ୱେଲିଂଟନ,୨୧।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୱେଲିଂଟନ ଟେଷ୍ଟର ତୃତୀୟ ଦିନରେ ରେକର୍ଡର ବର୍ଷା ହୋଇଛି। ଗୋଟିଏ ପଟେ କେଏଲ ରାହୁଲ ଐତିହାସିକ ଶତକ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ଅନ୍ୟପଟେ ଶତକରୁ ମାତ୍ର ୨ ରନ ଦୂରରେ ଆଉଟ ହୋଇ ଅନଚାହା ରେକର୍ଡ ତାଲିକାରେ ସାମିଲ ହୋଇଛନ୍ତି ଅଧିନାୟକ ଶୁବମନ ଗିଲ।
ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୪୮୬ ରନ ସଂଗ୍ରହ କରିଛି। ଏହା ସହ ଭାରତର ମୋଟ ଅଗ୍ରଣୀ ୧୧୮ ରନ୍ରେ ପହଞ୍ଚିଛି। ଦଳ ପକ୍ଷରୁ କେଏଲ ରାହୁଲ ୧୩୬ ରନ୍ର ଶତକୀୟ ଇନିଂସ ଖେଳିଥିବା ବେଳେ ଋଷଭ ପନ୍ତ ୫୫, ଶୁବମନ ଗିଲ ୯୮ ଏବଂ ଦେବଦତ୍ତ ପଡିକ୍କଲ ୮୦ ରନ କରିଛନ୍ତି।
ତୃତୀୟ ଦିନରେ ସୃଷ୍ଟି ହେଲା ଏହି ସବୁ ରେକର୍ଡ
୧. ସକ୍ରିୟ ଭାରତୀୟଙ୍କ ମଧ୍ୟରେ ସର୍ବାଧିକ ଟେଷ୍ଟ ଶତକ:
କେଏଲ ରାହୁଲ ନିଜ ଟେଷ୍ଟ କ୍ୟାରିୟରର ୧୩ତମ ଶତକ ହାସଲ କରିଛନ୍ତି। ଏହା ସହ ସେ ସକ୍ରିୟ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ସର୍ବାଧିକ ଟେଷ୍ଟ ଶତକ ହାସଲ କରିବାର ଗୌରବ ପାଇଛନ୍ତି। ୧୧ଟି ଶତକ ସହ ଶୁବମନ ଗିଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି।
୨. ନର୍ଭସ ନାଇଣ୍ଟିଜ୍ର ଶିକାର ହେଲେ ଗିଲ:
୯୮ ରନ୍ରେ ଆଉଟ ହୋଇଥିବା ଶୁଭମନ ଗିଲ ଟେଷ୍ଟ ଇନିଂସରେ ନର୍ଭସ ନାଇଣ୍ଟିଜ୍ର ଶିକାର ହେବାରେ ୧୧ତମ ଭାରତୀୟ ଅଧିନାୟକ ହୋଇଛନ୍ତି। ଏହି ତାଲିକାରେ ଏମଏସ ଧୋନୀ ସର୍ବାଧିକ ୪ ଥର ଏଭଳି ଆଉଟ ହୋଇଛନ୍ତି।
୩. ସମସ୍ତ SENA ଦେଶରେ ଶତକ:
କେଏଲ ରାହୁଲ ଟେଷ୍ଟ କ୍ରିକେଟ ଇତିହାସରେ ଏକମାତ୍ର ଭାରତୀୟ ଓପନର୍, ଯିଏ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଏହି ଚାରିଟି SENA ଦେଶରେ ଶତକ ହାସଲ କରିଛନ୍ତି। ଇଂଲଣ୍ଡରେ ତାଙ୍କ ନାମରେ ୪ଟି, ଦକ୍ଷିଣ ଆଫ୍ରିକାରେ ୨ଟି ଏବଂ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଗୋଟିଏ ଲେଖାଏ ଶତକ ରହିଛି।
