କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ବିଭିନ୍ନ ଦେଶର ପ୍ରତିନିଧି, ବିଦେଶୀ ଅତିଥି ଓ ସାମ୍ବାଦିକଙ୍କ ପାଇଁ କୋରାପୁଟ କଫି ପରିବେଷଣ କରାଯାଉଥିବା ଜଣାପଡ଼ିଛି। ଏହା ଓଡ଼ିଶା ସହ କୋରାପୁଟର କଫି ଚାଷୀଙ୍କ ପାଇଁ ଗୌରବର ବିଷୟ ପାଲଟିଛି। କୋରାପୁଟର ପାହାଡ଼, ଜଙ୍ଗଲ ଓ ଅନୁକୂଳ ଜଳବାୟୁରେ ଉତ୍ପାଦିତ କଫିର ସ୍ବତନ୍ତ୍ର ସ୍ବାଦ ଓ ସୁଗନ୍ଧ ଏବେ ଅନ୍ତର୍ଜାତୀୟ ମଞ୍ଚରେ ପରିଚିତ ହେବାର ସୁଯୋଗ ପାଇଛି। ଆଦିବାସୀ ଅଞ୍ଚଳର ଚାଷୀଙ୍କ ପରିଶ୍ରମର ଫଳ ବ୍ରିକ୍ସ ଭଳି ବିଶ୍ୱସ୍ତରୀୟ ସମ୍ମିଳନୀରେ ସ୍ଥାନ ପାଇବା ଦ୍ୱାରା କୋରାପୁଟ କଫିର ଚାହିଦା ଓ ବଜାର ପରିଚୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। କୋରାପୁଟ କଫିକୁ ଦେଶର ଏକ ଉଲ୍ଲେଖନୀୟ ସ୍ପେଶାଲିଟି ଉତ୍ପାଦ ଭାବେ ପ୍ରତିଷ୍ଠିତ କରିବା ସହ ଏହାର ପ୍ରଚାର ପ୍ରସାର ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା। ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶର ପ୍ରତିନିଧି କୋରାପୁଟ କଫିର ସ୍ବାଦ ଚାଖିବାର ସୁଯୋଗ ପାଇବା ଫଳରେ ଏହାର ଅନ୍ତର୍ଜାତୀୟ ପରିଚୟ ଆହୁରି ମଜଭୁତ ହେବାର ଆଶା ସୃଷ୍ଟି ହୋଇଛି। କୋରାପୁଟ କଫିର ଏହି ନୂଆ ପରିଚୟ କେବଳ ଏକ ସ୍ଥାନୀୟ ଉତ୍ପାଦର ସଫଳତା ନୁହେଁ, ବରଂ ଓଡ଼ିଶାର ଆଦିବାସୀ ଚାଷୀଙ୍କ ପରିଶ୍ରମ, ପ୍ରାକୃତିକ ସମ୍ପଦ ଓ ସ୍ଥାନୀୟ କୃଷି ଉତ୍ପାଦକୁ ବିଶ୍ୱ ଦରବାରରେ ପହଞ୍ଚାଇବାର ଏକ ବଡ଼ ସୁଯୋଗ ବୋଲି ମତ ପ୍ରକାଶ ପାଇଛି।

