ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍’ ଦ୍ୱୀପକୁ ଅକ୍ତିଆର କରିଛନ୍ତି। ବାବ୍ ଏଲ୍-ମାଣ୍ଡେବ ଜଳପଥ ମଧ୍ୟରେ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମାୟୁନ୍ ଦ୍ୱୀପ ରହିଛି। ହାଉତିର ଅକ୍ତିଆର ପରେ ଏହା ସାଉଦି ଆରବ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଚଳିତବର୍ଷ ଏପ୍ରିଲରୁ ଇରାନ ହର୍ମୁଜ ଜଳପଥକୁ ଅବରୋଧ କରି ରଖିଥିବାରୁ ସାଉଦି ଆରବ ତା’ର ଅଧିକାଂଶ ଅଶୋଧିତ ତୈଳ ଇଷ୍ଟ-ଓ୍ବେଷ୍ଟ ପାଇପ୍ଲାଇନ୍ ଦେଇ କାରବାର କରୁଥିଲା। ହାଉତି ବାବ୍ ଏଲ୍-ମାଣ୍ଡେବ ଜଳପଥ ନିୟନ୍ତ୍ରଣକୁ ନେଇ ସାଉଦି ସହର ଉପରେ ଆକ୍ରମଣ କରୁଥିବାରୁ ରିୟାଦ ଅନନ୍ୟୋପାୟ ହୋଇ ସମ୍ପୃକ୍ତ ପାଇପଲାଇନ୍କୁ ବନ୍ଦ କରିଦେଇଛି। ଏହି ସଦ୍ୟ ଘଟଣା ବିଶ୍ୱ ତୈଳ କ୍ଷେତ୍ରକୁ ଘୋର ପ୍ରଭାବିତ କରିବା ସଙ୍କେତ ଦେଲାଣି। ବର୍ତ୍ତମାନ ସ୍ଥିତିରେ ଯଦି ହର୍ମୁଜ ଓ ବାବ ଏଲ୍-ମାଣ୍ଡେବ ଉଭୟ ଜଳପଥ ଦୀର୍ଘସମୟ ପାଇଁ ବନ୍ଦ ହୋଇ ରହେ, ତେବେ ପୃଥିବୀବ୍ୟାପୀ ଘୋର ଶକ୍ତି ସଙ୍କଟ ଦେଖାଦେବ। ଭାରତ ସେଥିରୁ ବାଦ୍ ପଡ଼ିବ ନାହିଁ।
ହାଉତି ଦ୍ୱାରା ନିଆଯାଇଥିବା ଉପରଲିଖିତ ପଦକ୍ଷେପର ପରିଣତି ବଡ଼ ବିପଦ ସୃଷ୍ଟି କରିବ ବୋଲି ଅନୁମାନ କରାଯାଉଥିବା ବେଳେ ସବୁଠାରୁ ବିନାଶକାରୀ ତଥ୍ୟ ମଧ୍ୟ ସାମ୍ନାକୁ ଆସିଲାଣି। ତାହା ହେଲା ଆତଙ୍କବାଦୀ ବା ବିଦ୍ରୋହୀ ଗୋଷ୍ଠୀଙ୍କ ହାତରେ ପଡ଼ିଥିବା କ୍ଲଡ୍ ଏଆଇର ବ୍ୟବହାର। ୨୦୨୧ ମସିହାରେ ଆମେରିକୀୟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗବେଷଣା କମ୍ପାନୀ ‘ଆନ୍ଥ୍ରୋପିକ’ ଦ୍ୱାରା ଏହା ବିକଶିତ। ହାଉତି ବିଦ୍ରୋହୀମାନେ ନିଜର କ୍ଷେପଣାସ୍ତ୍ର ଓ ରକେଟ କାର୍ଯ୍ୟକ୍ରମ ପାଇଁ କ୍ଲଡ୍କୁ ବ୍ୟବହାର କରୁଥିଲେ। ସେଥିପାଇଁ ଏହାର ଇଞ୍ଜିନିୟରମାନେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ସକାଶେ କ୍ଲଡ୍ କୋଡ୍ର ସହାୟତା ନେଉଥିଲେ। ହେଲେ ଆନ୍ଥ୍ରୋପିକ୍ ହାଉତିର ଅନ୍ତର୍ଘାତୀମୂଳକ କାର୍ଯ୍ୟକୁ ଜାଣିପାରିଥିଲା। ଫଳରେ ତଥ୍ୟ ନେଉଥିବା ଆକାଉଣ୍ଟଗୁଡ଼ିକୁ ଆନ୍ଥ୍ରୋପିକ୍ ନିଷେଧ କରିଦେଇଛି। ଏଆଇକୁ ନେଇ ବିଶ୍ୱବ୍ୟାପୀ କମ୍ପାନୀଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତାରେ ଥିବାରୁ ଏହାର ସୁରକ୍ଷା ଦିଗକୁ ଅଣଦେଖା କରାଯାଉଥିବା ଏହି ଘଟଣାରୁ ଜଣାପଡ଼ିଛି।