୪. ୱେଲିଂଟନ୍ରେ ଭାରତର ସର୍ବାଧିକ ଟେଷ୍ଟ ସ୍କୋର:
ପ୍ରଥମ ଇନିଂସରେ ୪୮୬ ରନ କରି ଭାରତ ୱେଲିଂଟନ୍ର ବେସିନ ରିଜର୍ଭ ଗ୍ରାଉଣ୍ଡରେ ନିଜର ସର୍ବାଧିକ ଟେଷ୍ଟ ସ୍କୋର ରେକର୍ଡ କରିଛି। ଏହା ପୂର୍ବରୁ ୨୦୧୪ରେ ଏହି ମଇଦାନରେ ଭାରତର ସର୍ବାଧିକ ସ୍କୋର ୪୩୮ ରନ ଥିଲା।
୫. ନ୍ୟୁଜିଲାଣ୍ଡ ମାଟିରେ ଓପନର୍ ଭାବେ ତୃତୀୟ ସର୍ବାଧିକ ସ୍କୋର:
କେଏଲ ରାହୁଲ ଓପନର୍ ଭାବେ ନ୍ୟୁଜିଲାଣ୍ଡରେ ଭାରତ ପାଇଁ ତୃତୀୟ ସର୍ବାଧିକ ଟେଷ୍ଟ ସ୍କୋର କରିଛନ୍ତି। ଏହି ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ଗୌତମ ଗମ୍ଭୀର ଅଛନ୍ତି। ସେ ୨୦୦୯ରେ ନ୍ୟୁଜିଲାଣ୍ଡରେ ୧୬୭ ଓ ୧୩୭ ରନ୍ର ଇନିଂସ ଖେଳିଥିଲେ।
୬. ନ୍ୟୁଜିଲାଣ୍ଡରେ ପ୍ରଥମ ଟେଷ୍ଟ ଇନିଂସରେ ଶତକ:
ନ୍ୟୁଜିଲାଣ୍ଡରେ ନିଜର ପ୍ରଥମ ଟେଷ୍ଟ ଇନିଂସରେ ଶତକ ହାସଲ କରିଛନ୍ତି କେଏଲ ରାହୁଲ। ଏହା ପୂର୍ବରୁ ୧୯୭୬ରେ ସୁନୀଲ ଗାଭାସ୍କର ଓ ସୁରିନ୍ଦର ଅମରନାଥ ନ୍ୟୁଜିଲାଣ୍ଡରେ ନିଜ ଟେଷ୍ଟ ଡେବ୍ୟୁ ଇନିଂସରେ ଶତକ ହାସଲ କରିଥିଲେ।
୭. ଗୋଟିଏ ଇନିଂସରେ ଦୁଇଟି ଶତକୀୟ ଭାଗୀଦାରି:
ନ୍ୟୁଜିଲାଣ୍ଡରେ ଗୋଟିଏ ଟେଷ୍ଟ ଇନିଂସରେ ଦୁଇଟି ଶତକୀୟ ଭାଗୀଦାରିରେ ସାମିଲ ହୋଇଛନ୍ତି କେଏଲ ରାହୁଲ। ପୂର୍ବରୁ ରାହୁଲ ଦ୍ରାବିଡ ଓ ଗୌତମ ଗମ୍ଭୀର ଏହି କୀର୍ତ୍ତିମାନ ହାସଲ କରିଥିଲେ। ରାହୁଲ ପ୍ରଥମେ ଯଶସ୍ବୀ ଜୟସ୍ବାଲଙ୍କ ସହ ୧୩୦ ରନ ଏବଂ ପରେ ଦେବଦତ୍ତ ପଡିକ୍କଲଙ୍କ ସହ ୧୬୫ ରନ୍ର ଭାଗୀଦାରି କରିଥିଲେ।
୮. ୨୦୨୧ରୁ ଓପନର୍ ଭାବେ ସର୍ବାଧିକ ଶତକ:
୨୦୨୧ରୁ ଏଯାଏଁ ଓପନର୍ ଭାବେ କେଏଲ ରାହୁଲ ୭ଟି ଟେଷ୍ଟ ଶତକ ହାସଲ କରିଛନ୍ତି। ଟମ ଲାଥମ, ବେନ ଡକେଟ, ଯଶସ୍ବୀ ଜୟସ୍ବାଲ ଓ ଦିମୁଥ କରୁଣାରତ୍ନେଙ୍କ ନାମରେ ମଧ୍ୟ ଏହି ସମୟ ମଧ୍ୟରେ ୭ଟି ଲେଖାଏ ଶତକ ରହିଛି।
Dharitri – Odisha’s No.1 Odia Daily

