ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ। ଗୌତମ ଗମ୍ଭୀର ଏବଂ ଟିମ ମ୍ୟାନେଜମେଣ୍ଟ ଆଗରେ ସବୁଠାରୁ ବଡ଼ ଚିନ୍ତା ହେଉଛି ଓପନିଂରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିବ ନା ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ହେବ। ଚୋପ୍ରା ସାମସନ ଏବଂ ଅଭିଷେକଙ୍କୁ ଓପନିଂ ଯୋଡ଼ି ଭାବେ ବାଛିଛନ୍ତି ଏବଂ ଏହାର କାରଣ ମଧ୍ୟ ଦର୍ଶାଇଛନ୍ତି।
ଭାରତୀୟ ସ୍କାଡରେ ଓପନିଂ ପାଇଁ ମୋଟ ୪ଟି ବିକଳ୍ପ ରହିଛନ୍ତି: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ବୈଭବ ସୂର୍ଯ୍ୟବଂଶୀ ଏବଂ ଈଶାନ କିଶନ। ଈଶାନ ନମ୍ୱର-୩ ରେ ବ୍ୟାଟିଂ କରୁଥିବାରୁ ବର୍ତ୍ତମାନ ଓପନିଂ ପାଇଁ ପ୍ରତିଦ୍ୱନ୍ଦ୍ୱିତା ବୈଭବ, ସାମସନ ଏବଂ ଅଭିଷେକଙ୍କ ମଧ୍ୟରେ ରହିଛି। ଆକାଶ ଚୋପ୍ରା କହିଛନ୍ତି ଯେ ସାମସନ ଏମିତି କିଛି ଭୁଲ କରିନାହାନ୍ତି ଯେଉଁଥିପାଇଁ ତାଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ବସିବାକୁ ପଡ଼ିବ।
ଆକାଶ ନିଜ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, “ସବୁଠାରୁ ବଡ଼ ପ୍ରଶ୍ନ, ଓପନର କିଏ ହେବେ? ସଞ୍ଜୁଙ୍କ ଆୟରଲ୍ୟାଣ୍ଡ ଗସ୍ତ ଭଲ ନଥିଲା, କାରଣ ଆପଣ ସେଠାରେ ବୈଭବଙ୍କୁ ଖେଳାଇ ନଥିଲେ। ଇଂଲଣ୍ଡ ଗସ୍ତ ଖରାପ ନଥିଲା, କିନ୍ତୁ ସାମସନଙ୍କୁ ବାଦ ଦିଆଗଲା। ତା’ପରେ ତାଙ୍କୁ ଜିମ୍ୱାୱେ ଗସ୍ତରୁ ମଧ୍ୟ ବାଦ ଦିଆଗଲା। ଏବେ ଯେତେବେଳେ ଆପଣ ତାଙ୍କୁ ଚୟନ କରିଛନ୍ତି, ମୋ ନଜରରେ ଅଭିଷେକ ଏବଂ ସଞ୍ଜୁଙ୍କୁ ଓପନିଂ କରିବା ଉଚିତ।”
ଆକାଶ ଚୋପ୍ରା ସଞ୍ଜୁ ସାମସନଙ୍କ ସମର୍ଥନରେ ଆସି କହିଛନ୍ତି ଯେ ସେ କୌଣସି ଭୁଲ କରିନାହାନ୍ତି। ଅଭିଷେକ ଶର୍ମାଙ୍କର ମଧ୍ୟ ଏକ ଖରାପ ସମୟ ଆସିଥିଲା, କିନ୍ତୁ ତାଙ୍କୁ କିଛି କୁହାଯାଇ ନଥିଲା। ପୂର୍ୱତନ କ୍ରିକେଟର କହିଛନ୍ତି ଯେ ସାମସନଙ୍କ ସହିତ ମଧ୍ୟ ଅଭିଷେକଙ୍କ ଭଳି ବ୍ୟବହାର କରାଯିବା ଉଚିତ୍ ଏବଂ ତାଙ୍କୁ ପ୍ଲେଇଂ ଇଲେଭେନକୁ ଫେରାଇ ଅଣାଯିବା ଦରକାର।
ୱାଲର୍ଡ କପ ପରେ ଈଶାନ କିଶନ ନିଜର ୩ ନମ୍ୱର ସ୍ଥାନ ପକ୍କା କରିସାରିଛନ୍ତି, ନମ୍ୱର-୪ ରେ ଶ୍ରେୟସ ଆୟର ଖେଳୁଛନ୍ତି ଏବଂ ତିଳକ ବର୍ମା ଏବେ ପଞ୍ଚମ କ୍ରମରେ ବ୍ୟାଟିଂ କରୁଛନ୍ତି। ଆକାଶ ଚୋପ୍ରା କହିଛନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳ ନୀତୀଶ କୁମାର ରେଡ୍ଡୀ ଏବଂ ଶିବମ ଦୁବେଙ୍କ ରୂପରେ ୨ ଜଣ ଦ୍ରୁତ ବୋଲିଂ ଅଲରାଉଣ୍ଡରଙ୍କୁ ଖେଳାଇପାରେ। ସେହିପରି ଅକ୍ଷର ପଟେଲ ନମ୍ୱର-୮ ରେ ସ୍ପିନ-ବୋଲିଂ ଅଲରାଉଣ୍ଡର ଭୂମିକା ତୁଲାଇପାରିବେ।
ସ୍ପେଶାଲିଷ୍ଟ ବୋଲର ଭୂମିକା ପାଇଁ ସେ ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ବାଛିଛନ୍ତି। ଏହା ବ୍ୟତୀତ ଅକ୍ଷର ପଟେଲ, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ ବୋଲିଂ ବିକଳ୍ପ ଭାବେ ରହିବେ। ଅନ୍ୟପକ୍ଷରେ ତିଳକ ବର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୧-୨ ଓଭର ବୋଲିଂ କରିପାରିବେ।
ଆକାଶ ଚୋପ୍ରାଙ୍କ ପ୍ଲେଇଂ ଇଲେଭେନ: ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ଯଶପ୍ରୀତ ବୁମରାହ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।

