ସ୍ନେହରଙ୍କୁଣା ମଣିଷ

ଦୁଇଦିନିଆ ଜାତୀୟ ପତ୍ରବାଚନ ସଫଳତାର ସହ ସମାପ୍ତ ହୋଇଯାଇଥାଏ। ଅତିଥି, ଅଧିକାରୀ ଓ ଆଗନ୍ତୁକ ସଦସ୍ୟା ସଦସ୍ୟମାନେ ଫେରିଗଲେଣି ନିଜ ଗନ୍ତବ୍ୟ ସ୍ଥାନକୁ। ସମସ୍ତଙ୍କୁ ଆନୁଷ୍ଠାନିକ ବିଦାୟ ଦେବା ପରେ ଦୁଇ ଦିନ ଧରି ଜଳପାନ, ମଧ୍ୟାହ୍ନ ଓ ରାତ୍ରି ଭୋଜନ ପ୍ରସ୍ତୁତ କରିଥିବା ରୋଷେୟା ଏବଂ ତାଙ୍କ ସହଯୋଗୀଙ୍କ ପାଖରେ ପହଁଚି, ସେମାନଙ୍କ ପାରିଶ୍ରମିକ ଦେଇ କହିଲି- ଆପଣମାନଙ୍କର କଠିନ ପରିଶ୍ରମ ହେତୁ ଅତିଥିମାନେ ଖୁସିରେ ଖାଇଲେ। ତା’ପରେ ସେମାନଙ୍କ ସହ ଏକ ସ୍ଥିର ଚିତ୍ର (ଫଟୋ) ଉତ୍ତୋଳନ ପାଇଁ ମୋର ଜଣେ ସହକର୍ମୀଙ୍କୁ କହିଲି। ଫଟୋ ଉଠିବା ପରେ ରୋଷେୟା ଓ ତାଙ୍କ ସହଯୋଗୀ (ଦୁଇଜଣ ବୃଦ୍ଧା ଶ୍ରମଜୀବୀ ଏବଂ ଜଣେ ପୁରୁଷ ସହକାରୀ) ମୋତେ କୋଳାଗ୍ରତ କହିଲେ- ବାବୁ ବିଭିନ୍ନ ଜାଗାରେ ଭୋଜି ରାନ୍ଧୁଛୁ। ରୋଜଗାର କରୁଛୁ। ସମସ୍ତେ ରୋଷେଇ ପରେ କିଛି କିଛି ପାରିଶ୍ରମିକ ବିଭିନ୍ନ ବାହାନା କରି କାଟି ଦିଅନ୍ତି ଏବଂ ଆମକୁ ମଳିମୁଣ୍ଡିଆ ଭଳି ବ୍ୟବହାର କରନ୍ତି। ହେଲେ ତୁମେ ଭିନ୍ନ ।
ଉପରୋକ୍ତ ବ୍ୟକ୍ତିଗତ ଅନୁଭବଟି ଉପସ୍ଥାପନ କରିବାର ଆଭିମୁଖ୍ୟ ହେଉଛି ପ୍ରତ୍ୟେକ ମଣିଷ ସ୍ନେହରଙ୍କୁଣା। କେବଳ ଟିକିଏ ଭଲ ବ୍ୟବହାର, କଥାବାର୍ତ୍ତା, ଭାବର ଆଦାନ ପ୍ରଦାନରେ ଅତି ଆପଣାର ହୋଇଯାଆନ୍ତି। କିନ୍ତୁ ଆଜିକାଲି ମଣିଷପଣିଆ ହଜିଯାଇଛି। ମଣିଷ ଆଉ ମଣିଷ ହୋଇ ରହିନାହିଁ। ମଣିଷ ସବୁ କଥାରେ ଲାଭ କ୍ଷତିର ହିସାବ କରୁଛି। ସମସ୍ତଙ୍କୁ ସମାନ ଭାବରେ ଦେଖିବା ପରିବର୍ତ୍ତେ ପଦ, ପଦବୀ, ଅର୍ଥ ତଥା କ୍ଷମତାର ନିକିତିରେ ତଉଲିବାକୁ ଚେଷ୍ଟା କରି ତା’ଠାରୁ ସାମାନ୍ୟ ତଥାକଥିତ ତଳ ସ୍ତରର ଲୋକଙ୍କୁ ଇତର ପ୍ରାଣୀଙ୍କ ଭଳି ବ୍ୟବହାର କରୁଛି। ତା’ ପାଇଁ ଭାଗବତ ବାଣୀ- ‘ସକଳ ଘଟେ ନାରାୟଣ, ଅନାଦି ପରମ କାରଣ’ ଆପ୍ତ ବାକ୍ୟଟି ଗୋଟିଏ ପୁରୁଣାକାଳିଆ ଲୋକୋକ୍ତି। ସେଥିପାଇଁ ସମାଜରେ ଭେଦଭାବର ହାର ବଢ଼ିଚାଲିଛି। ମଣିଷ ଚିନ୍ତା କରିପାରୁ ନାହିଁ ଯେ ସମସ୍ତ ମଣିଷ ଏକ କିନ୍ତୁ ସୁବିଧା ସୁଯୋଗ ଦୃଷ୍ଟିରୁ ଆମର ବୃତ୍ତି ବା ପେଟ ପୋଷିବାର ପନ୍ଥା ଭିନ୍ନ। କିନ୍ତୁ ଏକଥା ବି ମନେରଖିବା ଉଚିତ ଯେ ଯେଉଁ ବ୍ୟକ୍ତିବିଶେଷ ନିଜ ପଦ,ପଦବୀ ଓ କ୍ଷମତା ପାଇଁ ଅନ୍ୟମାନଙ୍କୁ ଘୃଣା କରନ୍ତି, ସେମାନେ ଅବସର ନେବା ପରେ ତାଙ୍କ ସାଥିରେ କେବଳ ବୁଲିବ ପୋଷାକୁକୁର, ସେ ପୁଣି ଲାଞ୍ଚ (ପ୍ରସ୍ତାବିତ ଭଲ ଖାଦ୍ୟ, ସୁବିଧା ସୁଯୋଗ ଇତ୍ୟାଦି)ପାଉଥିଲେ। ନିର୍ଦ୍ଧାରିତ ବୟସ ପରେ ପଦ, ପଦବୀ ଓ କ୍ଷମତା ଚାଲିଯିବ। ସମାଜର କୌଣସି ବ୍ୟକ୍ତି ସେଭଳି ଅହଂକାରୀ ଓ ସ୍ବଘୋଷିତ ପଦାଧିକାରୀଙ୍କୁ ସମ୍ମାନ ଦେବେ ନାହିଁ। ଶେଷରେ ନିଃସଙ୍ଗ ଜୀବନ କଟେଇବାକୁ ପଡ଼ିବ।
କୋଡ଼ିଏ ବର୍ଷ ତଳର କଥା। ମୋର ସ୍ବଭାବ ହେଉଛି ସବୁ ବର୍ଗର ଲୋକଙ୍କ ସହ ବିନା ବାଛବିଚାରରେ କଥାବାର୍ତ୍ତା କରିବା। ମୁଁ ଯେଉଁ ଅନୁଷ୍ଠାନରେ କାମ କରୁଥିଲି ସେଠାରେ ଦଶ ବାର ଜଣ ସଫେଇ କର୍ମଚାରୀ କାମ କରୁଥିଲେ। ମୁଁ ସେମାନଙ୍କ ଭଲମନ୍ଦ ପଚାରି ବୁଝେ। ଛୁଟି ଦରଖାସ୍ତ ଲେଖିଦିଏ। ପିଲାମାନଙ୍କ ପାଠପଢ଼ା ବିଷୟରେ ପଚାରେ। ସେମାନେ ସବୁଦିନ ଗୋଟିଏ କୋଣ ଜାଗାରେ ମଧ୍ୟାହ୍ନ ଖାଆନ୍ତି। ଦିନେ ମୁଁ ସେମାନଙ୍କ ପାଖକୁ ଗଲି ଏବଂ ମିଶିକରି ଖାଇବି ବୋଲି କହିଲି। ସେମାନେ ଆଦୌ ରାଜି ହେଲେ ନାହିଁ। କିନ୍ତୁ ଜବରଦସ୍ତ ଜଣକ ଖାଇବା ଡବାରୁ (ଟିଫିନ ବକ୍ସ) ତରକାରି ଆଣି ଖାଇଲି। ସମସ୍ତେ ଅସ୍ତବ୍ୟସ୍ତ ହୋଇ ସେଠାରୁ ଉଠିଯିବାକୁ ଚେଷ୍ଟା କଲେ। ବୁଝେଇଲି ଏବଂ ସମସ୍ତେ ମିଳିମିଶି ଖାଇଲୁ। ସେଥିରୁ ଜଣେ ଯାହାଙ୍କ ଅକାଳରେ ସ୍ବର୍ଗବାସ ହୋଇଗଲାଣି କହିଲେ- ଆଜ୍ଞା, ଅଧିକାଂଶ ଲୋକ ଆମକୁ ସୁଇପର କହି ଘୃଣା କରୁଛନ୍ତି। ହେଲେ ତୁମେ ଆମକୁ ଏତେ ସ୍ନେହ କାହିଁକି କରୁଛ? ମୁଁ କହିଲି- ଦେଖ !
