ନୂଆ ଦିଗ

କୃଷି ଆଇନଠାରୁ ଦୃଷ୍ଟି ଘୁଞ୍ଚାଇବାକୁ ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଖବର ସାହାଯ୍ୟ କଲା। ତା’ ପୂର୍ବରୁ ଅର୍ଥନୀତିରେ ଦୁରବସ୍ଥା ସହ ଚାଇନାର ଆକ୍ରମଣକୁ ଦକ୍ଷତାର ସହ ସାମ୍ନା କରିବାରେ ବିଫଳହୋଇଥିବା ସରକାରକୁ ସିନେମା ତାରକା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଖବର ସେହିଭଳି ଦୃଷ୍ଟି ହଟାଇବାରେ ସହାୟକ ହୋଇଥିଲା। କ୍ଷମତାସୀନ ଦଳର ଗୋଟିଏ ପରେ ଗୋଟିଏ ବିଫଳତାକୁ ସାମ୍ନା କରିବା ସକାଶେ ବିଭିନ୍ନ ଛୋଟକାଟିଆ ଘଟଣାକୁ ଗୁରୁତ୍ୱ ଦିଆଯାଇ ବିଭ୍ରାଟ କରାଯାଇଥିବା ବେଳେ ମହାରାଷ୍ଟ୍ରର ଶରଦ ପାଓ୍ବାରଙ୍କ ନେତୃତ୍ୱାଧୀନ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଏବେ ନେଇଥିବା ଏକ ଅଭିନବ ପଦକ୍ଷେପକୁ ଗଣମାଧ୍ୟମ ଉଚିତ ଧ୍ୟାନ ଦେଇନାହିଁ। ୫ ଅକ୍ଟୋବର, ୨୦୨୦ରେ ଦଳ ଭିତରେ ଏକ ସ୍ବାଧୀନ ଶାଖା ଭାବେ ଲେସ୍‌ବିଆନ୍‌, ଗେ, ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡର (ଏଲ୍‌ଜିବିଟି) ଗଠନ କରି କିନ୍ନରମାନଙ୍କ ଲାଗି କାର୍ଯ୍ୟ କରିବ ବୋଲି ଏନ୍‌ସିପି ପକ୍ଷରୁ କୁହାଯାଇଛି। ଏନ୍‌ସିପି ଲୋକ ସଭା ଏମ୍‌ପି ସୁପ୍ରିୟା ସୁଲେ କହିଛନ୍ତି ଯେ, ଏଲ୍‌ଜିବିଟି ବର୍ଗ ସମାନ ଅଧିକାର ପାଇବା ପାର୍ଟି ଅନୁଭବ କରିବା ପରେ ଏଭଳି ସେଲ୍‌ ଗଢ଼ିବାକୁ ଚିନ୍ତା କଲା। ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପୂର୍ବରୁ ଏହି ଦଳ ତା’ର ନିର୍ବାଚନ ଇସ୍ତାହାରରେ ଏଲ୍‌ଜିବିଟି ସେଲ୍‌ ଗଢ଼ିବା ବିଷୟ ଉଲ୍ଲେଖ କରିଥିଲା। ଉକ୍ତ ବର୍ଗକୁ ସମାଜରେ ଭିନ୍ନ ଦୃଷ୍ଟିରେ ଦେଖାଯାଉଥିବାରୁ ଏନ୍‌ସିପିର ଉଦ୍ୟମ ସ୍ବାଗତଯୋଗ୍ୟ।
ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ନ୍ୟାୟ, ସମାନତା ଓ ସମାନ ସୁଯୋଗ ଦିଆଯିବାର ବ୍ୟବସ୍ଥା ରଖାଯାଇଛି। କାହାରିଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି। ସେହିପରି ଗଣତନ୍ତ୍ରରେ ଧର୍ମ, ଜାତି, ଲିଙ୍ଗ ଓ ଭାଷା ନିର୍ବିଶେଷରେ ସବୁ ନାଗରିକ ସମାନ ବୋଲି କୁହାଯାଇଥିଲେ ମଧ୍ୟ ବାସ୍ତବରେ ତାହା