ବିଷାକ୍ତ ହସ

ଟ୍ରାଫିକ ଛକର ଲାଲବତୀ ସେଦିନ ବାଧ୍ୟ କରିଥିଲା ଦଣ୍ଡେ ଅଟକିଯିବାକୁ। ଇତ୍ୟବସରରେ ହଠାତ୍‌ ଦୃଷ୍ଟିବଦ୍ଧ ହେଲା ଏକ ବିଷମ ବାକ୍ୟ ଉପରେ, ‘ସୁନ୍ଦରୀ ଝିଅଙ୍କ ହସ, ତମ୍ପ ସାପର ବିଷ’। ସତେଯେମିତି ତାହା ଏକ ସତର୍କ ସୂଚନା, ଯାହାକି ଲେଖାଯାଇଥିଲା ସାମ୍ନାରେ ଥିବା ଏକ ଲଘୁବାହୀ ଯାନଟିରେ। ଈଶ୍ୱରଙ୍କ ସୁନ୍ଦରତମ ସୃଷ୍ଟି ହେଉଛି ନାରୀ। ପୁଣି ନାରୀଙ୍କ ସୌନ୍ଦର୍ଯ୍ୟ ଭଗବାନଙ୍କ ବିଶେଷ ବରଦାନ। ସୁନ୍ଦରୀ ଝିଅଙ୍କ ହସ ବି ଆକର୍ଷକ । ସାଧାରଣତଃ ପ୍ରତିଟି ହୃଦୟର ତାଲା ଖୋଲିବା ପାଇଁ ହସ ହେଉଛି କଞ୍ଚିକାଠି। ଜଣକୁ ଚାହିଁ ହସିବା ଅର୍ଥ ତାକୁ ଏକ ସୁନ୍ଦର ଉପହାରଟିଏ ପ୍ରଦାନ କରିବା। ହସ ତ ଅନ୍ୟକୁ ଆକୃଷ୍ଟ କରିବାର ଉତ୍କୃଷ୍ଟ ଉପାୟ। ଜୀବନ ଯଜ୍ଞରେ ହସ ହେଉଛି ସମିଧ ସଦୃଶ। ହସ- ଶୈଶବର ସୁଧା, କୈଶୋରର କାନ୍ତି, ତାରୁଣ୍ୟର ତୂରୀ, ବାର୍ଦ୍ଧକ୍ୟର ବରମାଲ୍ୟ। ପ୍ରେମର ପ୍ରଥମ ପାଖୁଡ଼ା ହେଉଛି ହସ। ପ୍ରସନ୍ନତାର ପରିପ୍ରକାଶ ହେଉଛି ହସ। ଅନ୍ୟର ହୃଦୟ ଜିଣିବାର ଦିବ୍ୟାସ୍ତ୍ର ହେଉଛି ହସ। ମାତ୍ର ସେହି ଦିବ୍ୟାସ୍ତ୍ରଟି ମଧ୍ୟ ମାରଣାସ୍ତ୍ର ପାଲଟିଯାଏ, ମନ୍ଦ ବୁଦ୍ଧିରେ ଯଦି ତା’ର ଅପପ୍ରୟୋଗ ହୁଏ। ସୁନ୍ଦରୀ ଯୁବତୀଙ୍କୁ ନିୟୋଜିତ କରାଯାଏ ଶତ୍ରୁମାନଙ୍କୁ ଶିକାର କରିବାକୁ।
ଶିଳାସ୍ତି ରେହମାନ ନାମ୍ନୀ ବାଂଲାଦେଶର ଜଣେ ସୁନ୍ଦରୀ ମଡେଲଙ୍କ ହସରେ ଫସିଯାନ୍ତି ବାଂଲାଦେଶର ସାଂସଦ ଅଜିମ୍‌। ସେ ଯେବେ ରେହମାନଙ୍କ ପ୍ରେମରେ ପାଗଳ ସାଜିଲେ, ରେହମାନ ତାଙ୍କୁ କୋଲକାତା ଡକାଇଲେ ପୂର୍ବ ଯୋଜନାନୁଯାୟୀ, କିଛିଦିନ ପରେ ଅଜିମ୍‌ଙ୍କ ମୃତଦେହ ଉଦ୍ଧାର ହୁଏ କୋଲକାତାସ୍ଥ ଏକ ଦାମୀ ହୋଟେଲ ପ୍ରକୋଷ୍ଠରେ। ବାଂଲାଦେଶର