ମୋତେ ସୁଯୋଗ ମିଳିଲା ବୋଲି ଭଲ ପାଠପଢି ଚାକିରିଟିଏ କରିଦେଲି। ତୁମକୁ ମଧ୍ୟ ଯଦି ଭଲ ସୁବିଧା ସୁଯୋଗ ମିଳିଥାନ୍ତା, ମୋ ଭଳି ଭଲ ଚାକିରିଟି କରିପାରିଥାନ୍ତ! ଆମେ ପଦପଦବୀ ଦୃଷ୍ଟିରୁ ଟିକିଏ ଭିନ୍ନ, କିନ୍ତୁ ମଣିଷ ଭାବରେ ସମଜାତି ଓ ସମାନ। ସମସ୍ତେ ଖୁସି ହୋଇଗଲେ। ମୁଁ ଯେତେବେଳେ ସେ ଚାକିରି ଛାଡ଼ିଲି ପ୍ରଥମ ଥର ସେମାନଙ୍କ ଦ୍ବାରା ସ୍ବତନ୍ତ୍ର ବିଦାୟୀ ସମ୍ବର୍ଦ୍ଧନା ଦେଇ ବହୁତ କାନ୍ଦିଥିଲେ ଏବଂ ଆଜିଯାଏ ମନେ ରଖିଛନ୍ତି ତଥା ଭଲମନ୍ଦରେ କଥାବାର୍ତ୍ତା ହେଉଛନ୍ତି। କହିବାର ଅର୍ଥ ହେଉଛି ଆମର ଶାଳୀନ ତଥା ଶ୍ଳୀଳ ବ୍ୟବହାର ଆମକୁ ସମସ୍ତଙ୍କ ସହ ଅନ୍ତରଙ୍ଗ କରିଥାଏ। ତେଣୁ ମଣିଷ ତା’ର ଅହଂକାରକୁ ପରିହାର କରି ମଣିଷପଣିଆର ସମ୍ପର୍କ ଡୋରିରେ ବାନ୍ଧି ହୋଇଗଲେ ପଦପଦବୀ ତା’ ପାଇଁ ଗୌଣ ହୋଇଯିବ, ଭେଦଭାବ ରୂପକ କାମଳ ରୋଗ ଦୂର ହୋଇଯିବ ଏବଂ ସବୁ ମଣିଷ ଆପଣାର ବୋଲି ଅନୁଭବ ହେବେ। କିନ୍ତୁ ଏତିକି ସାଧାରଣ ଜ୍ଞାନ ଓ ସାମାଜିକ ମୂଲ୍ୟବୋଧର ଅଭାବ ହିଁ ସମାଜରେ ବଡ଼ ସାନ, ଧନୀ ନିର୍ଦ୍ଧନ ଆଦି ଭେଦଭାବର ପାଚେରି ସୃଷ୍ଟି କରି ସମାଜରେ ଅରାଜକତା ସୃଷ୍ଟି କରୁଛି।
ଆଉ ଗୋଟିଏ ଛୋଟ ଉଦାହରଣ। ଘର ପାଖକୁ ଅନେକ ବନବାସୀ ମହିଳା ତାଙ୍କ କୃଷି ଓ ଜଙ୍ଗଲଜାତ ସାମଗ୍ରୀ ବିକ୍ରିକରିବାକୁ ଆସନ୍ତି। ସେମାନେ ଆମ ପରିବାରର ସଦସ୍ୟ ଭଳି ମନ ଖୋଲି କଥା ହୁଅନ୍ତି। ସୁବିଧା ଅସୁବିଧା କହନ୍ତି। ସେମାନେ ଭାରି ସ୍ବାଭିମାନୀ ଏବଂ ସଚ୍ଚୋଟ। କାହାକୁ ଠକିବା, କାହାର କ୍ଷତି କରିଦେବା ସେମାନଙ୍କ ଆଦୌ ପ୍ରକୃତି କି ପ୍ରବୃତ୍ତି ନୁହେଁ। ସେମାନେ ସରଳ, ସଚ୍ଚୋଟ ଓ ବିଶ୍ବାସୀ ମଣିଷ। ଯେତେବେଳେ ଆମେ ସେମାନଙ୍କ ସହ ଭଲ ବ୍ୟବହାର କରୁ ସେମାନେ ଆମକୁ ନିଜରକରି ସବୁ ସୁଖଦୁଃଖ କହି ଦିଅନ୍ତି। ତେଣୁ ମଣିଷ ମଣିଷପଣିଆ ନେଇ ବଞ୍ଚୁ। ପଦ, ପଦବୀ, କ୍ଷମତା ଆଦି ଭୌତିକ ସମ୍ପତ୍ତି କ୍ଷଣସ୍ଥାୟୀ ଏବଂ କ୍ଷଣଭଙ୍ଗୁର। କିନ୍ତୁ ସମାଜର ସବୁବର୍ଗର ଲୋକଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର, ସହଭାଗିତା ଓ ସହଯୋଗିତା ମଣିଷକୁ ଅମର କରିଦିଏ। ଶରୀର ତ୍ୟାଗ ପରେ ମଧ୍ୟ ମଣିଷ ବହୁବର୍ଷ ବଞ୍ଚତ୍ୟାଏ। ସ୍ନେହରଙ୍କୁଣା ମଣିଷମାନଙ୍କୁ କେବଳ ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ଶୃଙ୍ଖଳରେ ବାନ୍ଧିବା ସହଜ, ଦିଆନିଆ ବା ନାଲିଆଖି ଦେଖେଇ ନୁହେଁ। ହେଲେ ଘୁଷୁରି ପ୍ରକୃତି ପଙ୍କେ ଲୋଟେ ଆଉ ମଣିଷ…।

ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ
ମୋ: ୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?