ନିଅଁ ନାହିଁ

ଜମି କିଣିବା ପରେ ଏବଂ ଘର ତିଆରି ଆରମ୍ଭ ହେବା ପୂର୍ବରୁ ନିଅଁ ଖୋଳିବା ପ୍ରଥମ କାର୍ଯ୍ୟ ହୋଇଥାଏ। ଘର ଯେତିକି ଉଚ୍ଚା ଓ ନିଦା କରିବାର ଇଚ୍ଛା ଥାଏ, ସେତିକି ଗଭୀର ନିଅଁ ଖୋଳିବାକୁ ହୋଇଥାଏ। ଏପରିକି ପାଣି ଭିତରେ ଘର କରିବାକୁ ଇଚ୍ଛା ଥିଲେ ଭିତରୁ ଖମ୍ବ ଉଠାଇବାକୁ ପଡ଼ିଥାଏ। ଏହା ହେଉଛି ପୃଥିବୀର ବ୍ୟବସ୍ଥା। ସମାଜ ନିର୍ମାଣ କରିବା ଲାଗି ସେହିଭଳି ଗଭୀରକୁ ଯିବାକୁ ପଡ଼େ। ସେଥିପାଇଁ କୁହାଯାଏ ଯେ, ଏକ ସାମାଜିକ ଚରିତ୍ର ଗଠନ ସକାଶେ ଅନେକ ପିଢ଼ିର ଚେଷ୍ଟା ଆବଶ୍ୟକ। ମଣିଷ ଜାତିର ବୁଦ୍ଧି ଜାଗିବା ସମୟରୁ ଶିକ୍ଷାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।
ଓଡ଼ିଶାର ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ସକାଶେ ଓଡ଼ିଶା ସରକାର ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୮ ଡିସେମ୍ବରରେ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ଏ ନେଇ ଏକ ସଙ୍କଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାକୁ ଚୂଡ଼ାନ୍ତ ରୂପ ଦେବା ନିମନ୍ତେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ଗଠନ କରାଯିବ। ସର୍ବଭାରତୀୟ ସ୍ତରରେ ଏନ୍‌ଇଇଟି ଏବଂ ଜେଇଇ ଭଳି ଏକକ ପରୀକ୍ଷା ପ୍ରବର୍ତ୍ତନ ହେବା ପରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ରାଜ୍ୟର ସରକାରୀ ହାଇସ୍କୁଲର ଛାତ୍ରୀଛାତ୍ରଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସରକାର ଏଭଳି ଏକ ସଂକଳ୍ପ ଅଣିଥିବା କହିଛନ୍ତି।
ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଅଧିକାଂଶ ସ୍କୁଲରେ ଭଲ ଶ୍ରେଣୀକକ୍ଷ, ପାଠାଗାର ଓ ପାଇଖାନା ଭଳି ସର୍ବନିମ୍ନ ଭିତ୍ତିଭୂମିର ଘୋର ଅଭାବ ରହିଛି। ଶିକ୍ଷକଙ୍କ ସଂଖ୍ୟା ଏତେ ନଗଣ୍ୟ ଯେ ଜଣେ ଶିକ୍ଷକ ଏକାଧିକ ବିଷୟ ପଢ଼ାଇବାକୁ ବାଧ୍ୟ ହେଉଛନ୍ତି। କେବଳ ଯେ ଏକାଧିକ ବିଷୟ ପଢ଼ାଉଛନ୍ତି ତାହା ନୁହେଁ, ଏକାକୀ ଏକାଧିକ ଶ୍ରେଣୀରେ ତଦାରଖ କରୁଛନ୍ତି। ଶୁଣିବାକୁ ମିଳେ ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି)ମାନେ ସ୍ଥଳବିଶେଷରେ ବିଜ୍ଞାନ ଓ ଗଣିତ ଭଳି ମୁଖ୍ୟ ବିଷୟ ପଢ଼ାଉଛନ୍ତି। ଏଭଳି ଏକ ସ୍ଥିତିରେ ପାଠପଢ଼ା କିଭଳି ହେଉଥିବ ସହଜରେ ଅନୁମେୟ। ସ୍କୁଲକୁ ପିଲାମାନଙ୍କୁ ଆକର୍ଷିତ କରିବା ସକାଶେ ସରକାର ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠରେ ସଂରକ୍ଷଣ ସୁବିଧା ସୃଷ୍ଟି କରିଛନ୍ତିି। କିନ୍ତୁ ଦୁଃଖର ବିଷୟ ହେଉଛି ରାଜ୍ୟର ସ୍କୁଲ ବ୍ୟବସ୍ଥାରେ ଆବଶ୍ୟକ ନିଅଁ ଖୋଳାଯାଇ ନାହିଁ। ଦିଲ୍ଲୀରେ ଆମ୍‌ ଆଦ୍‌ମୀ ପାର୍ଟି ସରକାର ଆସିବା ପରେ ସରକାରୀ ବିଦ୍ୟାଳୟ ଉପରେ ଦୃଷ୍ଟି ପକାଇଲେ। କେବଳ ଭିତ୍ତିଭୂମି ନୁହେଁ, ତା’ସହିତ ପାଠ୍ୟକ୍ରମ, ଯଥେଷ୍ଟସଂଖ୍ୟକ ଶିକ୍ଷୟିତ୍ରୀଶିକ୍ଷକ ଏବଂ ତତ୍‌ସହିତ ଖେଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ସ୍କୁଲଗୁଡ଼ିକର ମାନ ଅତ୍ୟନ୍ତ ଉଚ୍ଚସ୍ତରକୁ ନେଲେ। ସେଠାକାର ସରକାରୀ ସ୍କୁଲଗୁଡ଼ିକରେ ସ୍ଥିତିର ସୁଧାର ଦେଖି ଅନେକ ଅଭିଭାବକ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲରୁ ଆଣି ସରକାରୀ ସ୍କୁଲରେ ନାମ ଲେଖାଉଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ କେଜ୍‌ରିଓ୍ବାଲଙ୍କ ସରକାର ଦ୍ୱିତୀୟ ଥର ପାଇଁ ଜିତିବା ପଛରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଏକ ମୂଳ କାରଣ ଭାବେ ଦର୍ଶାଯାଉଛି।
ବାସ୍ତବ ପରିସ୍ଥିତିକୁ ଦେଖିଲେ ଇଞ୍ଜିନିୟର ଏବଂ ଡାକ୍ତର ହେବା ପାଇଁ ଯେଉଁ ସ୍ତରର ଶିକ୍ଷାର ଆବଶ୍ୟକତା ରହିଛି, ତାହା ଆଜି ଓଡ଼ିଶାର ସରକାରୀ ସ୍କୁଲରେ ମିଳିବା ଅସମ୍ଭବ। ଯେଉଁ ଛାତ୍ରୀଛାତ୍ର ଭଲ ସଂଖ୍ୟାରେ ଉତ୍ତୀର୍ଣ୍ଣ ହେଉଛନ୍ତି ସେମାନେ ନିଜ ପ୍ରଚେଷ୍ଟାରେ ଆଗଉଛନ୍ତି। ସେଥିରେ ସ୍କୁଲ ପରିଚାଳନାର କୌଣସି ଅବଦାନ ନ ଥାଏ। ଓଡ଼ିଶାର ଗ୍ରାମାଞ୍ଚଳରେ ପୂର୍ବର ପରିଚାଳନା କମିଟି ହେଉ ବା ଏବର ପରିବର୍ତ୍ତିତ ପରିସ୍ଥିତିରେ ଅଭିଭାବକଙ୍କ ଗୋଷ୍ଠୀ ହେଉ, କାହାରି ଗୋଟେ ଶିକ୍ଷା ପ୍ରତି ଆକର୍ଷଣ ଥିବାର ନଜିର ଦେଖିବାକୁ ମିଳେନାହିଁ। ହାତଗଣତି ବିଦ୍ୟାଳୟଗୁଡ଼ିକୁ ବାଦ୍‌ ପକାଇଲେ ସାଧାରଣରେ ଗ୍ରାମବାସୀ ସ୍କୁଲକୁ ମିଳୁଥିବା ସରକାରୀ ଅର୍ଥ ଉପରେ ନଜର ପକାଇ ଥାଆନ୍ତି। ପୁରୁଷଙ୍କ ପରିବର୍ତ୍ତେ ଗ୍ରାମୀଣ ମହିଳାଙ୍କର ସ୍କୁଲଗୁଡ଼ିକ ପ୍ରତି ଅଧିକ ଯତ୍ନବାନ ହେଉଥିବାର ଦେଖିବାକୁ ମିଳେ। ସରକାରୀ ବ୍ୟବସ୍ଥାରେ ସର୍କଲ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ କ୍ୱଚିତ୍‌ ଶିକ୍ଷାର ମାନ ପ୍ରତି ଦୃଷ୍ଟି ଦେଇଥାନ୍ତି। ଗୋଟିଏପଟେ ଜିଲାପାଳଙ୍କୁ ଖୁସି କରିବା ସହିତ ଏହି କର୍ମଚାରୀମାନେ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଅନେକ ପ୍ରକାର ଯନ୍ତ୍ରଣା ଦେଉଥିବାର ଦୃଷ୍ଟାନ୍ତ ରହିଛି। ଏହିଭଳି ଅନେକ ବିନ୍ଦୁକୁ ଏକାଠି କଲେ ଗୋଟିଏ କଥା ସ୍ପଷ୍ଟ ବୁଝାପଡ଼େ। ସେହି କଥାଟି ହେଲା, ଶିକ୍ଷାର ମାନକୁ କୌଣସି ଗୁରୁତ୍ୱ ଦିଆଯାଏ ନାହିଁ। ଏବେ କରୋନା ଏକ ନୂଆ ଶିକ୍ଷାଯୁଗ ଆରମ୍ଭ କରିଛି। ଅନ୍‌ଲାଇନ୍‌ ପାଠପଢ଼ା ହେତୁ ଗ୍ରାମାଞ୍ଚଳରେ ଅନେକ ଛାତ୍ରୀଛାତ୍ର ବାଦ୍‌ ପଡ଼ିଯାଉଛନ୍ତି। ଅର୍ଥାତ୍‌ ଏହି ସମୟ ପରେ ସରକାରଙ୍କୁ ଏକ ନୂତନ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରିବାର ସୁବର୍ଣ୍ଣ ସୁଯୋଗ ଖୁବ୍‌ଶୀଘ୍ର ମିଳିବ। କେବଳ ନୀତି ନୁହେଁ, ପ୍ରକୃତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଦିଲ୍ଲୀ ଏବଂ ଅନ୍ୟ କେତେକ ସଫଳ ରାଜ୍ୟର ଉଦାହରଣକୁ ଦେଖାଯିବା ଦରକାର। କେବଳ ସଂରକ୍ଷଣ ମାଧ୍ୟମରେ ସରକାରୀ ସ୍କୁଲର ଭାଗ୍ୟ ବଦଳିବ ନାହିଁ। ଅଳ୍ପ କେତେକ ବିଷୟ ଉପରେ ଦୃଷ୍ଟି ପକାଇ ପରିବର୍ତ୍ତନ ଆଣିବାକୁ ପଡ଼ିବ। ମାତୃଭାଷା ସହିତ ଇଂଲିଶ୍‌ ଶିକ୍ଷାର ମାନବୃଦ୍ଧି କରାଯାଇପାରିଲେ, ଡାକ୍ତର କିମ୍ବା ଇଞ୍ଜିନିୟର ହେବା ସହଜ ହେବ। ଏହା ବ୍ୟତୀତ ପିଲାଙ୍କ ମନ ଏବେ ହ୍ୟୁମାନିଟିଜ୍‌ ଏବଂ ଲିବେରାଲ୍‌ ଆଟର୍‌ସ ଭଳି ବିଷୟ ପଢ଼ିବାର ସମୟ ଆସିଯାଇଛି। ସେଥିପାଇଁ ଉଚିତ ଶିକ୍ଷାପ୍ରାପ୍ତ ଶିକ୍ଷୟିତ୍ରୀଶିକ୍ଷକଙ୍କ ଆବଶ୍ୟକତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହିଭଳି ଅନେକ ବିଷୟ ଉପରେ ଏକାଠି ଧ୍ୟାନ ଦିଆଯାଇ ପାରିଲେ ସରକାରୀ ସ୍କୁଲରେ ପାଠ ପଢ଼ିବାକୁ ପିଲାଙ୍କ ଆଗ୍ରହ ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri