ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି। ଉଲ୍ଲେଖନୀୟ ଯେ, ଏହି ଯାଯାବର ସମ୍ପ୍ରଦାୟର ଝିଅମାନେ ପ୍ରାପ୍ତବୟସ୍କା ହେବା କ୍ଷଣି ଦେହଜୀବୀ ବୃତ୍ତିକୁ ଗ୍ରହଣ କରିଥାନ୍ତି। ବିଚିତ୍ର କଥା ହେଉଛି, ସେମାନଙ୍କ ପରିବାର ସଦସ୍ୟ ଦଲାଲ ଭାବେ କାର୍ଯ୍ୟ କରନ୍ତି। ଏହି ରୋଜଗାରରେ ପରିବାର ପ୍ରତିପୋଷଣ ହୋଇଥାଏ। ବୀରେନ୍ଦ୍ର ଶିଶୁଚାଲାଣ ରୋକିବା ଲାଗି ୨୦୦୫ରେ ‘ସମ୍ବେଦନ’ ନାମକ ସଂସ୍ଥା ଗଠନ କରିଥିଲେ। ପରେ ୨୦୧୦ରେ ଏହା ମାଧ୍ୟମରେ ୬ଟି ଜିଲାର ୬୦ଟି ଗାଁରେ ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କ ପାଇଁ ଶିକ୍ଷା ଦେବାର ବ୍ୟବସ୍ଥା କରିଥିଲେ। ଏବେ ସୁଦ୍ଧା ୬ଟି ଜିଲାର ୫,୦୦୦ରୁ ଊର୍ଦ୍ଧ୍ୱ ପିଲା ଶିକ୍ଷା ଲାଭ କରି ନିଜକୁ ସକ୍ଷମ କରାଇପାରିଛନ୍ତି। ଏବେ ଭୋପାଳର ବିଭିନ୍ନ କଲେଜରେ ୨୬ ଜଣ ଓ ସ୍କୁଲରେ ୩୭ ଜଣ ପିଲା ପଢୁଛନ୍ତି। ପ୍ରଥମେ ବୀରେନ୍ଦ୍ର ‘ସମ୍ବେଦନ’ ମାଧ୍ୟମରେ ୧୩ ଜଣ ବେଡିଆ ପିଲାଙ୍କୁ ସ୍କୁଲରେ ନାମଲେଖାଇ ସେମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ। ଏବେ ଭୋପାଳ, ରାଜଗଡ଼, ରାଇସେନ, ଗୁନା, ବିଦିଶା ଏବଂ ସଗର ଜିଲାରେ ଏହା ସକ୍ରିୟ ଭାବେ କାର୍ଯ୍ୟ କରୁଛି।

