ରାଜକନିକା୨୧।୧୧(ସଞ୍ଜୟ କୁମାର ଦାଶ): ଆଉ ଦିନ କେଇଟା ପରେ ବିଲରୁ ସୁନା ଫସଲ ଅମଳ ହୋଇଥାନ୍ତା, ହେଲେ ବାତ୍ୟା ପ୍ରଭାବିତ ଲଗାଣ ବର୍ଷା ଚାଷୀଙ୍କ ସବୁ ସ୍ୱପ୍ନକୁ ପାଣିରେ ଭସାଇ ଦେଇଛି। କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକରେ ଦୁଇ ଦିନ ଧରି ହୋଇଥିବା ମୁଷଳଧାରା ବର୍ଷା ଯୋଗୁ ବ୍ୟାପକ ଧାନଚାଷ ପ୍ରଭାବିତ ହୋଇଛି। ଅମଳ ଅପେକ୍ଷାରେ ଥିବା ପାଚିଲା ଧାନଗଛଗୁଡ଼ିକ ଏବେ ଜମିରେ ଲହଡ଼ି ଭାଙ୍ଗୁଥିବା ବର୍ଷା ପାଣିରେ ବୁଡ଼ି ରହିଛି। ବିଲରେ ଭାସୁଥିବା ସୁନା ଫସଲକୁ ଦେଖି ଅଞ୍ଚଳର ଚାଷୀକୂଳ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ଚଳିତ ଖରିଫ ଋତୁ ଆରମ୍ଭରୁ ଏକାଧିକବାର ବନ୍ୟା ଆସି ରାଜକନିକା ବ୍ଲକରେ ଚାଷ କାର୍ଯ୍ୟକୁ ଗୁରୁତର ଭାବେ ବାଧାପ୍ରାପ୍ତ କରିଥିଲା। ବ୍ଲକର ୨୯ଟି ପଞ୍ଚାୟତର ପ୍ରାୟ ୧୨ ହଜାର ହେକ୍ଟର ଜମିରୁ ପୂର୍ବ ବନ୍ୟାରେ ୩ ହଜାର ହେକ୍ଟରରୁ ଅଧିକ ଫସଲ ନଷ୍ଟ ହୋଇଯାଇଥିଲା। ଏହା ସତ୍ତ୍ୱେ ଚାଷୀମାନେ ହାର ନମାନି ହାତଉଧାରୀ ଓ ଧାରକରଜ କରି ପୁନର୍ବାର ଚାଷ କରିଥିଲେ। ମୁଣ୍ଡଝାଳ ତୁଣ୍ଡରେ ମାରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ଭଲ ଫସଲ ମଧ୍ୟ ହୋଇଥିଲା। ମାତ୍ର ଅମଳ ସମୟରେ ବାତ୍ୟା ଜନିତ ଅଦିନିଆ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି।
ଧାନଗଛଗୁଡ଼ିକ ଭାଙ୍ଗି ପାଣିରେ ଶୋଇ ପଡ଼ିଥିବାରୁ ଗଜା ମରୁଡ଼ି ସହ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବ କ୍ଷୟକ୍ଷତିର କୌଣସି ଆଖିଦୃଶିଆ ସରକାରୀ ସହାୟତା ମିଳିନଥିବା ବେଳେ ଏବେର ବିପର୍ଯ୍ୟୟ ଚାଷୀ ପରିବାରର ଚିନ୍ତା ବଢ଼ାଇ ଦେଇଛି। ବର୍ଷକର ଦାନା ଯୋଗାଡ଼ କରିବା ସହ ଧାରକରଜ ଶୁଝିବା ଏବଂ ପିଲାଙ୍କ ପାଠପଢ଼ା ଓ ଘର ଚଳାଇବା କିପରି ସମ୍ଭବ ହେବ, ସେ ନେଇ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ସରକାର ତୁରନ୍ତ କ୍ଷୟକ୍ଷତି ଆକଳନ କରି ସହାୟତା ଯୋଗାଇଦେବା ସହ କୃଷି ଋଣ ଛାଡ଼ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ଅନ୍ୟପକ୍ଷରେ ଏ ସମ୍ପର୍କରେ ରାଜକନିକା ବ୍ଲକ୍ କୃଷି ଅଧିକାରୀ ସିଦ୍ଧାର୍ଥ ପରିଡ଼ା କହିଛନ୍ତି ଯେ, ଶନିବାର ସୁଦ୍ଧା ବ୍ଲକର ପ୍ରାୟ ୧୨୩୫ ହେକ୍ଟର ଚାଷଜମି ଜଳମଗ୍ନ ହୋଇଥିବା ସୂଚନା ମିଳିଛି ଏବଂ ଆଗକୁ ଏହି ସଂଖ୍ୟା ବଢ଼ିପାରେ। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ କରାଯାଇ ନାହିଁ। ଜମିରୁ ପାଣି ଶୁଖିବା ପରେ ବିଧିବଦ୍ଧ ଭାବେ କ୍ଷୟକ୍ଷତି ଆକଳନ କରାଯାଇ ଚାଷୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

