ଥୁଆମୂଳ ରାମପୁର,୨୧।୧୧ (ଦୁର୍ଗା କୀର୍ତ୍ତି): : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବଦଳି ଓ ନିଯୁକ୍ତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି। ବର୍ତ୍ତମାନ କାର୍ଯ୍ୟରତ ଡାକ୍ତର ସମୟ ରଞ୍ଜନ ମାଝୀଙ୍କୁ କେସିଙ୍ଗାକୁ ବଦଳି କରି ତାଙ୍କ ସ୍ଥାନରେ ପୂର୍ବତନ ଡାକ୍ତର ରବୀନ୍ଦ୍ରନାଥ ଖୁଣ୍ଟିଆଙ୍କୁ ପୁନଃ ନିଯୁକ୍ତି ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଯୋଜନା କରୁଥିବା ଅଭିଯୋଗ କରି ଶନିବାର ନାକରୁଣ୍ଡି ଅଞ୍ଚଳବାସୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଗଣଧାରଣାରେ ବସିଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ନାକରୁଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନାକରୁଣ୍ଡି ସମେତ କେରପାଇ, ତଳ ଆମ୍ବ ପଦର, କର୍ଲାପାଟ ଓ ଗୁଣପୁର ଆଦି ୫ଟି ପଞ୍ଚାୟତର ପ୍ରାୟ ୧୦ ହଜାର ଦୁର୍ଗମ ଅଞ୍ଚଳବାସୀ ନିର୍ଭର କରନ୍ତି। ପୂର୍ବରୁ ଡା. ରବୀନ୍ଦ୍ରନାଥ ଖୁଣ୍ଟିଆ ଏଠାରେ ୩ ବର୍ଷ କାଳ ନିଯୁକ୍ତି ପାଇଥିଲେ ମଧ୍ୟ ଠିକ୍ ଭାବେ ଡ୍ୟୁଟି କରୁନଥିଲେ ଏବଂ ମାତ୍ର ୫ରୁ ୬ ଥର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଏପରିକି ତାଙ୍କର କାର୍ଯ୍ୟଶୈଳୀ ଓ ରୋଗୀଙ୍କ ପ୍ରତି ବ୍ୟବହାରରେ ଅଞ୍ଚଳବାସୀ ଅସନ୍ତୁଷ୍ଟ ଥିଲେ। ପରବର୍ତ୍ତୀ ସମୟରେ ସେ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍ସି)କୁ ବଦଳି ହୋଇଯାଇଥିଲେ।
ଅନ୍ୟପକ୍ଷରେ, ଗତ କିଛି ମାସ ହେଲା ଡା. ସମୟ ରଞ୍ଜନ ମାଝୀ ନାକରୁଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗଦେବା ପରେ ଅଞ୍ଚଳର ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ସୁଧାର ଆସିଛି। ସେ କେଲୁଆ, ତିଜମାଲି ଭଳି ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳର ଗାଁଗୁଡ଼ିକୁ ଯାଇ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ୍ ପ୍ରଶଂସିତ ହୋଇଛନ୍ତି। ମାତ୍ର ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍ଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଡା. ମାଝୀଙ୍କୁ କେସିଙ୍ଗା ବଦଳି କରାଯାଇ ଡା. ଖୁଣ୍ଟିଆଙ୍କୁ ପୁଣି ନାକରୁଣ୍ଡି ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏହି ନିଷ୍ପତ୍ତିକୁ ବିରୋଧ କରି ନାକରୁଣ୍ଡି ସରପଞ୍ଚ ଓ ଅଞ୍ଚଳବାସୀ ଶୁକ୍ରବାର ଭବାନୀପାଟଣାସ୍ଥିତ ସିଡିଏମ୍ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ। ମାତ୍ର ପ୍ରଶାସନ ନିକଟରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ଶନିବାର ନାକରୁଣ୍ଡି ଗ୍ରାମପଞ୍ଚାୟତର ଯୁବକ, ବରିଷ୍ଠ ନାଗରିକ, ମହିଳା ଓ ସ୍ଥାନୀୟ ନେତୃବୃନ୍ଦ ସ୍ୱାସ୍ଥ୍ୟକେନ୍ଦ୍ର ଫାଟକ ସମ୍ମୁଖରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣାରେ ବସିଥିଲେ।
ଆନ୍ଦୋଳନକାରୀ ଦୟାନିଧି ନାୟକ, ସାନୁ ମାଝୀ, ମହେନ୍ଦ୍ର ନାଏକ, ମୁନା ନାଏକ, ଅର୍ଜୁନ ମାଝୀ, ଜିତୁ ମାଝୀଙ୍କ ସମେତ ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ଯେ, ଡା. ସମୟ ରଞ୍ଜନ ମାଝୀଙ୍କୁ ଏଠାରେ ରଖାଯାଉ କିମ୍ବା ତାଙ୍କ ସ୍ଥାନରେ ଅନ୍ୟ କୌଣସି ଯୋଗ୍ୟ ନୂତନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଉ। କୌଣସି ପରିସ୍ଥିତିରେ ଡା. ରବୀନ୍ଦ୍ରନାଥ ଖୁଣ୍ଟିଆଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ। ଆଗାମୀ ଦିନରେ ଦାବି ପୂରଣ

