ନୂଆଦିଲ୍ଲୀ,୨୭।୧୧: ଆଇପିଏଲ (IPL) ୨୦୨୭ ସିଜିନ ପୂର୍ୱରୁ ମୁମ୍ୱାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ମୁମ୍ୱାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ସବୁଠାରୁ ସଫଳ ଅଧିନାୟକଙ୍କ ଉପରେ ଭରସା ପ୍ରକଟ କରିଛି। ପାଞ୍ଚ ଥର IPL ଟ୍ରଫି ଜିତିଥିବା ଏହି ଦଳର ନେତୃତ୍ୱ ଏବେ IPL ୨୦୨୭ରେ ରୋହିତ ଶର୍ମାଙ୍କ ହାତରେ ରହିବ। ରୋହିତ ପ୍ରାୟ ତିନି ବର୍ଷ ପରେ ଫ୍ରାଞ୍ଚାଇଜିର ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ କରିବେ। ଏହା ପୂର୍ୱରୁ ସେ ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇସାରିଛନ୍ତି ଏବଂ ତାଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ପାଞ୍ଚ ଥର IPL ଚାମ୍ପିଅନ ହୋଇଥିଲା। ତେବେ, ତିନି ବର୍ଷ ପୂର୍ୱେ ଫ୍ରାଞ୍ଚାଇଜି ତାଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଥିଲା।
Smile, everybody smile 💙
#MumbaiIndians #CaptainRo https://t.co/YUqYZTQxu9
— Mumbai Indians (@mipaltan) November 27, 2026
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ ଟ୍ରଫି ଜିତିବାରେ ବିଫଳ ହୋଇଥିଲା। ଏହା ପରେ ଟ୍ରେଡ ଡିଲ ଜରିଆରେ ହାର୍ଦ୍ଦିକ ପଞ୍ଜାବ କିଙ୍ଗ୍ସର ଅଂଶ ପାଲଟିଛନ୍ତି। ଅନ୍ୟପଟେ, ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଗତ ସିଜିନ୍ର ପ୍ରଦର୍ଶନ ମଧ୍ୟ ନିରାଶାଜନକ ରହିଥିଲା। ଦଳ ୧୪ଟି ମ୍ୟାଚରୁ ମାତ୍ର ୪ଟିରେ ବିଜୟ ହାସଲ କରିପାରିଥିଲା। ଆହତ ହେବା କାରଣରୁ ହାର୍ଦ୍ଦିକ ଟୁର୍ଣ୍ଣାମେଣ୍ଟର ଶେଷ ପର୍ଯ୍ୟାୟର କିଛି ମ୍ୟାଚ୍ରେ ମଧ୍ୟ ଖେଳି ପାରିନଥିଲେ।
ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ପ୍ରତ୍ୟାବର୍ତ୍ତନ ନେଇ ମୁମ୍ୱାଇ ଇଣ୍ଡିଆନ୍ସ ଶୁକ୍ରବାର ସୋସିଆଲ ମିଡିଆରେ ଏକ ସୱତନ୍ତ୍ର ଭିଡିଓ ମଧ୍ୟ ସେୟାର କରିଛି। ଏହି ଭିଡିଓରେ ରୋହିତ ଶର୍ମା ନଜର ଆସୁଛନ୍ତି। ଏହା ସହିତ ଫ୍ରାଞ୍ଚାଇଜି କ୍ୟାପସନ୍ରେ ଲେଖିଛି, ହସନ୍ତୁ, ସମସ୍ତେ ହସନ୍ତୁ।
ରୋହିତ ଶର୍ମା ୨୦୧୧ ମସିହାରୁ ମୁମ୍ୱାଇ ଇଣ୍ଡିଆନ୍ସର ଅଂଶ ଅଛନ୍ତି। ସେ ୨୦୧୩ରେ ରିକି ପଣ୍ଟିଂଙ୍କ ସ୍ଥାନରେ ଦଳର ଅଧିନାୟକତ୍ୱ ସମ୍ଭାଳିଥିଲେ। ଏହା ପରେ ପ୍ରଥମ ସିଜିନ୍ରେ ହିଁ ନିଜ ଅଧିନାୟକତ୍ୱରେ ମୁମ୍ୱାଇକୁ IPL ଚାମ୍ପିଅନ କରାଇଥିଲେ। ରୋହିତଙ୍କ ନେତୃତ୍ୱରେ ମୁମ୍ୱାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୋଟ ପାଞ୍ଚ ଥର ଟ୍ରଫି ନିଜ ନାମରେ କରିଥିଲା।
ରୋହିତ ୨୦୧୩ରୁ ୨୦୨୩ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ ମୁମ୍ୱାଇର ଅଧିନାୟକତ୍ୱ କରିଥିଲେ। ଏବେ IPL ୨୦୨୭ରେ ସେ ପୁଣି ଥରେ ଦଳର ନେତୃତ୍ୱ ନେଉଥିବାର ଦେଖାଯିବେ। ଫ୍ରାଞ୍ଚାଇଜି ତାଙ୍କଠାରୁ ପୁଣି ଥରେ ସେହି ପୁରୁଣା ସୁବର୍ଣ୍ଣ ଯୁଗର ପ୍ରତ୍ୟାବର୍ତ୍ତନ ଆଶା ରଖିବ।

