ନୂଆଦିଲ୍ଲୀ,୨୧।୧୧: ବାହାଘର ସିଜିନ ଆରମ୍ଭ ହେଉ ହେଉ ସୁନାର ଶୁଦ୍ଧତାକୁ ନେଇ ବଡ଼ ପ୍ରଶ୍ନ ଉଠିବାରେ ଲାଗିଛି। ବଜାରରେ ୨୨ କ୍ୟାରେଟ ନାଁରେ ପ୍ରାୟ ୨୦ କ୍ୟାରେଟ ସୁନା ବିକ୍ରି କରାଯାଉଥିବା ନେଇ ଦାବି କରାଯାଇଛି। ଚ୍ୟାମ୍ୱର ଅଫ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରି (CTI) ଅନୁଯାୟୀ, ସୁନାର ଓଜନ ବଢ଼ାଇବା ପାଇଁ ଏଥିରେ ରେନିୟମ ପାଉଡର ଏବଂ ଅନ୍ୟ ଭାରୀ ଧାତୁ ମିଶାଯାଉଥିବା ନେଇ ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ ସଂଗଠନ ପକ୍ଷରୁ ଜୁଏଲେରୀ ବ୍ୟବସାୟୀ ଏବଂ ଗ୍ରାହକମାନଙ୍କ ପାଇଁ ଆଡଭାଇଜରୀ ଜାରି କରାଯାଇଛି। CTI ଅଧ୍ୟକ୍ଷ ବ୍ରିଜେଶ ଗୋଏଲ କହିଛନ୍ତି ଯେ, ‘ଜଣେ ଅସାଧୁ ଜୁଏଲରଙ୍କ ଯୋଗୁଁ ୧୦୦ ଜଣ ସଚ୍ଚୋଟ ଜୁଏଲର ବଦନାମ ହୁଅନ୍ତି।’
CTI ମୁତାବକ, ଏଥର ଦେଶରେ ପ୍ରାୟ ୫୨ ଲକ୍ଷ ବାହାଘରରୁ ୬ ଲକ୍ଷ କୋଟି ଟଙ୍କାର କାରବାର ହେବାର ଆକଳନ କରାଯାଇଛି। କେବଳ ଦିଲ୍ଲୀ-NCRରେ ୫ ଲକ୍ଷ ବାହାଘରରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କାରବାର ହୋଇପାରେ। ଏହି କାରବାରରେ ସୁନା ଏବଂ ଗହଣାର ଏକ ବଡ଼ ଭାଗ ରହିଥାଏ। ଏଭଳି ସ୍ଥିତିରେ ମିଶ୍ରଣ ଖବର ଜୁଏଲେରୀ ବ୍ୟବସାୟୀମାନଙ୍କ ଚିନ୍ତା ବଢ଼ାଇ ଦେଇଛି।
CTI ଅଧ୍ୟକ୍ଷ ବ୍ରିଜେଶ ଗୋଏଲ କହିଛନ୍ତି ଯେ, ଗତ କିଛି ଦିନ ଧରି ସୁନାରେ ମିଶ୍ରଣକୁ ନେଇ ରିପୋର୍ଟ ସାମ୍ନାକୁ ଆସିବା ପରେ ଜୁଏଲେରୀ ବ୍ୟବସାୟୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଶହ ଶହ ବ୍ୟବସାୟୀ ସଂଗଠନ ନିକଟରେ ନିଜର ଅସୁବିଧା ଜଣାଇଛନ୍ତି। ବାହାଘରର ପିକ ସିଜିନରେ ଏଭଳି ଖବର ଦ୍ୱାରା ଗ୍ରାହକଙ୍କ ବିଶ୍ୱାସ ଦୁର୍ୱଳ ହୋଇପାରେ ଏବଂ ଗହଣା ବିକ୍ରି ପ୍ରଭାବିତ ହେବାର ଆଶଙ୍କା ରହିଥିବା ବ୍ୟବସାୟୀମାନେ ଆଶଙ୍କା କରୁଛନ୍ତି।