ସମ୍ଭବତଃ ଏଆଇର ବିପଦକୁ ଅନିଶା କରିବା ପରେ ‘ଆନ୍ଥ୍ରୋପିକ୍’ର ଗବେଷକ ଜାକବ କୋକ୍ସନ ୯ ସେପ୍ଟେମ୍ବରରେ ପଦବୀରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ, ୨୦୩୦ ସୁଦ୍ଧା ଏଆଇ ଯୋଗୁ ବିଶ୍ୱବ୍ୟାପୀ ମହାବିପଦ ସୃଷ୍ଟି ହୋଇପାରେ। କୋକ୍ସନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଲେଖିଥିଲେ, କୌଣସି କମ୍ପାନୀ ଦାୟିତ୍ୱବାନ ଭାବେ କାର୍ଯ୍ୟ କରୁନାହାନ୍ତି। ସେମାନେ ସିଧାସଳଖ ସ୍ବୟଂ-ଉନ୍ନତିମୂଳକ ସୁପରଇଣ୍ଟେଲିଜେନ୍ସ ଆଡ଼କୁ ଦୌଡ଼ୁଛନ୍ତି ଏବଂ ଆମ ଜୀବନ ସହିତ ଜୁଆ ଖେଳୁଛନ୍ତି। ସେ ଆହୁରି ମଧ୍ୟ କହିଥିଲେ, ଏଆଇ ବିକଶିତ କରୁଥିବା ଲୋକମାନେ ନିଜେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ, ଏହି ଦଶନ୍ଧି ଶେଷ ସୁଦ୍ଧା ଏହା ଆମ ସମସ୍ତଙ୍କୁ ମାରିଦେଇପାରେ, ଯାହା ଅନ୍ୟ କୌଣସି ମାନବୀୟ କାର୍ଯ୍ୟକଳାପ ଏହି ସ୍ତରର ବିପଦ ସୃଷ୍ଟି କରେ ନାହିଁ। ଏହା ପରେ ୧୨ ସେପ୍ଟେମ୍ବରରେ ଆନ୍ଥ୍ରୋପିକ୍ର ସିଇଓ ଡାରିଓ ଆମୋଦେଇ କହିଛନ୍ତି ଯେ ଏଆଇ ଶିଳ୍ପ ‘ଧିମା’ ହେବା ଆବଶ୍ୟକ, ଯଦ୍ଦ୍ବାରା ଏଆଇ ଏଜେଣ୍ଟମାନଙ୍କୁ ନିୟନ୍ତ୍ରଣ ଓ ସନ୍ତୁଳନ ମଧ୍ୟରେ ରଖିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇପାରିବ।
ଏହି ଶିଳ୍ପରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ପାଇଁ ଜଣାଶୁଣା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କ ମଧ୍ୟ ପୋଷ୍ଟ୍ କରି ଆମୋଦେଇ ଠିକ୍ କହୁଛନ୍ତି ବୋଲି କହିଛନ୍ତି। ଏପରିକି ଓପନ୍ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ ସୋସିଆଲ ମିଡିଆରେ ଆମୋଦେଇଙ୍କ ସହ ସହମତ ବୋଲି କହିବା ସହ ଆମକୁ ଏହି ସୀମାକୁ ସନ୍ତୁଳିତ ଗତିରେ ଆଗକୁ ନେବାକୁ ହେବ ବୋଲି କହିଛନ୍ତି। ଏଥିସହିତ ଅଲ୍ଟମ୍ୟାନ୍ ‘ଫର୍ଚୁନ’ ମାଗାଜିନକୁ କହିଛନ୍ତି ଯେ ଏଆଇ ସୁରକ୍ଷା ଚିନ୍ତାଜନିତ କାରଣରୁ ଓପନ୍ଏଆଇ ଚଳିତ ବର୍ଷ ୱାଲ୍ ଷ୍ଟ୍ରିଟ୍ରେ ନିଜର ପ୍ରାରମ୍ଭିକ ସାର୍ବଜନୀନ ଅଫର (ଆଇପିଓ) ଆଣିବ ନାହିଁ। ଅଲ୍ଟମ୍ୟାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଏଆଇର ସ୍ବାଭାବିକ ଅଗ୍ରଗତିରୁ ଯେଉଁ ପ୍ରକାରର ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି, ତାହାକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଏଆଇ ନିର୍ମାତାମାନେ ସରକାରଙ୍କ ସହ ମିଶିକରି କାର୍ଯ୍ୟ କରିବା ଉଚିତ ହେବ।
ସୂଚନା ଦିଆଯାଇପାରେ ଯେ, ଆନ୍ଥ୍ରୋପିକ୍ ନିକଟରେ ପ୍ରକାଶ କରିଥିଲା ଯେ ସାଇବର ଆକ୍ରମଣ, ସର୍ଭେଲାନ୍ସ ଏବଂ ଜୈବିକ ଅସ୍ତ୍ରଶସ୍ତ୍ରର ବିକାଶକୁ ସହଜ କରିପାରୁଥିବା ଗବେଷଣା ପାଇଁ ଦୁର୍ବୃତ୍ତମାନେ ଏହାର ଏଆଇ ମଡେଲଗୁଡ଼ିକର ଅପବ୍ୟବହାର ପାଇଁ କରୁଥିବା ପ୍ରୟାସକୁ ସଂସ୍ଥା ରୋକିପାରିଛି। ଜୁଲାଇରେ ପ୍ରାୟ ୧,୪୦୦ ଏଆଇ କମ୍ପାନୀର କର୍ମଚାରୀ ଏକ ପତ୍ରରେ ସ୍ବାକ୍ଷର କରି ଆମେରିକା ସରକାରଙ୍କୁ ବିଗ୍ ଟେକ୍ (ବୃହତ୍ ପ୍ରଯୁକ୍ତି କମ୍ପାନୀ)କୁ ନିୟନ୍ତ୍ରଣ କରିବା ଏବଂ ଏହାର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏଆଇର ଗତିକୁ ଧିମା କରିବାକୁ କହିଥିଲେ। ଆମେରିକା, ଚାଇନା, ଦକ୍ଷିଣ କୋରିଆ ଏବଂ ତାଇୱାନରେ ଏଆଇ ଚାଳିତ ଶେୟାର ବଜାରର ଅଭିବୃଦ୍ଧି ଗତ ସାଢ଼େ ତିନି ବର୍ଷ ମଧ୍ୟରେ ନିବେଶକମାନଙ୍କ ପାଇଁ ପ୍ରଚୁର ପରିମାଣର ଅର୍ଥ ସୃଷ୍ଟି କରିଛି। କେହି କେହି ଏହାକୁ ‘ଏଆଇ ବବ୍ଲ’ ବୋଲି କହୁଥିବା ବେଳେ ଅର୍ଥ ବିନିଯୋଗକାରୀମାନେ ମଧ୍ୟ ଅଧିକ ଆଶାବାଦୀ ଅଛନ୍ତି। ଯେତେବେଳେ ଏହି ପ୍ରଯୁକ୍ତିକୁ ତିଆରି କରିଥିବା କମ୍ପାନୀର ମୁଖ୍ୟମାନେ ସତର୍କ ହେବାକୁ କହିଲେଣି ବୁଝିବାକୁ ହେବ ଯେ, ସେତେବେଳେ ସ୍ଥିତି ଗମ୍ଭୀର ହେଲାଣି।
ଏଠାରେ ଏହା ଧ୍ୟାନ ଦେବା ପ୍ରାସଙ୍ଗିକ ହେବ ଯେ, ମାନବ ଜୀବନର ଅସ୍ତିତ୍ୱକୁ ସହଜ ଓ ଆରାମଦାୟକ କରିଥିବା ସମସ୍ତ ଉଦ୍ଭାବନ, ଯେପରିକି ଚକ, ପ୍ରିଣ୍ଟିଙ୍ଗ ପ୍ରେସ୍ କିମ୍ବା ବାଷ୍ପଚାଳିତ ଇଞ୍ଜିନ ସେମାନଙ୍କର ମାନବ ନିର୍ମାତାମାନଙ୍କ ନିୟନ୍ତ୍ରଣରେ ଥିଲା। କେବଳ ଏଆଇ କ୍ଷେତ୍ରରେ ହିଁ ଏପରି ଏକ ସମ୍ଭାବନା ଦେଖାଯାଉଛି, ଯେଉଁଠି ଉଦ୍ଭାବନ ନିଜର ଉଦ୍ଭାବକଙ୍କୁ ଟପିଯିବ। ଯୁଦ୍ଧ, ରୋଗ ଏବଂ କ୍ରମାଗତ ଭାବେ ନଷ୍ଟ ହେଉଥିବା ପରିବେଶ ଦ୍ୱାରା ଜର୍ଜରିତ ଏକ ବିଶ୍ୱ ଏଭଳି ଅନିୟନ୍ତ୍ରିତ ଓ ବିପଜ୍ଜନକ ଏଆଇ ପ୍ରତି ସତର୍କ ରହିବା ଦରକାର।

