ଜାକର୍ତ୍ତା,୧୩।୯: ଜାଭା ସାଗରରେ ରବିବାର ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି। ଅଧିକାରୀଙ୍କ କହିବାନୁସାରେ, ବୋର୍ଣ୍ଣିଓ ଦ୍ୱୀପର ପୂର୍ବ ଜାଭାରୁ ଦକ୍ଷିଣ କାଲିମାଣ୍ଟନ ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଜାହାଜର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଘଟଣାର ତୁରନ୍ତ ପରେ, ସ୍ଥାନୀୟ ଉଦ୍ଧାରକାରୀ ଦଳ ସମୁଦ୍ର ମଧ୍ୟରେ ବହୁ ଖୋଜାଖୋଜି କରାଯିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଦକ୍ଷିଣ କାଲିମାଣ୍ଟନ ପ୍ରଦେଶର ରାଜଧାନୀ ବଞ୍ଜରମାସିନ୍ସ୍ଥିତ ଉଦ୍ଧାର କାର୍ଯ୍ୟାଳୟ ସୂଚନା ଦେଇଛି ଯେ ‘ଭର୍ଗୋ ଟ୍ରାନ୍ସପୋର୍ଟ ୮’ (Virgo Transport 8) ନାମକ ଏହି ଜାହାଜଟିରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଯୋଗାଯୋଗ ବିଫଳ ହୋଇଥିଲା।
ଜାହାଜଟି ଇଣ୍ଡୋନେସିଆର ଦ୍ୱିତୀୟ ବୃହତ୍ତମ ସହର ସୁରାବାୟାରୁ ବଞ୍ଜରମାସିନ ଅଭିମୁଖେ ଯାତ୍ରା କରୁଥିଲା। ଜାହାଜର ପରିଚାଳକ ଅଧିକାରୀମାନଙ୍କୁ ଜଣାଇଥିଲେ ଯେ ସମୁଦ୍ରରେ ପାଗ ହଠାତ ଖରାପ ହେବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ଜାହାଜର ଶେଷ ଅବସ୍ଥିତି ଜାଭା ସାଗରରେ ଥିଲା, ଯାହା ବଞ୍ଜରମାସିନ ଉପକୂଳରୁ ପ୍ରାୟ ୧୪୮ କିଲୋମିଟର ଦୂରରେ ରହିଛି। ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତଙ୍କ ଖବର ମିଳିନାହିଁ ଏବଂ ଯଥାଶୀଘ୍ର ଜାହାଜ ନିକଟରେ ପହଞ୍ଚିବାକୁ ପ୍ରାଥମିକତା ଦିଆଯାଉଛି।
ଯୋଗାଯୋଗ ବିଚ୍ଛିନ୍ନ ହେବା କଥା ନିଶ୍ଚିତ କରି ବଞ୍ଜରମାସିନ ଉଦ୍ଧାରକାରୀ ସଂସ୍ଥାର ଅପରେଶନ ମୁଖ୍ୟ ଆରିୟାଣ୍ଟୋ ଆର୍ଡି କହିଛନ୍ତି ଯେ ଉଦ୍ଧାରକାରୀ କର୍ମଚାରୀ ଏବଂ ଜାହାଜଗୁଡ଼ିକୁ ତୁରନ୍ତ ସେହି ଅଞ୍ଚଳକୁ ପଠାଯାଇଛି।
ଆର୍ଡି ଆହୁରି ମଧ୍ୟ କହିଛନ୍ତି, ‘ପରିସ୍ଥିତି ଉପରେ ନଜର ରଖିବା ଏବଂ ଖୋଜାଖୋଜି ଅଭିଯାନର ସମନ୍ବୟ ରକ୍ଷା କରିବା ପାଇଁ ଆମେ ତ୍ରିଶକ୍ତି (Trishakti) ଠାରେ ଏକ ଅପରେସନ ପୋଷ୍ଟ ସ୍ଥାପନ କରିଛୁ।’ ରିଲିଫ ଏବଂ ଉଦ୍ଧାରକାରୀ ଦଳ ନିଖୋଜ ଜାହାଜକୁ ଠାବ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି।