ବ୍ରିଜେଶ ଗୋଏଲଙ୍କ ଅନୁଯାୟୀ, ରିପୋର୍ଟଗୁଡ଼ିକରେ ସୁନାର ଓଜନ ବଢ଼ାଇବା ପାଇଁ ଚୀନରୁ ଆସୁଥିବା ରେନିୟମ ପାଉଡର ବ୍ୟତୀତ ରୁଥେନିୟମ, ଇରିଡିୟମ ଏବଂ ଓସମିୟମ ଭଳି ଭାରୀ ଧାତୁ ବ୍ୟବହାର କରାଯାଉଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। CTI କହିଛି ଯେ ଏହି ଧାତୁଗୁଡ଼ିକର ଘନତା ସୁନାର ଘନତା ସହ ସମାନ କିମ୍ୱା ତାଠାରୁ ଅଧିକ ହୋଇପାରେ। ଏଭଳି କ୍ଷେତ୍ରରେ ପୁରୁଣା ଯାଞ୍ଚ ମେସିନ୍ରୁ ଏଗୁଡ଼ିକର ମିଶ୍ରଣ ଧରିବା କଷ୍ଟକର ହୋଇପାରେ।
ଏକ ପରୀକ୍ଷଣର ଉଦାହରଣ ଦେଇ CTI ଅଧ୍ୟକ୍ଷ ଦାବି କରିଛନ୍ତି ଯେ, ୨୨ କ୍ୟାରେଟ କହି ବିକ୍ରି କରାଯାଉଥିବା ଏକ ଗହଣାରେ ଅସଲି ସୁନାର ପରିମାଣ ମାତ୍ର ୮୧.୭୩% ମିଳିଛି। ଅର୍ଥାତ ଏହାର ଶୁଦ୍ଧତା ପ୍ରାୟ ୨୦ କ୍ୟାରେଟ ସହ ସମାନ ଥିଲା।
ଯେତେବେଳେ କି ୨୨ କ୍ୟାରେଟ ସୁନାରେ ଅତିକମରେ ୯୧.୬% ଶୁଦ୍ଧ ସୁନା ରହିବା କଥା। CTI ଅନୁଯାୟୀ, ଚିନ୍ତାର ବିଷୟ ଏହା ଯେ କଥିତ ଭାବେ କମ ଶୁଦ୍ଧତା ଥିବା ଏହି ଗହଣା ହଲମାର୍କିଂ ଯାଞ୍ଚରେ ମଧ୍ୟ ପାସ ହୋଇଯାଇଛି।
ସୁନାରେ ମିଶ୍ରଣ ଆଶଙ୍କାକୁ ଦୃଷ୍ଟିରେ ରଖି CTI ପକ୍ଷରୁ ସରକାର ଏବଂ BIS ନିକଟରେ ଚାରୋଟି ପଦକ୍ଷେପ ନେବାକୁ ଦାବି କରାଯାଇଛି:
୧. ରେନିୟମ ପାଉଡର ଆମଦାନୀ ଉପରେ ରୋକ: ଚୀନରୁ ଆସୁଥିବା ସନ୍ଦିଗ୍ଧ ଧାତୁ ପାଉଡରର ଆମଦାନୀ ଉପରେ ରୋକ ଲଗାଯାଉ ଏବଂ ଏହାର ଆମଦାନୀକାରୀଙ୍କ ତାଲିକା ସାର୍ୱଜନୀନ କରାଯାଉ।
୨. ମିଶ୍ରଣକାରୀଙ୍କ ନାଁ ସାର୍ୱଜନୀନ ହେଉ: ଦୋଷୀ ସାବ୍ୟସ୍ତ ହେଉଥିବା ଜୁଏଲର୍ସଙ୍କ ଲାଇସେନ୍ସ ବାତିଲ କରାଯାଉ ଏବଂ ସେମାନଙ୍କ ନାଁ BIS ୱେବସାଇଟ୍ରେ ସାର୍ୱଜନୀନ କରାଯାଉ।
୩. BIS Care Appକୁ ଅପଗ୍ରେଡ କରାଯାଉ: ଆପରେ କେବଳ ୨୨ କ୍ୟାରେଟ ଭଳି ସୂଚନା ବଦଳରେ ସୁନା ଏବଂ ଅନ୍ୟ ଧାତୁର ପରିମାଣ ସମ୍ପର୍କିତ ବିସ୍ତୃତ ରିପୋର୍ଟ ଉପଲବ୍ଧ କରାଯାଉ।
୪. ୭ ଦିନ ମଧ୍ୟରେ ଶ୍ୱେତପତ୍ର ଜାରି ହେଉ: କେତେ ପରିମାଣର ରେନିୟମ ଆମଦାନୀ ହୋଇଛି, କେତେ ଗୋଟି ଯାଞ୍ଚ କେନ୍ଦ୍ରରେ ଏଭଳି ମାମଲା ସାମ୍ନାକୁ ଆସିଛି ଏବଂ କେତେ ଜଣ ଜୁଏଲର୍ସଙ୍କ ବିରୋଧରେ ମାମଲା ରୁଜୁ ହୋଇଛି, ସେନେଇ ସରକାର ସ୍ପଷ୍ଟ କରନ୍ତୁ।
ସଂଗଠନ ପକ୍ଷରୁ ବ୍ୟବସାୟୀମାନଙ୍କୁ ନିଜ ଦୋକାନରେ ଥିବା ସୁନାର ପୁନଃ ଲ୍ୟାବ ଯାଞ୍ଚ କରାଇ ଏବଂ ତାହାର ରିପୋର୍ଟ ଗ୍ରାହକଙ୍କ ସାମ୍ନାରେ ରଖିବାକୁ ନିବେଦନ କରାଯାଇଛି। CTI କହିଛି ଯେ ପ୍ରତ୍ୟେକ ଗହଣା ସହିତ ଏକ ଶୁଦ୍ଧତା କାର୍ଡ ଦିଆଯାଉ, ଯେଉଁଥିରେ ସୁନା ଏବଂ ଅନ୍ୟ ଧାତୁର ପରିମାଣ ସ୍ପଷ୍ଟ ଭାବେ ଲେଖା ହୋଇଥିବ।
ଏହାଛଡ଼ା ପୁରୁଣା XRF ମେସିନ୍ଗୁଡ଼ିକୁ ଅପଗ୍ରେଡ କରିବା ଏବଂ ରେନିୟମ ଭଳି ଧାତୁକୁ ଚିହ୍ନଟ କରୁଥିବା ନୂଆ ଜ୍ଞାନକୌଶଳ ଆପଣାଇବା ପାଇଁ ବ୍ୟବସାୟୀମାନଙ୍କୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ ସପ୍ଲାୟରଙ୍କ ସମ୍ପର୍କରେ CTIକୁ ସୂଚନା ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। ସଂଗଠନ କହିଛି ଯେ ସୂଚନା ଦେଉଥିବା ବ୍ୟବସାୟୀଙ୍କ ନାଁ ଗୋପନ ରଖାଯିବ।
ସୁନା କିଣୁଥିବା ଗ୍ରାହକ ଏହି ୫ଟି କଥା ପ୍ରତି ଧ୍ୟାନ ଦିଅନ୍ତୁ
ସୁନା କିଣିବା ବେଳେ CTI ପକ୍ଷରୁ ଗ୍ରାହକମାନଙ୍କୁ ଅଧିକ ସତର୍କତା ଅବଲମ୍ୱନ କରିବାକୁ ପରାମର୍ଶ ଦିଆଯାଇଛି:
* କେବଳ ହଲମାର୍କ ଦେଖି ସନ୍ତୁଷ୍ଟ ହୁଅନ୍ତୁ ନାହିଁ, GST ଥିବା ପକ୍କା ବିଲ ନିଶ୍ଚିତ ନିଅନ୍ତୁ।
* ଦୋକାନରେ ହିଁ BIS Care Appରେ HUID ନମ୍ୱର ପକାଇ ହଲମାର୍କିଂ ସମ୍ପର୍କିତ ସୂଚନା ଯାଞ୍ଚ କରନ୍ତୁ।
* ବଜାର ଦରଠାରୁ ୩,୦୦୦୫,୦୦୦ ଟଙ୍କା ଶସ୍ତାରେ ସୁନା ମିଳୁଥିଲେ ଏହାର ଶୁଦ୍ଧତା ନିଶ୍ଚିତ ଯାଞ୍ଚ କରାନ୍ତୁ।
* ପୁରୁଣା ସୁନା ବିକ୍ରି କରିବା କିମ୍ୱା ଏକ୍ସଚେଞ୍ଜ କରିବା ପୂର୍ୱରୁ ମଧ୍ୟ ଏହାର ଶୁଦ୍ଧତା ଯାଞ୍ଚ କରନ୍ତୁ।
* ମିଶ୍ରଣର ସନ୍ଦେହ ହେଲେ CTI କିମ୍ୱା BISରେ ଅଭିଯୋଗ କରନ୍ତୁ।
ସଂଗଠନ କହିଛି ଯେ ବାହାଘର ସିଜିନ୍ରେ ସୁନା କିଣାକିଣି ବଢ଼ୁଥିବା ବେଳେ ଗ୍ରାହକମାନଙ୍କ ପାଇଁ ଏହାର ଶୁଦ୍ଧତା ଯାଞ୍ଚ କରିବା ଆହୁରି ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ବ୍ୟବସାୟୀମାନଙ୍କ ଆଗରେ ଗୁଣବତ୍ତା ଏବଂ ସୱଚ୍ଛତା ବଜାୟ ରଖିବାର ଚ୍ୟାଲେଞ୍ଜ ରହିଛି, ଯାହାଦ୍ୱାରା ଗ୍ରାହକଙ୍କ ବିଶ୍ୱାସ ଅତୁଟ ରହିବ।