ପ୍ରତିଫଳିତ ହୋଇପାରୁ ନାହିଁ। ରାଜନୈତିକ ଦଳଗୁଡ଼ିକ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ଚିନ୍ତାରେ ବୁଡ଼ିଯାଇ ବିଭାଜନ ଓ ବିଭେଦର ରାଜନୀତି କରୁଛନ୍ତି। ଧର୍ମାନ୍ଧତା, ରାଜନୀତିରେ ଅପରାଧୀକରଣ, ବିଭିନ୍ନ ପ୍ରକାରର ଅସହିଷ୍ଣୁତାକୁ ପାଥେୟ କରି ନିର୍ବାଚନ ଲଢ଼ାଯାଉଛି। ନିର୍ବାଚନ ଇସ୍ତାହାରରେ ସବୁ ଦଳ ଲୋକଙ୍କୁ ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ବେକାରଙ୍କୁ କାମ ଯୋଗାଇ ଦିଆଯିବ ବୋଲି ଉଲ୍ଲେଖ କରିଥାଆନ୍ତି। କିନ୍ତୁ ତାହା ବାସ୍ତବରେ ପରିଣତ ହୋଇପାରି ନ ଥାଏ। କାରଣ ନିର୍ବାଚନ ପରେ ସେମାନଙ୍କ ଚେହେରା ବଦଳିଯାଏ। ଏଭଳି ସ୍ଥଳେ ଏନ୍‌ସିପି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗର ପ୍ରସଙ୍ଗକୁ ଉଠାଇବା ସହ ତାହାର ସମାଧାନ ଦିଗରେ ସେଲ୍‌ ଗଠନ କରିବାକୁ ଯେଉଁ ପ୍ରୟାସ କରିଛି ତାହା ଅନ୍ୟ ରାଜନୈତିକ ଦଳକୁ ଚିନ୍ତା କରିବାକୁ ସୁଯୋଗ ଦେଲା ବୋଲି କୁହାଯାଇପାରିବ। ଏହି ସେଲ୍‌ର କାର୍ଯ୍ୟଧାରା କିଭଳି ରହିବ ଓ କିନ୍ନର ଗୋଷ୍ଠୀ କେତେ ମାତ୍ରାରେ ଉପକୃତ ହେବେ ଭବିଷ୍ୟତରେ ଜଣାପଡ଼ିବ। ତେବେ ଗୋଟେ ସାମାଜିକ ପ୍ରସଙ୍ଗକୁ ଆଖିରେ ରଖି ହେଉଥିବା ଉଦ୍ୟମ ସଂସ୍କାର ଆସିବାର ପ୍ରଥମ ପାହାଚ ବୋଲି କୁହାଯାଇପାରେ।
ଆଜିର ଜାତୀୟ ସ୍ତରର ରାଜନୈତିକ ଦୃଶ୍ୟପଟକୁ ଅନିଶା କଲେ ନେତାମାନେ ଦଳୀୟ ସ୍ବାର୍ଥକୁ ଦେଖି କେଉଁଭଳି ପଦକ୍ଷେପ ନିଆଯିବ ସେହି ଚିନ୍ତା କରୁଛନ୍ତି। ଅଯୋଧ୍ୟାରେ ରାମ ମନ୍ଦିର ହେଲେ ତାହାକୁ ଦେଖି ସମସ୍ତେ ଖୁସି ହୋଇପାରନ୍ତି। କିନ୍ତୁ ତାହା ଦ୍ୱାରା ଦେଶ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟା ଦୂର ହୋଇପାରିବ ନାହିଁ କି ବେକାର ଯୁବତୀଯୁବକଙ୍କ ହାତକୁ କାମ ମିଳିବ ନାହିଁ। ସେହିପରି ବିଭିନ୍ନ ସମୟରେ ସାମାନ୍ୟ ବିଷୟକୁ ବଡ଼ ଆକାର କରାଯାଇ ସୃଷ୍ଟି କରାଯାଉଥିବା ଦଙ୍ଗାରୁ କୌଣସି ଦଳ କ୍ଷଣିକ ଫାଇଦା ପାଇଯାଇପାରେ। ହେଲେ ଏଥିରେ ଅନେକ ଅସହାୟ ଓ ନିରୀହ ଲୋକ ବଳିପଡ଼ିଥାଆନ୍ତି। ଉତ୍ତରପ୍ରଦେଶର ହାଥ୍‌ରସ ଗଣବଳାତ୍କାରୀଙ୍କୁ ଶାସକଙ୍କ ଜାଣତରେ ପ୍ରଶାସନିକ ସୁରକ୍ଷା ଦିଆଯିବା ନିନ୍ଦନୀୟ। ଅନ୍ୟପକ୍ଷରେ ସେହି ଘଟଣାରୁ ରାଜନୈତିକ ଫାଇଦା ନେବା ପାଇଁ ବିରୋଧୀ ଚିନ୍ତା କରୁଥିଲେ ତାହା ମଧ୍ୟ ଗ୍ରହଣୀୟ ନୁହେଁ। ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଓ ଅମାନୁଷିକ ଅତ୍ୟାଚାରକୁ ରୋକାଯିବା ପାଇଁ ସବୁ ଦଳରେ ରଣକୌଶଳ ସ୍ଥିର କରାଯିବା ଦରକାର। ଏହିଭଳି ମୌଳିକ ସମସ୍ୟାର ସମାଧାନ କଥା ଚିନ୍ତା କରୁ ନ ଥିବା ପ୍ରତିଟି ରାଜନୈତିକ ଦଳ ଘଟଣା ଘଟିଯିବା ପରେ ଆହା ଚୁ ଚୁ କରିବାର କୌଣସି ମାନେ ନ ଥାଏ।
କୋଭିଡ୍‌-୧୯ ଯୋଗୁ ସମଗ୍ର ବିଶ୍ୱ ଏବେ ଆର୍ଥିକ, ସାମାଜିକ, ସ୍ବାସ୍ଥ୍ୟଗତ ଓ ଆବେଗିକ ସଙ୍କଟ ଦେଇ ଗତି କରୁଛି। ସେଥିପାଇଁ ଦେଶଗୁଡ଼ିକ ନିଜର ଭୂରାଜନୈତିକ ଚିନ୍ତାଧାରାରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କଲେଣି। ଭାରତରେ ସେଭଳି ନ୍ୟୁ ନର୍ମାଲ ଆସିବା ଦରକାର। କାରଣ ଏଠାକାର ସବୁ ଧର୍ମାବଲମ୍ବୀ ଚାହାନ୍ତି ଉତ୍ତମ ଶିକ୍ଷା, ନିଯୁକ୍ତି, ଉନ୍ନତ ସ୍ବାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ, ଖଣ୍ଡିଏ ଘର ଏବଂ ବିକଶିତ ହେବା ପାଇଁ ଆବଶ୍ୟକ ଉପାଦାନ। ସମସ୍ତଙ୍କ ଦରକାର ସୁରକ୍ଷା ଓ ସମାନ ସୁଯୋଗ। ବ୍ୟକ୍ତିଗତ ସ୍ବାଧୀନତା ଉପଭୋଗ ପ୍ରତ୍ୟେକ ନାଗରିକଙ୍କ ଧ୍ୟେୟ ହେବା କଥା। ବାସ୍ତବରେ ଏସବୁ ଲୋକଙ୍କୁ ମିଳିପାରୁ ନାହିଁ ଏଇଥିପାଇଁ ଯେ ଶାସନ ଓ ପ୍ରଶାସନିକ ସ୍ତରରେ ଥିବା ବ୍ୟକ୍ତିମାନେ ତୃଣମୂଳ ସ୍ତରର ଲୋକ ଓ ସେମାନଙ୍କ ସମସ୍ୟା ସହ ଯୋଡ଼ି ହେଉ ନାହାନ୍ତି। ସେଥିସକାଶେ ଗୋଟେ ପରିବର୍ତ୍ତନ ଆସିପାରୁ ନାହିଁ। ତେଣୁ ସମାଜର ପ୍ରକୃତ ପ୍ରସଙ୍ଗ ଯାହା ଲୋକଙ୍କୁ ପ୍ରଭାବିତ କରୁଛି ତାହାକୁ ଗୁରୁତ୍ୱ ଦେବା ଆଜିର ରାଜନୈତିକ ବାତାବରଣରେ ନ୍ୟୁ ନର୍ମାଲ ହେବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶ କାନପୁର, ପ୍ରୟାଗରାଜ ଓ ଫାରୁଖାବାଦର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ୧୦,୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଯାଇଥିବାବେଳେ ସେଥିରୁ ୭୫ ପ୍ରତିଶତ ଗଛ ବଞ୍ଚାଇବାରେ ସଫଳ ହୋଇଛନ୍ତି ପିଲମାନେ।…

