ଦୁଇଦିନ ତଳେ ଟିଭିର ସମାଚାର ଦେଖୁଥିଲାବେଳେ ଏକ ଲୋମହର୍ଷକ ଘଟଣା ସମ୍ପର୍କରେ ଅବଗତ ହୋଇ ମନ ବିଷେଇ ଉଠିଲା। ମଣିଷ ଜୀବନର ମୂଳଭିତ୍ତି କୁହାଯାଉଥିବା ସଂସ୍କାର ଭୂଲୁଣ୍ଠିତ ହେଉଥିବା ଦେଖି ସମାଜର ସମ୍ଭାବ୍ୟ ସାଂସ୍କୃତିକ ବିଘଟନ ମଧ୍ୟରେ ବିକଳ ଜୀବନ ଜିଉଥିବା ଉତ୍ତରଦାୟାଦଙ୍କ ମୁହଁ ସ୍ପଷ୍ଟ ବାରିହୋଇ ପଡ଼ୁଥିଲା। ଘଟଣାଟି ଥିଲା ଏହିପରି- ସୋନପୁର ଜିଲାର ବିନିକା ଅଞ୍ଚଳରେ ମୋଟରସାଇକେଲରେ ନିଜ ଗଁାକୁ ଯାଉଥିବା ଜଣେ ଯୁବକଙ୍କୁ କେଇଜଣ ଯୁବକ ଗୁଳି କରି ହତ୍ୟା କରିଥିଲେ। ପୋଲିସ ହତ୍ୟାକାଣ୍ଡର ତଦନ୍ତ କରି ଯେଉଁ ସତ୍ୟ ସିଦ୍ଧାନ୍ତ ପାଖରେ ପହଞ୍ଚତ୍ଲେ, ତାହା କେବଳ ପୋଲିସ ପ୍ରଶାସନକୁ ନୁହେଁ, ସାଧାରଣ ନାଗରିକଙ୍କ ଚେତନାର ମଞ୍ଜ ଦୋହଲାଇ ଦେଉଥିଲା।
ବିବାହର ଅଳ୍ପଦିନ ପରେ ସ୍ବାମୀଙ୍କ ସହ ସଂସ୍କାରସିଦ୍ଧ ସମ୍ପର୍କକୁ ମୁହଁ ମୋଡ଼ି ଯୁବତୀ ଜଣେ ନିଜ ପ୍ରେମିକ ସହ ସମ୍ପର୍କ ଯୋଡ଼ିଲେ। ସ୍ବାମୀ ଜଣକ ପ୍ରଥମେ ଅବାଟରେ ଯାଉଥିବା ପତ୍ନୀଙ୍କୁ ବୁଝାଇଲେ ଓ ସେଥିରେ ବିଫଳ ହୋଇ ତାଙ୍କୁ ଦାମ୍ପତ୍ୟର ଧାରଣା ଉପରକୁ ଫେରାଇ ଆଣିବାକୁ ବଳ ପ୍ରୟୋଗ କଲେ। କେଇବାର ସ୍ବାମୀଙ୍କ ହାତରୁ ମାଡ଼ ଖାଇଲା ପରେ ପତ୍ନୀ ପରକୀୟା ପ୍ରୀତିର ବାଟ ଓଗାଳୁଥିବା ସ୍ବାମୀଙ୍କୁ ସବୁଦିନ ପାଇଁ ନୀରବ କରିଦେବାକୁ ନିଜ ପ୍ରେମିକ ସହ ମିଶି ଷଡ଼ଯନ୍ତ୍ର ରଚିଲା।
ଏମିତି ତ ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କରିବା ନୂଆ ଘଟଣା ନୁହେଁ। ଏଇ କେଇ ମାସ ତଳେ ଦେଶର ଅନ୍ୟ ଏକ ପ୍ରାନ୍ତରେ ବିବାହର ମାତ୍ର କେଇଦିନ ପରେ ଜଣେ ପତ୍ନୀ ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ପାହାଡ଼ ଶିଖରରୁ ତଳକୁ ପେଲି ହତ୍ୟା କରିଥିଲା। ପୁଣି ସେମିତି ବେଙ୍ଗାଲୁରୁରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କର୍ମରତା ଆସାମର ଜଣେ ଯୁବତୀ ନିଜ ବାପା ମାଆ ଠିକ୍ କରିଥିବା ଓ ପୁଣେରେ ସେହି ଏକା ବୃତ୍ତିରେ ନିୟୋଜିତ ଥିବା ନିଜ ନବ ପରିଣିତ ପତିଙ୍କୁ ପର କରି ସହକର୍ମୀ ଭାବେ କାମ କରୁଥିବା ଅନ୍ୟ ଜଣେ ଯୁବକଙ୍କ ସହ ପରକୀୟାରେ ମାତିଥିଲା। ଏହି ଗୋପନ ପ୍ରଣୟ ଲୀଳାକୁ ଜାଣିଲା ଭଳି ଅପରାଧ କରିବସିଲେ ପୁଣେସ୍ଥିତ ପତିଦେବ। ପରିଣାମ ହେଲା ଅତ୍ୟନ୍ତ ପ୍ରତ୍ୟାଶିତ। ନିଜ ପତ୍ନୀ ସହ ମିଳିତ ହେବାକୁ ବେଙ୍ଗାଲୁରୁ ଆସିଥିବାବେଳେ ଅତି ରହସ୍ୟଜନକ ଭାବେ ତାଙ୍କର ମୃତ୍ୟୁ ଘଟିଲା। ଏସବୁ ଭିତରେ ଆମ ଓଡ଼ିଶାର ଜଣେ ଜଙ୍ଗଲ ବିଭାଗ ଅଫିସରଙ୍କ ଅଗ୍ନିଦଗ୍ଧ ଅଭାବିତ ଅକାଳ ନିଧନର ଦୁର୍ଭାଗୀ ଜନ ବିସ୍ମୃତିରେ ହଜିଯାଇଥିବାବେଳେ ଏବେ ଅବଶ୍ୟ ସେଇ ଅଫିସର ସୌମ୍ୟଙ୍କ ହତ୍ୟଭାଗ୍ୟ ବାପାଙ୍କ ଭାଷାରେ ଧର୍ମର ଜୟ ହୋଇଛି। ସୌମ୍ୟଙ୍କ ବିଧବା ପତ୍ନୀ ଓ ପରକୀୟାଲିପ୍ତ ତାଙ୍କ ଉପର ଅଫିସର ଦୁହେଁଯାକ ବିଳମ୍ବରେ ହେଲେ ମଧ୍ୟ କାରାରୁଦ୍ଧ ହୋଇଛନ୍ତି।
ଏସବୁ ଦୃଶ୍ୟପଟ୍ଟ ପରକୀୟା ପ୍ରେମର ଗୋଟିଏ ଗୋଟିଏ ଜୀବନ୍ତ ନମୁନା ମାତ୍ର। ଏହା ବାହାରେ ସମାଜରେ କେତେ ଯେ ଦୃଷ୍ଟାନ୍ତ ନିତିଦିନ ସଂରଚିତ ହୋଇଚାଲିଛି ତାହାର ହିସାବ ନାହିଁ। ତେବେ ଆମ ରାଜ୍ୟର ବିନିକା ଅଞ୍ଚଳର ଘଟଣାଟି ଟିକେ ସ୍ବତନ୍ତ୍ର। ସେଠାରେ ପରକୀୟା ପ୍ରେମରେ ମାତି ଜଣେ ପତ୍ନୀ କେବଳ ତାଙ୍କ ପତିଙ୍କୁ ହତ୍ୟା କରିନାହାନ୍ତି, ବରଂ ଯେଉଁ ପ୍ରକ୍ରିୟାରେ ହତ୍ୟା ସଂଘଟିତ ହୋଇଛି ତାହା ଆମ ଯୁଗଯୁଗର ସଂସ୍କାର ପ୍ରତି ଏକ ଚରମ ଅପମାନ। ଯେଉଁ ମଙ୍ଗଳସୂତ୍ର ଆଦ୍ୟ ଦାମ୍ପତ୍ୟର ପ୍ରଥମ ସଧବା ସ୍ବୀକୃତି ଭାବେ ମାନ୍ୟତାପ୍ରାପ୍ତ, ସେଇ ମଙ୍ଗଳସୂତ୍ରଟିକୁ ବନ୍ଧା ପକାଇ ପଇଁଚାଳିଶ ହଜାର ଟଙ୍କା ସଂଗ୍ରହ କରିଥିଲେ ପତ୍ନୀ, ଯାହା ବିନିମୟରେ ଜଣେ ଚୋରା ବନ୍ଧୁକ ବେପାରୀ ଠୁଁ କିଣାଯାଇଥିଲା ପତି ହତ୍ୟା ପାଇଁ ବ୍ୟବହୃତ ସେଇ ଘାତକ ମାରଣସ୍ତ୍ର। ଯେଉଁ ମଙ୍ଗଳସୂତ୍ରକୁ ନବବିବାହିତା ପତ୍ନୀ ଗଳାରେ ଝୁଲାଇ ବିଚରାଟି ପତି ବୋଲାଇଥିଲା, ସେଇ ମଙ୍ଗଳସୂତ୍ର ହିଁ ଅକାଳରେ ଜୀବନ ନେବାର ସାଧନ ହେଲା!!
ତେବେ କାହିଁକି ଘଟିଚାଲିଛି ଏ ପ୍ରକାର ସାଂସ୍କୃତିକ ବିଘଟନ? କାହିଁକି ପତି ଅବା ପତ୍ନୀ ମୁହଁ ଫେରାଇ ନେଉଛି ନିଜ ସାଥୀଟିଠାରୁ?? ଏହାର ଉତ୍ତର ଖୋଜୁଥିବାବେଳେ ଆଖିରେ ପଡ଼େ ଆମ ରାଜଧାନୀ ନଗରୀରେ କେଇଦିନ ପୂର୍ବରୁ ସଂଘଟିତ ଏକ ଭିନ୍ନ ଦାମ୍ପତ୍ୟ କଳହ। ଜଣେ ବନ୍ଧୁଙ୍କଠୁଁ ଶୁଣିବାକୁ ମିଳିଥିବା କଥାଟି ଥିଲା ଆମ ସଂସ୍କାର ଓ ସଂସ୍କୃତିଠାରୁ ଅଧିକ ବଳଶାଳୀ ବିବେଚିତ ହେଉଥିବା ଆମ ବିଚାର ବ୍ୟବସ୍ଥା। ମାତ୍ର ଚାରିମାସ ତଳେ ବିବାହ କରିଥିବା ଏକ ଯୁବ ଦମ୍ପତି ଦୁହେଁ ଯାକ କର୍ମଜୀବୀ ା ବିବାହ ପରର ପନ୍ଦରଦିନ ଯାଏ ଏଇ ଧାରାରେ ଦାମ୍ପତ୍ୟ ଆଗକୁ ବଢ଼ୁଥିଲା ବେଳେ ସ୍ବାମୀ ଲକ୍ଷ୍ୟ କଲେ ସ୍ତ୍ରୀ ଯେମିତି ତାଙ୍କ ପ୍ରତି ନୁହେଁ ଆଉ କାହା ପ୍ରତି ସମର୍ପିତ ା ସେ ଗୋପନରେ ଅନୁସନ୍ଧାନ କରି ଯାହା ଜାଣିଲେ, ତହିଁରୁ ତାଙ୍କ ପାଦ ତଳର ପୃଥିବୀରେ କମ୍ପନ ସୃଷ୍ଟି ହେଲା ା
ପତ୍ନୀ ଜାଣିଲେ ଯେ ତାଙ୍କ ପତି ଜାଣି ସାରିଲେଣି ତାଙ୍କ ପରକୀୟା ସମ୍ପର୍କର କଥା ା ତଥାପି ତାଙ୍କର କିଛି ଶୋଚନା ନ ଥିଲା ା ସେ ସେମିତି ତାଙ୍କ ପ୍ରେମିକଙ୍କ ସହ ମିଶିବାକୁ ଲାଗିଲେ ଓ ଘରକୁ ଫେରିଲେ ବିଳମ୍ବରେ ା ପ୍ରତିକ୍ରିୟା ପ୍ରକାଶ କଲେ ପ୍ରତାରିତ ପତିଦେବ ା ପରିଣତି ହେଲା ଅତ୍ୟନ୍ତ ଭୟାବହ ା ଗର୍ଜି ଉଠିଲେ ପତ୍ନୀ। କହିଲେ ଯାଅ, ମୋ ନାଁରେ କେସ୍ କରିବ ା ସୁପ୍ରିମ କୋର୍ଟଙ୍କ ରାୟ ସମ୍ପର୍କରେ ଅବଗତ ଅଛ ତ ? ସମ୍ମତି ସୂଚକ ପରକୀୟା ସମ୍ପର୍କ ଅପରାଧ ନୁହେଁ ା ତୁମ ସହ ବୈବାହିକ ସମ୍ପର୍କ ମା’ବାପାଙ୍କ ଅବାଧ୍ୟ ସନ୍ତାନ ହୋଇ ନ ପାରିବାର ଏକ ବାଧ୍ୟବାଧକତା। ମୁଁ ମୋର ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିପାରିବି ନାହିଁ, ପରିସ୍ଥିତି ବା ପରିଣାମ ତେଣିକି ଯାହା ବି ହେଉ ା
ପତି ଜଣକ ଉତ୍ତର ଦେଲେ ମୁଁ ଜାଣିଛି ତୁମେ ଆମ ବିଚାର ବ୍ୟବସ୍ଥାର କେଉଁ ବରରେ ବଳିୟାନ। ଅନ୍ୟ ପ୍ରତି ସମର୍ପିତ ଥିବା ନବ ବିବାହିତ ପତ୍ନୀଙ୍କ ସହ ଏକା ଛାତ ତଳେ ରହିବା କେମିତି ସମ୍ଭବ ସେହି ନ୍ୟାୟ ଭିକ୍ଷା କରି ମୁଁ ବି ସେହି ବରଦାତାଙ୍କ ପାଖକୁ ଯିବି। ଜାଣିବାକୁ ମିଳିଛି ମାତ୍ର ଚାରିମାସର ବୈବାହିକ ସମ୍ପର୍କର ବିଫଳତାକୁ ନେଇ ପତ୍ନୀପତି ଦୁହେଁ ଏବେ ପରସ୍ପରଠୁ ବିଚ୍ଛିନ୍ନ ହୋଇ ରହୁଛନ୍ତି ା
ଡାଇଭର୍ସ କେସ୍ ଚାଲିଛି କୋର୍ଟରେ। ବିବାହ ବନ୍ଧନ ଯେଉଁ ଶୁଦ୍ଧ ସାମାଜିକ ଜୀବନର ସଂରଚନା କରିବା ପାଇଁ ଅଭିପ୍ରେତ ତହିଁରେ ହସ୍ତକ୍ଷେପ କଲେ ନୈତିକତାର ଆବରଣ ମଧ୍ୟରେ ପରିପୁଷ୍ଟ ଦାମ୍ପତ୍ୟର ପରିଣାମ କେତେ ଭୟଙ୍କର ହୁଏ, ଉପରୋକ୍ତ ଘଟଣାଟି ତାହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ା
ଆଇନ ବିଚାରର ବିଶୁଦ୍ଧତା ଓ ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ମୁଣ୍ଡ ଟେକିଲାଣି ା ପ୍ରଥମେ ବିବାହ ନ କରି ବି ଦୁଇ ବିପରୀତଲିଙ୍ଗୀ ମଣିଷଙ୍କ ସହବାସୀ ସମ୍ପର୍କ, ପୁଣି ସମଲିଙ୍ଗୀ ବିବାହ ଓ ପରେ ପରେ ପରକୀୟା ସମ୍ପର୍କକୁ ବୈଧ ସମ୍ପର୍କର ମାନ୍ୟତା ମିଳିବା ପରେ ଆମ ସଂସ୍କାରସିଦ୍ଧ ସମାଜର ଗତି ତଳକୁ ତଳ ରସାତଳକୁ ଯେ ଯାଉଛି, ଏ କଥା ଦେଖିପାରୁ ନାହାନ୍ତି ଆଖିରେ ଅନ୍ଧପୁଟୁଳି ବାନ୍ଧିଥିବା ଆଇନର ଦେବୀ। କିଏ ହେଲେ କେମିତି ଆଇନର ଦେବୀଙ୍କ ପାଖରୁ ଅନ୍ଧପୁଟୁଳି ଖୋଲି ଦିଅନ୍ତେ ନାହିଁ !!
କେଇମାସ ତଳେ ପହେଲଗାମ୍ ନରସଂହାରରେ ହିନ୍ଦୁନାରୀଙ୍କ ସୀମନ୍ତର ସିନ୍ଦୂର ଉଜାଡ଼ି ଦେଇଥିବା ଆତଙ୍କବାଦୀଙ୍କୁ ଶିକ୍ଷା ଦେବା ପାଇଁ ସରକାର ନେଇଥିଲେ ଚରମ ପଦକ୍ଷେପ ଓ ତା’ର ନାମ ଦେଇଥିଲେ ଅପରେଶନ ସିନ୍ଦୂର ା ଆଜି ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦୁଇ ବିପରୀତଲିଙ୍ଗୀ ଯୁବତୀଯୁବକଙ୍କ ସମ୍ପର୍କର ନିର୍ଣ୍ଣାୟକ ଭାବେ ଯେଉଁ ମଙ୍ଗଳସୂତ୍ର ଯୁଗ ଯୁଗ ଧରି ସମାଜରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଥିଲା ତାହା ଆଜି ଆମ ବିଚାର ବ୍ୟବସ୍ଥାର ଦ୍ୱାହି ଦେଇ ଗୁରୁତର ସଙ୍କଟଗ୍ରସ୍ତ ା ଅପରେଶନ ସିନ୍ଦୂର ଭଳି ‘ଅପରେଶନ ମଙ୍ଗଳସୂତ୍ର’ କିଛି ବୈପ୍ଳବିକ ବ୍ୟବସ୍ଥା ହୁଅନ୍ତା ସିନା, ଆମ ସମାଜ ଏକ ନିଶ୍ଚିତ ସାଂସ୍କୃତିକ ବିଘଟନରୁ ବର୍ତ୍ତିଯାଆନ୍ତା !!
-ପ୍ରଜ୍ଞା ନିଳୟ, ବିଦ୍ୟାପତି ନଗର, ଭୁବନେଶ୍ୱର, ମୋ:୮୮୯୫୬୨୪୧୦୫
ଅଧ୍ୟାପକ ନିରଞ୍ଜନ ପାଢ଼ୀ