ଏହି ସାଂସଦଙ୍କ ଭଳି ଜଣେ ସୁନ୍ଦରୀ ଲଳନାଙ୍କ ହସରେ ଶିକାର ହୋଇଥିଲେ ପାକିସ୍ତାନର ୩ୟ ରାଷ୍ଟ୍ରପତି ଜେନେରାଲ ୟାହା ଖାଁ, ଯାହାକି ସେତେବେଳେ ଖୁବ୍‌ ଆଲୋଡ଼ନ ଖେଳିଥିଲା ସମଗ୍ର ବିଶ୍ୱରେ। ଏକ ନାଇଟ୍‌ କ୍ଲବର ସାମାନ୍ୟ ନର୍ତ୍ତକୀ ଥିଲେ ଅଜଲିମ୍‌ ଅଖତାର। ଏକଦା ଏକ କାର୍ଯ୍ୟକ୍ରମରେ ଅତିଥି ଭାବେ ଆମନ୍ତ୍ରିତ ହୋଇ ଆସିଥିବା ୟାହା ଖାଁ ବିଭୋର, ବିହ୍ବଳ ହୋଇଉଠିଲେ ସେହି ସୁନ୍ଦରୀଙ୍କ ହସ ଦେଖି। ଶେଷରେ ଅଖତାର ସାଜିଲେ ସର୍ବୋଚ୍ଚ ଶାସକଙ୍କ ପ୍ରେୟସୀ। ଅପାର କ୍ଷମତାର ଅଧିକାରିଣୀ ଥିବା ଜେନେରାଲଙ୍କ ଏହି ପ୍ରେୟସୀ, ପାକିସ୍ତାନରେ ପରିଚିତ ହେଲେ ଜେନେରାଲ ରାଣୀ ଭାବେ। ତାଙ୍କ ଆଙ୍ଗୁଠି ଅଗରେ କୁଆଡେ ୟାହା ଖାଁଙ୍କ ସମେତ ନାଚୁଥିଲା ସମଗ୍ର ପାକିସ୍ତାନ ସେଦିନ। ପରିଣତିରେ ପାକିସ୍ତାନ ଭୋଗିଲା ଅନେକ ଦୁର୍ଦ୍ଦଶା।
ଅନିନ୍ଦ୍ୟ ରୂପବତୀଙ୍କୁ ଆୟୁଧ କରି ପ୍ରତିପକ୍ଷକୁ ଦମନ/କରାୟତ୍ତ/ମାରଣ କରିବା ପ୍ରକ୍ରିୟା ଚାଲୁରହିଛି କାହିଁ ଅତୀତରୁ ଆଜିପର୍ଯ୍ୟନ୍ତ। ଭାରତ ଇତିହାସରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ କାଳରେ ଏହି ପ୍ରକାର ସୁନ୍ଦରୀମାନେ ‘ବିଷକନ୍ୟା’ ଭୂମିକା ନିର୍ବାହ କରୁଥିବାର ଜଣାଯାଏ। ସେତେବେଳେ ରାଜା ମହାରାଜାଙ୍କ ପାଖରେ ବଛା ବଛା ରୂପବତୀ, ବିଚକ୍ଷଣା ରମଣୀଙ୍କୁ ସ୍ବତନ୍ତ୍ର ନିଯୁକ୍ତି ମିଳୁଥିଲା। ଗୁପ୍ତଚର ବିଦ୍ୟାରେ ନିପୁଣ ହେଲାପରେ ସେମାନଙ୍କୁ ବିଷକନ୍ୟା ଭାବେ ସଜା ଯାଉଥିଲା। କ୍ରମାଗତ ବିଷାକ୍ତ ସର୍ପ ଦଂଶନ ଅବା ଅଳ୍ପ ଅଳ୍ପ ବିଷ ପାନ କରାଇ ସେମାନଙ୍କ ଶରୀରକୁ ବିଷାକ୍ତ କରି ଦିଆଯାଉଥିଲା। ତା’ପରେ ଶତ୍ରୁଙ୍କ ବିପକ୍ଷରେ ସେମାନଙ୍କୁ ପ୍ରେରଣ କରାଯାଉଥିଲା ରାଜ୍ୟ ସ୍ବାର୍ଥରେ। ଏହିକ୍ରମରେ ଜଣେ ବିଷକନ୍ୟାଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ସମ୍ରାଟ ଚନ୍ଦ୍ରଗୁପ୍ତ ସେଦିନ ଚାଣକ୍ୟଙ୍କ ଯୋଗୁ। ନନ୍ଦବଂଶର ଚିର ଅନୁଗତ ମହାମନ୍ତ୍ରୀ ରାକ୍ଷସ, ନନ୍ଦବଂଶ ପତନର ପ୍ରତିଶୋଧ ନେବା ପାଇଁ ରୂପସୀ ଅଳକାନନ୍ଦାଙ୍କୁ ପ୍ରବର୍ତ୍ତାଇବାରେ ସମର୍ଥ ହୋଇଥିଲେ ଚନ୍ଦ୍ରଗୁପ୍ତଙ୍କ ପ୍ରେୟସୀ ସାଜିବାକୁ। ଅଳକାନନ୍ଦା ମଧ୍ୟ ମୌର୍ଯ୍ୟ ସମ୍ରାଟଙ୍କ ମନକୁ ମୋହିତ କରିବାରେ ସକ୍ଷମ ହେଲେ। ଦୂରଦ୍ରଷ୍ଟା ଚାଣକ୍ୟ ଏହା ଜାଣି ଅଳକାନନ୍ଦା ଜଣେ ଅସାଧାରଣ ନର୍ତ୍ତକୀ ଅଥବା ବିଷକନ୍ୟା ବୋଲି ଜାଣିବାକୁ ଚତୁରତାର ସହିତ ପରୀକ୍ଷା କଲେ। ରାଜ ଅନ୍ତଃପୁରରେ ସମ୍ରାଟଙ୍କ ପ୍ରତୀକ୍ଷାରେ ଅଳକାନନ୍ଦା ବିଶ୍ରାମ ନେଉଥିଲା ବେଳେ ଅତିବିଶ୍ୱସ୍ତ ଜଣେ ପରିଚାରିକା ହାତରେ ପଦ୍ମକେଶର ସାର ଚୂର୍ଣ୍ଣ ଦେଇ ପଠାଇଲେ ନର୍ତ୍ତକୀଙ୍କ ସମଗ୍ର ଅଙ୍ଗରେ ବୋଳିବା ପାଇଁ। ସମ୍ରାଟଙ୍କ ଇଚ୍ଛା ବୋଲି ମନେକରି ନର୍ତ୍ତକୀ ନିଜ ଅଙ୍ଗରେ ସୁରଭିତ ପଦ୍ମକେଶର ସାର ଲେପନ କରନ୍ତି। କିଛି ସମୟ ପରେ ପଦ୍ମକେଶର ବାସ୍ନାରେ ବିମୋହିତ ହୋଇ କେତୋଟି ଭ୍ରମର ଉଡ଼ି ଆସି ନର୍ତ୍ତକୀଙ୍କ ଅଙ୍ଗରେ ବସି ମୃତ୍ୟୁବରଣ କରି ଭୂପତିତ ହେଲେ। ଉର୍ବଶୀସମା ରୂପବତୀ ଅଳକାନନ୍ଦା ଜଣେ ବିଷକନ୍ୟା ବୋଲି ଜାଣିପାରି ସାମ୍ରାଟଙ୍କୁ ସତର୍କ କରାଇବା ସହିତ ନର୍ତ୍ତକୀଙ୍କୁ ହାତ କଲେ ରାଜ୍ୟର ସ୍ବାର୍ଥରେ। ପରବର୍ତ୍ତୀ ସମୟରେ ଅଳକାନନ୍ଦାଙ୍କୁ ଉପଯୋଗ କରି ଚନ୍ଦ୍ରଗୁପ୍ତଙ୍କ ଭାବିଶତ୍ରୁ ପର୍ବତେଶ୍ବରଙ୍କୁ ହତ୍ୟା କରିବାରେ ସଫଳ ହୋଇଥିଲେ ଚାଣକ୍ୟ। ସୁନ୍ଦରୀ ଯୁବତୀଙ୍କ ଏହିଭଳି ହସରେ ଶିକାର ହୋଇଛନ୍ତି ଦୁନିଆର ଅନେକ ଶାସକ, ପ୍ରଶାସକ। ଅପରପକ୍ଷରେ ଏଭଳି ସୁନ୍ଦରୀ ଯୁବତୀଙ୍କ ହସ ପ୍ରତି ନେପୋଲିୟନଙ୍କ ପରି ଯେଉଁମାନେ ସତର୍କ ଓ ସଜାଗ ରହିଛନ୍ତି, ସେମାନେ ରଚିଛନ୍ତି ଇତିହାସ। ନେପୋଲିୟନଙ୍କ ସ୍ବଭାବ, ଚରିତ୍ର ଓ ଚେହେରାରେ ପ୍ରଭାବିତ ହୋଇଥିଲେ ସଦ୍ୟ ବିବାହିତା ଅତି ସୁନ୍ଦରୀ ବିଧବା ଜଣେ। ନେପୋଲିୟନଙ୍କୁ ପାଇବା ପାଇଁ ଦୀର୍ଘ ପ୍ରୟାସ କରି ସଫଳ ହୋଇପାରି ନ ଥିଲେ। ଅନେକ ଦିନ ପରେ ଏକଦା ସେହି ବାଟ ଦେଇ ଯିବାବେଳେ ମନେପଡ଼ିଲା ସମ୍ରାଟ ନେପୋଲିୟନଙ୍କ ଛାତ୍ରାବସ୍ଥାରେ ସେହି ମହିଳାଙ୍କ କଥା। ମହିଳାଙ୍କ ଘରକୁ ଯାଇ ଦ୍ୱାରାଘାତ କରିବାରୁ ଜଣେ ମହିଳା ବାହାରକୁ ଆସି ଦେଖିଲେ, ସୈନ୍ୟସାମନ୍ତଙ୍କ ସହିତ ଫ୍ରାନ୍ସ ସମ୍ରାଟ। ମହିଳାଙ୍କୁ ଅଭୟବାଣୀ ଶୁଣାଇ ସମ୍ରାଟ ପଚାରିଲେ- ଅନେକଦିନ ତଳେ ନେପୋଲିୟନ ବୋଲି କେହି ଯୁବକ ଏଠାରେ ରହି ପଢୁଥିଲେ କି? ମହିଳା ଜଣକ କହିଲେ – ହଁ, ଖୁବ୍‌ ଲାଜକୁଳା, ଶାନ୍ତ ସ୍ବଭାବର ନେପୋଲିୟନ ନାମରେ ଏଠାରେ ରହି ପାଠ ପଢୁଥିଲେ। ସେଇଠୁ ସ୍ମିତହାସ୍ୟରେ ନେପୋଲିୟନ କହିଲେ, – ମୁଁ ହେଉଛି ସେଦିନର ସେହି ନେପୋଲିୟନ। ସେଦିନ ଯଦି ଆପଣଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି, ନିଷ୍ଠାରେ ନିମଗ୍ନ ରହି ନ ଥାନ୍ତି, ସଂଯମତା ପୂର୍ବକ ସଂକଳ୍ପରେ ଦୃଢ଼ ନ ଥାନ୍ତି, ତେବେ ଆଜି ମୁଁ ଫ୍ରାନ୍ସର ସମ୍ରାଟ ହୋଇପାରିନଥାନ୍ତି। ନେପୋଲିୟନଙ୍କ ପରି ଉଜ୍ଜ୍ୱକ ଭବିଷ୍ୟତ ପାଇଁ ଅଧ୍ୟୟନରତ ତରୁଣବର୍ଗ ନିଜ ନିଜ ସଂକଳ୍ପରେ ଦୃଢ଼ମନା ନ ରହି କାହା ହସରେ ଫସିଯାଇ ଆନମନା ହେବା ଅର୍ଥ ବିଫଳତାକୁ ଆମନ୍ତ୍ରଣ କରିବା। ଉପେନ୍ଦ୍ର ବିଶ୍ବାଳ
ମୋ: ୯୪୩୭୪୩୬୦୭୩

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?