ସବୁଜ ବିକାଶର ଭିତ୍ତିଭୂମି

ଧୁନିକ ଯୁଗରେ ଶକ୍ତି ହେଉଛି ବିକାଶର ମୂଳ ଆଧାର। ବିଦ୍ୟୁତ୍‌ ବିନା ଆଜିର ଜୀବନଯାତ୍ରାକୁ କଳ୍ପନା କରିବା ଅସମ୍ଭବ। କିନ୍ତୁ ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଓ ସହରୀକରଣ…

ବିଭବେ ସ୍ବଭାବ ନଷ୍ଟ

ମଣିଷର ସ୍ବଭାବ ବା ପ୍ରକୃତି ଜନ୍ମଗତ, ଯାହାକୁ ନେଇ ସେ ଜନ୍ମ ହୋଇଥାଏ ଏବଂ ମୃତୁ୍ୟୁ ପର୍ଯ୍ୟନ୍ତ ଛାଡ଼ି ପାରେନା। ତେଣୁ ହୁଏତ କୁହାଯାଏ ‘ମଣିଷ ପ୍ରକୃତି…

ଯୁଦ୍ଧର ଦେୟ ମହଙ୍ଗା ପଡ଼ିପାରେ

ପ୍ରଥମ ବିଶ୍ୱଯୁଦ୍ଧ (ଜୁଲାଇ ୧୯୧୪- ନଭେମ୍ବର ୧୯୧୮)ର ଅବସାନ ହୋଇଥାଏ, ଏବେ କ୍ଳାନ୍ତି ମେଣ୍ଟାଇବାର ସମୟ। ୩ ମିତ୍ରଶକ୍ତି ପ୍ରାୟ ଛଅ ମିଲିୟନ ମାନବ ସମ୍ବଳ ହରେଇବା…

ପ୍ରତିବାଦରେ ଉପହାସ

ବିଶ୍ୱବିଖ୍ୟାତ ଔପନ୍ୟାସିକ ଚେକୋସ୍ଲୋଭାକିଆର ମିଲାନ କୁଣ୍ଡେରା ଅନେକ ବର୍ଷ ପୂର୍ବେ କହିଥିଲେ- ଯେତେବେଳେ କ୍ଷମତାରେ ଥିବା ଶକ୍ତିଶାଳୀ ଲୋକଙ୍କୁ ଦେଖି ସାଧାରଣ ନାଗରିକ ଉପହାସ କରିଥାନ୍ତି, ସେତେବେଳେ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ଏଇ ଭାରତରେ

ପ୍ୟାରିସ ଜଳବାୟୁ ସମ୍ମିଳନୀରେ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲସିୟସରେ ସୀମିତ ରଖିବା ପାଇଁ ସଙ୍କଳ୍ପ ନିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ତାପନ ବୃଦ୍ଧିକୁ ରୋକିବା ପାଇଁ…

ଏକ ଭିନ୍ନ ପଦକ୍ଷେପ

ଜିମ୍‌ଖାନା କ୍ଲବ୍‌ ଏବଂ ଦିଲ୍ଲୀ ଗଲ୍ଫ କ୍ଲବ୍‌କୁ ନେଇ ଚାଲିଥିବା ବିବାଦ ମୁଖ୍ୟତଃ ଜମି, ସୁବିଧାସୁଯୋଗ ଏବଂ ଅଧିକାରକୁ ନେଇ ଥିଲା। ଏବେ ସେଣ୍ଟ୍ରାଲ ସେକ୍ରେଟାରିଏଟ୍‌ କ୍ଲବ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri