ଆମେ କେମିତି ପୃଥିବୀକୁ ଦେଖୁଛୁ

ଏକଦା ମଣିଷ ଜାଣୁ ନ ଥିଲା ପୃଥିବୀ କେତେ ବଡ଼। ସେ ଜାଣୁଥିଲା କେବଳ ନିଜ ଗାଁ, ନଦୀ, ପାହାଡ଼, ଜଙ୍ଗଲ ଓ ଚାଷଭୂଇଁ । ତା’ପରେ ଦିନେ ମାଟି ଉପରେ ଏକ ରେଖା ଟାଣି ସେ କହିଲା ଏଇଟା ମୋର ଜଣା ଦୁନିଆ। ସେହି ରେଖାଟି ମାନଚିତ୍ରର ପ୍ରଥମ କାହାଣୀର ପ୍ରତୀକ। ମାନଚିତ୍ର କେବଳ ପୃଥିବୀର ଏକ ଚିତ୍ର ନୁହେଁ; ଏହା ଆମର ବିଶ୍ୱଦୃଷ୍ଟି ଗଢ଼ିବାର ଏକ ଶକ୍ତିଶାଳୀ ମାଧ୍ୟମ। ପିଲାଦିନରୁ ଯେଉଁ ମାନଚିତ୍ର ଆମେ ଦେଖୁ, ସେଥିରୁ ଦେଶ, ମହାଦେଶ, ସେମାନଙ୍କର ଆକାର ଓ ଅବସ୍ଥାନ ସମ୍ପର୍କରେ ଆମ ମନରେ ଏକ ଧାରଣା ଗଢ଼ିଉଠେ। ତେଣୁ ମାନଚିତ୍ରର ବିକୃତି କେବଳ ଭୌଗୋଳିକ ସମସ୍ୟା ନୁହେଁ; ଏହା ଆମର ଚିନ୍ତାଧାରା ଓ ବିଶ୍ୱକୁ ପରଖିବାରେ ମଧ୍ୟ ପ୍ରଭାବିତ କରିପାରେ।
ଏହି ପରିପ୍ରେକ୍ଷୀରେ ଜାତିସଂଘର ‘ମାନଚିତ୍ରକୁ ସୁଧାର’ ଆଲୋଚନା ବିଶେଷ ଗୁରୁତ୍ୱ ବହନ କରେ। ଏହାର କେନ୍ଦ୍ରରେ ରହିଛି ବିଶ୍ୱର ଭୂଭାଗଗୁଡ଼ିକର ଆପେକ୍ଷିକ କ୍ଷେତ୍ରଫଳକୁ ଅଧିକ ଯଥାର୍ଥ ଭାବେ ପ୍ରଦର୍ଶନ କରିବା। ବିଶେଷକରି ଆଫ୍ରିକା ଭଳି ବିଶାଳ ଭୂଖଣ୍ଡ ମାନଚିତ୍ରରେ ଯେପରି ଦେଖାଯାଏ, ତାହା ନେଇ ଏହି ଆଲୋଚନା ଗୁରୁତ୍ୱ ପାଇଛି।
ମାଟିର ଫଳକରୁ ବିଶ୍ୱ ମାନଚିତ୍ର:
ହଜାର ହଜାର ବର୍ଷ ପୂର୍ବେ ବାବିଲୋନିଆର ଲୋକେ ମାଟିର ଫଳକରେ ନିଜେ ଜାଣିଥିବା ପୃଥିବୀକୁ ଆଙ୍କିଥିଲେ। ପ୍ରସିଦ୍ଧ ‘ବାବିଲୋନିଆନ୍‌ ୱାଲର୍‌ଡ ମ୍ୟାପ୍‌’ର କେନ୍ଦ୍ରରେ ଥିଲା ବାବିଲୋନ୍‌। ସେମାନଙ୍କ ପାଇଁ ଯେତିକି ଭୂଭାଗ ପରିଚିତ ଥିଲା, ମାନଚିତ୍ରର ପୃଥିବୀ ମଧ୍ୟ ପ୍ରାୟ ସେତିକି ଥିଲା। ଅର୍ଥାତ ମାନଚିତ୍ର ସେତେବେଳେ ମଧ୍ୟ ମଣିଷର ଜ୍ଞାନର ସୀମାକୁ ପ୍ରତିଫଳିତ କରୁଥିଲା।
ଶତାବ୍ଦୀ ପରେ ଗ୍ରୀକ୍‌ ଚିନ୍ତକମାନେ ପ୍ରଶ୍ନ କଲେ-ପୃଥିବୀର ଆକାର କେତେ? ଏହାର ଅସାଧାରଣ ଉତ୍ତର ଖୋଜିଥିଲେ ଏରାଟୋସ୍ଥେନିଜ୍‌। ମିଶରର ସିଏନି (ବର୍ତ୍ତମାନର ଆସ୍ବାନ୍‌) ଓ ଆଲେକଜାଣ୍ଡ୍ରିଆରେ ଏକ ସମୟରେ ସୂର୍ଯ୍ୟଛାୟାର ପାର୍ଥକ୍ୟକୁ ଆଧାର କରି ସେ ଜ୍ୟାମିତି ସାହାଯ୍ୟରେ ପୃଥିବୀର ପରିଧି ଆକଳନ କରିଥିଲେ। ତାଙ୍କ ଆକଳନ ପ୍ରାୟ ୩୯,୦୦୦ରୁ ୪୦,୦୦୦ କିଲୋମିଟର ମଧ୍ୟରେ ଥିଲା, ଯାହାକି ବର୍ତ୍ତମାନ ବିଷୁବୀୟ ପରିଧି (ପ୍ରାୟ ୪୦,୦୭୫ କିଲୋମିଟର) ସହ ଚମତ୍କାର ଭାବେ ନିକଟତର।
ଖ୍ରୀଷ୍ଟାବ୍ଦ ଦ୍ୱିତୀୟ ଶତାବ୍ଦୀରେ କ୍ଲାଉଡିଅସ୍‌ ଟୋଲେମି ଜ୍ୟୋତିର୍ବିଜ୍ଞାନ, ଗଣିତ ଓ ଭୂଗୋଳକୁ ଏକାଠି କରି ମାନଚିତ୍ର ନିର୍ମାଣକୁ ଏକ ବ୍ୟବସ୍ଥିତ ବୈଜ୍ଞାନିକ ରୂପ ଦେଇଥିଲେ। ତାଙ୍କ ଜୋଗ୍ରାଫିଆ ଗ୍ରନ୍ଥରେ ଅକ୍ଷାଂଶ ଓ ଦ୍ରାଘିମାର ବ୍ୟବହାର ମାଧ୍ୟମରେ ସ୍ଥାନର ଅବସ୍ଥାନ ନିର୍ଦ୍ଧାରଣର ପଦ୍ଧତିକୁ ସୁସଂଗଠିତ କରାଯାଇଥିଲା। ଟୋଲେମି ବୁଝିଥିଲେ ଯେ, ଗୋଲାକାର ପୃଥିବୀକୁ ସମତଳ କାଗଜରେ ଆଙ୍କିବାକୁ ହେଲେ ଏକ ଗଣିତୀୟ ପଦ୍ଧତି ଆବଶ୍ୟକ। ଏହି ଅନୁସନ୍ଧାନ ହିଁ ପରେ ‘ମାନଚିତ୍ର ପ୍ରକ୍ଷେପଣ’ ବିଜ୍ଞାନର ଭିତ୍ତିକୁ ମଜଭୁତ କଲା।
ପରେ ଆସିଲା ଅନ୍ବେଷଣର ଯୁଗ। ନୂଆ ଦ୍ୱୀପ, ଉପକୂଳ ଓ ଭୂଖଣ୍ଡ ମାନଚିତ୍ରରେ ଯୋଡ଼ିହୋଇଗଲା। ୧୫୦୭ରେ ମାର୍ଟିନ୍‌ ୱାଲ୍ଡସିମ୍ୟୁଲରଙ୍କ ମାନଚିତ୍ରରେ ‘ଆମେରିକା’ ନାମର ବ୍ୟବହାର ଏହି ଯାତ୍ରାର ଏକ ଚର୍ଚ୍ଚିତ ଘଟଣା। କିନ୍ତୁ ଏଠାରେ ମାନଚିତ୍ରର ଆଉ ଏକ ଦିଗ ସାମ୍ନାକୁ ଆସେ, ମାନଚିତ୍ର କେବଳ ଜ୍ଞାନର ମାଧ୍ୟମ ନୁହେଁ, ଶକ୍ତିର ଏକ ନୀରବ ଅସ୍ତ୍ର। ମାନଚିତ୍ରରେ ଟଣା ଏକ ରେଖା ବେଳେବେଳେ ଦେଶର ସୀମା ହୋଇଯାଏ, ଏକ ଜାତିକୁ ଅନ୍ୟ ଜାତିଠାରୁ ବିଭକ୍ତ କରିଦିଏ।
ମର୍କେଟର୍‌- ଭୁଲ୍‌ ନୁହେଁ, ଭିନ୍ନ ଉଦ୍ଦେଶ୍ୟର ମାନଚିତ୍ର:
୧୫୬୯ରେ ଫ୍ଲେମିଶ୍‌ ମାନଚିତ୍ରକାର ଜେରାର୍ଡସ୍‌ ମର୍କେଟର୍‌ ଏକ ପ୍ରକ୍ଷେପଣ ବିକଶିତ କଲେ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦିଗ ଓ କୋଣକୁ ଠିକ୍‌ ଭାବେ ସଂରକ୍ଷଣ କରି ସାମୁଦ୍ରିକ ଗତିପଥ ସହଜ କରିବା। ସମସ୍ୟା ହେଉଛି ଏହାର ବ୍ୟବହାର। ଗୋଲାକାର ପୃଥିବୀକୁ ସମତଳ ପୃଷ୍ଠରେ ପ୍ରଦର୍ଶନ କରିବାବେଳେ ଉଚ୍ଚ ଅକ୍ଷାଂଶରେ ଥିବା ସ୍ଥାନର କ୍ଷେତ୍ରଫଳକୁ ବହୁତ ବଢ଼ାଇ ଦେଖାଇଥାଏ I ଏହାର ସବୁଠାରୁ ପ୍ରସିଦ୍ଧ ଉଦାହରଣ ଆଫ୍ରିକା ଓ ଗ୍ରୀନ୍‌ଲାଣ୍ଡ। ଆଫ୍ରିକା ପ୍ରାୟ ୩୭ ଡିଗ୍ରୀ ଉତ୍ତରରୁ ୩୫ଡିଗ୍ରୀ ଦକ୍ଷିଣ ଅକ୍ଷାଂଶ ପର୍ଯ୍ୟନ୍ତ ଓ ଗ୍ରୀନ୍‌ଲାଣ୍ଡ ପ୍ରାୟ ୬୦ଡିଗ୍ରୀ ଉତ୍ତରରୁ ୮୪ଡିଗ୍ରୀ ଉତ୍ତର ଅକ୍ଷାଂଶ ପର୍ଯ୍ୟନ୍ତ ବିସ୍ତୃତ। ତେଣୁ ଗ୍ରୀନଲାଣ୍ଡ ଉଚ୍ଚ ଅକ୍ଷାଂଶରେ ଥିବାରୁ ମର୍କେଟର୍‌ ପ୍ରକ୍ଷେପଣରେ ଏହାର କ୍ଷେତ୍ରଫଳ ଅତିରଞ୍ଜିତ ଦେଖାଯାଏ। ଆଫ୍ରିକାର କ୍ଷେତ୍ରଫଳ ଗ୍ରୀନଲାଣ୍ଡଠାରୁ ପ୍ରାୟ ୧୪ ଗୁଣ ବଡ଼। କିନ୍ତୁ ମର୍କେଟର୍‌ ମାନଚିତ୍ରରେ ଦୁହିଁଙ୍କ ଆକାର ପ୍ରାୟ ସମାନ ଦେଖାଯାଏ। କାନାଡା ଓ ରୁଷିଆ ଭଳି ଉଚ୍ଚ ଅକ୍ଷାଂଶର ଦେଶମାନେ ମଧ୍ୟ ତୁଳନାତ୍ମକ ଭାବେ ବଡ଼ ଦେଖାଯାଆନ୍ତି। ତେବେ ପ୍ରଶ୍ନ ଉଠେ କେଉଁ ମାନଚିତ୍ର ଠିକ୍‌? ଉତ୍ତର ହେଉଛି-କୌଣସି ଗୋଟିଏ ପ୍ରକ୍ଷେପଣ ସବୁ ଉଦ୍ଦେଶ୍ୟ ପାଇଁ ସମ୍ପୂର୍ଣ୍ଣ ନୁହେଁ। ମର୍କେଟର୍‌ ଦିଗନିର୍ଣ୍ଣୟ ପାଇଁ ଉପଯୋଗୀ, ସମକ୍ଷେତ୍ରଫଳ ପ୍ରକ୍ଷେପଣ ଭୂଭାଗର ପ୍ରକୃତ କ୍ଷେତ୍ରଫଳ ତୁଳନା ପାଇଁ ଅଧିକ ଉପଯୋଗୀ, ଆଉ ରବିନସନ୍‌ ଭଳି ସମତୋଳିତ ପ୍ରକ୍ଷେପଣ ବିଶ୍ୱର ସାମଗ୍ରିକ ଦୃଶ୍ୟ ପାଇଁ ଉପଯୋଗୀ।
ମୌଳିକ ସତ୍ୟଟି ହେଉଛି,ପୃଥିବୀ ଗୋଲାକାର, ମାନଚିତ୍ର ଦ୍ୱିମାତ୍ରିକ। ତେଣୁ ଆକାର, କ୍ଷେତ୍ରଫଳ, ଦୂରତା କିମ୍ବା ଦିଗରେ କେଉଁଠି ନା କେଉଁଠି ବିକୃତି ହେବା ନିଶ୍ଚିତ। ତେଣୁ ପ୍ରଶ୍ନ ଏହା ନୁହେଁ ଯେ କେଉଁ ମାନଚିତ୍ର ସବୁଠାରୁ ଠିକ୍‌; ବରଂ କେଉଁ ଉଦ୍ଦେଶ୍ୟ ପାଇଁ କେଉଁ ପ୍ରକ୍ଷେପଣ ଅଧିକ ଉପଯୁକ୍ତ, ସେହି ପ୍ରଶ୍ନ ହିଁ ମୁଖ୍ୟ।
‘ମାନଚିତ୍ରକୁ ସୁଧାର’ର ପ୍ରକୃତ ଅର୍ଥ:
‘ମାନଚିତ୍ରକୁ ସୁଧାର’ର ଅର୍ଥ ପୃଥିବୀକୁ ନୂଆ କରି ଆଙ୍କିବା ନୁହେଁ; ବରଂ ଉଦ୍ଦେଶ୍ୟ ଅନୁଯାୟୀ ଉପଯୁକ୍ତ ପ୍ରକ୍ଷେପଣ ବାଛିବା ଓ ଭୂଭାଗର ଆପେକ୍ଷିକ ଆକାରକୁ ଯଥାର୍ଥ ଭାବେ ବୁଝିବା। ସମକ୍ଷେତ୍ର ପୃଥିବୀ ପ୍ରକ୍ଷେପଣ ସମ୍ପର୍କରେ ଜାତିସଂଘରେ ବହୁମତ ଥିଲେ ମଧ୍ୟ ଏହାକୁ ‘ଜାତିସଂଘ ନୂଆ ବିଶ୍ୱ ମାନଚିତ୍ର ଗ୍ରହଣ କରିଛି’ ବୋଲି ଭାବିବା ଠିକ୍‌ ନୁହେଁ। ଏହା କୌଣସି ଦେଶର ସାର୍ବଭୌମତ୍ୱ କିମ୍ବା ରାଜନୈତିକ ସୀମା ପରିବର୍ତ୍ତନର ପ୍ରସ୍ତାବ ମଧ୍ୟ ନୁହେଁ। ଭାରତ ଏହାକୁ ସମର୍ଥନ କରିବା ସହ ନିଜର ସାର୍ବଭୌମ ଭୂଖଣ୍ଡ, ଜମ୍ମୁ-କଶ୍ମୀର ଓ ଲଦାଖ ସମେତ, ସରକାରୀ ମାନଚିତ୍ର ଅନୁଯାୟୀ ପ୍ରଦର୍ଶନ କରିବାକୁ ସ୍ପଷ୍ଟ କରିଛି। ତେଣୁ ମାନଚିତ୍ରୀୟ ବିକୃତି ଓ ରାଜନୈତିକ ସୀମା ଦୁଇଟି ଭିନ୍ନ ବିଷୟ।
ମାନସିକ ମାନଚିତ୍ର ଓ ମାନଚିତ୍ର ସାକ୍ଷରତା:
ଏହି ଆଲୋଚନାର ସବୁଠାରୁ ଗଭୀର ଦିଗ ହେଉଛି ଏହାର ମାନସିକ ପ୍ରଭାବ। ଦଶନ୍ଧି ଦଶନ୍ଧି ଧରି କୌଣସି ଭୂଖଣ୍ଡକୁ ଏକ ନିର୍ଦ୍ଦିଷ୍ଟ ଭାବେ ଦେଖିଲେ, ଆମର ‘ମାନସିକ ମାନଚିତ୍ର’ ମଧ୍ୟ ସେହି ଅନୁସାରେ ଗଢ଼ିଉଠେ। ତେଣୁ ମାନଚିତ୍ର ପ୍ରକ୍ଷେପଣ କେବଳ ଏକ ଭୌଗୋଳିକ ପ୍ରକ୍ରିୟାଗତ ପ୍ରଶ୍ନ ନୁହେଁ; ଏହା ବିଶ୍ୱକୁ ଦେଖିବାର ଆମର ଦୃଷ୍ଟିଭଙ୍ଗୀ ସହ ଅଙ୍ଗାଙ୍ଗୀଭାବେ ଜଡ଼ିତ।
ଆଜି ଉପଗ୍ରହ ପୃଥିବୀକୁ ମହାକାଶରୁ ଦେଖାଉଛି, ଜିପିଏସ ଆମର ଅବସ୍ଥାନ ଜଣାଉଛି ଏବଂ ଜିଆଇଏସ୍‌ ପୃଥିବୀର ତଥ୍ୟକୁ ଅନେକ ସ୍ତରରେ ବିଶ୍ଳେଷଣ କରୁଛି। ସହର ଯୋଜନାଠାରୁ ବିପର୍ଯ୍ୟୟ ପରିଚାଳନା, କୃଷିଠାରୁ ପରିବେଶ ସୁରକ୍ଷା-ସବୁଠି ମାନଚିତ୍ରର ଭୂମିକା ବଢ଼ୁଛି।
ତେଣୁ ମାନଚିତ୍ର ଶିକ୍ଷା କେବଳ ଦେଶର ନାମ, ରାଜଧାନୀ, ନଦୀ ଓ ପର୍ବତ ଚିହ୍ନଟରେ ସୀମିତ ରହିବା ଉଚିତ ନୁହେଁ। ଛାତ୍ରୀଛାତ୍ରଙ୍କୁ ମାନଚିତ୍ର କିପରି ତିଆରି ହୁଏ, ପ୍ରକ୍ଷେପଣ କାହିଁକି ଆବଶ୍ୟକ, କେଉଁ ପ୍ରକ୍ଷେପଣ କେଉଁ ବିକୃତି ସୃଷ୍ଟି କରେ ଏବଂ ମାନଚିତ୍ର ଆମର ଚିନ୍ତାଧାରାକୁ କିପରି ପ୍ରଭାବିତ କରେ-ସେ ବିଷୟରେ ମଧ୍ୟ ଶିକ୍ଷା ଦେବା ଆବଶ୍ୟକ।
ଶେଷ ପର୍ଯ୍ୟନ୍ତ ‘ମାନଚିତ୍ରକୁ ସୁଧାର’ ଆମକୁ ଏକ ମୌଳିକ ଭୌଗୋଳିକ ଶିକ୍ଷା ଦେଉଛି-ମାନଚିତ୍ର ବାସ୍ତବତାର ପ୍ରତିରୂପ, ବାସ୍ତବତା ନୁହେଁ। ଆଫ୍ରିକା କି ଗ୍ରୀନ୍‌ଲାଣ୍ଡର ଆକାର ବଦଳିନାହିଁ, ବଦଳିଛି କେବଳ ତାହାକୁ ଦେଖାଇବାର ମାନଚିତ୍ରୀୟ ପଦ୍ଧତି। ତେଣୁ ‘ମାନଚିତ୍ରକୁ ସୁଧାର’ର ପ୍ରକୃତ ଅର୍ଥ ପୃଥିବୀକୁ ବଦଳାଇବା ନୁହେଁ; ପୃଥିବୀକୁ ଅଧିକ ବୈଜ୍ଞାନିକ, ନ୍ୟାୟସଙ୍ଗତ ଓ ସଚେତନ ଭାବେ ଦେଖିବା। ମାଟିର ଫଳକରୁ ଆରମ୍ଭ ହୋଇଥିବା ମାନଚିତ୍ରର ଯାତ୍ରା ଆଜି ଉପଗ୍ରହ ଓ ଡିଜିଟାଲ୍‌ ପରଦାରେ ପହଞ୍ଚିଛି। କିନ୍ତୁ ମୂଳ ପ୍ରଶ୍ନଟି ଆଜି ମଧ୍ୟ ସମାନ-ଆମେ ପୃଥିବୀକୁ କେମିତି ଦେଖୁଛୁ? ପୃଥିବୀ ବଦଳିନାହିଁ; ବଦଳିବାକୁ ଥିବା କଥା ହେଉଛି ତାହାକୁ ଦେଖିବାର ଆମର ଦୃଷ୍ଟିଭଙ୍ଗୀ।
ଅଧ୍ୟାପକ, ଭୂଗୋଳ ବିଭାଗ ରେଭେନ୍‌ଶା ବିଶ୍ୱବିଦ୍ୟାଳୟ
ମୋ:୯୪୩୯୧୬୭୮୫୫

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କ ବୟସ କେତେ

ରାତିର ଗଭୀର ଅନ୍ଧକାର। ଗୋଟିଏ ଷ୍ଟ୍ରିଟ୍‌ଲାଇଟ୍‌ ତଳେ ଜଣେ ବୃଦ୍ଧ ବ୍ୟାକୁଳ ହୋଇ କିଛି ଖୋଜୁଥିଲେ। ସେହି ବାଟ ଦେଇ ଯାଉଥିବା ଜଣେ ଯୁବକ ତାଙ୍କୁ ଦେଖି…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

ଏଇ ଭାରତରେ

ଦେବେନ୍ଦ୍ର କୁମାରଙ୍କ ଜୀବନ ସଂଘର୍ଷ ଅତ୍ୟନ୍ତ ପ୍ରେରଣାଦାୟୀ। ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇଗଲା। ସେତେବେଳେ ଦେବେନ୍ଦ୍ରଙ୍କ ପାଖରେ ରହିଗଲା…

ସମୟ-ସମାଜ-ମଣିଷ

ଏହି ସଂସାରରେ ସମୟ, ସମାଜ ଏବଂ ମଣିଷ ଏହି ତିନୋଟି ଗୋଟିଏ ସୂତାରେ ବନ୍ଧା ହୋଇଥିବା ଫୁଲ ଭଳି। ସମୟ କାହାରିକୁ ଅପେକ୍ଷା କରେନାହିଁ। ଏହା ନିରନ୍ତର…

ବିଭାଜିତ ବିଶ୍ୱ ବ୍ୟବସ୍ଥା

ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧…

ଆର୍ଥିକ କ୍ଷମତା ଓ ପ୍ରତିଭା

ଭାରତ ଭଳି ବିକାଶଶୀଳ ଦେଶରେ ଶିକ୍ଷାକୁ ସର୍ବଦା ରାଷ୍ଟ୍ର ଗଠନର ସବୁଠାରୁ ବଡ଼ ମାଧ୍ୟମ ବୋଲି ବିଚାର କରାଯାଇଛି । ହେଲେ ବିଡମ୍ବନାର ବିଷୟ , ଏବେ…

ମାର୍ବଲ୍ ମନ୍ଦିରର ଉତ୍ଥାନ

ମାର୍ୱଲ ମନ୍ଦିରଗୁଡ଼ିକୁ ଦେଖିଲେ ପ୍ରଥମେ ଏହା ଚାରିପାଖର ପରିବେଶ ନଜରକୁ ଆସେ। ଭିକ୍ଟୋରିଆନ୍‌ ଶୈଳୀର ଲନ୍‌, ମୋଗଲ ଆମୋଦପ୍ରମୋଦ ବଗିଚାର ଭ୍ରମ ସୃଷ୍ଟି କରୁଥିବା ଝରଣା ଏବଂ…

ଗଣତନ୍ତ୍ର ଓ ରାଜନୀତି

ଭାରତୀୟ ସମାଜର ଧାରା, ଦର୍ଶନ, କ୍ରିୟାକଳାପ, ପାଶ୍ଚାତ୍ୟ ଧାରାରୁ ସମ୍ପୂର୍ଣ୍ଣ ଅଲଗା। ଭାରତୀୟ ସମାଜ ବ୍ୟଷ୍ଟିତନ୍ତ୍ର ଆଧାରରେ ଅଧିଷ୍ଠିତ। ପ୍ରାଚୀନ ଯୁଗରେ ମୁନି ଋଷିମାନଙ୍କ ବ୍ୟକ୍ତିଗତ ସତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?