଛନ୍ତି କିନ୍ତୁ ଉପାୟଶୂନ୍ୟ ହୋଇପଡୁଛନ୍ତି। ଏହି ଆଇନ ଅନୁସାରେ, ଓଡ଼ିଶାରେ ଜିଲା ସ୍ତରରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ବରିଷ୍ଠ ନାଗରିକଙ୍କ କଲ୍ୟାଣ ନିମନ୍ତେ ଦାୟୀ ରହିବେ। ତାଙ୍କ ପାଖରେ ଆମେ ସମସ୍ୟା ପହଞ୍ଚାଇ ପାରିବା ବା ସିଧାସଳଖ ଉପଜିଲାପାଳଙ୍କ ଅଫିସରେ ଯାଇ ଦରଖାସ୍ତ ଦେଇପାରିବା।
ଆହୁରି ମଧ୍ୟ ଏହି ଆଇନ ସରକାରଙ୍କୁ ବାଧ୍ୟ କରେ ଯେ ବରିଷ୍ଠ ନାଗରିକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ପାଇଁ ବ୍ୟବସ୍ଥା କରିବେ, ଯାହାର କେହି ନାହାନ୍ତି ବା ଯେ ନିଜର ଭରଣପୋଷଣ ପାଇଁ ଅକ୍ଷମ ସେଭଳି ବ୍ୟକ୍ତିଙ୍କ ପାଇଁ ପ୍ରତି ଜିଲାରେ ବୃଦ୍ଧାଶ୍ରମ ପ୍ରତିଷ୍ଠା କରିବେ, ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ସମସ୍ୟା, ସେମାନଙ୍କ ଅବସର ବିନୋଦନ ଇତ୍ୟାଦି ପାଇଁ ଯଥୋଚିତ ବ୍ୟବସ୍ଥା କରିବେ। ପ୍ରତି ଜିଲାରେ ପ୍ରତିଷ୍ଠିତ ଜିଲା ବରିଷ୍ଠ ନାଗରିକ ସମିତି ଜିଲାପାଳ ଯାହାର ମୁଖ୍ୟ , ସେହି ସମିତି ଜିଲାରେ ବରିଷ୍ଠ ନାଗରିକଙ୍କ ପାଇଁ ସମସ୍ତ ବ୍ୟବସ୍ଥାର ତଦାରଖ କରିବେ ଇତ୍ୟାଦି। ଆମ ରାଜ୍ୟରେ ଏହି ଆଇନ ଲାଗୁ ହୋଇଛି। ଆମ ରାଜ୍ୟରେ ୨୦୧୬ରୁ ରାଜ୍ୟ ବରିଷ୍ଠ ନାଗରିକ ପଲିସି/ ନୀତି ମଧ୍ୟ ରହିଛି।
୨୦୨୧ ଅକ୍ଟୋବର ୧ରେ ବରିଷ୍ଠ ନାଗରିକ ଦିବସର ବାର୍ତ୍ତା ଥିଲା ବରିଷ୍ଠ ନାଗରିକଙ୍କ ପାଇଁ ଡିଜିଟାଲ ସମାନତା। କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ଏ ଏକ ବଳିଷ୍ଠ ବାର୍ତ୍ତା ନିଶ୍ଚୟ। କିନ୍ତୁ ଯେଉଁଠି ଦୁଇ ମୁଠା ଖାଇ ସମ୍ମାନର ସହିତ ବଞ୍ଚି ରହିବା ହିଁ ଏକ ଆହ୍ବାନ ସେଠି ଡିଜିଟାଲ ସମାନତା ଏକ ସୁଦୂର ନକ୍ଷତ୍ର ପ୍ରତୀତ ହେଉଛି। ୨୦୨୨ ଅକ୍ଟୋବର ୧ରେ ମିଳିତ ଜାତିସଂଘ ତରଫରୁ ବରିଷ୍ଠ ନାଗରିକ ଦିବସର ଆଲୋଚ୍ୟ ବିଷୟବସ୍ତୁ ହେଉଛି ‘ବୟସ୍କା ମହିଳାଙ୍କର ପ୍ରତିକୂଳ ପରିସ୍ଥିତିରେ ସ୍ଥିରତା ତଥା ସେମାନଙ୍କର ଅବଦାନ’। ସତ କହିଲେ, ସେମାନଙ୍କ ନିତିଦିନିଆ ଜୀବନର ସମସ୍ୟା ଓ ସେମାନେ ସାମ୍ନା କରୁଥିବା ପାରିବାରିକ ହିଂସା ବା ଦୁର୍ବ୍ୟବହାର ଆଦି ବିଷୟରେ ଆମେ କେତେ ସଚେତନ ଓ ଚିନ୍ତିତ?
ସମୟ ଆସିଛି ସେମାନଙ୍କୁ ସାଙ୍ଗରେ ନେଇ ଚାଲିବାର, ସେମାନଙ୍କ ପାଇଁ ଚିନ୍ତା କରିବାର। ବ୍ୟକ୍ତି, ପରିବାର, ସମାଜ ତଥା ରାଷ୍ଟ୍ର – ସଭିଏଁ ମିଳିତ ଭାବରେ ଏ ଦିଗରେ ପ୍ରୟାସ କରିବା ହିଁ ଆମର ଧେୟ ହେବା ଉଚିତ।
ଏନ୍‌-୨/୧୫୭. ଆଇଆର୍‌ସି ଭିଲେଜ, ଭୁବନେଶ୍ୱର
ମୋ: ୭୯୭୮୫୦୧୧୫୧


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?